ଅଛେଦିନ ବନାମ୍ ବୁରେଦିନ!

ଭୁବନେଶ୍ୱର, (ଆଇଏନ୍ଏସ୍): ଆଉ କେତେଦିନ ଏମିତି ଚାଲିବ? ଏମିତି କେତେଦିନ ଆପଣଙ୍କ ସରକାର ସାଧାରଣ ଲୋକଙ୍କ ଉପରେ ଲଦିଦେବ? ବିମୁଦ୍ରାକରଣର ଅପୂରଣୀୟ କ୍ଷତି ବା ପେଟ୍ରୋଲ/ ଡିଜେଲର ଆଶାତୀତ ମୂଲ୍ୟବୃଦ୍ଧି ଏବେ ସାଧାରଣ ଲୋକଙ୍କୁ ଚିନ୍ତା କରିବାକୁ ବାଧ୍ୟ କରୁଛି, ‘ଅଛେଦିନ’ର ବାର୍ତା କେବଳ ଏକ ଦିବାସ୍ୱପ୍ନ ଛଡା ଆଉ କିଛି ନୁହେଁ । ବରଂ ‘ବୁରେଦିନ’ର ଆରମ୍ଭ ହେଲା ବୋଲି କୁହାଯାଇପାରେ । ମୋଦି ସରକାରଙ୍କ ଏଭଳି ବୁରେଦିନ ଆରମ୍ଭ ହୋଇଛି, ଓଡିଶାର ଭାବିମୁଖ୍ୟମନ୍ତ୍ରୀ ବୋଲି ନିଜକୁ ନିଜେ ଦାବି କରୁଥିବା ଏବଂ ଓଡିଶାର ସବୁଠାରୁ କ୍ଷମତାଶାଳୀ କେନ୍ଦ୍ରମନ୍ତ୍ରୀ ଭାବେ ଜଣାଶୁଣା ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗରୁ ।
ସବସିଡିବିହୀନ ଗ୍ୟାସ ସିଲିଣ୍ଡରର ଦାମ ଏବେ ୯୭୧ଟଙ୍କା ପଚାଶ ପଇସା । ଏହାସହିତ ଏଲପିଜି ଡିଲର ମାନଙ୍କର କମିଶନ ଏବେ ସରକାର ଦୁଇଟଙ୍କା ବଢାଇବା ସହିତ ତାହାକୁ ଗ୍ୟାସ ଦାମ ସହିତ ଯୋଡି ଦେଇଛନ୍ତି । ଏହା ପୁଣି ଗ୍ରାହକଙ୍କ ଉପରେ ବୋଝ । ଆଶ୍ଚର୍ଯ୍ୟ ମନେହୁଏ, ସରକାର କୋଉ ବୁଦ୍ଧି ଏବଂ କେଉଁ ଯୁକ୍ତିରେ ବେପାରୀଙ୍କ ସୁବିଧା ପାଇଁ ଗ୍ୟାସ ଦର ଦୁଇଟଙ୍କା ବଢେଇଲେ ।
ଭାରତର ଜନସାଧାରଣଙ୍କୁ ‘ଅଛେଦିନ’ର ସ୍ୱପ୍ନ ଦେଖେଇ କ୍ଷମତାକୁ ଆସିଥିବା ବିଜେପିର ନରେନ୍ଦ୍ର ମୋଦି ସରକାରଙ୍କର ସାଢେ ଚାରିବର୍ଷ ପୂରଣ ହୋଇଛି । ମାନନୀୟ ପ୍ରଧାନମନ୍ତ୍ରୀ କହିପାରିବେ କି କେଉଁ କେଉଁ କ୍ଷେତ୍ରରେ ତାଙ୍କ ପ୍ରତିଶୃତ ‘ଅଛେଦିନ’ ଆସିଛି? ସାମଗ୍ରିକ ଉନ୍ନୟନର କଥା ଛାଡି ଦିଆଯାଉ । ଯଦି ରୋଷେଇ ଗ୍ୟାସର ଦାମ ସିଲିଣ୍ଡର ପିଛା ହଜାରେ ଟଙ୍କା ହୁଏ, ଆଉ ଏପରି ଅବସ୍ଥାରେ ଯଦି ଶାସକ ଦଳର ବୋଧଦୟ ନ ହୁଏ, ତେବେ ଆମେ କଣ କରିବା?
ତେବେ ଏକଥାକୁ ମଧ୍ୟ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ବିଜେପି ସରକାର କ୍ଷମତାକୁ ଆସିବା ପରେ ସାରା ଦେଶରେ ଏଲପିଜି ସଂଯୋଗ ବଢିଛି । ବହୁ ଗରିବ ଘରେ ଗ୍ୟାସ ଲାଗିଛି । ଗରିବ ଲୋକଙ୍କୁ ରିହାତି ଦରରେ ଗ୍ୟାସ ଦିଆଯାଉଛି । ବିପୁଳ ସଂଖ୍ୟାର ଗରିବ ଲୋକଙ୍କୁ ରିହାତି ଦରରେ ଗ୍ୟାସ ଦିଆ ଯାଉଛି । ଏହାର ଖର୍ଚ ମଧ୍ୟ କିଛି କମ ନୁହେଁ । ଭଲ କଥା । ମାତ୍ର ଏହକୁ ନେଇ ଲୋକଙ୍କ ମନରେ ଦୁଇଟି ପ୍ରଶ୍ନ ଦେଖାଦିଏ ।
ପ୍ରଥମ ପ୍ରଶ୍ନ, କିଛି ଲୋକଙ୍କୁ ଯେଉଁ ରିହାତି ଦିଆଯାଉଚି ଏବଂ ସେଥିଲାଗି ଯାହା ଖର୍ଚ ହେଉଛି, ତାହା କଣ ଅନ୍ୟ ଲୋକଙ୍କ ଠାରୁ ଆଦାୟ କରାଯାଉଛି! ସାଧାରଣ ମଧ୍ୟବିତ ଶ୍ରେଣୀର ଲୋକମାନଙ୍କ ଠାରୁ ସରକାର ଅଧିକ ଦାମ ନେଇ ଅପେକ୍ଷାକୃତ ଗରିବ ଲୋକଙ୍କୁ ରିହାତି ଦିଆଯାଉଛି କି? ଯଦି ଏପରି କରାଯାଉଥାଏ, ତାହାହେଲା ଏହାର ହିସାବ ସରକାରଙ୍କୁ ଦେବାକୁ ହେବ । କେତେ ସଂଖ୍ୟକ ଲୋକଙ୍କ ଠାରୁ ଅଧିକ ଦାମ ଆଦାୟ କରାଯାଉଛି, ଆଉ ତାହାକୁ କେତେ ଲୋକଙ୍କ ମଧ୍ୟରେ ବାଂଟି ଦିଆଯାଉଛି ।
ଦ୍ୱିତୀୟ କଥା ହେଲା, ସବସିଡିଯୁକ୍ତ ଗ୍ୟାସ ସିଲିଣ୍ଡରର ଦାମ ଏବେ ୫୭୧ ଟଙ୍କା । ଏହା କଣ ଶସ୍ତା! ଭାରତର କେଉଁ ଲୋକମାନଙ୍କୁ ଶସ୍ତାରେ ଦିଆଯାଉଛି? ଏହି ଟଙ୍କାରେ ସେମାନଙ୍କର ନିୟମିତ ଗ୍ୟାସ କିଣିବା ପାଇଁ ସାମର୍ଥ୍ୟ ଅଛି କି?
ଏବଂ ଶେଷରେ, ଇଏ ହେଉଛି, ଆପଣଙ୍କର ‘ଅଛେଦିନ’ ଯାହାକୁ କହି ଆପଣମାନେ କ୍ଷମତାକୁ ଆସିଥିଲେ । ଏବେ ଏହା ‘ଦୁଃସ୍ୱପ୍ନ’ରେ ପରିଣତ ହୋଇଛି । ଆଗକୁ ନିର୍ବାଚନ ଅଛି । ଏଣୁ ସରକାରଙ୍କର ଶୋଷଣ ମନୋବୃତି ବନ୍ଦ ହେବା ଦରକାର । ନହେଲେ ଏହାର ପ୍ରତିଫଳନ କର୍ଣ୍ଣାଟକର ଉପନିର୍ବାଚନର ପରିଣତି ଭଳି ହେବ ।
 ସୁବାଷ ଷଡ଼ଙ୍ଗୀ

Leave a Reply

Your email address will not be published.