ଭାରତୀୟ ଗଣତନ୍ତ୍ରରେ ନ୍ୟାୟ ବ୍ୟବସ୍ଥା

ବର୍ଷ ବର୍ଷ ତଳୁ ଆମ ଦେଶର ଅଦାଲତ ମାନଙ୍କରେ ଅଗଣିତ ବିଚାରାଧୀନ ମୋକଦ୍ଦମା ପଡ଼ି ରହିଛି । ଏଥିଯୋଗୁ ନ୍ୟାୟ ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନବାଚୀ ଲାଗି ଗଲାଣି । ନିମ୍ନ ସ୍ତରରୁ ଉପର ସ୍ତର ଯାଏ ସବୁ ଅଦାଲତରେ ଏଭଳି ସମସ୍ୟା ଜାରି ରହିଥିବାରୁ ଭାରତୀୟ ନ୍ୟାୟ ବ୍ୟବସ୍ଥା ସଂକଟ ଘେରକୁ ଆସି ଯାଇଛି । ଏହି ଅବସ୍ଥା ସାଧାରଣ ମଣିଷର ବିଶ୍ୱାସକୁ ଖଣ୍ଡ ଖଣ୍ଡ କରି ଦେଇଛି । ଏବେ ସୁଦ୍ଧା ଦେଶର ଅଦାଲତ ମାନଙ୍କରେ ପାଖାପାଖି ୩କୋଟି ୪୨ ଲକ୍ଷ ମୋକଦ୍ଦମା ପଡ଼ି ରହିଛି । ଏଥିରେ ପ୍ରାୟ ୨.୫ କୋଟି ଦେୱାନୀ ଓ ବାକି ଫୌଜଦାରୀ ମୋକଦ୍ଦମା ରହିଛି । କେବଳ ଜିଲ୍ଲା ଓ ନିମ୍ନ ଅଦାଲତ ଗୁଡ଼ିକରେ ୩ କୋଟିରୁ ଉଦ୍ଧ୍ୱର୍ ମୋକଦ୍ଦମା ପଡ଼ି ରହିଛି । ସେହିପରି ଦେଶର ୨୪ ଟି ହାଇକୋର୍ଟରେ ପ୍ରାୟ ୪୧.୧୫ ଲକ୍ଷ ମୋକଦ୍ଦମା ପଡ଼ି ରହିଥିବାବେଳେ ସୁପି୍ରକୋର୍ଟରେ ପ୍ରାୟ ୫୮ ହଜାର ୪୩୮ ଟି ମୋକଦ୍ଦମା ପଡ଼ି ରହିଛି । କେତେକ ଫୌଜଦାରୀ ମାମଲା ଅନେକ ବର୍ଷ ଧରି ଚାଲି ଆସୁଥିଲେ ହେଁ ଫଇସଲା ହୋଇ ପାରୁନି । ଜଣେ ଜଣେ ବିଚାରପତିଙ୍କ ପାଖରେ ପ୍ରାୟ ୬/୭ହଜାର ମୋକଦ୍ଦମା ପଡ଼ି ରହିଛି । ଏସବୁ ଫଇସଲା ପାଇଁ ପ୍ରତିଦିନ ପ୍ରାୟ ୧୫୦ମୋକଦ୍ଦମା ବିଚାର କରିବାକୁ ପଡ଼ିବ । ହେଲେ ଗୋଟିଏ ଦିନରେ ଅତି ବେଶୀରେ ୧୦ଟି ମୋକଦମା ବିଚାର କରାଯାଇ ପାରିବ । ଏଥିଯୋଗୁ ମୋକଦ୍ଦମାର ତାରିଖ ବଢି ଚାଲିଛି । ସାଧାରଣ ଲୋକେ ମୋକଦ୍ଦମା ରାୟକୁ ଚାହିଁ ଚାହିଁ ସମୟ ନଷ୍ଟ କରୁଛନ୍ତି । କେତେକ ନିମ୍ନ ଅଦାଲତରେ ମୋକଦ୍ଦମା ଚାଲିବାର ୧୦ ବର୍ଷରୁ ଉଦ୍ଧ୍ୱର୍ ହୋଇଥିଲେ ହେଁ ଉଭୟ ପକ୍ଷଙ୍କୁ ସମନ୍ ପଠା ଯାଇ ପାରୁନି । ପରିସ୍ଥିତିର ସୁଯୋଗ ନେଇ ଧନୀ ଲୋକେ ପ୍ରବୀଣ ଓକିଲଙ୍କ ସହାୟତାରେ ପ୍ରତିକୂଳ ମାମଲାକୁ ଅନୁକୁଳ କରି ପାରୁଛନ୍ତି । ହେଲେ ଗରିବ ଶ୍ରେଣୀର ଲୋକେ ହଇରାଣ ହେଉଛନ୍ତି । ନ୍ୟାୟ ପାଇଁ ଥାନା-କଚେରୀରେ ତା’ର ସବୁ ସମୟ ନଷ୍ଟ ହେଉଛି । ଏପରିକି ପେଟ ପାଇଁ ସେ ଖାଦ୍ୟ ବି ଯୋଗାଡ଼ କରି ପାରୁନି । ଏମାନଙ୍କର ମାମଲା ଅଦାଲତର ଫାଇଲ୍ ତଳେ ଚାପି ହୋଇ ରହୁଛି । କ୍ରମେ ସେ ନିର୍ଯ୍ୟାତିତ ହେଉଛି, ମାନସିକ ଯନ୍ତ୍ରଣା ଭୋଗୁଛି, ଜଟିଳ ସମସ୍ୟାର ସାମ୍ନା କରୁଛି ବା ଚିନ୍ତା କରି କରି ମୃତୁ୍ୟ ମୁଖରେ ପଡ଼ୁଛି । ସେ ହୁଏତ ନିଦେ୍ର୍ଦାଷ ହୋଇଥାଇ ପାରେ । କିଏ ଦେବ ତାକୁ କ୍ଷତି ପୂରଣ? ଏହି କାରଣରୁ ଅଧକାଂଶ ଗରିବ ଲୋକେ ପ୍ରତାରିତ ହୋଇ ମଧ୍ୟ ଥାନା-କଚେରୀକୁ ଆସୁ ନାହାନ୍ତି । ସେମାନଙ୍କର ଧାରଣା ଥାନା-ଅଦାଲତ କେବଳ ବଡ଼ ଲୋକଙ୍କ ପାଇଁ, ନ୍ୟାୟ କେବଳ ଧନୀ ଓ ପ୍ରତିଷ୍ଠିତ ଲୋକଙ୍କ ପାଇଁ ।
ଦିନକୁ ଦିନ ଦେଶରେ ମୋକଦ୍ଦମା ସଂଖ୍ୟା ଦ୍ରୂତ ଗତିରେ ବଢି ଚାଲିଛି । ରାଜନୀତିକ ଓ ସରକାରୀ ମୋକଦ୍ଦମା ସଂଖ୍ୟା ମଧ୍ୟ ଢେର ଅଧିକ । କେତେକ ବିଶିଷ୍ଟ ରାଜନୀତିଜ୍ଞଙ୍କ ବିରୁଦ୍ଧରେ ମଧ୍ୟ ମୋକଦ୍ଦମା ଚାଲିଛି । କେତେକ ପ୍ରଧାନମନ୍ତ୍ରୀଙ୍କ ପାଖରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ସାଂସଦ ଆଦି ରାଜନେତାଙ୍କ ବିରୁଦ୍ଧରେ ବିଭିନ୍ନ ମୋକଦ୍ଦମା ଚାଲି ଆସୁଛି । ସେହିପରି ସରକାରୀ ମୋକଦ୍ଦମା ସଂଖ୍ୟା ଆଶାତୀତ ଭାବେ ବଢୁଛି । ଆଜିକାଲି ହାକିମ ମାନେ ମନମାନୀ ଶାସନ କରୁଛନ୍ତି । ତଳିଆ କର୍ମଚାରୀଙ୍କ ସମସ୍ୟା ଶୁଣିବାକୁ ସେମାନଙ୍କ ପାଖରେ ସମୟ ନାହିଁ । ଅଣନିଶ୍ୱାସୀ ହୋଇ ପଡ଼ୁଛନ୍ତି ତଳିଆ କର୍ମଚାରୀ । ନ୍ୟାୟ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କଲେ ବି ଛୋଟ ଛୋଟ ସମସ୍ୟାର ସମାଧାନ ହୋଇ ପାରୁନି । ସରକାରୀ କର୍ମଚାରୀଙ୍କ ସମସ୍ୟା ସମାଧାନ କରିବା ହାକିମ ମାନଙ୍କର ଏକ ପ୍ରମୁଖ ଦାୟିତ୍ୱ । ମାତ୍ର ଆଜିକାଲି ଏହି ଦାୟିତ୍ୱ ନିର୍ବାହ ହେଉନାହିଁ । ଶେଷକୁ ବାଧ୍ୟ ହୋଇ କର୍ମଚାରୀଟି ଅଦାଲତର ଆଶ୍ରୟ ନେଉଛି । ଅଦାଲତ ଉପଯୁକ୍ତ ବିଚାର କରି ନ୍ୟାୟ ଦେଲେ ମଧ୍ୟ ହାକିମ ମାନେ ମାନୁ ନାହାନ୍ତି । ବରଂ ମାମଲାଟିକୁ ଉପର ଅଦାଲତକୁ ନେଇ ଆହୁରି ଜଟିଳ କରୁଛନ୍ତି । ମାମଲାଟି ବର୍ଷ ବର୍ଷ ଧରି ଚାଲୁଛି । ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏଭଳି ଅଧିକାଂଶ ମୋକଦ୍ଦମାରେ ଦେଖା ଯାଇଛି, ନିମ୍ନ ଅଦାଲତର ରାୟକୁ ଉପର ଅଦାଲତ ଗୁଡ଼ିକ କାଏମ ରଖିଛନ୍ତି । ଏହା ସତ୍ୱେ ସରକାର ନିଜେ ଖର୍ଚ୍ଚାନ୍ତ ହେବା ସହ ଅଦାଲତ ଉପରେ ମୋକଦ୍ଦମା ବୋଝ ଲଦିବା ଯୁକ୍ତିଯୁକ୍ତ ନୁହେଁ । ତେବେ ଅଦାଲତରେ ମୋକଦ୍ଦମା ସଂଖ୍ୟା ହୁ ହୁ ବଢିବାର ଏହା ମଧ୍ୟ ଏକ କାରଣ ।
ସେହିପରି ଜାତି, ଧର୍ମ, ସଂପ୍ରଦାୟ, ସଂପତି, ଯୌତୁକ, ପ୍ରେମ ବିବାହ ଓ ବିଚ୍ଛେଦ ଆଦି ଅନେକ ସମ୍ବେଦନଶୀଳ ମାମଲାକୁ ନେଇ ମଧ୍ୟ ମୋକଦ୍ଦମା ସଂଖ୍ୟା ବଢୁଛି । ଏବେ ଆମ ଦେଶରେ ଗୋଟିଏ ଜାତି ଅନ୍ୟ ଜାତି ସହ, ଗୋଟିଏ ଧର୍ମ ଅନ୍ୟ ଧର୍ମ ସହ ଓ ଗୋଟିଏ ସଂପ୍ରଦାୟ ଅନ୍ୟ ସଂପ୍ରଦାୟ ସହ ବିବାଦ ବା ସଂଘର୍ଷ ସାଧାରଣ ଘଟଣାରେ ପରିଣତ ହେଲାଣି । ସଂପତି ଜବର ଦଖଲ ବା ଭାଗ-ବଂଟାରେ ବିବାଦ, ଯୌତୁକ ଜନିତ ହତ୍ୟା ବା ନିର୍ଯ୍ୟାତନା, ପ୍ରେମ ବିବାହରେ ଦୁଇ ପରିବାର ମଧ୍ୟରେ ବିବାଦ, ବିଚ୍ଛେଦରେ ବିବାଦ ଓ ଟିକିଟିକି ଘଟଣାରେ ପ୍ରତି ଗାଁରେ ଗୋଷ୍ଠୀ ସଂଘର୍ଷ ଆଦି ଥାନା ବା ଅଦାଲତରେ ପହଂଚି ଯାଉଛି । ଆଜି ଆମ ସମାଜ ଏଭଳି ଅବସ୍ଥାକୁ ଆସି ଗଲାଣି ଯେ, ଅତି ସାଧାରଣ ଘଟଣାକୁ ନେଇ ବି ମୋକଦ୍ଦମା ଦାୟର ହେଉଛି, ଯାହା ହତବାକ୍ କରୁଛି ବୁଦ୍ଧିଜୀବୀ ମାନଙ୍କୁ ।
ଭାରତର ଜନସଂଖ୍ୟା ଓ ମୋକଦ୍ଦମା ସଂଖ୍ୟା ଅନୁପାତରେ ଦେଶରେ ବିଚାରପତି ପଦବୀ ସଂଖ୍ୟା ବହୁ କମ୍ ରହିଛି । ଆମେରିକାରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୧୦୭ ଜଣ ବିଚାରପତି ଥିବାବେଳେ ଇଂଲଣ୍ଡରେ ୫୧ ଜଣ, କାନାଡ଼ାରେ ୭୫ ଜଣ, ଅଷ୍ଟ୍ରେଲିଆରେ ୪୧ଜଣ ଓ ଭାରତରେ ୧୧ ଜଣ ଅଛନ୍ତି । ଆମ ଦେଶରେ ମୋକଦ୍ଦମା ଗୁଡ଼ିକର ବିଚାର କରି ତୁରନ୍ତ ଫଇସଲା ପାଇଁ ଅତି କମ୍ରେ ୭୦,୦୦୦ ବିଚାରପତିଙ୍କର ଆବଶ୍ୟକତା ରହିଛି । ମାତ୍ର ଭରତରେ ମୋଟ ୨୧,୬୦୫ ଟି ବିଚାରପତି ପଦବୀ ଥିଲାବେଳେ ସେଥିମଧ୍ୟରୁ ୫,୩୫୬ ଟି ପଦବୀ ଖାଲି ପଡ଼ିଛି । ବିଶେଷତଃ ଜିଲ୍ଲା ଓ ନିମ୍ନ ଅଦାଲତ ମାନଙ୍କରେ ମୋଟ ୨୦,୪୯୫ଟି ବିଚାରପତି ପଦବୀ ମଧ୍ୟରୁ ୪,୯୩୭ ଟି ଖାଲି ପଡ଼ିଛି । ସେହିପରି ଦେଶର ୨୪ଟି ହାଇକୋର୍ଟରେ ୧,୦୭୯ ଟି ବିଚାରପତି ପଦବୀ ମଧ୍ୟରୁ ୪୧୩ ଟି ଖାଲି ପଡ଼ିଥିଲା ବେଳେ ସୁପି୍ରମକୋର୍ଟରେ ୩୧ ଟି ବିଚାରପତି ପଦବୀ ମଧ୍ୟରୁ ୬ ଟି ଖାଲି ପଡ଼ିଛି । ଯେଉଁଥିପାଇଁ ଠିକ୍ ସମୟରେ ସାଧାରଣ ଲୋକଙ୍କୁ ନ୍ୟାୟ ମିଳି ପାରୁନି । ଏପରିକି ଦେଶର ୧୦ କୋଟି ଲୋକେ ଅଦାଲତର ରାୟକୁ ଅପେକ୍ଷା କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ମରି ହଜି ଗଲେଣି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଇନର ଭାଷା । ଆମ ଜାତୀୟ ଭାଷା ହିନ୍ଦି କିମ୍ବା ଆଂଚଳିକ ଭାଷାରେ ଆଇନ ପଢା ଯିବାର ବ୍ୟବସ୍ଥା ନ ହେବା ଦୁଃଖ ଦାୟକ । ଆମ ଜନସଂଖ୍ୟାର ମାତ୍ର ୨/୩ ଭାଗ ଲୋକେ ଇଂରାଜୀ କୁହନ୍ତି, ଲେଖନ୍ତି ଓ ବୁଝନ୍ତି । କିନ୍ତୁ ଆଜି ମଧ୍ୟ ଆମ ଦେଶରେ ଆଇନ ଇଂରାଜୀରେ ପଢା ଯାଉଛି । ଅଦାଲତ ମାନଙ୍କରେ ଇଂରାଜୀର ହିଁ ପ୍ରଭୁତ୍ୱ ରହିଛି । ଏହାଦ୍ୱାରା ପରୋକ୍ଷରେ ସାଧାରଣ ମଣିଷକୁ ଶୋଷଣ କରାଯାଉଛି ।
ଏହି ଅବସ୍ଥାରେ ବିକଳ୍ପ ନ୍ୟାୟ ବ୍ୟବସ୍ଥା ପାଇଁ ଆଇନ ତିଆରି ହେବା ଉଚିତ । ମୁଖ୍ୟତଃ ଗ୍ରାମାଂଚଳରେ ବ୍ୟାପକ ଲୋକ ଅଦାଲତର ବ୍ୟବସ୍ଥା କÿରାଗଲେ, ସାଧାରଣ ଲୋକେ ଠିକ୍ ସମୟରେ ନ୍ୟାୟ ପାଇ ପାରିବେ । ଉଭୟ ପକ୍ଷ ମଧ୍ୟରେ ଘରୋଇ ବୁଝାମଣାକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ । ନାଗରିକ ପ୍ରକି୍ରୟା ସଂହିତାରେ ସଂଶୋଧନ ହେବା ଉଚିତ । ଆଇନର ସୂଚନା ଦେବା ଓ ନିର୍ଯ୍ୟାତିତ ମଣିଷକୁ ଆଇନ ସହାୟତା ଦେବାର ବ୍ୟବସ୍ଥା ହେବା ଆବଶ୍ୟକ । ସମସ୍ତେ ମନେ ରଖିବା ଉଚିତ ଯେ, ଯେପର୍ଯ୍ୟନ୍ତ ସମସ୍ତଙ୍କୁ ନ୍ୟାୟ ପ୍ରଦାନର ଲକ୍ଷ୍ୟ ପୂରଣ ହୋଇନି, ସେ ପର୍ଯ୍ୟନ୍ତ ଆମ ଗଣତନ୍ତ୍ର ମଜଭୁତ ହୋଇ ପାରିବ ନାହିଁ । ଶରତ କୁମାର ରାଉତ

Leave a Reply

Your email address will not be published. Required fields are marked *