କେବିକେରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ନେଇ ବ୍ୟାପକ ସମୀକ୍ଷା ହେଉ

କେୀରାପୁଟ, (ଓଏନ୍ଏସ୍ ): ଭାରତବର୍ଷର ସବୁଠୁ ଅନୁନ୍ନତ କେବିକେ (କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ)ରୁ ଦାରିଦ୍ର୍ୟ ହଟାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଆପ୍ରାଣ ଉଦ୍ୟମ ଜାରି ରଖିଥିବା ଦାବି କରୁଛନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ କେନ୍ଦ୍ର ଓ ରାଜ୍ୟ ରାଜନୀତି ସରଗରମ ହୋଇଛି । ରାଜ୍ୟ ବିଧାନ ସଭା ଓ ସଂସଦର ଉଭୟ ଗୃହରେ ଆଲୋଚନା ହୋଇଛି । ମାତ୍ର ଏହା ଦ୍ୱାରା ଗରିବ ଆଦିବାସୀ ମଣିଷର କୌଣସି ଲାଭ ହୋଇପାରିନାହିଁ । ସ୍ୱାଧୀନତା ପ୍ରାପ୍ତି ପରଠାରୁ ଆଦିବାସୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବାକୁ କୌଣସି ସରକାର ଆନ୍ତରିକତାର ସହ କାର୍ଯ୍ୟ କରିନାହାନ୍ତି । ଆଦିବାସୀ ଅଂଚଳରେ ବଢି ଚାଲିଥିବା ଦାରିଦ୍ର୍ୟ ଓ ଅସଚେତନତାର ମୂଳକାରଣ ଏବଂ ତାର ସ୍ଥାୟୀ ସମାଧାନ ପନ୍ଥା ବାହାର କରାନଯାଇ କେବଳ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ଦ୍ୱାରା ଆଦିବାସୀ ମଣିଷର ସାମଗ୍ରୀକ ବିକାଶ ଅସମ୍ଭବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।
         ମିଳିଥିବା ସୂଚନା ଅନୁଯାୟୀ, ବିଭିନ୍ନ ପ୍ରକଳ୍ପ ଅନ୍ତର୍ଗତ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଖାତାପତ୍ରରେ ସୀମିତ ରହିଛି । ଜରୁରୀକାଳୀନ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ମଧ୍ୟ ବିଫଳ ହୋଇଛି । ସର୍ବଦା ଏଠାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ରହୁଛି । ଗରିବ ଆଦିବାସୀ ମଣିଷ ଅନାହାର, ଅଳ୍ପାହାର ଓ ଅର୍ଦ୍ଧାହାରରେ ଦିନ କାଟୁଛି । ହଇଜା, ଡ଼ାଇରିଆ ଓ ମ୍ୟାଲେରିଆ ଭଳି ସଂକ୍ରାମକ ରୋଗରେ ପଡ଼ି ଛଟପଟ ହେଉଛି । ମା ଓ ଶିଶୁ ମୃତ୍ୟୁ ହାର ଏଠାରେ ସର୍ବାଧିକ । ଅନାହାର ଓ ପୃଷ୍ଟିହୀନତା ଏହାର ମୂଳକାରଣ । ଜାତୀୟ ସ୍ତରରେ ଶିଶୁ ମୃତ୍ୟୁହାର ପ୍ରତି ୧ ହଜାରରେ ୫୩ ରହିଥିବା ବେଳେ କେବିକେରେ ପାଖାପାଖି ୧୩୨ ରହିଛି । ଅଥଚ କେବିକେ ପ୍ରକଳ୍ପରେ ୧୦ଲକ୍ଷ ଶିଶୁଙ୍କୁ ପୃଷ୍ଟିସାଧନ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା ସରକାରୀ ରିପୋର୍ଟ କହୁଛି । ସଂପ୍ରତି ଦୁର୍ଗମ ଅଂଚଳରେ ହଜାର ହଜାର ଶିଶୁ ପୃଷ୍ଟିହୀନତାର ଶିକାର ହେବା ଅପେକ୍ଷାରେ ରହିଛନ୍ତି । ସ୍ୱାସ୍ଥ୍ୟସେବା ବିକାଶ ଯୋଜନା କେବଳ ଖାତା ପତ୍ରରେ କାର୍ଯ୍ୟକାରୀ ହେଉଛି । ଏଠାରେ ୧୧୦ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ଦ୍ୱାରା ବାର୍ଷିକ ପ୍ରାୟ ୧୫ ଲକ୍ଷ ଆଦିବାସୀ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା କୁହାଯାଉଥିଲେ ହେଁ ଏହା ଡ଼ାହା ମିଛ ବୋଲି ଅଭିଯୋଗ ହେଉଛି । ୟୁନିଟ ଗୁଡ଼ିକ ସହର-ବଜାରରେ ସୀମିତ ରହି ଚିକିସôା ଖାତାରେ ଦୁର୍ଗମ ଗ୍ରାମ ଓ ବାସିନ୍ଦାମାନଙ୍କ ନାମ ମନଇଚ୍ଛା ଲେଖୁଛନ୍ତି । କେବିକେରେ ନୂଆ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍, ୮ଟି ଜିଲ୍ଲା ସଦର ମହକୁମା ହସ୍ପିଟାଲ, ୧୪ଟି ଉପଖଣ୍ଡ ସ୍ତରୀୟ ହସ୍ପିଟାଲ, ୮୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୩୦୦ଟି ପିଏଚ୍ସି,୧୬୦୦ଟି ଉପସ୍ୱାସ୍ଥ୍ୟ କେନ୍ଦ୍ର,୨୨୫ଟି ସ୍ୱାସ୍ଥ୍ୟ ସେକ୍ଟର, ୧୫ଟି ଅନ୍ୟାନ୍ୟ ଆଂଚଳିକÿ ହସ୍ପିଟାଲ ତଥା ହୋମିଓପାଥୀ ଓ ଆୟୁର୍ବେଦିକ ଚିକିସôାଳୟ ଥିବା ସତ୍ୱେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ କାହିଁକି(?), ସରକାରୀ ସ୍ତରରେ ତାହା ସମୀକ୍ଷା ହେଉନାହିଁ । କେବିକେ ଅଂଚଳରେ ପ୍ରାୟତଃ ଉନ୍ନତ ମାନର ଚିକିତ୍ସାଳୟ ନାହିଁ । କେତେକ ଜିଲ୍ଲା ସଦରମହକୁମା ହସ୍ପିଟାଲ୍ ଓ ଅନ୍ୟାନ୍ୟ ଡ଼ାକ୍ତରଖାନା ଗୁଡ଼ିକରେ ବହୁ ଭାଗ ଡ଼ାକ୍ତର, ବିଶେଷଜ୍ଞ ଓ କର୍ମଚାରୀ ପଦବୀ ଖାଲି ପଡ଼ିଛି । ମେଡ଼ିକାଲ୍ କଲେଜ୍ ସ୍ଥାପିତ ହୋଇଥିଲେ ହେଁ ତାହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ ବୋଲି କୁହାଯାଇପାରେ । କାରଣ ଅନ୍ୟାନ୍ୟ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ଭଳି ଆନୁଷଙ୍ଗିକ ଭିତିଭୂମି ପାଇଁ ଆଉ କିଛିଦିନ ଲାଗିବ । ତେବେ ସ୍ୱାସ୍ଥ୍ୟ ବିଭାଗର ମନମୁଖୀ କାର୍ଯ୍ୟ ହିଁ ନିରୀହ ଆଦିବାସୀ ମଣିଷକୁ ମାରାତ୍ମକ ସଂକ୍ରାମକ ରୋଗର ଅାଁ ଭିତରକୁ ଠେଲି ଦେଉଥିବା ସାଧାରଣରେ ଅଭିଯୋଗ ହୋଇଛି । ଏହି ଅବସ୍ଥାରେ କେବିକେରେ ସ୍ୱାସ୍ଥ୍ୟସେବା ଯୋଗାଣ କିପରି ଚାଲିଛି, ସେ ସଂପର୍କରେ ବ୍ୟାପକ ସମୀକ୍ଷାର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published.