ପୁଣି ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍’କାହିଁକି?

ଶରତ କୁମାର ରାଉତ

ଓଡ଼ିଶାରେ ପୁଣି ଆରମ୍ଭ ହୋଇଛି ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍’’ର ଦ୍ୱିତୀୟ ସଂସ୍କରଣ । ଏଥିରେ ଦେଶର ଶତାଧିକ ବଡ଼ବଡ଼ ଶିଳ୍ପପତି, ପୁଞ୍ଜିନିବେଶକାରୀ ଯୋଗ ଦେଉଛନ୍ତି । ଏହାଦ୍ୱାରା ଓଡ଼ିଶାରେ ଲକ୍ଷ ଲକ୍ଷ କୋଟି ଟଙ୍କା ବିନିଯୋଗ ହୋଇ ବୃହତ ଶିଳ୍ପ ପ୍ରତିଷ୍ଠା ହେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି । ମାତ୍ର ଏହା କେବଳ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଏକ ନିର୍ବାଚନୀ ଧୁଅାଁବାଣ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ବାସ୍ତବତା ଦେଖାଗଲେ, ଓଡ଼ିଶା ସରକାରଙ୍କ ସବୁ ଯୋଜନା ଫେଲ୍ ମାରିଛି । ଅଧିକାଂଶ ସରକାରୀ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । କୌଣସିଟିର ଲକ୍ଷ୍ୟ ସାଧନ ହୋଇନାହିଁ । ରାଜ୍ୟକୁ ଉନ୍ନତି ପଥରେ ଆଗେଇ ନେବା ଭଳି ଶାସନ ଦେଖିବାକୁ ମିଳୁ ନାହିଁ । କେବଳ ମନମୁଖୀ ପ୍ରଚାର ଓ ନୂଆ ନୂଆ ଯୋଜନା ଘୋଷଣାରେ ସୀମିତ ରହି ଯାଇଛି ରାଜ୍ୟର ଉନ୍ନତି । ରାଜ୍ୟ ଶାସନ ଏକ ଅନ୍ଧକାର ଗଳି ଦେଇ ଗତି କରୁଛି । ତଥାପି ଓଡ଼ିଶା ପ୍ରଗତି କରୁଛି ବୋଲି ସରକାର ଡ଼ିଣ୍ଡିମ ପିଟୁଛନ୍ତି । ଇତିମଧ୍ୟରେ ରାଜ୍ୟ ଗୁଡ଼ିକର ପ୍ରଦର୍ଶନକୁ ନେଇ ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଓଡ଼ିଶାର ଚିତ୍ର ନୈରାଶ୍ୟ ଜନକ ରହୁଛି । ବିଭିନ୍ନ କ୍ଷେତ୍ରରେ ପୂର୍ବ ବର୍ଷ ମାନଙ୍କ ତୁଳନାରେ ଚଳିତ ବର୍ଷ ରାଜ୍ୟ ବହୁ ତଳକୁ ଖସି ଆସିଛି । ଓଡ଼ିଶାରେ ଯେ ଦୁର୍ଗତି ଚାଲିଛି, ଏହା ସ୍ପଷ୍ଟ ହୋଇଛି ।
ରାଜ୍ୟରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ କୁଆଡ଼େ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ କରି ଆସୁଛନ୍ତି । ଅତୀତରେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍’ ଆୟୋଜନ କରିଥିଲେ । ସ୍ୱଂୟ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ମୁମ୍ବାଇ, କୋଲକାତା, ହାଇଦ୍ରାବାଦ୍ ଓ ବେଙ୍ଗାଲୁରୁରେ ଶିଳ୍ପପତି ମାନଙ୍କୁ ଭେଟି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆକୃଷ୍ଟ କରିଥିଲେ । ଆରମ୍ଭ କରିଥିଲେ ନୂଆ ଶିଳ୍ପ ନୀତି । ଶିଳ୍ପର ପ୍ରସାର ପାଇଁ ବହୁ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ୨ଲକ୍ଷ କୋଟି ଟଙ୍କା ନିବେଶର ସ୍ୱପ୍ନ ପ୍ରଦର୍ଶିତ ହେଲା । ଲକ୍ଷେ ୩୮ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟିର କଥା କୁହାଗଲା । ହେଲେ ଏସବୁ ଯେ କେବଳ ପ୍ରଚାର ସର୍ବସ୍ୱ, ତାହା ସ୍ପଷ୍ଟ ହୋଇଛି । ବ୍ୟବସାୟ କରିବା ଲାଗି ଆଗ୍ରହ ଓ ସଂସ୍କାରକୁ ନେଇ ବିଶ୍ୱବ୍ୟାଙ୍କ୍ ଓ କେନ୍ଦ୍ରୀୟ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ୨୦୧୭ ବର୍ଷ ପାଇଁ ଏକ ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ମୁଖ୍ୟତଃ ବ୍ୟବସାୟ କରିବା ପାଇଁ ଆନୁଷଙ୍ଗିକ ସୁବିଧା-ସୁଯୋଗକୁ ନେଇ ଦେଶର ବିଭିନ୍ନ ରାଜ୍ୟକୁ ଏଥିରେ ର୍ୟାଙ୍କିଙ୍ଗ(ପାହ୍ୟା) ପ୍ରଦାନ କରାଯାଇଥାଏ । ଚଳିତବର୍ଷ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶା ବହୁ ତଳକୁ ଖସି ଆସିଛି । ଅର୍ଥାତ୍ ୨୦୧୫ ରେ ଓଡ଼ିଶା ୭ମ ସ୍ଥାନରେ ଥିଲା ବେଳେ ୨୦୧୬ ରେ ୯୨.୭୩ ସ୍କୋର ସହିତ ୧୧ତମ ସ୍ଥାନ ଓ ଚଳିତ ବର୍ଷ (୨୦୧୭) ୯୨.୦୯ ସ୍କୋର ସହିତ ୧୪ ତମ ସ୍ଥାନ ରହିଛି । ତେଲେଙ୍ଗାନା ଭଳି ଏକ ନୂଆ ରାଜ୍ୟ ୨୦୧୫ରେ ୧୩ ତମ ସ୍ଥାନ ଦଖଲ କରିଥିଲା ବେଳେ ୨୦୧୬ ରେ ୯୮.୭୮ ସ୍କୋର ସହିତ ୧ମ ସ୍ଥାନ ଓ ଚଳିତ ବର୍ଷ (୨୦୧୭) ୨ୟ ସ୍ଥାନ ଅଧିକାର କରିଛି । ସେହିପରି କେତେକ ଅବିକଶିତ ରାଜ୍ୟ ବା ଶିଳ୍ପ ପାଇଁ ଅଧିକ ସୁଯୋଗ ନଥିବା ରାଜ୍ୟ ଓଡ଼ିଶା ଉପର ର୍ୟାଙ୍କରେ ରହିଛନ୍ତି । ଏଥିରୁ ଓଡ଼ିଶାରେ ରାଜ୍ୟ ସରକାର ଶିଳ୍ପ ପ୍ରସାର ପାଇଁ କେତେ ଆଗ୍ରହୀ ବା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାର ସୁଯୋଗ କେତେ ରହିଛି, ତାହା ସହଜରେ ଅନୁମାନ କରାଯାଇପାରେ ।
ଗତ ୨୦୧୫ ଓ ୨୦୧୬ ରିପୋର୍ଟ କୁ ନେଇ ଓଡ଼ିଶାର ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା ବେଳେ ୨୦୧୭ ରିପୋର୍ଟ ଓଡ଼ିଶାବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ଲାଗି ସବୁ ପ୍ରକାର ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି ବୋଲି ରାଜ୍ୟ ସରକାର ଦାବି କରି ଆସୁଛନ୍ତି । ଏଥିପାଇଁ ସମସ୍ତ ସମନ୍ନିତ ସେବାକୁ ଉପଲବ୍ଧ କରାଯାଇଛି । ଯଦିଓ ରାଜ୍ୟରେ ବ୍ୟବସାୟ ପାଇଁ ଅନେକ ସଂସ୍କାର ମୂଳକ ପଦକ୍ଷେପ କାର୍ଯ୍ୟକାରୀ କରାଯାଇଛି, ତଥାପି ଶିଳ୍ପ ସଂସ୍ଥା ମାନଙ୍କ ଠାରୁ ନିଆ ଯାଇଥିବା ମତାମତ ହୁଏତ ସନ୍ତୋଷ ଜନକ ହୋଇ ପାରିନାହିଁ ବୋଲି କୁହାଯାଉଛି । ଅବଶ୍ୟ ଚଳିତ ବର୍ଷର ସ୍କୋର ଏବଂ ର୍ୟାଙ୍କିଙ୍ଗ କୁ ନେଇ କାହାର କିଛି କହିବାର ନାହିଁ । ହେଲେ କ୍ରମେ ଓଡ଼ିଶା ତଳକୁ ତଳକୁ ଖସି ଚାଲିବା ଓଡ଼ିଶା ପାଇଁ ନିଶ୍ଚୟ ଚିନ୍ତାଜନକ ବିଷୟ । ବାସ୍ତବତା ହେଲା, ଶିଳ୍ପ କ୍ଷେତ୍ରରେ ସଂସ୍କାର ଆଣିଥିବା ନେଇ ରାଜ୍ୟ ସରକାରଙ୍କ ଦାବି ଭୁଲ୍ ପ୍ରମାଣିତ ହୋଇଛି । ଓଡ଼ିଶାରେ ଶିଳ୍ପ କରିବାକୁ ଶିଳ୍ପପତି ମାନେ ଚାହୁଁ ନଥିବା ଏଥିରୁ ସ୍ପଷ୍ଟ ହେଉଛି । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତି ମାନଙ୍କୁ ଆକୃଷ୍ଟ କରା ଯାଇଥାଇ ପାରେ । ସେମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ କହିଥାଇ ପାରନ୍ତି । ଯଦିଓ ଅଳ୍ପ କେତୋଟି ଚୁକ୍ତିନାମା ସ୍ୱାକ୍ଷର ହୋଇଛି, ହେଲେ ପ୍ରତ୍ୟକ୍ଷରେ ସେମିତି କିଛି ନିବେଶ ଏଯାଏ ହୋଇ ନାହିଁ । କାହିଁକି ବା ହେବ? ଶିଳ୍ପାୟନ ପାଇଁ ରାଜ୍ୟରେ ଆବଶ୍ୟକ ଭିତିଭୂମିର ବିକାଶ ହୋଇଛି କି? ଅନୁକୂଳ ବାତାବରଣ ସୃଷ୍ଟି କରା ଯାଇଛି କି? ରାଜ୍ୟରେ ଥିବା ବଡ଼ ଶିଳ୍ପ ଗୁଡିକର ଅବସ୍ଥା କାହିଁକି ଦୟନୀୟ ଅବସ୍ଥାରେ ଅଛି? ପୋସ୍କୋ, ମିତଲ ଆଦି ଇଷ୍ପାତ କମ୍ପାନୀ ମାନେ ଓଡ଼ିଶା ଛାଡ଼ିଲେ କାହିଁକି? ଶିଳ୍ପ ପ୍ରତିଷ୍ଠା ପାଇଁ ଚୁକ୍ତି କରିଥିବା କମ୍ପାନୀ ମାନଙ୍କର ଅବସ୍ଥା ଏବେ କାହିଁକି ଦୟନୀୟ ହୋଇ ପଡ଼ିଛି? କିପରି ଅଛି ଶିଳ୍ପ ପାର୍କର ଅବସ୍ଥା? ଉକ୍ତ ଶିଳ୍ପ ପାର୍କରେ କେତୋଟି ଓଡ଼ିଆ ଶିଳ୍ପ ସ୍ଥାନ ପାଇଛି? ଜଗତସିଂହପୁରରେ ଜେଏସ୍ଡ଼ବ୍ଲୁ୍ୟର ସ୍ଥିତି କିପରି ଅଛି? ଓଡ଼ିଶାରେ ଓଡ଼ିଆ ଶିଳ୍ପୋଦ୍ୟୋଗୀ ମାନଙ୍କର ଅବସ୍ଥା କିପରି ଅଛି? ଓଡ଼ିଶାରେ ଥିବା ଶିଳ୍ପ ସଂସ୍ଥା ଗୁଡ଼ିକୁ କ’ଣ ସବୁ ସୁବିଧା-ସୁଯୋଗ ଯୋଗାଇ ଦିଆ ଯାଉଛି? ଶିଳ୍ପସଂସ୍ଥା ସହ ଚୁକ୍ତି ଅନୁଯାୟୀ ସେମାନଙ୍କୁ କାହିଁକି ନିର୍ଦ୍ଧାରିତ ସରକାରୀ ସହଯୋଗ ଯୋଗାଇ ଦିଆ ଯାଉନାହିଁ? ଓଡ଼ିଶାରେ ଶିଳ୍ପ ପାଇଁ କାହିଁକି କଂଚାମାଲ୍ ମିଳୁନାହିଁ? ଏସବୁର ଉତର ହୁଏତ ଆମ ରାଜ୍ୟ ସରକାରଙ୍କ ପାଖରେ ନାହିଁ । ଖଣି ଗୁଡ଼ିକ ବନ୍ଦ୍ ରହିଛି । ଯେତିକି ଖୋଲା ଅଛି, ତାହାର ସୁବିଧା ଶିଳ୍ପସଂସ୍ଥା ଗୁଡ଼ିକୁ ମିଳୁନାହିଁ । ବରଂ କେତେକ ଶିଳ୍ପସଂସ୍ଥାକୁ ଉଦେ୍ଦଶ୍ୟ ମୂଳକ ଭାବେ ବନ୍ଦ କରିଦେବାର ଚକ୍ରାନ୍ତ କରା ଯାଉଥିବା ଅଭିଯୋଗ ହେଉଛି । ଇଷ୍ପାତ ଶିଳ୍ପ ଗୁଡ଼ିକର ଅବସ୍ଥା ସାଂଘାତିକ । ପେଲେଟ୍ ଶିଳ୍ପ ସବୁ ପ୍ରାୟ ବନ୍ଦ । ଉତ୍ପାଦନ ଅତି ମାତ୍ରାରେ ହ୍ରାସ ପାଇଛି । କେତେକ ଶିଳ୍ପ କଂଚାମାଲ୍ ଅଭାବରୁ ବନ୍ଦ ହୋଇ ଗଲାଣି । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା ଗୁଡ଼ିକ ରୁଗ୍ଣ ଅବସ୍ଥାକୁ ଚାଲି ଗଲେଣି । ବିଶ୍ୱବାସୀ ଜାଣନ୍ତି ଯେ, ଭାରତର ମୋଟ ଖଣିଜ ସଂପଦର ୪୦ ଭାଗରୁ ଉଦ୍ଧ୍ୱର୍ କେବଳ ଓଡ଼ିଶାରେ ଗଚ୍ଛିତ ଅଛି । ନବେ ଦଶକରୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତି ମାନଙ୍କର ସ୍ୱତଃ ଧାଡ଼ି ଲାଗି ଆସିଛି । କିନ୍ତୁ ସରକାରଙ୍କର ଅସହଯୋଗ ଯୋଗୁ ବଡ଼ବଡ଼ ଶିଳ୍ପପତି ମାନେ ବହୁ ଟଙ୍କା ଖର୍ଚ୍ଚ କରି ମଧ୍ୟ ଓଡ଼ିଶାରୁ ବିଦାୟ ନେଲେଣି, ଆଉ କେତେକ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ଓ କିଛି କମ୍ପାନୀଙ୍କ ଅବସ୍ଥା ସାଂଘାତିକ । କିନ୍ତୁ ଏବେ ସେମାନଙ୍କୁ ଖୋସାମତ କରା ଯାଉଛି । କଅଣ ଏହାର ରହସ୍ୟ? ଏହି କନ୍କ୍ଲେଭ୍ ଯେ ରାଜ୍ୟରେ ବ୍ୟାପକ ନିବେଶର ସୁଯୋଗ ସୃଷ୍ଟି କରିବ, ଏହା ଭାବିବା ଭୁଲ୍ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି ।
ଓଡ଼ିଶାର ବିକାଶ ପାଇଁ ପ୍ରକୃତରେ ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ । ମଣିଷର ଅର୍ଥନୈତିକ ଉନ୍ନତି ଓ ସାମାଜିକ ଅବସ୍ଥାର ପରିବର୍ତନ ପାଇଁ ବ୍ୟବସାୟ ବା ଶିଳ୍ପ ପ୍ରସାରର ଆବଶ୍ୟକତା ରହିଛି । ଏଥିପ୍ରତି ବିଶ୍ୱର ସମସ୍ତ ରାଷ୍ଟ୍ର ଗରୁତର ସହ ଦୃଷ୍ଟି ଦେଇଥାନ୍ତି । ଯେଉଁଥି ପାଇଁ କେତେକ ଦେଶ ବିକଶିତ ଦେଶରେ ପରିଣତ ହୋଇଛନ୍ତି ଓ ଆଉ କେତେକ ଦେଶ ଏଥିରେ ସାମିଲ ହେବାକୁ ଯାଉଛନ୍ତି । ମାତ୍ର ଆମେ ଏଥିପ୍ରତି ବିଳମ୍ବରେ ସଚେତନ ହୋଇଥିଲେ ହେଁ କାର୍ଯ୍ୟରେ ତାହା କରି ପାରୁନାହୁଁ । ସଫଳ ବ୍ୟବସାୟ ହେଉଛି ରାଜ୍ୟ ବା ଦେଶ ଉନ୍ନତିର ମାପକାଠି । ବ୍ୟବସାୟ ଉନ୍ନତ ହେଲେ ଦେଶର ସାମଗ୍ରୀକ ଉନ୍ନତି ସମ୍ଭବ । ଏସବୁ ଚିନ୍ତା କରା ନଯାଇ କେବଳ ମନଇଚ୍ଛା ଖର୍ଚ୍ଚ ହେଉଛି । ଟଙ୍କିକିଆ ଚାଉଳ କ’ଣ ପାଇଁ ଦିଆ ଯାଉଛି? ଏହାଦ୍ୱାରା ଗରିବୀ କମିଛି କି? ଅପପୃଷ୍ଟି କମିଛି କି? ଶିଶୁ ଓ ମାତୃ ମୃତୁ୍ୟହାର କମିଛି କି? ଆହାର ଯୋଜନାରେ ପ୍ରକୃତରେ କିଏ ଖାଉଛି ଖାଦ୍ୟ? ଔଷଧ ରେଖା ତଳେ ଥିବା ଲୋକଙ୍କ ପାଖରେ ନିରାମୟ ଯୋଜନା ପହଂଚୁଛି କି? କାହିଁକି ଚାଷୀମାନଙ୍କର ଆୟ ବଢୁନାହିଁ? ଜଳସେଚନ ବ୍ୟବସ୍ଥା କାହିଁକି ହେଉନାହିଁ? ଏସବୁର ଉତର ତ ସରକାର ଦେଉ ନାହାନ୍ତି, ହେଲେ ବିଭିନ୍ନ ସଂସ୍ଥାର ରିପୋର୍ଟ ହିଁ ସରକାରଙ୍କ ଅସଲି ଚେହେରା ସାମ୍ନାକୁ ଆଣୁଛି ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *