ଗହୀରମଥା ଅଭୟାରଣ୍ୟର ଧ୍ୱଂସ ପାଇଁ ଦାୟୀ କିଏ?

ଭୁବନେଶ୍ୱର, (ଆଇଏନ୍ଏସ୍): ଗହୀରମଥାର ଅଲିଭ୍ ରିଡ଼୍ଲେ କଇଁଛ ମାନଙ୍କ ପାଇଁ ସ୍ୱପ୍ନ ଦେଖିଥିଲେ ଏଚ୍ ଆର ବଷ୍ଟାର୍ଡ଼ ଓ ବୈଜ୍ଞାନିକ ଚନ୍ଦ୍ର ଶେଖର କର । ଅଲିଭ୍ ମାନଙ୍କ ସୁରକ୍ଷା ପାଇଁ ସେମାନେ ସରକାରଙ୍କ ଦ୍ୱାରା ଆବଶ୍ୟକ ବ୍ୟବସ୍ଥା କରାଇଥିଲେ । ସରକାରୀ ବ୍ୟବସ୍ଥା ଅନୁଯାୟୀ ଅଲିଭ୍ ମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବା ପାଇଁ ତକ୍ରାଳୀନ ରେଂଜ ଅଫିସର ଶୁଭେନ୍ଦୁ ପ୍ରସାଦ ବେହେରା ଦକ୍ଷତାର ସହ ସମୁଦ୍ରରେ ପେଟ୍ରୋଲିଂ କରି ବେଆଇନ ମାଛଧରା ଟ୍ରଲର ଗୁଡ଼ିକୁ ଉଚିତ ଶିକ୍ଷା ଦେଇଥିଲେ । ଏଥିଯୋଗୁ ସଂପୃକ୍ତ ମାଛ ମାଫିଆ ମାନେ ଗହୀରମଥା ଅଫିସ୍ରେ ପୋଡ଼ାଜଳା କରିବା ସହିତ ରେଂଜ ଅଫିସର ଶ୍ରୀ ବେହେରାଙ୍କୁ ଜୀବନରେ ମାରି ଦେବାର ହୀନ ଉଦ୍ୟମ କରିଥିଲେ । ତାଙ୍କ ପରେ ପରେ ଅରବିନ୍ଦ ମିଶ୍ର ଙ୍କ ଭଳି ରେଂଜ ଅଫିସର ଓ ମାନସ ଦାସଙ୍କ ଭଳି ଦକ୍ଷ ଫରେଷ୍ଟର ମାନେ ଶ୍ରୀ ବେହେରାଙ୍କ ଦୁଃସାହସିକ କାର୍ଯ୍ୟକୁ ଅନୁସରଣ କରି ଅତି ନିଷ୍ଠାର ସହ କର୍ତବ୍ୟ କରିଥିଲେ । କିନ୍ତୁ ସମୁଦ୍ର ଭିତରେ ନିର୍ଭୟରେ ପେଟ୍ରୋଲିଂ କରିବାର ମାନସିକତା ଆଜିର କୌଣସି ଅଫିସର କିମ୍ବା ଫରେଷ୍ଟରଙ୍କ ଭିତରେ ଦେଖା ଯାଉନାହିଁ । ଆଶ୍ଚର୍ଯ୍ୟର କଥା ଯେ, ସରକାରୀ ନିୟୋଜିତ ଅଫିସର ଓ ଫରେଷ୍ଟର ମାନେ ସମୁଦ୍ର ଭିତରେ ପେଟ୍ରୋଲିଂ କରିବା ଦୂରର କଥା, ହେଲେ ସମୁଦ୍ରକୁ ଦେଖି ଡ଼ରୁଛନ୍ତି କି ମାଛ ମାଫିଆ ମାନଙ୍କ ଆକ୍ରମଣ ଆଶଙ୍କାରେ ଡ଼ରୁଛନ୍ତି, କିଛି ଜାଣି ହେଉନାହିଁ ।
ସୂଚନାଯୋଗ୍ୟ ଯେ, ଗହୀରମଥା ସମୁଦ୍ରରେ ପ୍ରଚୁର ମାଛ ମିଳେ । ସାଧାରଣତଃ ଗହୀରମଥାକୁ କଇଁଛ ମାନଙ୍କ ଆଗମନ ସମୟରେ ମାଛ ମାନେ ଅଧିକ ସଂଖ୍ୟାରେ ଆସିଥାନ୍ତି । ଏହି ସମୟରେ ମଧ୍ୟ ମାଛ ମାଫିଆ ମାନଙ୍କର ଦୌରାତ୍ମ୍ୟ ଯଥେଷ୍ଟ ବଢି ଯାଇଥାଏ । ଆଉ ଏତିକିବେଳେ ସେମାନଙ୍କ ସହିତ ହାତ ମିଳାଇ ଥାନ୍ତି କିଛି ଅସାଧୁ କର୍ମଚାରୀ । ମୁଖ୍ୟତଃ ସରକାରୀ ବ୍ୟବସ୍ଥା ଅନୁଯାୟୀ ସମୁଦ୍ର ଭିତରକୁ ପେଟ୍ରୋଲିଂ ପାଇଁ ଯିବା ପୂର୍ବରୁ ଉକ୍ତ ଅସାଧୁ କର୍ମଚାରୀ ମାନେ ବେଆଇନ ଟ୍ରଲର୍ ଡ଼୍ରାଇଭର୍ ମାନଙ୍କୁ ଜଣାଇ ଦିଅନ୍ତି । ଯଦ୍ୱାରା ସେମାନେ ତୁରନ୍ତ ଅଭୟାରଣ୍ୟ ପରିସର ଛାଡ଼ି ବାହାରକୁ ପଳାଇ ଯାଆନ୍ତି । ବେଆଇନ ମାଛ ମାରିବାର ସୁଯୋଗ ତଥା ପେଟ୍ରୋଲିଂ କବଳରୁ ରକ୍ଷା ହେତୁ ମାଫିଆ ମାନେ ଉକ୍ତ ଅସାଧୁ କର୍ମଚାରୀଙ୍କର ଏକାଧିକ ବ୍ୟାଙ୍କ ଆକାଉଂଟକୁ ନିୟମିତ ମୋଟା ଅଙ୍କର ଟଙ୍କା ପଠାଇଥାନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଗହୀରମଥା ସ୍ପିଡ଼୍ ବୋଟର ଡ଼୍ରାଇଭର୍ ମାନଙ୍କର ଆବଶ୍ୟକୀୟ ଡ଼୍ରାଇଭିଂ ଦକ୍ଷତା ନାହିଁ । ସେମାନେ ଆଧୁନିକ ଡ଼୍ରାଇଭିଂ ଶିକ୍ଷା ପ୍ରାପ୍ତ ନୁହନ୍ତି । ମନମୁଖୀ କେତେକ ବଙ୍ଗଳା ଭାଷାଭାଷୀ ବ୍ୟକ୍ତିିଙ୍କୁ ନିଯୁକ୍ତି ଦିଆ ଯାଇଛି । ତେବେ ଗହୀରମଥା ସ୍ପିଡ଼୍ ବୋଟ୍ରେ କାର୍ଯ୍ୟରତ ଲାଲୁ ଜେନା, ଚଂଚଳ ମାଇତି, ଅନୁଆ ସେଠୀ ଓ ପିଂଟ ବିଶ୍ୱାସ ବେଆଇନ ଟ୍ରଲର୍ ଡ଼୍ରାଇଭରଙ୍କ ସହ ପ୍ରଚ୍ଛନ୍ନ ସଂପର୍କ ରଖିଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇ ଆସୁଛି । ଆଉ ବନ ବିଭାଗ ସେମାନଙ୍କୁ ସୁରକ୍ଷା ବଳୟ ଭିତରେ ରଖିବାର କାରଣ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅତି କମ୍ରେ ସେମାନଙ୍କ ବ୍ୟାଙ୍କ୍ ଆକାଉଂଟ ଓ ମୋବାଇଲ୍ ଫୋନ୍ କୁ ସିଜ୍ କରାଯାଇ ବିଧିବଦ୍ଧ ତଦନ୍ତ କରାଯିବା ଉଚିତ ବୋଲି ବିଭିନ୍ନ ମହଲରେ ଦାବି ଉଠୁଛି ।
ସ୍ମରଣଯୋଗ୍ୟ ଯେ, ନିକଟ ଅତୀତରେ ଗୋଟିଏ ଦିନରେ ୧୪ ଟି ବେଆଇନ ଟ୍ରଲର୍ ଧରା ପଡ଼ିଥିଲା । ସେଥିରେ ଥିବା ଲକ୍ଷ ଲକ୍ଷ ଟଙ୍କାର ମାଛ ଜବତ ହୋଇଥିଲା । କିନ୍ତୁ ତାହା ବନ ବିଭାଗ ଦ୍ୱାରା ଧରା ଯାଇନଥିଲା । ଏହାକୁ କୋଷ୍ଟଗାର୍ଡ଼ ଧରିଥିଲା । ଅବଶ୍ୟ ଅତୀତରେ ବନ ବିଭାଗ ରେଂଜର ମାନେ ବହୁ ବେଆଇନ ବୋଟ୍ ଧରିବାର ନଜିର ଅଛି । ଏଣୁ ପୂର୍ବଭଳି ଦକ୍ଷ ଓ ନିଷ୍ଟାପର ଅଫିସର ଏବଂ ଫରେଷ୍ଟରଙ୍କୁ ଏଠାରେ ନିଯୁକ୍ତି ଦିଆଯାଉ । ବନ ବିଭାଗ ନିଜ ପରିସରକୁ ସ୍ପଷ୍ଟ କରିବା ଉଚିତ । ଗହୀରମଥା ସମୁଦ୍ରର ପ୍ରଚୁର ମାଛ ସମସ୍ତଙ୍କୁ ପାଗଳ କରି ଦେଇଥିବା ଭଳି ମନେ ହେଉଛି । ଏଥିରେ ମାଛ ମାଫିଆ, ଅଫିସର ଓ ରାଜନେତାଙ୍କର୍ୱିଳିତ ସଂପୃକ୍ତିକୁ ମଧ୍ୟ ଅସ୍ୱୀକାର କରାଯାଇ ପାରୁନାହିଁ । ଗହୀରମଥା କାହାରି ନୁହେଁ । ତାହା ଆମ ସମସ୍ତଙ୍କର । ତାକୁ ସୁରକ୍ଷା ଦେବା ଆମର କର୍ତବ୍ୟ । କିନ୍ତୁ ଏହାକୁ ସୁରକ୍ଷିତ ରଖିବା ଜଙ୍ଗଲ ବିଭାଗର ପ୍ରଥମ ଦାୟିତ୍ୱ । ଗହୀରମଥା ଅଭୟାରଣ୍ୟର ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ପ୍ରମୁଖ ଶାସନ ସଚିବ ଓ ୱାଲଡ଼ ଲାଇଫ୍ ପିସିସିଏଫ୍ ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ନେବାକୁ ପରିବେଶବିତ୍ ମାନଙ୍କ ସମେତ ସାଧାରଣରେ ଦାବି ହେଉଛି । ଆଇଏନ୍ଏସ୍ ।

Leave a Reply

Your email address will not be published. Required fields are marked *