ବିଜୁବାବୁଙ୍କ କର୍ମସ୍ଥଳୀରେ ନବୀନବାବୁଙ୍କ ପ୍ରାଥିତ୍ୱ?

ଅଜିତ କୁମାର ନାୟକ
ଭାରତର ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ରାଜନୀତିଜ୍ଞ ତଥା ଓଡ଼ିଶାର ବରପୁତ୍ର କଳିଙ୍ଗ ସମ୍ରାଟ ବିଜୁ ବାବୁଙ୍କର ରାଜନୀତିକ କର୍ମଭୂମି ଥିଲା କେନ୍ଦ୍ରାପଡ଼ା ଜିଲ୍ଲା । ଦୀର୍ଘ ଦଶନ୍ଧି ଧରି ରାଜନୀତିରେ ସଂଗ୍ରାମ କରି ସଫଳତା ପାଇଥିଲେ । ୧୯୭୦ ମସିହା ନିର୍ବାଚନରେ ସେ ଏକ ସଙ୍ଗରେ ଚୌଦ୍ୱାର, ଭୁବନେଶ୍ୱର, ଭଞ୍ଜନଗର ଓ ପାଟକୁରା ବିଧାନସଭା ଆସନ ସହ ଆସ୍କା ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିଲେ । ମାତ୍ର ସମସ୍ତ ୫ଟି ଆସନରେ ସେ ପରାଜୟ ବରଣ କରିଥିଲେ । ସେଥିପାଇଁ ସେ ରାଜନୀତି ପ୍ରତି ବିମୁଖ ହୋଇ ରାଜନୀତିରୁ ସନ୍ୟାସ ନେବାକୁ ଘୋଷଣା କରିଥିଲେ । ସେତେବେଳେ ପ୍ରହଲ୍ଲାଦ ମଲ୍ଲିକ ଏକ ସଙ୍ଗେ ରାଜନଗର ଓ ପଟ୍ଟାମୁଣ୍ଡାଇ ବିଧାନସଭା ଆସନରେ ବିଜୟୀ ହୋଇଥିଲେ । ତେବେ ପଟ୍ଟାମୁଣ୍ଡାଇ ଏବଂ ରାଜନଗରର ବୟସ୍କ ନେତା ତଥା ଜନସାଧାରଣ ବିଜୁବାବୁଙ୍କ ପାଖରେ ପହଂଚି ତାଙ୍କୁ ବୁଝାଇ ରାଜନଗରରୁ ପ୍ରାର୍ଥୀ ହେବାକୁ ଅନୁରୋଧ କରିଥିଲେ । ଫଳତଃ ବିଜୁବାବୁ ଏହି ପ୍ରସ୍ତାବକୁ ସ୍ୱୀକାର କରିଥିଲେ । ପ୍ରହଲ୍ଲାଦ ମଲ୍ଲିକ ବିଜୁବାବୁଙ୍କ ପାଇଁ ରାଜନଗର ଆସନ ଛାଡ଼ିଥିଲେ । ଆଉ ସେହିବର୍ଷ ଉପନିର୍ବାଚନରେ ବିଜୁବାବୁ ରାଜନଗର ଆସନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟଲାଭ କଲେ ।
୧୯୭୧ ମସିହା ମହାବାତ୍ୟାର କରାଳ ବିଭିଷୀକାରେ ରାଜନଗର ଅଂଚଳ କ୍ଷତବିକ୍ଷତ ହୋଇଗଲା । ଉଜୁଡ଼ିଗଲା ଅନେକ ଧନ-ସଂପତି । ହଜାର ହଜାର ନୀରିହ ଲୋକେ ମୃତୁ୍ୟବରଣ କଲେ । ଏଥିରେ ବିଜୁବାବୁଙ୍କ ବିଶାଳ ହୃଦୟ କଇଁ କଇଁ କାନ୍ଦି ଉଠିଲା । ସେ ଯଥାଶୀଘ୍ର ହେଲିକପ୍ଟରରେ ସଂପୃକ୍ତ ବିଭିଷୀକା ଅଂଚଳରେ ପହଂଚି ହଜାର ହଜାର ଲୋକଙ୍କୁ ଉଦ୍ଧାର କଲେ । ବାତ୍ୟା ପୀଡ଼ିତ ମାନଙ୍କୁ ଚୁଡ଼ା, ଗୁଡ଼, ଚାଉଳ, କମ୍ବଳ, ବସ୍ତ୍ର ଆଦି ଦେଇ ସାନ୍ତ୍ୱନା ଦେଲେ । ସମସ୍ତଙ୍କୁ ଆଶ୍ୱାସନା ଦେଇ କହିଲେ, “ଭବିଷ୍ୟତରେ ରାଜନଗରବାସୀଙ୍କୁ ମୁଁ ଆଉ ମରିବାକୁ ଦେବିନି!”ତାପରେ ସେ ରାଜନଗର ଅଂଚଳରେ ବାତ୍ୟା ଆଶ୍ରୟସ୍ଥଳୀ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିର୍ମାଣ କଲେ । ତାଙ୍କର ସ୍ୱପ୍ନ ଥିଲା ଯେ, ରାଜନଗରକୁ ସେ ଦିନେ ବମ୍ବେ ସହରରେ ପରିଣତ କରିବେ! ମାତ୍ର ତାଙ୍କର ସ୍ୱପ୍ନ ଅଧୂରା ରହିଗଲା । ତାଙ୍କର ଏକାନ୍ତ ପି୍ରୟ ଓ ଅନୁଗତ ନଳିନି କାନ୍ତ ମହାନ୍ତିଙ୍କୁ ରାଜନଗରରେ ଅବସ୍ଥାପିତ କରି ନିଜର କାର୍ଯ୍ୟଧାରା ଚାଲୁରଖିଲେ । ଅନ୍ୟପକ୍ଷରେ ଦୀର୍ଘ ୩୫ ବର୍ଷ ନଳିନି ବାବୁ କ୍ଷମତାର ଡ଼ୋରି ଧରିଥିଲେ ମଧ୍ୟ ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିବାରେ ବିଫଳ ହେଲେ । ରାଜନଗର ଅଂଚଳ ଆଜି ଶ୍ରୀହିନ ହୋଇ ରହି ଯାଇଛି ।
ଏହା ସ୍ୱୀକାର କରିବାକୁ ହେବ ଯେ, ଆମର ପି୍ରୟ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପଟ୍ଟାମୁଣ୍ଡାଇ-ରାଜନଗରର ଜନସାଧାରଣଙ୍କ ପ୍ରତି ଅତୁଳ ଶୁଭେତ୍ସା ରହିଛି । ବିଜୁବାବୁଙ୍କ ଦେହାନ୍ତ ପରେ ରାଜନଗର ମାଟିର ଦୁଃଖକୁ ଲାଘବ କରିବା ଭଳି ଯୋଗ୍ୟ ବ୍ୟକ୍ତିଙ୍କର ଅଭାବ ରହିଥିବା ସାଧାରଣ ଲୋକେ ହୃଦୟଙ୍ଗମ କରି ଆସୁଛନ୍ତି । ବର୍ତମାନ ଏହି ମାଟିର ସନ୍ତାନମାନେ ଭରସା ରଖିଛନ୍ତି କେବଳ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଉପରେ । ବାସ୍ତବରେ ନବୀନ ବାବୁ ଯଦି ରାଜନଗର ମାଟିର ଆଖିରୁ ଝରୁଥିବା ଲୁହକୁ ପୋଛିବାକୁ ଆଗ୍ରହ ପ୍ରକାଶ କରି ରାଜନଗର ବିଧାନସଭା ଆସନରୁ ପ୍ରାର୍ଥୀ ହୁଅନ୍ତେ, ତେବେ ବିଜୁବାବୁଙ୍କ ରାଜନୀତିକ କର୍ମଭୂମିର ମାଟି ମା’ ଖୁସି ହେବା ସହିତ ବିଜୁବାବୁଙ୍କ ପାଇଁ ଏକ ବିରାଟ ଉପହାର ଓ ସମ୍ମାନ ହୋଇ ପାରନ୍ତା ବୋଲି ରାଜନଗର ଲୋକେ କହୁଛନ୍ତି । ଏହା ଯଦି ବାସ୍ତବରେ ପରିଣତ ହୁଏ, ତେବେ କେବଳ ରାଜନଗର ବା କେନ୍ଦ୍ରାପଡ଼ା କାହିଁକି, ଅବିଭକ୍ତ କଟକ ଜିଲ୍ଲାର ୨୬ ଟି ବିଧାନସଭା ଆସନ ତଥା ୪ଟି ଲୋକସଭା ଆସନରେ ବିଜେଡ଼ି ପ୍ରାର୍ଥୀ ମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇ ଭାରତ ବର୍ଷରେ ଏକ ବିରଳ ରେକର୍ଡ଼ ସୃଷ୍ଟି ହୋଇ ପାରନ୍ତା ।
ସେହିପରି ବିଜୁବାବୁଙ୍କର ଜନ୍ମସ୍ଥଳୀ ଓ ନବୀନ ବାବୁଙ୍କର କର୍ମସ୍ଥଳୀ ଗଞ୍ଜାମ ଜିଲ୍ଲାରେ ତାଙ୍କର ଉତରାଧିକାରୀ ଭାବେ ତାଙ୍କ ନିଜର କାହାକୁ ଲୋକସଭା ପ୍ରାର୍ଥୀ କରାଗଲେ, ବିଜୁବାବୁଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ତଥା ବିଜେଡ଼ି ପାଇଁ ଅନୁକୁଳ ପରିବେଶ ସୃଷ୍ଟି ହେବା ସହ ଦକ୍ଷିଣ ଓଡ଼ିଶାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇ ପାରିବ ।
ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ-୯୭୭୭୯୮୯୮୨୨

Leave a Reply

Your email address will not be published.