ଆଦିବାସୀ ଅଂଚଳରେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

ନବରଙ୍ଗପୁର, (ଓଏନ୍ଏସ୍): ଏହି ଆଦିବାସୀ ଅଂଚଳରେ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି । ସରକାରୀ ସ୍କୁଲ୍ର ଭିତିଭୂମି ଓ ଶିକ୍ଷକ ଅଭାବ ସହ ଶିକ୍ଷାର ମାନରେ ଅବନତି ଏହାର ମୁଖ୍ୟ କାରଣ ବୋଲି ଅଭିଯୋଗ ହେଉଛି । ସରକାରୀ ତତ୍ପରତା ଯୋଗୁ ଅଧିକାଂଶ ପିଲା ସ୍କୁଲ୍ରେ ନାମ ଲେଖାଉଛନ୍ତି ସତ ହେଲେ ବହୁ ପିଲା ପଢା ଛାଡ଼ି ଦେଉଛନ୍ତି । ଏହାର କାରଣ ଖୋଜା ଯାଉନାହିଁ କି ଏ ବାଦରେ କୌଣସି ଉଚ୍ଚସ୍ତରୀୟ ସମୀକ୍ଷା ହେଉନାହିଁ । ଏଠାରେ ସାକ୍ଷରତା ହାର ୪୮.୨୦% ମଧ୍ୟରୁ ପୁରୁଷଙ୍କ ହାର୫୯.୪୫% ଓ ମହିଳାଙ୍କ ହାର ୩୭.୨୨% ବୋଲି ସରକାରୀ ହିସାବ କହୁଥିଲେ ହେଁ ବାସ୍ତବ କ୍ଷେତ୍ରରେ ଏହାଠୁ ବହୁ କମ୍ ହାର ରହିଛି । ଶିକ୍ଷାର ପ୍ରସାର, ସାକ୍ଷରତା ହାର ବୃଦ୍ଧି ଓ ଜନସଚେତନତା ସୃଷ୍ଟି ପାଇଁ ପୌଢଶିକ୍ଷା, ବାଲ୍ୟଶିକ୍ଷା, ମହିଳା ଶିକ୍ଷା, ପ୍ରାଥମିକ ଶିକ୍ଷା, ନିନାଦ, ସନେ୍ଦଶ, ନବଜ୍ୟୋତି, ସର୍ବଶିକ୍ଷା ଅଭିଯାନ ଆଦିର ବ୍ୟବସ୍ଥା ରହିଥିବା ବେଳେ କେବିକେ ପ୍ରକଳ୍ପରେ ମଧ୍ୟ ଏସବୁକୁ ସାମିଲ କରାଯାଇଛି । ଏହା ସହିତ ଶହଶହ ଆଂଚଳିକ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଏନ୍ଜିଓମାନେ ଏଠାରେ ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ମାନଙ୍କୁ ସଚେତନ କରାଇବାର ଦାୟିତ୍ୱରେ ଅଛନ୍ତି । ମାତ୍ର ସବୁ କିଛି ଖାତାପତ୍ରରେ ସୀମିତ ରହିଛି । ସଚେତନତା ସୃଷ୍ଟିର କଥା ଯାହା କୁହାଯାଉଛି, ଏଠାରେ ଗତ ୧୫ ବର୍ଷ ଭିତରେ କେତୋଟି ଏନ୍ଜିଓ କେତେ ଟଙ୍କାର କାର୍ଯ୍ୟଭାର ନେଇଛନ୍ତି, ସେମାନଙ୍କ ପାଖରୁ ଜନସଚେତନତା ସୃଷ୍ଟିର ପ୍ରମାଣ କିପରି ସରକାର ପାଇଛନ୍ତି, ତାହା ଲୋକଲୋଚନକୁ ଆସିବା ଦରକାର । ମାନବୀୟ ସମ୍ବଳ ଦେଶ ବା ଜାତିର ଶକ୍ତି । ପିଲାଙ୍କ ଭବିଷ୍ୟତ ଶିକ୍ଷା ଉପରେ ହିଁ ନିର୍ଭର କରେ । କିନ୍ତୁ ଏଠାରେ ଗୁଣାତ୍ମକ ଶିକ୍ଷା ଦାନ ବ୍ୟବସ୍ଥାର ଘୋର ଅଭାବ ରହିଛି । କୁଶଳୀ ଶିକ୍ଷକଙ୍କ ଅଭାବ ଏଠାରେ ଶିକ୍ଷାର ମାନଦଣ୍ଡକୁ ଅତି ନିମ୍ନଗାମୀ କରିଛି । ସବୁଠୁ ଉଦ୍ବେଗଜନକ ବିଷୟ ହେଉଛି ଯେ, ଦିନକୁ ଦିନ ଶିକ୍ଷାର ମାନ ତଳକୁ ତଳକୁ ଯିବାରେ ଲାଗିଛି । ନବମ ଦଶମ ଶ୍ରେଣୀ ପିଲାଙ୍କର ପ୍ରଥମ/ଦ୍ୱିତୀୟ ଶ୍ରେଣୀର ଜ୍ଞାନ ବା ଦକ୍ଷତା ନାହିଁ । ସାଧାରଣ ମିଶାଣ ଫେଡ଼ାଣ କରିବାକୁ ମଧ୍ୟ ସେମାନେ ଅକ୍ଷମ । ସେହିପରି ସେବାଶ୍ରମ ବିଦ୍ୟାଳୟ ମାନଙ୍କରେ ଅପ୍ରାପ୍ତ ବୟସ୍କା ଛାତ୍ରୀ ମାନେ ଗର୍ଭବତୀ ହେବାର ଅତି ସମ୍ବେଦନଶୀଳ ଘଟଣା ଲଗାତାର ଘଟୁଛି । ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀଙ୍କ ସଂପୃକ୍ତି ତଥା ଅବହେଳା, ଅସାବଧାନତା ଯୋଗୁ ଏହା ଘଟୁଥିଲେ ହେଁ ପ୍ରଶାସନ ଦ୍ୱାରା କଠୋର ପ୍ରତିକାର ଓ ପ୍ରତିରୋଧ ବ୍ୟବସ୍ଥା କରାଯାଉ ନାହିଁ । ଆଦିବାସୀ ମଣିଷ ଖୁବ୍ ସରଳ ଓ ଅମାୟିକ । ସପକ୍ଷ ଓ ବିରୋଧର ମାନେ ବୁଝେନା । ବୁଝେନା କୂଟନୀତି କି ରାଜନୀତି । ସେ ଭଲପାଏ ମଣିଷକୁ, ନିଜ ଜୀବୀକାକୁ, ନିଜ ମାତୃଭୂମିକୁ, ନିଜ ଦେବୀଦେବତାଙ୍କୁ । ନିଜର କୌଣସି ସ୍ୱାର୍ଥ ପାଇଁ ସେ କାହାର ଅନିଷ୍ଟ କରେ ନାହିଁ କି ଲାଭ । ତାକୁ ଶିକ୍ଷିତ ବା ସଚେତନ କରିବାକୁ ଯେ ସରକାର ଅମାପ ଟଙ୍କା ଖର୍ଚ୍ଚ କରୁଛନ୍ତି ଓ ସେସବୁ ବାଟମାରଣା ହେଉଛି,ଏକଥା ଆଦିବାସୀ ମଣିଷ ଜାଣେ ନାହିଁ । ଜାଣିଲେ ବି ପ୍ରତିବାଦ୍ କରିବାର ସାମର୍ଥ୍ୟ ତା’ର ନାହିଁ । ମୋଟ ଉପରେ ସମସ୍ତଙ୍କର ସବୁ ସ୍ତରର ଅତ୍ୟାଚାର ସହି ଚାଲିଛି ଆଦିବାସୀ ମଣିଷ । ଏଥିରୁ କେବେ ସେ ମୁକ୍ତି ପାଇବ, ସେ କଥା ଇଶ୍ୱରଙ୍କୁ ଜଣା । ଓଏନ୍ଏସ୍ ।

Leave a Reply

Your email address will not be published. Required fields are marked *