ପୁରାଣ ବର୍ଣ୍ଣିତ ଦ୍ୱାରିକା ନଗରୀର କାହାଣୀ

ଡ଼ାକ୍ତର ସୁରେନ୍ଦ୍ର ନାଥ ଦାଶ
ଗଣମାଧ୍ୟମରେ ବାରମ୍ବାର ପ୍ରଚାରିତ ଗୁଜୁରାଟର ବିକାଶ କାହାଣୀ ଶୁଣି ଶୁଣି ସେ ଅଂଚଳକୁ ଥରେ ଯାଇ ବାସ୍ତବ ସ୍ଥିତି ପରଖି ନେବା ପାଇଁ କେବେ ଠାରୁ ମନ କହୁଥାଏ । ହଠାତ୍ ୪୦ ବର୍ଷ ତଳର ୪ଜଣ ସହପାଠୀ ଗୁଜୁରାଟ ଭ୍ରମଣରେ ଯିବା ପାଇଁ ମତେ ନିମନ୍ତ୍ରଣ ଜଣାଇଲେ ଓ ଏହା ଏକ ବିଧି ନିଦେ୍ର୍ଦଶ ଭାବି ମୁଁ ଓ ମୋର ପତ୍ନୀ ତତ୍କ୍ଷଣାତ୍ ସହମତି ଜଣାଇଲୁ ।
ଆମେ ୫ଜଣ ଅବସରପ୍ରାପ୍ତ ଡ଼ାକ୍ତର ଓ ଆମର ସହଧର୍ମିଣୀ ସମୁଦାୟ ୧୦ ଜଣ ଗୁଜୁରାଟ ଦର୍ଶନ ପାଇଁ ୨୦୧୮ ମସିହା ଫେବୃୟାରୀ ୧୯ ତାରିଖ ଦିନ ବିଭିନ୍ନ ସ୍ଥାନରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ଦିନ ଗୋଟାଏ ସୁଦ୍ଧା ଏକାଠି ହେଲୁ । ଦୀର୍ଘଦିନ ପରେ ପରସ୍ପର ମିଳିତ ହୋଇ ପୁଣି ଛାତ୍ର ଜୀବନର ଥଟ୍ଟା-ତାମସାରେ ହଜି ଯାଇ ନିଜର ବାସ୍ତବ ବୟସକୁ ଭୁଲିଗଲୁ ।
ତେବେ ଆକାଶରେ ପ୍ରାୟ ଅଢେଇ ଘଂଟା ଯାତ୍ରା କଲା ପରେ ଇଣ୍ଡିଗୋ ବିମାନଟି ଅହମ୍ମଦାବଦ୍ ବିମାନ ବନ୍ଦରରେ ଅବତରଣ କଲା । ସେତେବେଳକୁ ସମୟ ସନ୍ଧ୍ୟା ୬ଟା । ଗୁଜୁରାଟରେ ତଥାପି ସନ୍ଧ୍ୟା ଆସିନଥାଏ । ବିମାନ ବନ୍ଦରରୁ ବାହାରି ସବୁ ଆଡ଼କୁ ଆଖି ବୁଲେଇ ଦେଖିଲୁ, ସବୁଠି ପରିଷ୍କାର ଓ ବେଶ୍ ଶୃଙ୍ଖଳିତ । ଆମକୁ ନେବା ପାଇଁ ବିମାନ ବନ୍ଦରରେ ଏକ ୧୩ ଜଣିଆ ସିଟ୍ ଥିବା ମିନି ବସ୍ ଟି ଅପେକ୍ଷା କରିଥାଏ । ଯୋଜନା ମୁତାବକ ଆମେ ସମସ୍ତେ ଗାଡ଼ିରେ ବସିଲୁ ଓ ଆମର ପ୍ରଥମ ରହଣୀ ସ୍ଥଳ ଦ୍ୱାରିକା ଅଭିମୁଖେ ଯାତ୍ରା କଲୁ । ଗାଡ଼ିଟି ରାଜପଥରେ ଦ୍ରୂତ ଗତିରେ ଛୁଟି ଚାଲିଲା । ଅହମ୍ମଦାବାଦ୍ ଠାରୁ ଦ୍ୱାରିକା ପ୍ରାୟ ୪୦୦ କିମି ଦୂର । ରାଜସ୍ତାନୀ ଡ଼୍ରାଇଭର ପର୍ବତ ସିଂହ ଖୁବ୍ ଦ୍ରୂତ ଗତି ଓ ସାବଧାନର ସହିତ ଗାଡ଼ି ଚଳାଉଥାଏ । ବାଟରେ ଗୋଟିଏ ହୋଟେଲ୍ରେ ସମସ୍ତେ ରାତ୍ରି ଭୋଜନ ସାରିଲୁ । ଗୁଜୁରାଟରେ ସବୁଆଡ଼େ ନିରାମିଷ ଖାଇବାକୁ ଗୁଜୁରାଟ ଥାଳି ଖାଦ୍ୟ ସହିତ ମନଇଚ୍ଛା ଦହି ବା ଗୁଜୁରାଟ ଭାଷାରେ ଛାସ୍ ଦିଆଯାଏ । ଯେତେ ଯାହା ଖାଇଲେ, ମୂଲ୍ୟ ୧୨୦ଟଙ୍କା ।
ରାତି୍ରର ଘନଘୋର ଅନ୍ଧକାର ମଧ୍ୟରେ ହୁଏତ ଏକ ବିସ୍ତୀର୍ଣ୍ଣ ଜନଶୂନ୍ୟ ଅଂଚଳ ଦେଇ ଆଗେଇ ଚାଲିଥିଲା ଗାଡ଼ିଟି । ସକାଳ ୫ଟାରେ ଦ୍ୱାରିକାରେ ପହଂଚିଗଲା ଗାଡ଼ି । ଆଗରୁ ସେଠାରେ ହୋଟେଲ୍ ବୁକ୍ ହୋଇଥିଲା । ହୋଟେଲ୍ ର ଜଣେ କର୍ମଚାରୀ ଆମକୁ ବାଟ ଦେଖାଇ ନେଇଗଲା । ନିତ୍ୟକର୍ମ ସାରିବା ପରେ ଦ୍ୱାରିକାଧୀଶଙ୍କ ମନ୍ଦିର ଦେଖିବାକୁ ବାହାରିଲୁ । ଦ୍ୱାରିକା ଗୋଟିଏ ଛୋଟ ସହର । ସବୁଆଡ଼େ ସମୁଦ୍ର ଜଳ ପ୍ଲାବିତ ଲୁଣି ଅଂଚଳ । ଛୋଟ ସହରର ରାସ୍ତା ମଧ୍ୟ ସଂକୀର୍ଣ୍ଣ, ହେଲେ ବେଶ୍ ପରିଷ୍କାର । ମନ୍ଦିରରେ ପହଂଚିବା ବେଳେ ବିଶେଷ ଗହଳି ନଥିଲା । ଜଣେ ଗାଇଡ଼୍ ଆମକୁ ବୁଲାଇ ସବୁ ଦେଖାଇଲା । କେଉଁ ଆଦିମ କାଳରୁ ଭଗବାନ୍ କୃଷ୍ଣ ଏଠାରେ ଦ୍ୱାରିକାଧୀଶ ବା ରଣଛୋଡ଼୍ ଠାକୁର ରୂପେ ପୂଜା ପାଉଛନ୍ତି । ମଥୁରାରେ ଥିବାବେଳେ ମଗଧର ସମ୍ରାଟ ଜରାସନ୍ଧ ଦ୍ୱାରା ବାରମ୍ବାର ଆକ୍ରମଣର ଶିକାର ହୋଇ ନିଜର କୁଟୁମ୍ବ ମାନଙ୍କ ସହିତ କୃଷ୍ଣ ପଳାୟନ କରି ଦ୍ୱାରିକାରେ ଆଶ୍ରୟ ନେଲେ । ଘନ ଜଙ୍ଗଲ ଓ ସମୁଦ୍ର ଜଳ ଦ୍ୱାରା ବେଷ୍ଟିତ ଦ୍ୱାରିକା ସେତେବେଳେ ଅତ୍ୟନ୍ତ ଦୁର୍ଗମ ଥିଲା । ଏହାର ନାମ ଥିଲା କୁଶସ୍ଥଳୀ । କୃଷ୍ଣଙ୍କର ବଡ଼ଭାଇ ବଳରାମଙ୍କ ପତ୍ନୀ ରେବତୀଙ୍କ ପିତା ଏହାର ମାଲିକ ଥିଲେ । କୃଷ୍ଣଙ୍କର ନିଧନ ପରେ ତାଙ୍କର ନାତି ବ୍ରଜ ନିଜ ଅଜା କୃଷ୍ଣଙ୍କ ସ୍ମୃତିରେ ଏହି ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ ।
ଅନେକ କିମ୍ବଦନ୍ତୀ ଓ କାହାଣୀକୁ ନେଇ ଦ୍ୱାରିକା ସମୟର ଘାତ-ପ୍ରତିଘାତକୁ ସହି ତିଷ୍ଠି ରହିଛି । ମନ୍ଦିରରେ ରହିଛି କୃଷ୍ଣଙ୍କ ଜ୍ୟୋଷ୍ଠ ଭ୍ରାତା ବଳରାମ, ରାଣୀ ଜାମ୍ବବତୀ, ରାଣୀ ରୁକ୍ମଣୀ, ରାଣୀ ସତ୍ୟଭାମା, ପୁତ୍ର ପ୍ରଦୁ୍ୟମ୍ନ, ନାତି ଅନିରୁଦ୍ଧ ଓ ଗୁରୁ ସନ୍ଦିପନିଙ୍କ ମନ୍ଦିର । ବୁଲିଳା ବେଳେ ମନେ ହେଉଥାଏ, ଯେପରି ଆମେ ଦ୍ୱାପର ଯୁଗକୁ ଫେରିଯାଇଛୁ ।
ଦ୍ୱାରିକାର ସବୁଆଡ଼େ ଶୁଷ୍କ । ପିଇବାକୁ ମିଠାପାଣି ମିଳେନାହିଁ । କଥିତ ଅଛି, ଶ୍ରୀକୃଷ୍ଣ ଓ ତାଙ୍କ ପାଟ୍ଟରାଣୀ ରୁକ୍ମଣୀ ଥରେ ଦୁର୍ବାଶା ଋଷିଙ୍କୁ ତାଙ୍କର ଅତିଥି ହେବା ପାଇଁ ନିମନ୍ତ୍ରଣ କଲେ । ଦୁର୍ବାଶା ସର୍ତ ରଖିଲେ ଯେ, ଯେଉଁ ରଥରେ ସେ ଆସିବେ, ସେ ରଥକୁ ଘୋଡ଼ା ଟାଣିବ ନାହିଁ, ନିଜେ ଶ୍ରୀକୃଷ୍ଣ ଓ ତାଙ୍କ ପାଟ୍ଟରାଣୀ ରୁକ୍ମଣୀ ତାହାକୁ ଟାଣିବେ । ସେହି ଅନୁଯାୟୀ ଶୁଷ୍କ ମରୁମୟ ପ୍ରଦେଶ ଦେଇ ଉଭୟ ସ୍ୱାମୀ ଓ ସ୍ତ୍ରୀ ଦୁର୍ବାଶାଙ୍କ ରଥକୁ ଟାଣିଟାଣି ଦ୍ୱାରିକା ଅଭିମୁଖେ ଆଣିଲେ । ମରୁ ପ୍ରଦେଶର ଅସହ୍ୟ ତାତିରେ ରୁକ୍ମଣୀଙ୍କ ତଂଟି ଶୁଖି ଗଲା । ସେ ପ୍ରାର୍ଥନା କଲେ, ‘ହେ, ସ୍ୱାମୀ, ଜଳ ନପାଇଲେ ମୁଁ ପ୍ରାଣ ତ୍ୟାଗ କରିବି!’ଶ୍ରୀକୃଷ୍ଣ ନିଜ ବିଭୂତି ବଳରେ ନଖ କୋଣରୁ ଗଙ୍ଗା ଧାର ସୃଷ୍ଟି କଲେ ଓ ରୁକ୍ମଣୀ ତାହା ପିଇ ତୃପ୍ତ ହେଲେ । ମାତ୍ର କ୍ଷଣ କୋପୀ ଦୁର୍ବାଶା ଏଥିରେ କ୍ରୋଧିତ ହୋଇ ତୀବ୍ର କଣ୍ଠରେ କହିଲେ, ‘ମୋର ବିନା ଅନୁମତିରେ ତୁମେ ଜଳ ଗ୍ରହଣ କରି ଅପରାଧ କରିଛ, ସେଥିପାଇଁ ମୁଁ ଅଭିଶାପ ଦେଉଛି, ଦ୍ୱାରିକାରେ ପିଇବା ପାଣି ମିଳିବ ନାହିଁ! କୌଣସି ଶସ୍ୟ କି ଫଳ ଫଳିବ ନାହିଁ! ତୁମେ ସ୍ୱାମୀ-ସ୍ତ୍ରୀ ବିଚ୍ଛିନ୍ନ ହେବ!’ ଏଭଳି ପ୍ରଚଣ୍ଡ ଅଭିଶାପ ଶୁଣି କାତର ହୋଇ ସ୍ୱାମୀ-ସ୍ତ୍ରୀ ଦୁର୍ବାଶାଙ୍କ ଶାପ ମୋଚନ ପାଇଁ ମିନତି ଜଣାଇଲେ । ମାତ୍ର ଦୁର୍ବାଶା କେବଳ କହିଲେ, ‘ବାର ବର୍ଷ ପରେ ତୁମେ ସ୍ୱାମୀ-ସ୍ତ୍ରୀ ଏକତ୍ର ହୋଇ ପାରିବ!’
କିମ୍ବଦନ୍ତୀକୁ ଆଧାର କରି ଦ୍ୱାରିକା ଠାରୁ ପ୍ରାୟ ୨୦ କିମି ଦୂରରେ ସବୁଆଡ଼େ ଲୁଣିପାଣି ଘେରା ଏକ ମରୁ ପ୍ରାନ୍ତରରେ ରୁକ୍ମଣୀ ଦେବୀଙ୍କ ମନ୍ଦିର ରହିଛି । ଦ୍ୱାରିକା ଠାରୁ ପ୍ରାୟ ୪୦ କିମି ଦୂରରୁ ଏଠାକୁ ପିଇବା ପାଣି ଆସେ ଓ ସମସ୍ତ ଯାତ୍ରୀଙ୍କୁ ପିଇବା ପାଇଁ ପାଣି ଦିଆଯାଏ । ଏହି ମନ୍ଦିର ନିକଟରେ ଶତାଧିକ ସନ୍ୟାସୀ କୃଷ୍ଣ ନାମ କିର୍ତନ କରୁଛନ୍ତି । ସେମାନଙ୍କୁ ମଧ୍ୟ ଖାଦ୍ୟ ଓ ପାନୀୟ ଦିଆଯାଉଛି । ଏଥିପାଇଁ ଯାତ୍ରୀ ମାନଙ୍କ ଠାରୁ ଦାନ ସଂଗ୍ରହ କରାଯାଏ ।
ରୁକ୍ମଣୀଙ୍କ ମନ୍ଦିର ଦେଖିଲା ପରେ ଦ୍ୱାରିକାର ଅନ୍ୟ ଏକ ପ୍ରସିଦ୍ଧ ତୀର୍ଥ ବେଟ୍ ଦ୍ୱାରିକା ଅଭିମୁଖେ ଗାଡ଼ି ଚାଲିଲା । ବିସ୍ତୀର୍ଣ୍ଣ ମରୁମୟ ଓ ଲବଣାକ୍ତ ଭୂମି ଦେଇ ଆମେ ଯାତ୍ରା କରୁଥାଉ । ଅଦୂରରେ ସମୁଦ୍ର ଦେଖା ଯାଉଥାଏ । ଏହି ଅଂଚଳଟି ସମୁଦ୍ର ମଧ୍ୟକୁ ପଶି ଯାଇଥିବା ଓଖା ଅନ୍ତରୀପ । ଏଠାରେ ପ୍ରଚୁର ଲୁଣ ଉତ୍ପାଦନ ହୁଏ । ଟାଟା କେମିକାଲ୍ସର ବିରାଟ କାରଖାନା ଏଠାରେ ଅଛି । ପାହାଡ଼ ଭଳି ଲୁଣ ଗଦା ହୋଇଛି । ଆମ ରାଜ୍ୟର ପୁରୀ ଠାରୁ ଓଖା ପର୍ଯ୍ୟନ୍ତ ରେଳ ଚାଲୁଅଛି ।
ଓଖା ନିକଟରେ ଥିବା ସଂକୀର୍ଣ୍ଣ ଜଳଭାଗଟିର ନାମ କଚ୍ ଉପସାଗର । ବେଟ୍ ଦ୍ୱାରିକା ଏହା ମଧ୍ୟରେ ଗୋଟିଏ ଦ୍ୱୀପ । ଆଠ କିମି ଲମ୍ବ ଓ ୩ କିମି ଓସାର । ଓଖା ଠାରୁ ସେଠାକୁ ଶହଶହ ଲଂଚ ବୋଟ୍ ଚାଲୁଛି । ଜଳ ମଧ୍ୟରେ ୩ରୁ ୪ କିମି ଯିବାକୁ ହୁଏ । ଲଂଚରେ ଯିବାବେଳେ ମୁଣ୍ଡ ଉପରେ ହଜାର ହଜାର ସାମୁଦ୍ରିକ ପକ୍ଷୀ ଉଡ଼ି ଉଡ଼ି ରାବୁଥାନ୍ତି । ଲୋକମାନଙ୍କ ହାତରୁ ଖାଦ୍ୟ ଦ୍ରବ୍ୟ ଝାମ୍ପି ନିଅନ୍ତି । ବେଟ୍ ଦ୍ୱାରିକା ହେଉଛି ପୁରାଣ ବର୍ଣ୍ଣିତ ଦ୍ୱାରିକା ନଗରୀ । ଅଷ୍ଟ ପାଟ୍ଟବଂଶୀ ବିଭିନ୍ନ ଯାଦବ କୂଳ ଏଠାରେ ରହୁଥିଲେ । କୃଷ୍ଣଙ୍କ ପରେ ଏହା ସମୁଦ୍ରରେ ଡ଼ୁବିଗଲା । ସେହି ଧ୍ୱସ୍ତ ଦ୍ୱାରିକାର କିଛି ଅଂଶ ଏବେ ବି ସମୁଦ୍ର ମଧ୍ୟରେ ଦେଖାଯାଏ । ଏଠାରେ ଏକ ପ୍ରାଚୀନ ରୁକ୍ମଣୀଙ୍କ ମନ୍ଦିର ରହିଛି । ବେଟ୍ ଦ୍ୱାରିକାରୁ ଫେରି ଦ୍ୱାରିକାରେ ପହଂଚିଲୁ । ବାଟରେ ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ ଶିବ ମନ୍ଦିର ଦେଖିଲୁ । ବେଶ୍ ପ୍ରଶସ୍ତ ଓ ସୁନ୍ଦର ଜାଗା । ଏଠାରୁ ଫେରିଲା ବେଳେ ଏକ ପୁଷ୍କରିଣୀକୁ ଦେଖାଇ ଏହା ଗୋପୀଲୋକ ବୋଲି ଡ଼୍ରାଇଭର ଆମକୁ ସୂଚନା ଦେଲା । ଏଠାରେ କୁଆଡ଼େ ଗୋପୀମାନେ ସ୍ନାନ କରୁଥିଲେ । ଅବାସ୍ତବ ହେଲେ ମଧ୍ୟ ଯାତ୍ରୀ ମାନେ ଏହାର ପବିତ୍ର ଜଳକୁ ମୁଣ୍ଡÿରେ ପକାଇ ମୁଦ୍ରା ଜଳଭାଗ କୁ ଫିଙ୍ଗିଥାନ୍ତି ।
ହଜାର ହଜାର ବର୍ଷ ଅତୀତ ହେଲେ ମଧ୍ୟ ପୌରାଣିକ କଥାବସ୍ତୁ, କିମ୍ବଦନ୍ତୀ ଓ ମନ୍ଦିର ମୂର୍ତି ମାଧ୍ୟମରେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସତେଜ ଓ ଅକ୍ଷୁର୍ଣ୍ଣ ରଖିଛି । ଏହା ହିଁ ଆମ ସଂସ୍କୃତିର ମହନୀୟତା ଓ ବିଚିତ୍ରତା ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଉମରକୋଟ,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬

Leave a Reply

Your email address will not be published. Required fields are marked *