କେନ୍ଦ୍ରାପଡ଼ାରେ ଉନ୍ନୟନ କାର୍ଯ୍ୟ ପଛରେ, ଦୁର୍ନୀତି ଓ ଅନିୟମିତତା ଆଗରେ!

ପଟ୍ଟାମୁଣ୍ଡାଇ,(ଆଇଏନ୍ଏସ୍) : ଚିର ଅବହେଳିତ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ୟା ସମାଧାନ ଦିଗରେ ସରକାରୀ ଉଦାସୀନତାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ଏଥିପାଇଁ ପ୍ରଶାସନ ଓ ଗତ ୫୦ ବର୍ଷ ମଧ୍ୟରେ ଏଠାରୁ ନିର୍ବାଚିତ ବିଧାୟକ, ସାଂସଦ ଓ ଅନ୍ୟ ଲୋକପ୍ରତିନିଧି ମାନଙ୍କ ଅହେତୁକ ଅବହେଳାକୁ ତୀବ୍ର ସମାଲୋଚନା କରାଯାଉଛି । ଶିଳ୍ପ ଓ ରେଳ ବିହୀନ ଏହି ଜିଲ୍ଲାର ସାମଗ୍ରିକ ବିକାଶ, ଉତିକଣ ଧୋୟା ଅଂଚଳର ସୁରକ୍ଷା, ଅଳଭା-ଗଣ୍ଡାକିଆ କେନାଲ୍ର ପୁନଃଉଦ୍ଧାର,ସାତଭାୟା,ପଂଚୁବରାହୀ, ଡ଼ାଙ୍ଗମାଳ, ବିଶ୍ୱବିଖ୍ୟାତ ଭିତରକନିକା, ଗହୀରମଥା,ବରୁଣେଇ ମୁହାଣ, ରିଘାଗଡ଼, କେରଡ଼ାଗଡ଼, ପେଣ୍ଠର ଜଗନ୍ନାଥ ମନ୍ଦିର, ଚନ୍ଦ୍ରମଉଳି ମନ୍ଦିର ଆଦି ଦୁର୍ଲଭ କ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାରେ ପ୍ରଶାସନ ଓ ରାଜନେତାମାନେ ବିଫଳ ହୋଇଛନ୍ତି । ସବୁବେଳେ ଏହି ଅଂଚଳ ପାନୀୟଜଳ ସମସ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ଆଁ ଭିତରେ ରହୁଥିଲେ ହେଁ କୌଣସି ସ୍ଥାୟୀ ପ୍ରତିକାର ହୋଇପାରି ନାହିଁ । ବଙ୍ଗୋପସାଗର ଉପକୂଳରେ ପଥର ବନ୍ଧ ନିର୍ମାଣର ଆବଶ୍ୟକତା ଥିଲେ ହେଁ ଏଥିପ୍ରତି କାହାରି ଦୃଷ୍ଟି ପଡ଼ୁନାହିଁ । ଏହାଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟକୁ ନିୟନ୍ତ୍ରଣ କରାଯାଇ ପାରନ୍ତା । ସୂଚନାଯୋଗ୍ୟ ଯେ, ପ୍ରତି ମୁହୂର୍ତରେ ପ୍ରାକୃତିକ ଜଙ୍ଗଲ ନଷ୍ଟ କରାଯାଉଥିଲେ ହେଁ ବୃକ୍ଷରୋପଣ ହେଉନାହିଁ । ପ୍ରତିବର୍ଷ ଉକ୍ରଟ ମରୁଡ଼ି କିମ୍ବା ବନ୍ୟା ଜନିତ ଫସଲ ହାନି ଲୋକମାନଙ୍କ ସମସ୍ୟା ଦ୍ୱିଗୁଣିତ କରୁଛି । ଜିଲ୍ଲାରେ ଜଳସେଚନର ନାଁ ଗନ୍ଧ ନାହିଁ । ଉଠା ଜଳସେଚନ ସେବା ମଧ୍ୟ ସ୍ୱପ୍ନ ପାଲଟିଛି । ଏବେଠାରୁ ପାନୀୟ ଜଳ ସମସ୍ୟା ଦେଖାଦେବା ଆରମ୍ଭ କଲାଣି । ରାଜନଗର ଓ ମହାକାଳପଡ଼ା ଅଂଚଳରେ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏପରିକି ସାଧାରଣ ଲୋକେ ନିଜ ବ୍ଲକ୍ ସଦର ମହକୁମାରେ ପହଂଚିବାକୁ ଦିନ ଦିନ ଲାଗି ଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ବୁଦୁ୍ୟତ୍କରଣ ଯୋଜନା କାର୍ଯ୍ୟକାରୀ କରିଥିଲେ ହେଁ ଏଯାଏ ଅନେକ ଗ୍ରାମ ବାସୀ ବିଜୁଳି ଆଲୁଅ ଦେଖିବାରୁ ବଂଚିତ ଅଛନ୍ତି । ପଟ୍ଟାମୁଣ୍ଡାଇ ବିଜ୍ଞାପିତ ଅଂଚଳବାସୀ ବିଭିନ୍ନ ସମସ୍ୟା ଘେରରେ ରହିଛନ୍ତି । ଏଠାରେ ରାସ୍ତାଘାଟ ସମସ୍ୟା ଉକ୍ରଟ ରୂପ ଧାରଣ କରିଛି । ପାନୀୟଜଳ ଯୋଗାଣ ଓ ଡ଼୍ରେନେଜ୍ ପ୍ରଣାଳୀ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ସ୍ୱାସ୍ଥ୍ୟସେବା ସମସ୍ୟା ରାଜନଗର, ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇ ବାସୀଙ୍କ ପାଇଁ ଅଭିଶାପ ହୋଇଛି । ବିଶେଷଜ୍ଞ ଡ଼ାକ୍ତରଙ୍କ ଅଭାବରୁ ରୋଗୀ ଚିକିତ୍ସା ସେବାରୁ ବଂଚିତ ହେଉଛନ୍ତି । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉନ୍ନୀତ ସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦିଆଯାଇ ଏଠାରେ ବିଶେଷଜ୍ଞ ଡ଼ାକ୍ତରମାନଙ୍କୁ ନିଯୁକ୍ତି ଦେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଡ଼ାକ୍ତର ଅଭାବରୁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇଛି । ଜିଲ୍ଲାରେ ହୋମିଓପାଥୀ ସେବା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ଡ଼ାକ୍ତର ଓ କର୍ମଚାରୀ ନଥିବାରୁ ଅଧିକାଂଶ ହୋମିଓ ଚିକିତ୍ସା କେନ୍ଦ୍ରରେ ତାଲା ଝୁଲୁଛି ।
ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ଉନ୍ନୟନ ଯୋଜନାର ସଫଳ ରୂପାୟନର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ତେବେ କେନ୍ଦ୍ରାପଡ଼ା ଜିଲ୍ଲାର ଦୂରବସ୍ଥା ପାଇଁ ନିର୍ବାଚିତ ପ୍ରତିନିଧି ମାନଙ୍କ ଦୁର୍ନୀତିଖୋର ମନୋବୃତି ଦାୟୀ ବୋଲି କେତେକ ବରିଷ୍ଠ ନାଗରିକ ଓଏନ୍ଏସ୍କୁ କହିଛନ୍ତି । । ଏବେ ସରକାରଙ୍କ ଅପାରଗତା ଯୋଗୁ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ଦୁର୍ନୀତି ଓ ଅନିୟମିତତା ଚରମ ସୀମା ପାର କଲାଣି । ଏଠାରେ ଦୁର୍ନୀତିର ଚେର ଏତେ ମଜଭୁତ ହୋଇଯାଇଛି ଯେ ଜନସଚେତନତା ଓ ଆନେ୍ଦାଳନ ଛଡ଼ା ତାହାର ମୂଳୋତ୍ପାଟନ ଅସମ୍ଭବ ବୋଲି ଲୋକେ ଆଲୋଚନା କଲେଣି । ତେବେ ପ୍ରଶାସନକୁ ସକି୍ରୟ କରିବାକୁ ଦୃଢ ନେତୃତ୍ୱର ଆବଶ୍ୟକତା ରହିଛି । କିନ୍ତୁ ଆମର ନିର୍ବାଚିତ ପ୍ରତିନିଧିମାନେ ନିରବଦ୍ରଷ୍ଟା ସାଜିଛନ୍ତି । ତେଣୁ ଏଥିପାଇଁ ସାଧାରଣ ଲୋକେ ଏକଜୁଟ ହେବା ପାଇଁ ବୁଦ୍ଧିଜୀବୀ ମାନେ ଆହ୍ୱାନ ଦେଇଛନ୍ତି । ଆଇଏନ୍ଏସ୍ ।

Leave a Reply

Your email address will not be published.