ରାଜନୀତିକ ସ୍ୱାର୍ଥ ପାଇଁ କାର୍ଯ୍ୟାନୁଷ୍ଠାନ!

ବିଜେଡ଼ି ଶାସନ କ୍ଷମତାକୁ ଆସିଲା ପରେ ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ୱପ୍ନ ଲୋକଙ୍କୁ ଦେଖାଇ ଏହି ଦଳ ୧୮ବର୍ଷ ଶାସନ କରି ସାରିଲେଣି । ସେହି ସ୍ୱପ୍ନ ସାକାର ହେବାକୁ ଆଉ କେତେ ବର୍ଷ ଲାଗିବ, ତାହା ଭଗବାନଙ୍କୁ ଜଣା । ଭାରତର ସବୁ ରାଜ୍ୟ ଠାରୁ ଓଡ଼ିଶା ଅଧିକ ଖଣିଜ ସଂପଦରେ ସମୃଦ୍ଧ । କିନ୍ତୁ ଓଡ଼ିଶାରେ ଶିଳ୍ପର ଅବସ୍ଥା ସାଂଘାତିକ । ରାଜ୍ୟ ସରକାରଙ୍କର ଅସହଯୋଗ କାରଣରୁ କେତେକ କମ୍ପାନୀ ଫେରି ଯାଇଛନ୍ତି, ଆଉ କେତେକ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ଓ କିଛି କମ୍ପାନୀଙ୍କ ଅବସ୍ଥା ବହୁ ଖରାପ । ଆଉ ବିଜୁବାବୁଙ୍କ ଅମଳରେ ରାଜ୍ୟରେ କାର୍ଯ୍ୟକ୍ଷମ ଥିବା କେତେକ ଶିଳ୍ପ ଉଜୁଡ଼ି ଯାଇଛି ଓ ଆଉ କିଛି ଶିଳ୍ପକୁ ବନ୍ଦ କରି ଦେବାର ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ ହେଉଛି । ଶିଳ୍ପାୟନ ଦ୍ୱାରା ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାକୁ ଓଡ଼ିଶା ସରକାର କହି ଆସୁଛନ୍ତି । ରାଜ୍ୟରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ କରି ଆସୁଛନ୍ତି । ଇତିମଧ୍ୟରେ ସ୍ୱଂୟ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ମୁମ୍ବାଇ, କୋଲକାତା, ହାଇଦ୍ରାବାଦ୍, ବେଙ୍ଗାଲୁରୁ ଓ ଭୁବନେଶ୍ୱରରେ ଶିଳ୍ପପତି ମାନଙ୍କୁ ଭେଟି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆକୃଷ୍ଟ କରିଥିବା ବେଳେ ଏଇ ନିକଟରେ “ମେକ୍ ଇନ୍ ଓଡ଼ିଶା କନକ୍ଲେଭ” ଆୟୋଜିତ ହୋଇ ଯାଇଛି । ରାଜ୍ୟରେ ଆରମ୍ଭ ହୋଇଛି ନୂଆ ଶିଳ୍ପ ନୀତି । ଶିଳ୍ପର ପ୍ରସାର ପାଇଁ ଅନେକ ପଦକ୍ଷେପ ନିଆ ଯାଇଛି । ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ଲାଗି ସବୁ ପ୍ରକାର ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି ବୋଲି ରାଜ୍ୟ ସରକାର ଦାବି କରି ଆସୁଛନ୍ତି ।
ଓଡ଼ିଶାର ଅତୀତ ଶିଳ୍ପ କାରଖାନା ଗୁଡ଼ିକ କ୍ରମେ କାଳର କରାଳ ଗର୍ଭରେ ଲୀନ ହୋଇ ଚାଲିଛି । ଏକମାତ୍ର ଝୋଟକଳ ଧାନମଣ୍ଡଳ ଠାରେ ପ୍ରତିଷ୍ଠା ହୋଇଥିଲା । ଏହା ଏକ ସରକାରୀ ଉଦ୍ୟୋଗ ଥିଲା । ଓଡ଼ିଶାରେ ପ୍ରଚୁର ଝୋଟ ଚାଷ ହେଉଥିବା ବେଳେ ଆମ ସରକାର ଏହି ଏକମାତ୍ର ଝୋଟକଳକୁ କାହିଁକି ଚଳାଇ ପାରିଲେନି ତାହାର ଉତର କେବେ ଖୋଜିଛନ୍ତି କି? ସୁନାମ ଅର୍ଜ୍ଜନ କରିଥିବା କୋଣାର୍କ ଟିଭି କାହିଁକି ବନ୍ଦ ହେଲା? ଚୌଦ୍ୱାରକୁ ଏକ ସଫଳ ଶିଳ୍ପାଂଚଳ ଭାବେ ଗଢି ତୋଳିବା ବିଜୁ ପଟ୍ଟନାୟକଙ୍କର ପ୍ରମୁଖ ସ୍ୱପ୍ନ ଥିଲା । ଏଥିପାଇଁ ସେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । ବିଭିନ୍ନ ଶିଳ୍ପରେ ଭରପୁର ହୋଇ ଯାଇଥିଲା ଚୌଦ୍ୱାର ଶିଳ୍ପାଂଚଳ । ମାତ୍ର ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ କ୍ରମେ ବିଜୁବାବୁଙ୍କ ପ୍ରତିଷ୍ଠିତ ଚୌଦ୍ୱାର ଶିଳ୍ପାଂଚଳ ଛାରଖାର ହୋଇଯାଇଛି । ଓଟିଏମ୍ ଥିଲା ଓଡ଼ିଶାର ଏକମାତ୍ର ଲୁଗାକଳ । ଏଠାରେ ତିଆରି ପୋଷାକର ଚାହିଦା ସାରା ଭାରତରେ ଥିଲା । ଏହି ବିଖ୍ୟାତ ଶିଳ୍ପକୁ ଆଧୁନିକୀ କରଣ କରି କାର୍ଯ୍ୟକ୍ଷମ କରିବାରେ ସରକାର କାହିଁକି ବିଫଳ ହେଲେ ଓ ଏହା ଭୂତଖାନାରେ ପରିଣତ ହେଲା, ତାହାର କିଛି ଉତର ଅଛି ସରକାରଙ୍କ ପାଖରେ? ଓଟିଏମ୍ ଓ ବାଲାରପୁର ଭଳି ବଡ଼ ବଡ଼ ଶିଳ୍ପ ମାନ ବନ୍ଦ ହୋଇ ଗଲାଣି । କେବଳ ବିଜୁବାବୁଙ୍କ ସ୍ୱପ୍ନ ବୋଲି କୁହାଯାଉଥିବା ତଥା ଚୌଦ୍ୱାର ବାସୀଙ୍କର ଜୀବନ-ଜୀବୀକାରେ ପ୍ରମୁଖ ଭୂମିକା ଥିବା ଇମ୍ଫା ବଂଚି ରହିଛି । ହେଲେ ବିଜୁବାବୁଙ୍କ ସ୍ୱପ୍ନର ଇମ୍ଫାକୁ ଏବେ କାଠଗଡ଼ା ଭିତରେ ଛିଡ଼ା କରାଯାଇଛି । ନିକଟ ଅତୀତରେ ବିଶେଷ କାରଣ ନଥାଇ ଥେରୁବାଲି ସ୍ଥିତ ଇମ୍ଫା କାରଖାନାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ସେହିପରି ଗତ ୨୦୧୮ ନଭେମ୍ବର ୧୮ ତାରିଖରେ ସୁକିନ୍ଦା ଅଂଚଳର ଇମ୍ଫା କମ୍ପାନୀ ପରିଚାଳନାଧୀନ କାଳିଆପାଣି ସ୍ଥିତ ମହାଗିରି ଭୂତଳ କ୍ରୋମାଇଟ ଖଣିରେ ଜନୈକ ଶ୍ରମିକଙ୍କ ଆହତ ହେବାକୁ ନେଇ ସ୍ଥାନୀୟ ଥାନାରେ ଏତଲା ଦେବା ଠୁ ଆରମ୍ଭ କରି ପ୍ରେସ ମିଟ୍ ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ନିଆ ଯାଇଥିବା କୁହାଯାଉଛି । ତେବେ ସୁକିନ୍ଦା କ୍ରୋମ ଉପତ୍ୟକାରେ କୌଣସି ଖଣି ଦୂର୍ଘଟଣାକୁ ନେଇ ଖଣି ମାଲିକଙ୍କ ନାଁରେ ମାମଲା ହେବା ଏହା ପ୍ରଥମ ଘଟଣା ବୋଲି ଜଣା ପଡ଼ିଛି । ଇମ୍ଫା ବିରୁଦ୍ଧରେ ଏହା ମଧ୍ୟ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ସୁତରାଂ ଆମ ଦେଶ ଓ ବିଶ୍ୱ ଶିଳ୍ପ ସମାଜ ଉପରେ ଏହାର ଜୋରଦାର ପ୍ରଭାବ ପଡ଼ିବା ମନେ ହେଉଛି । ତେବେ କାହାକୁ ଖୁସି କରିବା ପାଇଁ ବା କାହା ସ୍ୱାର୍ଥ ପାଇଁ ଏଭଳି କାର୍ଯ୍ୟ ହେଉଛି, ଜାଣି ହେଉନାହିଁ । ଏହା ପଛରେ ଅନ୍ୟ ଶିଳ୍ପସଂସ୍ଥା ମାନଙ୍କର ହାତ ରହିଛି କି ପ୍ରଶାସନର କି ରାଜନୀତିର, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାସ୍ତବତା ଦେଖାଗଲେ, ଶିଳ୍ପ ଭଳି ଖଣିରେ ପ୍ରାୟତଃ ଦୂର୍ଘଟଣା ଘଟେ ନାହିଁ । ଏକ ପରିସଂଖ୍ୟାନରୁ ଜଣା ପଡ଼ିଛି ଯେ, ସୁକିନ୍ଦା ଅଂଚଳରେ ଥିବା ଖଣି ଗୁଡ଼ିକରେ ଗତ ୧୮ ବର୍ଷ ଭିତରେ ୨୫ ଜଣ ଶ୍ରମିକ ସାମାନ୍ୟ ବା ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଟାଟାର ସୁକିନ୍ଦା କ୍ରୋମାଇଟ୍ ଖଣିରେ ୫ଜଣ ଥିବାବେଳେ ଇମ୍ଫାର ସୁକିନ୍ଦା କ୍ରୋମାଇଟ୍ ଖଣିରେ ୩ ତଥା ମହାଗିରି କ୍ରୋମାଇଟ୍ ଖଣିରେ ୬, ବଲ୍ ର କାଳିଆପାଣି କ୍ରୋମାଇଟ୍ ଖଣିରେ ୩, ଜିନ୍ଦଲର କ୍ରୋମାଇଟ୍ ଖଣିରେ ୦, ବିସି ମହାନ୍ତି ଏଣ୍ଡ ସନˆ ର କର୍ମଦା କ୍ରୋମାଇଟ୍ ଖଣିରେ ୦, ଆଇଡ଼ିସିର ତଲଙ୍ଗି କ୍ରୋମାଇଟ ଖଣିରେ ୦, ଫାକରର କଠାପାଲ୍ ଖଣିରେ ୧ ତଥା ଓସ୍ତପାଳ କ୍ରୋମାଇଟ୍ ଖଣିରେ ୧, ଓଏମସିର ଦୈତାରୀ ଲୁହାପଥର ଖଣିରେ ୫, ସୁକ୍ରଙ୍ଗୀ କ୍ରୋମାଇଟ ଖଣିରେ ୦ ତଥା ସାଉଥ କାଳିଆପାଣି କ୍ରୋମାଇଟ୍ ଖଣିରେ ୧ ଏବଂ ମିଶ୍ରିଲାଲ୍ ର ସରୁବାଲି କ୍ରୋମାଇଟ୍ ଖଣିରେ ୦ ରହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଯଦି ସତରେ ବିଜୁବାବୁଙ୍କ ଅଧୂରା ସ୍ୱପ୍ନ ସାକାର କରିବାକୁ ଚାହୁଁଛନ୍ତି, ତେବେ ସେ ଚୌଦ୍ୱାର ଶିଳ୍ପାଂଚଳ ଭଳି ଓଡ଼ିଶାରେ ଥିବା ବିଭିନ୍ନ ନିଷ୍କି୍ରୟ ଶିଳ୍ପାଂଚଳକୁ ସକି୍ରୟ କରାଇବା ଉଚିତ । ଆମ ରାଜ୍ୟର ସୁବର୍ଣ୍ଣପୁର, ବରପାଲି ଓ ସମ୍ବଲପୁରର ହାତବୁଣା ଲୁଗା ପୃଥିବୀ ପ୍ରସିଦ୍ଧ । ବ୍ରହ୍ମପୁର ପାଟ୍ଟଶାଢୀର ମଧ୍ୟ ଆଦର ରହିଛି । ତିଗିରିଆ, ମାଣିଆବନ୍ଧ ଇତ୍ୟାଦି ଅଂଚଳର ବୁଣାକାର ମାନେ ବେଶ୍ କୁଶଳୀ । ହାତବୁଣା ଲୁଗାର ପ୍ରଚାର ପ୍ରସାର ପାଇଁ ସରକାରଙ୍କର ‘ବୟନିକା’ ସଂସ୍ଥା ରହିଛି । ମାତ୍ର ବୟନିକାର ଦୋକାନ ମାନଙ୍କରେ ଅଳ୍ପ କେତେ ଖଣ୍ଡ ଛାଡ଼ିଦେଲେ ଅଧିକାଂଶ ବସ୍ତ୍ର ଅନ୍ୟ ରାଜ୍ୟରୁ ଅଣା ଯାଉଛି । ଖାଲି ବଡ଼ ବଡ଼ କମ୍ପାନୀ ଆସିଲେ ଯେ ଶିଳ୍ପ ହୋଇଯିବ, ତାହା ନୁହେଁ । ଆମର ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଚାହିଦା ମେଂଟାଇବା ପାଇଁ ରାଜ୍ୟର ଶିଳ୍ପଦ୍ୟୋଗୀ ମାନଙ୍କ ଦ୍ୱାରା ଅନେକ ଛୋଟବଡ଼ ଶିଳ୍ପ ହୋଇ ପାରିବ । କଳିଙ୍ଗନଗରରେ ଟାଟା କାରଖାନା କଲାବେଳେ ଯେଉଁମାନେ ବିରୋଧ କଲେ, ସେମାନେ ସ୍ଥାନୀୟ ଲୋକ ନୁହନ୍ତି । ରାଜ୍ୟର ବିଭିନ୍ନ ଆଡ଼ୁ ରାଜନୈତିକ ନେତାମାନେ ଆସି ବିରୋଧ ଆରମ୍ଭ କଲେ ଓ କମ୍ପାନୀ ଠାରୁ କୋଟି କୋଟି ଟଙ୍କା ଲାଂଚ ନେବା ପରେ ସୁନା ପିଲା ପାଲଟି ଗଲେ । ବଳି ପଡ଼ିଲେ ୧୩ ଜଣ ନୀରିହ ଆଦିବାସୀ ମଣିଷ । ଏହା ସତ୍ୟ ନୁହେଁ କି? ପୋସ୍କୋ ପାଇଁ ପାରାଦୀପରେ ମଧ୍ୟ ସେହି ନାଟକର ପୁନରାବୃତି ହେଲା । ପୋସ୍କୋ ପାଲଟିଗଲା ସମସ୍ତଙ୍କର ଦୁହାଁଳିଆ ଗାଈ । ଜମି ଅଧିଗ୍ରହଣ ପରେ କମ୍ପାନୀ ଅନୁଭବ କଲା ଯେ, ସୁନାଅଣ୍ଡା ଦିଆ କୁକୁଡ଼ା ଭଳି ଓଡ଼ିଶାର ନେତାମାନେ ତାକୁ ସବୁଦିନ ପାଇଁ ବ୍ୟବହାର କରିବେ । ଭାରତର ସବୁ ଜିନିଷ ବଙ୍କାରେ ହୁଏ । ଏଭଳି ପାଣି ପାଗରେ ସେମାନେ ଆଶ୍ୱସ୍ତି ଅନୁଭବ କରି ଶହଶହ କୋଟି ଟଙ୍କା ଖର୍ଚ୍ଚ କରି ମଧ୍ୟ ବେଡ଼ିବସ୍ତାନି ବାନ୍ଧି ନିଜ ଦେଶକୁ ଫେରିଗଲେ ।
ଆମ ରାଜ୍ୟରେ ଉଦେ୍ଦଶ୍ୟମୂଳକ ନୀତି ଓ ନିଜର ବ୍ୟକ୍ତିଗତ ବା ରାଜନୀତିକ ସ୍ୱାର୍ଥ ପାଇଁ କାର୍ଯ୍ୟାନୁଷ୍ଠାନର ଚେର କେତେ ଗହିରରେ, ତାହା ଅନେକ ଘଟଣାରୁ ପ୍ରମାଣିତ ହୋଇଛି । କାରଖାନାଟି ହେଲେ ତାହା ନେତା ମାନଙ୍କ ପାଇଁ ସୁନା ଅଣ୍ଡାଦିଆ କୁକୁଡ଼ା ହୋଇଯାଏ । ସବୁବେଳେ ଅର୍ଥ ଦାବି ସହ ନିଜ ଲୋକଙ୍କୁ ଚାକିରି ଦେବାକୁ ଚାପ ପକାଯାଏ । ଆଉ ସ୍ୱାର୍ଥ ପୂରଣ ନହେଲେ, ଶ୍ରମିକଙ୍କୁ ମତାଇ ଧର୍ମଘଟ କରାଯାଏ । ବେଦାନ୍ତରେ ଯାହା ଘଟିଗଲା, ତାହାର କୁପ୍ରଭାବ ଯୁଗ ଯୁଗ ପାଇଁ ଓଡ଼ିଶାର ଶିଳ୍ପାୟନକୁ ଭୋଗିବାକୁ ପଡ଼ିବ ।
ଏହିସବୁ ଘଟଣାକୁ ବିଚାର କଲେ, ଓଡ଼ିଶାର ଶୀଳ୍ପାୟନ ଯେ କେତେ ବାସ୍ତବ, ତାହା ସହଜରେ ଅନୁମେୟ । ଦେଖିବା, କରିବା ଓ ବୁଝିବା ହିଁ ୟାଙ୍କର ମୂଳମନ୍ତ୍ର । କେବଳ ଆଖି ଦେଖାଇ ଡ଼ରାଇବା, ସିଲ୍ କରିବା, ସିଜ୍ କରିବା, ସେଣ୍ଡ କରିବା ଆମ ଅମଲାତନ୍ତ୍ରର ମୂଳ ଧର୍ମ । ଯେପର୍ଯ୍ୟନ୍ତ ଆମ ନେତାମାନଙ୍କ ମାନସିକତା ନବଦଳିଛି, ସେପର୍ଯ୍ୟନ୍ତ ଶିଳ୍ପାୟନ ଆମ ପାଇଁ ସ୍ୱପ୍ନ ହୋଇ ରହିଯିବ ।
  ଶରତ କୁମାର ରାଉତ, ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *