ଭାରତୀୟ ସଂସ୍କୃତି ଓ ସୋମନାଥ ମନ୍ଦିର

ସୋମନାଥ ମନ୍ଦିର ଦର୍ଶନ ପ୍ରତ୍ୟେକ ସ୍ୱାଭିମାନୀ ଭାରତୀୟ ମନରେ ଏକ ଚିରନ୍ତନ କାମନା ରୂପେ ରହିଅଛି । କାରଣ ଏହା ପଛରେ ରହିଛି ଭାରତ ଉପରେ ବିଧର୍ମୀ ଓ ବିଦେଶୀ ମାନଙ୍କର ରକ୍ତ ରଞ୍ଜିତ ଆକ୍ରମଣର ଜୀବନ୍ତ ଇତିହାସ । ଗୁଜୁରାଟ ପ୍ରଦେଶର ଆରବ ସାଗର ଉପକୂଳରେ ଏହି ପବିତ୍ର କ୍ଷେତ୍ର ପୁରାଣରେ ପ୍ରଭାସ କ୍ଷେତ୍ର ନାମରେ ପ୍ରସିଦ୍ଧି ଲାଭ କରିଥିଲା । ତିନୋଟି ପବିତ୍ର ନଦୀ ଯଥା: ହିରନା, କପିଳା ଓ ସରସ୍ୱତୀ ଏଠାରେ ମିଳିତ ହୋଇ ଏକ ପବିତ୍ର ସଂଗମ ସ୍ଥଳ ସୃଷ୍ଟି କରିଛନ୍ତି । ବୈଦିକ ଯୁଗରେ ଅନେକ ମୁନି-ଋଷି ଏଠାରେ ଆଶ୍ରମ କରି ଦିନରାତି ତପସ୍ୟାରେ ମଗ୍ନ ରହୁଥିଲେ । ଭାରତରେ ପ୍ରସିଦ୍ଧ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏଠାରେ ଅବସ୍ଥିତ ସୋମନାଥ ହେଉଛନ୍ତି ସର୍ବ ପ୍ରଧାନ । ଜ୍ୟୋତିର୍ଲିଙ୍ଗ ହେଉଛନ୍ତି ଅଖଣ୍ଡ ଓ ସୀମାହୀନ ଜ୍ୟୋତିର ଏକ ସ୍ତମ୍ଭ, ଯାହାର ସୀମା ନିର୍ଦ୍ଧାରଣ କରିବାକୁ ସୃଷ୍ଟିକର୍ତା ବ୍ରହ୍ମା ଓ ପାଳନ କର୍ତା ବିଷ୍ଣୁ ଅକ୍ଷମ ହୋଇଥିଲେ ।
ପୁରାଣରେ ବର୍ଣ୍ଣିତ ଅଛି, ସୋମ ବା ଚନ୍ଦ୍ର ନିଜ ଶ୍ୱଶୂର ଦକ୍ଷ ପ୍ରଜାପତିଙ୍କ ଦ୍ୱାରା ଅଭିଶାପ ପାଇ ଅସାଧ୍ୟ କ୍ଷୟ ରୋଗରେ ପିଡ଼ିତ ହୋଇ ଜ୍ୟୋତି ହୀନ ହୋଇ ପଡ଼ିଥିଲେ ଓ ରୋଗରୁ ମୁକ୍ତିଲାଭ ପାଇଁ ଆଶୁତୋଷ ମହାଦେବଙ୍କୁ ତପସ୍ୟା ଦ୍ୱାରା ତୃପ୍ତି କରାଇ ପୂର୍ବ ଜ୍ୟୋତି ଫେରି ପାଇଥିଲେ । ସେଥିପାଇଁ ତୀର୍ଥର ନାମ ପ୍ରଭାସ ଓ ପୂଜିତ ଶିବଲିଙ୍ଗର ନାମ ସୋମନାଥ ହୋଇଥିଲା । ଶିବଙ୍କର ପ୍ରଥମ ମନ୍ଦିର ଚନ୍ଦ୍ର ତିଆରି କରିଥିଲେ ବୋଲି ପୁରାଣରେ ଉଲ୍ଲେଖ ଅଛି । ଦ୍ୱାପର ଯୁଗର ଘଟଣା । ଦ୍ୱାରିକାଧିପତି ଲୀଳାମୟ କୃଷ୍ଣଙ୍କର ଲୀଳା ଅବସ୍ଥାରେ କ୍ଷମତା ଓ ଅହଂଗ୍ରସ୍ତ ଯାଦବ ମାନେ ନାନା ବିତ୍ପାତ ଆରମ୍ଭ କରିବାରୁ ସେମାନଙ୍କ ସହ କୃଷ୍ଣ ଶାନ୍ତି ଆହରଣ ପାଇଁ ପ୍ରଭାସ କ୍ଷେତ୍ରକୁ ପ୍ରସ୍ତାନ କଲେ । ଏହିଠାରେ ଯାଦବ ମାନେ ପରସ୍ପର ଯୁଦ୍ଧ କରି ସମସ୍ତେ ନିହତ ହେଲେ । ଶାନ୍ତ କ୍ଲାନ୍ତ କୃଷ୍ଣ ଶିଆଳି ଲଟା ମଧ୍ୟରେ ବିଶ୍ରାମ ନେଉଥିବାବେଳେ ଜରା ଶବରର ଶରରେ ଆହତ ହେଲେ । ଏହା ଦେଖି ଜ୍ୟେଷ୍ଠ ଭ୍ରାତା ବଳରାମ ଦେହ ତ୍ୟାଗ କଲେ ଓ ନିଜେ ଲୀଳାମୟ କୃଷ୍ଣ ଘୁଷୁରି ଘୁଷୁରି ଯାଇ ହରଣ୍ୟ ନଦୀ କୂଳରେ ପ୍ରାଣ ତ୍ୟାଗ କଲେ । ସେହି ଲୀଳାବସାନର କରୁଣ କାହାଣୀ ଏଠାରେ ଥିବା ଗୋଲକ ଧାମ ମନ୍ଦିରରେ ଚିତ୍ର ମୂର୍ତି ମାଧ୍ୟମରେ ଶୋଭା ପାଉଛି ଓ ପ୍ରତ୍ୟେକ ମଣିଷକୁ କାଳର ଅପ୍ରତିହତ ଶକ୍ତି ସମ୍ବଦ୍ଧୀୟ ସୂଚନା ଦେଇ ମନକୁ କରୁଣାକ୍ତ କରୁଛି ।
ଇତିହାସ ପୃଷ୍ଠାରେ ଶହ ଶହ ବର୍ଷ ଧରି ଏହି ତୀର୍ଥ ପଶ୍ଚିମ ଭାରତ ସମେତ ସିନ୍ଧୁ ଓ ଆଫଗାନସ୍ଥାନରେ ଖ୍ୟାତିଲାଭ କରିଥିଲା । ପ୍ରତିବର୍ଷ ହଜାର ହଜାର ତୀର୍ଥଯାତ୍ରୀ ଥର ମରୁଭୂମୀ ଓ ଗିରନାର ପର୍ବତ ପାର ହୋଇ ଏଠାକୁ ଆସି ଭକ୍ତି ଅର୍ଘ୍ୟ ଢାଳୁଥିଲେ । ଏ ଅଂଚଳର ଅନେକ ରାଜା ଓ ମହାରାଜା ମାନେ ଅକାତରେ ଏ ମନ୍ଦିରକୁ ଅଜସ୍ର ସ୍ୱର୍ଣ୍ଣ ଓ ରତ୍ନ ଦାନ କରୁଥିଲେ । ଏହାର ଖ୍ୟାତି ହିଁ ଏହାର ଶତ୍ରୁ ହୋଇଥିଲା । କୁହାଯାଏ ୯୩୭ ଖ୍ରୀଷ୍ଟାବ୍ଦରେ ସିନ୍ଧୁ ପ୍ରଦେଶର ଆରବ ଗର୍ଭରେ ଆଲ୍ ଜଆଜ୍ ଏହି ମନ୍ଦିରକୁ ଆକ୍ରମଣ କରି ଧ୍ୱଂସ କରିଦେଇ ଥିଲେ । ପରେ ପରେ ଏହି ମନ୍ଦିର ଆହୁରି ଆକର୍ଷଣୀୟ ହୋଇ ପ୍ରତିହାର ସମ୍ରାଟ ନାଗାଦୀତ୍ୟଙ୍କ ଦ୍ୱାରା ନିର୍ମିତ ହୋଇଥିଲା ।
୧୦୨୪ଖ୍ରୀଷ୍ଟାବ୍ଦରେଏହି ମନ୍ଦିର ଉପରକୁ ଭୟଙ୍କର ବିପଦ ମାଡ଼ି ଆସିଲା । ଆଫଗାନିସ୍ତାନର ଗଜନୀ ରାଜ୍ୟର ଶାସକ ଦୁର୍ଦ୍ଧଶ ସୁଲତାନ ମାମୁଦ୍ ଲକ୍ଷାଧିକ ସୈନ୍ୟ ଧରି ଥର ମରୂଭୂମୀ ଓ ଜୁନାଗଡ଼ ଜଙ୍ଗଲ ପାର ହୋଇ ଏହି ମନ୍ଦିରକୁ ଆକ୍ରମଣ କରିଥିଲେ । ସେତେବେଳକୁ ସେ ପ୍ରାୟ ୧୪ ଥର ଭାରତକୁ ଆକ୍ରମଣ କରି ସାରିଥିଲେ । ତାଙ୍କର ଭୟଙ୍କର ସୈନ୍ୟବାହିନୀ ଦେଖି ପ୍ରଭାସ ପାଟଣାର ଶାସକ ଭୀମ ସିଂହ ପଳାୟନ କଲେ । ମନ୍ଦିରରେ ସମବେତ ଭକ୍ତ ଓ ପୂଜକ ମିଶି ମାମୁଦଙ୍କ ବାହିନୀକୁ ପ୍ରତିରୋଧ କଲେ । ତିନିଦିନ ଧରି ଯୁଦ୍ଧ ଚାଲିଲା । ୫୦ ହଜାର ଭକ୍ତ ଓ ସେବକ ନିହତ ହେଲେ । ମାମୁଦ୍ ଗଦାରେ ଆଘାତ କରି ଶିବ ଲିଙ୍ଗକୁ ଖଣ୍ଡ ଖଣ୍ଡ କରିଦେଲେ ଓ ମନ୍ଦିରର ଧନ ସଂପଦ ଲୁଟ୍ କରି ନିଜ ଦେଶକୁ ଫେରିଗଲେ ।
ଅଳ୍ପଦିନ ପରେ ପୁଣି ନୂତନ ମନ୍ଦିର ତିଆରି ହେଲା । ମନ୍ଦିରକୁ ଦିଲ୍ଲୀ ସୁଲତାନ ଆଲ୍ଲାଉଦ୍ଦିନ ଖିଲିଜ୍, ଗୁଜୁରାଟ ଶାସକ ମହମ୍ମଦ ବେଗଟା ଓ ପର୍ତୂଗୀଜ୍ ମାନେ ପୁଣି ଭାଙ୍ଗିଦେଲେ । ଶେଷରେ ଭାଙ୍ଗିଲେ ହିନ୍ଦୁ ବିଦ୍ୱେଷୀ ଆଉରେଙ୍ଗଜେବ୍ । ମନ୍ଦିର ଜାଗାରେ ନିର୍ମାଣ କଲେ ବିଶାଳ ମସଜିଦ୍ । ଏହି ଭଙ୍ଗା ଗଢା ମଧ୍ୟରେ ଗଡ଼ି ଚାଲିଲା ସମୟ । ନୂଆ ମନ୍ଦିର ତିଆରି ହେଲା । ମରହଟ୍ଟା ଶାସକ ମହୋଦଧି ସିନେ୍ଧ ଲାହୋର ଠାରୁ ମନ୍ଦିରର ରୂପା କବାଟ ମାନ ଉଦ୍ଧାର କରି ଆଣିଲେ । ୧୮୪୨ ମସିହାରେ ଇଂରେଜ ସୈନ୍ୟ ବାହିନୀ ଆଫଗାନକୁ ଆକ୍ରମଣ କରି ଗଜନୀକୁ ଧ୍ୱଂସ କରିଦେଲେ ଓ ସେଠାରେ ଥିବା ସୋମନାଥ ମନ୍ଦିରର ଚନ୍ଦନ କବାଟକୁ ସଗର୍ବେ ଓ ସସମ୍ମାନେ ଫେରାଇ ଆଣିଲେ ।
କାଳର ଗତି ପଥରେ ୧୯୪୭ ମସିହାରେ ଭାରତ ସ୍ୱାଧୀନ ହେଲା । ଗୁଜୁରାଟର ବରପୁତ୍ର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ହେଲେ ଭାରତର ଗୃହ ମନ୍ତ୍ରୀ । ଭାରତର ସଂସ୍କୃତି ଉଦ୍ଧାର ପାଇଁ ଭଗ୍ନ ସୋମନାଥ ମନ୍ଦିର ପୁନଃ ନିର୍ମାଣ ତାଙ୍କର ଲକ୍ଷ୍ୟ ବୋଲି ଗର୍ବରେ ଘୋଷଣା କଲେ । ତାଙ୍କୁ ଆଶୀର୍ବାଦ କରି ମହାତ୍ମା ଗାନ୍ଧୀ କହିଲେ, “ସରକାରୀ ଅର୍ଥରେ ନୁହେଁ, ଲୋକମାନଙ୍କ ଠାରୁ ସଂଗୃହୀତ ଅର୍ଥରେ ମନ୍ଦିର ନିର୍ମାଣ ହେଉ!”
୧୯୫୧ ମସିହାରେ ଏହି ଭବ୍ୟ ନୂତନ ମନ୍ଦିର ଆରବ ସାଗର ଉପକୂଳରେ ଶୋଭା ପାଇଲା । ଏହାକୁ ଉଦ୍ଘାଟନ କଲେ ଭାରତର ପ୍ରଥମ ରାଷ୍ଟ୍ରପତି ଡ଼କ୍ଟର ରାଜେନ୍ଦ୍ର ପ୍ରସାଦ । ପଟେଲଙ୍କ ବିଶ୍ୱସ୍ତ ଅନୁଗାମୀ କେ.ମୁନଷୀଙ୍କ ଦ୍ୱାରା ଏହି କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା । ନୂତନ ବିଶାଳ ମନ୍ଦିରଟି ଠିକ୍ ପୁରାତନ ମନ୍ଦିର ଭଳି ଚାଲୁକ୍ୟ ଶୈଳୀରେ ନିର୍ମିତ ହୋଇଛି । ପୂର୍ବ ପରି ଲିଙ୍ଗଟି ଦୁର୍ଲ୍ଲଭ ମଣି ରତ୍ନରେ ଝଲସୁ ଅଛି । ମନ୍ଦିରକୁ ଛୁଇଁ ଯାଉଛି ଆରବ ସାଗରର ନୀଳ ଜଳରାଶି । ସୋମନାଥ ମନ୍ଦିର ଠାରୁ ଦକ୍ଷିଣ ମେରୁ ଓ ଆଂଟାର୍କାଟିକା ପର୍ଯ୍ୟନ୍ତ ଆଉ ସ୍ଥଳଭାଗ ନାହିଁ । ଉତର ଗୋଲାର୍ଦ୍ଧର ସ୍ଥଳ ଭାଗର ଏହା ଶେଷ ବିନ୍ଦୁ । ଏଭଳି ପରିକଳ୍ପନା ଆଜିର ବୈଜ୍ଞାନିକ ମାନଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ମନ୍ଦିର ଦର୍ଶନ ପରେ ଠିକ୍ ରାତି ୮ଟାରେ ଲାଇଟ୍ ଏଣ୍ଡ ସାଉଣ୍ଡ ସୋ ଆରମ୍ଭ ହୁଏ । ହଜାର ହଜାର ଲୋକେ ଇତିହାସର ସେହି
ଗତିକୁ ଦେଖନ୍ତି । ଆକ୍ରମଣକାରୀଙ୍କ ଭୟଙ୍କର ଆକ୍ରମଣକୁ ଅନୁଭବ କରନ୍ତି । ପୁଣି ନୂଆ ମନ୍ଦିର କିପରି ନିର୍ମିତ ହେଲା, ଦେଖନ୍ତି । ଶେଷକୁ
ପ୍ରସାରିତ ହୁଏ ଅମିତାବ ବଚ୍ଚନଙ୍କ ଗମ୍ଭୀର କଣ୍ଠ ସ୍ୱର, “ଆମର ସଂସ୍କୃତି ଚିରନ୍ତନ ଓ ଅମର! ଯୁଗଯୁଗର ଆକ୍ରମଣକାରୀ ଏହାକୁ ଧ୍ୱଂସ କରି ପାରିନାହାନ୍ତି ଓ କରି ପାରିବେ ନାହିଁ!”
ଆରବ ସାଗର କୂଳରେ ଭାରତୀୟ ସଂସ୍କୃତିର ମୂର୍ତିମନ୍ତ ପ୍ରତୀକ ସୋମନାଥ ମନ୍ଦିର ସଗର୍ବରେ ସଂସାରର ଏକ ମହାନ୍ ସତ୍ୟ ଘୋଷଣା କରୁଛି । ବିନିଷ୍ଟ କାରୀ ଶକ୍ତି ଯେତେ ଭୟାବହ ହେଲେ ମଧ୍ୟ ସୃଷ୍ଟିକାରୀ ଶକ୍ତି ନିକଟରେ ତାର ଶେଷରେ ପରାଜୟ ଘଟିଥାଏ ।
  ଡ଼ାକ୍ତର ସୁରେନ୍ଦ୍ର ନାଥ ଦାଶ
 ମୋ-୯୪୩୭୨୩୫୩୮୬

Leave a Reply

Your email address will not be published. Required fields are marked *