ଆହୁରି ଅନେକ ବାଟ ଅଛି ଆଗେଇବାକୁ

ଭୁବନେଶ୍ୱର, (ଆଇଏନ୍ଏସ୍): ନିକଟରେ ବିଶ୍ୱବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ମାନବ ସମ୍ବଳ ବିକାଶ ସୂଚକାଙ୍କ ରିପୋର୍ଟରେ ଆମେ କେଉଁ ଅବସ୍ଥାରେ ରହିଛୁ ତାର ଚିତ୍ର ପ୍ରକାଶିତ ହୋଇଛି । ବିଶ୍ୱବ୍ୟାଙ୍କ ପକ୍ଷରୁ ଯେଉଁ ରିପୋର୍ଟ ପ୍ରସ୍ତୁତ ହୋଇଛି, ତାହା ବିଶେଷତଃ ଶିଶୁମାନଙ୍କର ଜୀବିତ ରହିବାର ସମ୍ଭାବନା, ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ଉନ୍ନତି ଭଳି କେତେକ ବିଷୟରେ ୧୫୭ଟି ଦେଶକୁ ନେଇ ଆକଳନ କରାଯାଇଛି । ଯାହା ଆମ ପାଇଁ ଚିନ୍ତାର କାରଣ । ଏହି ରିପୋର୍ଟରେ ଭାରତ ନେପାଳ, ଶ୍ରୀଲଙ୍କା, ମିଅାଁମାର ଏବଂ ବଙ୍ଗଳାଦେଶ ତଳକୁ ରହିଛି । ୧୫୭ ଟି ଦେଶ ଭିତରେ ଆମର ସ୍ଥାନ ହେଉଛି, ୧୧୫ । ସବୁଠାରୁ ଆଗରେ ରହିଛି ସିଙ୍ଗାପୁର ।
ଭାରତ ପକ୍ଷରୁ ଏହି ରିପୋର୍ଟ ନେଇ କ୍ଷୋଭ ପ୍ରକାଶ କରାଯାଇଛି । ଯୁକ୍ତି ଦର୍ଶାଯାଇଛି ଯେ, ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯାଉଛି, ସେଥିରେ ଭାରତ ପକ୍ଷରୁ ନିଆଯାଇଥିବା କେତେକ ଭଲ କାର୍ଯ୍ୟକ୍ରମକୁ ସାମିଲ କରାଯାଇ ନାହିଁ । ସେଗୁଡିକ ହେଲା, ଆୟୁଷ୍ମାନ ଭାରତ ଯୋଜନା, ଉଜ୍ଜଳା ଯୋଜନା, ଜନଧନ ଯୋଜନା- ଏମିତ କେତେଗୁଡିଏ ଯୋଜନା କଥା କୁହାଯାଇଛି ।
ବିଶ୍ୱବ୍ୟାଙ୍କ ଯେଉଁ ମାନବ ସମ୍ବଳ ବିକାଶସୂଚୀ ପ୍ରସ୍ତୁତ କରିଛି, ତାହାର କିଛିଟା ସୀମା ରହିଛି । ଯେକୌଣସି କାର୍ଯ୍ୟକ୍ରମକୁ ସାମିଲ କରାଯାଇ ପାରିବ ନାହିଁ । ଏହା କେବଳ ରାଜନୈତିକ ଦୃଷ୍ଟିକୋଣରୁ ଠିକ ହୋଇପାରେ । ଏଠାରେ ନୀତି ଆୟୋଗର ସିଇଓ ଅମିତାଭ କାନ୍ତ କଥା କୁହାଯାଇପାରେ । ତାଙ୍କର ଯୁକ୍ତି ହେଉଛି, ମାନବ ଉନ୍ନୟନ ସୂଚକାଙ୍କରେ ଉନ୍ନତି ନ ଆଣି ପାରିଲେ ଶତକଡା ୧୦ ଭାଗ ଉନ୍ନୟନ ସମ୍ଭବ ନୁହେଁ । ଆମ ଦେଶରେ ଶିଶୁମୃତ୍ୟୁ ହାର କମୁଛି । ଏଥିରେ କୌଣସି ସନେ୍ଦହ ନାହିଁ ।୧୯୯୦ରେ ଆମ ଦେଶରେ ଶିଶୁ ମୃତ୍ୟୁହାର ଥିଲା ପ୍ରତି ଏକ ହଜାର ଶିଶୁରେ ୧୨୯ । ୨୦୦୫ ବେଳକୁ ଏହା ଖସିଆସି ୫୮ ରେ ପହଂଚିଲା ।୨୦୧୭ ବେଳକୁ ଏହାର ସ୍ଥତି ହେଉଛି, ପ୍ରତି ଏକ ହଜାର ଶିଶୁରେ ମରୁଛନ୍ତି ମାତ୍ର ୩୯ । ଏହା ଯଥେଷ୍ଟ ନୁହେଁ । କାରଣ ଏହା ଭିତରେ ବିଶ୍ୱ ସୂଚୀରେ ଆମେ ଠିକ ଜାଗାରେ ପହଂଚିପାରି ନାହୁଁ । ଆମର ସ୍ଥାନ ହେଉଛି ୧୮ ।
କୁପୋଷଣ ହେଉଛି, ଆମର ସବୁଠାରୁ ବଡ ସମସ୍ୟା । ଯେପର୍ଯ୍ୟନ୍ତ ଆମେ ଏହି ସମସ୍ୟାରୁ ମୁକୁଳି ପାରିନେ, ସେ ପର୍ଯ୍ୟନ୍ତ, ଆମର ଉନ୍ନୟନ ଠିକଭାବେ ହୋଇପାରିବ ନାହିଁ । କୁପୋଷଣ ଯୋଗୁ ଆମର ଶିଶୁମାନଙ୍କର ଉଚତା ଠିକଭାବେ ବଢି ପାରୁ ନଥିଲା । ୨୦୦୬ ମସିହାର ହିସାବରୁ ଜଣାଯାଇଛି, ଆମ ଦେଶରେ କମ ଉଚତାର ପିଲାଙ୍କ ସଂଖ୍ୟା ପ୍ରତି ହଜାରରେ ୪୮ ଥିଲା । ୨୦୧୬ ମସିହା ବେଳକୁ ଏହା କମି ୩୮ରେ ପହଂଚିଛି । ଯାହା କେବେହେଲେ ଠିକ ନୁହେଁ । ଏହାକୁ କମାଇବାକୁ ପଡିବ ।
ଉତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏକ ଲୋକପ୍ରିୟ ସରକାରର ପ୍ରଥମ କାମ । ମାତ୍ର ଭାରତରେ ସ୍ôାସ୍ଥ୍ୟସେବାରେ କେତେ ଖର୍ଚ ହୁଏ ଜାଣନ୍ତି? ଜିଡିପିର ମାତ୍ର ୧.୧୫ଅଂଶ । କେତେ କମ ଖର୍ଚ ଆମେ କରୁଛୁ ତାହା ସହଜରେ ଅନୁମେୟ । ଏହାକୁ ବଢାଇବାକୁ ହେବ । ନହେଲେ ସାମଗ୍ରିକ ବିକାଶ ସୂଚୀ ବଢି ପାରିବ ନାହିଁ । ଆମେ ଯେତେ ଉନ୍ନତ ଓ ବିକାଶର କଥା କହିଲେ ମଧ୍ୟ ବିଶ୍ୱ ଦରବାରରେ ଆମେ କେତେ ତଳେ ରହିଛୁ ତାହା ସହଜରେ ଅନୁମେୟ ।

Leave a Reply

Your email address will not be published. Required fields are marked *