ଅଣ କଂଗ୍ରେସ ଦଳର ଦୁର୍ଗ ରକ୍ଷା ନେଇ ସଂଦେହ!

ଶରତ କୁମାର ରାଉତ
ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ରାଜନୀତିକ ଦୃଶ୍ୟପଟ୍ଟ କ୍ରମେ ପରିବର୍ତନ ହେବାରେ ଲାଗିଛି । ୨୦୧୪ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନ ସମେତ ପାଟକୁରା, କେନ୍ଦ୍ରାପଡ଼ା, ମହାକାଳପଡ଼ା ଓ ମାହାଙ୍ଗା ବିଧାନସଭା ଆସନ ବିଜେଡ଼ି ହାତକୁ ଯାଇଥିଲା ବେଳେ ରାଜନଗର, ଆଳି ଓ ସାଲେପୁର ଆସନ କଂଗ୍ରେସ ଅକ୍ତିଆରକୁ ଯାଇଥିଲା । ମାତ୍ର ସମୟ ବଦଳିବା ସହ ଏଠାକାର ରାଜନୀତିକ ପାଣିପାଗ ମଧ୍ୟ ବଦଳିବାରେ ଲାଗିଛି । ବୈଜୟନ୍ତ ପଣ୍ଡା ନିଜର ସାଂସଦ ପଦ ତଥା ବିଜେଡ଼ିରୁ ଇସ୍ତଫା ଦେବା ପରେ ସ୍ଥାନୀୟ ରାଜନୀତିର ଦିଗ ପରିବର୍ତନ ହେବାରେ ଲାଗିଛି । ଆସନ୍ତା ନିର୍ବାଚନରେ ଏହି ଲୋକସଭା ଆସନ ସମେତ ଅଧିକାଂଶ ବିଧାନସଭା ଆସନ ଅଣ-ବିଜେଡ଼ି ହାତକୁ ଚାଲିଯିବାର ଆଶଙ୍କା ରହିଥିବା ରାଜନୀତିକ ସମୀକ୍ଷକ ମାନେ ମତ ଦେବା ଆରମ୍ଭ କଲେଣି । କେତେକ ବିଧାୟକଙ୍କର ମନମୁଖୀ କାର୍ଯ୍ୟ ଏବଂ ସାଧାରଣ ଲୋକଙ୍କ ନିକଟରୁ ଦୂରେଇ ଯିବା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି । କେତେକ ବିଧାୟକ ନିଜ ଆଂଚଳିକ ଉନ୍ନୟନ ପାଣ୍ଠିର ଉପଯୁକ୍ତ ଉପଯୋଗ କରିନଥିବା ଅଭିଯୋଗ ହେଉଛି । ଅଧିକାଂଶ ଅନୁନ୍ନତ ଅଂଚଳ ପ୍ରତି ସେମାନେ ଆଖି ବନ୍ଦ୍ କରିଦେଇଥିବା ବେଳେ କେତେକ ବିକଶିତ ଅଂଚଳରେ ଅନାବଶ୍ୟକ ଭାବେ ନିଜର ପାଣ୍ଠି ଅପବ୍ୟୟ କରିଥିବା ଅଭିଯୋଗ ହେଉଛି । ଗତ ନିର୍ବାଚନରେ କୁଆଡ଼େ ବିଜେଡ଼ିର ସବୁଠୁ ଅଧିକ ଅଗ୍ରହଣୀୟ ନେତାଙ୍କୁ ପ୍ରାର୍ଥୀତ୍ୱ ଦିଆ ଯାଇଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ନବିନ ବାବୁଙ୍କର ହାୱାରେ କେତେକ ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେବେ ଏଥର ବିଭିନ୍ନ ବିଧାନସଭା ନିର୍ବାଚନ କ୍ଷେତ୍ରରେ ବିଜେଡ଼ିରୁ ଲଢିବାକୁ ଆଶାୟୀଙ୍କ ସଂଖ୍ୟା ୫,୬,୭ ଓ ୮କୁ ଛୁଇଁଲାଣି । ପ୍ରାୟ ସବୁ ଆସନରେ ଦଳୀୟ ପ୍ରାର୍ଥୀତ୍ୱ ପାଇଁ ନେତାଙ୍କ ମଧ୍ୟରେ କନ୍ଦଳ ଆରମ୍ଭ ହୋଇଗଲାଣି । ତେଣୁ ସୁପି୍ରମୋଙ୍କ ଦ୍ୱାରା ସର୍ବଗ୍ରହଣୀୟ ପ୍ରାର୍ଥୀ ମନୋନୟନ ଉପରେ ବିଜେଡ଼ିର ଭବିଷ୍ୟତ ନିର୍ଭର କରୁଛି ବୋଲି ରାଜନୀତିକ ସମୀକ୍ଷକ ମାନେ ମତ ଦେଉଛନ୍ତି ।
ମହାକାଳପଡ଼ା ବିଧାନସଭା କ୍ଷେତ୍ରରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ବିଜେଡ଼ି ସଂଗଠନ ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ବିଜେଡ଼ି ବା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କର କୌଣସି ସଶକ୍ତ ସଂଗଠନ ନଥିଲା । ବରଂ ନବୀନ ପଟ୍ଟନାୟକଙ୍କ ହାୱା ଯୋଗୁ ଶ୍ରୀ ନାୟକ ଏଠାରୁ ବିଜୟୀ ହୋଇଛନ୍ତି । ସ୍ଥାନୀୟ ବିଜେଡ଼ିର ନାମ ମାତ୍ର ସଂଗଠନଟି ଅତନୁବାବୁଙ୍କୁ ବିରୋଧ କରିବା ଆରମ୍ଭ କରିଛି । ଏଠାରେ ବିଜେଡ଼ିର ସଞ୍ଜୟ ଲେଙ୍କାଙ୍କ ସମେତ ଆଉ ଦୁଇ ତିନି ଜଣ ବିଜେଡ଼ିରୁ ଟିକଟ ପାଇବାକୁ ଉଦ୍ୟମ ଚଳାଇଛନ୍ତି । ଏହି ଅଂଚଳ ସ୍ୱର୍ଗତ ନଳିନୀକାନ୍ତ ମହାନ୍ତିଙ୍କ ଅଭେଦ୍ୟ ଦୁର୍ଗ ଭାବେ ଅନେକ ବର୍ଷ ତଳୁ ରହିଥିଲା । ଆଉ ଏବେ ସ୍ୱର୍ଗତ ମହାନ୍ତିଙ୍କ ପୁତ୍ର ଅଂଶୁମାନ ମହାନ୍ତିଙ୍କ ପ୍ରାର୍ଥୀତ୍ୱକୁ ଆଶା କରି ଏଠାରେ କଂଗ୍ରେସର ହାୱା ବଢୁଛି । ସେ ଏଠାରେ କଂଗ୍ରେସରୁ ପ୍ରାର୍ଥୀ ହେଲେ, ତାଙ୍କର ବିଜୟ ସୁନିଶ୍ଚିତ ବୋଲି କୁହାଯାଉଛି । ବିଜୟ ମହାପାତ୍ର ଏଠାରେ ବିଜେପିରୁ ପ୍ରାର୍ଥୀ ହେବେ କି ନାହିଁ, କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସୁନାହିଁ । ମାତ୍ର ବିଜେପିର ଅନ୍ୟତମ ତୁଙ୍ଗ ଯୁବନେତା ତଥା ମହାକାଳପଡ଼ା ଜିଲ୍ଲା ପରିଷଦ ସଦସ୍ୟ ଦେବ ଚୌଧୁରୀ ଏଠାରୁ ବିଜେପିର ପ୍ରାର୍ଥୀ ହେବାର ଅଧିକ ସମ୍ଭାବନା ରହିଛି । ଏଠାରେ ସେ ବିଜେପି ସଂଗଠନକୁ ମଜଭୁତ କରିବାରେ ଲାଗି ପଡ଼ିଛନ୍ତି ।
ଯୁବନେତା ଅମୀୟ ପାଣ୍ଡବ ନିକଟରେ କଂଗ୍ରେସରେ ଯୋଗ ଦେଇଛନ୍ତି । କଂଗ୍ରେସ ପକ୍ଷରୁ ତାଙ୍କୁ ମହାକାଳପଡ଼ା କିମ୍ବା ରାଜନଗର କିମ୍ବା ଆଳିରେ ପ୍ରାର୍ଥୀ କରାଯିବାର ସମ୍ଭାବନା ରହିଛି । ରାଜନଗର ଆସନରେ କଂଗ୍ରେସ ପ୍ରାର୍ଥୀତ୍ୱ ପାଇଁ ଦାବିଦାରଙ୍କ ମଧ୍ୟରେ ଯୁବନେତା ମନୋରଞ୍ଜନ ରାଉତରାୟ ମଧ୍ୟ ରହିଛନ୍ତି । ବିଜେଡ଼ି ପ୍ରାର୍ଥୀ ଆଶାୟୀଙ୍କ ସଂଖ୍ୟା ୧୦ ରୁ ଉଦ୍ଧ୍ୱର୍ । ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡ଼ି ସଭାପତି ଧୃବ ସାହୁ ସବୁଠୁ ଆଗରେ ଥିବାବେଳେ ଯୁବ ନେତା ସର୍ବଶ୍ରୀ ଅଜିତ ନାୟକ, ବିଜୟ କୁମାର ରାଉତ, ଉଦୟ ଚାନ୍ଦ ମଲ୍ଲିକ, କୃତିବାସ ପାତ୍ର, ନିଶିକାନ୍ତ ପ୍ରଧାନ ଆଦି ଆଶାୟୀ ଅଛନ୍ତି । ଏଠାରେ ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ଅଲେଖ ଜେନା ଓ ଜ୍ଞାନ ରଂଜନ ବେଉରା ଆଶାୟୀ ପ୍ରାର୍ଥୀ ଅଛନ୍ତିି ।
ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ କେଶରୀ ଦେବ ଆଳି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ସଂଗଠନକୁ ମଜଭୁତ କରିବାରେ ଲାଗି ପଡ଼ିଛନ୍ତି । ଏଠାରେ ମଧ୍ୟ ବିଜେଡ଼ି ଟିକଟରେ ଲଢିବା ପାଇଁ ଦୁର୍ଗାଶିଷ ମହାନ୍ତି ଉଦ୍ୟମ ଜାରି ରଖିଛନ୍ତି । ଅନ୍ୟ ପକ୍ଷରେ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ କଂଗ୍ରେସ ସଂଗଠନ ମଧ୍ୟ ନିଜର କାୟା ବିସ୍ତାର କରି ଚାଲିଛି । ବିଶେଷତଃ ପିସିସି ସଭାପତି ପରିବର୍ତନ ପର ଠାରୁ କଂଗ୍ରେସ ସଂଗଠନ ଆଗକୁ ବଢି ଚାଲିଛି । ପାଟକୁରା ନିର୍ବାଚନ ମଣ୍ଡଳୀରେ ବେଦ ପ୍ରକାଶ ଅଗ୍ରୱାଲାଙ୍କର ଲୋକପ୍ରିୟତା ଧୀରେଧୀରେ ହ୍ରାସ ପାଉଥିବା ବେଳେ ଭାଜପା ନେତା ବିଜୟ ମହାପାତ୍ରଙ୍କ ସଂଗଠନ କ୍ରମେ ମଜଭୁତ ହୋଇ ଚାଲିଛି । ଏଠାରୁ ବିଜୟ ବାବୁ ପ୍ରାର୍ଥୀ ହେଲେ, ବିରୋଧୀ ପ୍ରାର୍ଥୀଙ୍କର ବିଜୟ ସମ୍ଭାବନା ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ଆଶଙ୍କା କରୁଛନ୍ତି । ତେବେ ଏଠାରେ ବିଜେଡ଼ିର ଆଶାୟୀ ପ୍ରାର୍ଥୀ ଭାବେ ବିଧାୟକ ବେଦୁ ବାବୁଙ୍କ ସମେତ ପ୍ରମୋଦ ସାହୁ, ତେଜେଶ୍ୱର ପରିଡ଼ା, ରବି ସାମଲ, ସାନ୍ତନୁ ନାୟକଙ୍କ ଭଳି ନେତାମାନେ ବିଜେଡ଼ି ଟିକଟ ପାଇଁ ଉଦ୍ୟମ ଚଳାଇଛନ୍ତି । ଏଠାରେ ବିଜେଡ଼ି ଆଶାୟୀଙ୍କ ସଂଖ୍ୟା ଢେର ଅଧିକ ଥିଲେ ମଧ୍ୟ ଅତନୁ ବାବୁ ୧ ନମ୍ବରରେ ଅଛନ୍ତି । କେନ୍ଦ୍ରାପଡ଼ା ସଂରକ୍ଷିତ ବିଧାନସଭା ଆସନରେ ବିଜେଡ଼ିର ସଂଗଠନ ଅପେକ୍ଷାକୃତ ଦୁର୍ବଳ ଥିବାବେଳେ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ କଂଗ୍ରେସ ସଂଗଠନ ନିଜର କାୟା ବିସ୍ତାର କରିଚାଲିଛି । ତେବେ ଏହି ସଂରକ୍ଷିତ ଆସନରୁ ବିଧାୟକ କିଶୋର ତରାଇଙ୍କ ସମେତ ଦୁଷ୍ମନ୍ତ ମଲ୍ଲିକ, ନିମାଇଁ ସେଠୀ ଓ ମୁରଲୀଧର ସେଠୀ ବିଜେଡ଼ି ଟିକଟରେ ଲଢିବାକୁ ଆଶା ବାନ୍ଧିଛନ୍ତି । ମାତ୍ର ଟିକଟ ଦୌଡ଼ରେ ବିଧାୟକ କିଶୋର ବାବୁ ବହୁ ଆଗରେ ରହିଛନ୍ତି । ମାହାଙ୍ଗା ବିଜେଡ଼ି ସଂଗଠନରେ ପୂର୍ବପରି ମନ୍ତ୍ରୀ ପ୍ରତାପ ଜେନାଙ୍କର ପ୍ରଭାବ ବଳବତର ରହିଛି । ବିପୁଳ ଲୋକପି୍ରୟତା ପାଇଁ ପ୍ରତାପ ବାବୁ ଏଥର ମଧ୍ୟ ଏଠାରୁ ସହଜରେ ନିର୍ବାଚିତ ହେବେ ବୋଲି ରାଜନୀତିକ ସମୀକ୍ଷକ ମାନେ ମତ ଦେଉଛନ୍ତି । ଏଠାରେ କେତେକ ଆଗ ଧାଡ଼ିର ବିଜେଡ଼ି ନେତା ଦଳୀୟ ସଂଗଠନକୁ ମଜଭୁତ କରାଇବାରେ ଲାଗି ପଡ଼ିଛନ୍ତି । କଂଗ୍ରେସର କେତେକ ଆଗ ଧାଡ଼ିର ନେତାମାନେ ମଧ୍ୟ ଏଠାରେ ସକି୍ରୟ ରହି ଦଳୀୟ ସଂଗଠନକୁ ମଜଭୁତ କରିବାରେ ଲାଗିଛନ୍ତି । ସାଲେପୁରରେ ବିଧାୟକ ତଥା କଂଗ୍ରେସ ନେତା ପ୍ରକାଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଦଳୀୟ ସଂଗଠନ ମଜଭୁତ ହେବାରେ ଲାଗିଛି । ମାତ୍ର ସେ ବିଜେଡ଼ିରେ ମିଶି ବିଜେଡ଼ିରୁ ଏଠାରେ ପ୍ରାର୍ଥୀ ହେବେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏଠାରେ କିଛି ଆଗ ଧାଡ଼ିର ବିଜେଡ଼ି ନେତା ଦଳୀୟ ସଂଗଠନକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଦେଖା ଯାଉଛି ।
କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏଥର ଏହି ଆସନରେ ସାଂସଦ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ଥିଲେ ହେଁ କେଉଁ ଦଳରୁ ପ୍ରାର୍ଥୀ ହେବେ, ଜଣÿା ପଡ଼ିନାହିଁ । ତେବେ ସେ କେଉଁ ମୁହୂର୍ତରେ କଂଗ୍ରେସ କିମ୍ବା ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଚାଲିଛି । ବୈଜୟନ୍ତ ବାବୁ ଯେପରି ସ୍ଥାନୀୟ ସମସ୍ୟାକୁ ଗୁରୁତ୍ୱ ଦେଇ ଉନ୍ନୟନ କାର୍ଯ୍ୟକୁ ଆଗେଇ ନେଇଥାନ୍ତି ଓ ଲୋକଙ୍କୁ ଭଲ ପାଆନ୍ତି, ପୂର୍ବର କୌଣସି ସାଂସଦଙ୍କ ଠାରେ ତାହା ଦେଖା ଯାଇନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ରାଜ୍ୟ ସରକାରଙ୍କ ମୁଣ୍ଡ ଉପରେ ଝୁଲି ରହିଥିବା ଅନେକ ମହା ଦୁର୍ନୀତିର କରାଳ ଛାୟା,ଏହି ଅଂଚଳରେ ବିଜେଡ଼ି ନେତା ମାନଙ୍କର କିଛି ଜନବିରୋଧୀ କାର୍ଯ୍ୟ ଓ ଜନସାଧାରଣଙ୍କୁ ଉପେକ୍ଷା ଆଦି ବିରୋଧୀ ସଂଗଠନକୁ ମଜଭୁତ କରେଇବାରେ ସାହାଯ୍ୟ କରିଥିବା କୁହାଯାଉଛି । କେତେକ ବିଧାୟକଙ୍କର ସାଧାରଣ ଲୋକଙ୍କୁ ଉପେକ୍ଷା ଯୋଗୁ ଲୋକେ ସେହି ନେତାଙ୍କ ଉପରେ ଭରଷା କରି ପାରୁ ନାହାନ୍ତି ଓ ଏବେ ବିଜେଡ଼ି ବିରୋଧୀ ହାୱା ବହିବା ଆରମ୍ଭ କରିଥିବା ଦେଖା ଯାଉଛି । ଏଣୁ ଆଗାମୀ ନିର୍ବାଚନ ବେଳକୁ ଅଣ-କଂଗ୍ରେସ ଦଳର ଦୁର୍ଗ ଭାବେ ପରିଚିତ ଥିବା କେନ୍ଦ୍ରାପଡ଼ା କଂଗ୍ରେସ କିମ୍ବା ବିଜେପି ଅକ୍ତିଆରକୁ ଚାଲିଯିବା ଆଶଙ୍କାକୁ ଏଡ଼ାଇ ହେବ ନାହିଁ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published.