କେନ୍ଦ୍ରାପଡ଼ାରେ ବିଶ୍ୱ ହକି ଚମ୍ପିଅନ ମସ୍କଟ ରାଲିକୁ ସ୍ୱାଗତ ସମାରୋହ!

କେନ୍ଦ୍ରାପଡ଼ା, (ଆଇଏନ୍ଏସ୍): ଓଡ଼ିଶାରେ ବିଶ୍ୱ ହକି ଚମ୍ପିଅନସିପ ପାଇଁ ଓଡ଼ିଶା ହକି ଦଳର ମସ୍କଟ ଓଲେ ଏବଂ ସାଇକେଲ୍ ରାଲିକୁ କେନ୍ଦ୍ରାପଡ଼ା ଜିଲ୍ଲାରେ ବିପୁଳ ସ୍ୱାଗତ-ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜାତୀୟ ରାଜପଥ ଗୋପ ଛକ ଠାରେ ଏହା ପହଂଚିବା ପରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣୀଗ୍ରାହୀଙ୍କ ତତ୍ୱାବଧାନରେ କେନ୍ଦ୍ରାପଡ଼ା ବିଡ଼ିଓ ଚନ୍ଦ୍ରକାନ୍ତ ମଲ୍ଲିକ, ଯୁବନେତା ରାକେଶ ଦାସଙ୍କ ସମେତ କ୍ରୀଡ଼ାପ୍ରେମୀ ମାନେ ସ୍ୱାଗତ କରି ଉକ୍ତ ରାଲିକୁ ଜିଲ୍ଲା କାର୍ଯ୍ୟାଳୟକୁ ପାଛୋଟି ଆଣିଥିଲେ । ଜିଲ୍ଲାପାଳ ଦାଶରଥୀ ଶତପଥି ରାଲିରେ ଆସିଥିବା କି୍ରଡ଼ାପ୍ରେମୀ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣୀଗ୍ରାହୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ବର୍ଣ୍ଣାଢ୍ୟ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ କିଶୋର ଚନ୍ଦ୍ର ତରାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱକପ୍ ହକି କିପରି ସାରା ବିଶ୍ୱରେ ଆଦୃତ ହେବା ସହ ପ୍ରସଂଶିତ ହୋଇ ପାରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଥିଲେ । ତେବେ ବିଶ୍ୱ ହକି ଚମ୍ପିଅନସିପ ଅବସରରେ ଓଡ଼ିଶାର କଳା-ସଂସ୍କୃତିର ପ୍ରଚାର କରାଯିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଓଡ଼ିଶାରେ ଫୁଟବଲ ବିଶ୍ୱକପ୍ ର ଆୟୋଜନ କରାଯାଇ ଓଡ଼ିଶାର ଗୌରବ ବୃଦ୍ଧି କରାଯାଇଥିବା ବେଳେ ଏବେ ବିଶ୍ୱକପ ହକି ଚମ୍ପିଅନସିପ ଆୟୋଜନ କରାଯାଇଥିବା ବିଧାୟକ ଶ୍ରୀ ତରାଇ ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରମୁଖ ଲୋକପ୍ରତିନିଧି ମାନଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ପଦାଧିକାରୀ ମାନେ ଯୋଗ ଦେଇ ଓଡ଼ିଶା ହକି ଦଳର ମସ୍କଟ ଓଲେ ଏବଂ ସାଇକେଲ୍ ରାଲିକୁ ସ୍ୱାଗତ କରିବା ସହ ଓଡ଼ିଶାରେ ବିଶ୍ୱକପ୍ ହକିର ସଫଳତା ପାଇଁ ଆଶା ପ୍ରକାଶ କରିଥିଲେ ।

Leave a Reply

Your email address will not be published.