ଓଡ଼ିଶାର ମନଲୋଭା ପ୍ରାକୃତିକ ବିଭବ!

ଶରତ କୁମାର ରାଉତ
ଭାରତର ଦକ୍ଷିଣ-ପୂର୍ବ ଦିଗରେ ଅବସ୍ଥିତ ମନୋରମ ଦେଶ ଥାଇଲାଣ୍ଡ ଏକ ପ୍ରଦୂଷଣ ମୁକ୍ତ ଓ ଅନୁଶାସିତ ଦେଶ ଭାବେ ପ୍ରସିଦ୍ଧ । ଏହା ମଧ୍ୟ ମନୋରମ ସପିଙ୍ଗ୍ କମ୍ପ୍ଲେକ୍ସ, ସୁନ୍ଦର ସଡ଼କ ଓ କମନୀୟ ଦୃଶ୍ୟରାଜି ଭରା ସମୁଦ୍ର ବେଳାଭୂମି ଏବଂ ସୁସ୍ଥ ପରିବେଶ ପାଇଁ ପ୍ରସିଦ୍ଧ । ମୁଖ୍ୟତଃ ମୂଳ ଥାଇ, ଚୀନ୍, ମାଳୟ ଓ ଭାରତୀୟ ମାନଙ୍କୁ ନେଇ ହିଁ ଏହି ଦେଶ ଗଢି ଉଠିଛି । ଏଠାରେ ଥାଇ ୭୭ ଶତକଡ଼ା ହୋଇଥିବା ବେଳେ ଚୀନୀ ୧୪ ଶତକଡ଼ା, ମାଳୟ ୫ ଶତକଡ଼ା ଓ ଭାରତୀୟ ୪ ଶତକଡ଼ା ଅଛନ୍ତି । ଏଠାକାର ଶାସକୀୟ ଭାଷା ମଧ୍ୟରେ ଥାଇ, ଇଂରାଜୀ, ମଦେରିଆନ୍, ମାଳୟ ଏବଂ ତାମିଲ୍ ଅନ୍ୟତମ । ପର୍ଯ୍ୟଟନ ଦୃଷ୍ଟିରୁ ସାରା ଥାଇଲାଣ୍ଡ ଓ ତାହାର ସମୁଦ୍ର ବେଳାଭୂମିର ମନୋରମ ଦୃଶ୍ୟରାଜି ବିଶ୍ୱରେ ପ୍ରମୁଖ ସ୍ଥାନ ଦଖଲ କରିଛି । ସବୁଠୁ ଆକର୍ଷକ ଦୃଶ୍ୟରାଜି ହେଲା, ମନୋରମ ସୁଉଚ୍ଚ ଅଟ୍ଟାଳିକା ଭରା ବ୍ୟାଙ୍କକ୍ ସହର ଓ ଏହାର ନିକଟବର୍ତୀ ପଟାୟା ସମୁଦ୍ର ବେଳାଭୂମିର କମନୀୟ ରୂପ । ଏହାଠୁ ଆହୁରି ମନ ମୁଗ୍ଧକର ଦୃଶ୍ୟ ଓ ପରିବେଶ, ବେଳାଭୂମିରୁ ବଙ୍ଗୋପସାଗର ଭିତରକୁ ମାତ୍ର ୧୩ କିଲୋମିଟର ଦୂରବର୍ତୀ ଏକ ଆଇଲାଣ୍ଡ୍ରେ ଦେଖିବାକୁ ମିଳେ । ଏହି ଆଇଲାଣ୍ଡ୍ ଏସିଆ ମହାଦେଶର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ଅନ୍ୟତମ । ବିରଳ ପ୍ରାକୃତିକ ଦୃଶ୍ୟରାଜି ଭରା ଏହି ଆଇଲାଣ୍ଡର ଲୋଭନୀୟ ଆକର୍ଷଣ ହିଁ ପଟାୟା ବେଳାଭୂମିକୁ କମନୀୟ ରୂପରେ ସଜେଇଥିବା କୁହାଯାଇପାରେ । ଏହି ବେଳାଭୂମିର ଦୈର୍ଘ୍ୟ ମାତ୍ର ୧.୨୫ କିଲୋମିଟର ଓ ଚଉଡ଼ା ମାତ୍ର ୧୫୦ ମିଟର । ୧୭ ଏକର ବିଶିଷ୍ଟ ଏହି ଆଇଲାଣ୍ଡର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ସାରା ବିଶ୍ୱରୁ ଛୁଟି ଆସନ୍ତି ହଜାର ହଜାର ପର୍ଯ୍ୟଟକ ପ୍ରତିଦିନ । ଆଉ ପର୍ଯ୍ୟଟକ ମାନଙ୍କ ଆଗମନରେ ପଟାୟା ଅନେକ ସୁନ୍ଦର ଅଟ୍ଟାଳିକାକୁ ନେଇ ଏକ ଲୋଭନୀୟ ନଗରୀରେ ପରିଣତ ହୋଇଛି ।
ପଟାୟା ବେଳାଭୂମିରୁ ଆଇଲାଣ୍ଡକୁ ଯିବା ପାଇଁ ଲଂଚ ବୋଟ୍ର ବ୍ୟାପକ ସୁବିଧା ରହିଛି । ଯାହାର ପ୍ରତି ଟିକଟର ମୂଲ୍ୟ ୧୨୦୦ ଭାତ୍ ବା ଭାରତୀୟ ମୁଦ୍ରାରେ ୯ ହଜାର ୧୨୦ ଟଙ୍କା । ଏଠାକାର ଅଣ୍ଡର ୱାଟର୍ ୱାର୍ଲଡ଼ ଭିତରେ ବିଶ୍ୱର ଦୁର୍ଲଭ ସାମୁଦି୍ରକ ଜୀବ ଆଦି ଦେଖିବାକୁ ମିଳିଥାଏ । କେତେକ ସ୍ୱତନ୍ତ୍ର ସବ୍- ମେରାଇନ୍ରେ ଅର୍ଦ୍ଧ ଗୋଲକ ସ୍ତରର ଚଟାଣରେ ରୋଲର୍ ସଂଯୁକ୍ତ ରହିଛି ଓ ତିନି ପାଖରେ କାଚର ଟୁ୍ୟବ୍ରେ ପାଣି ରହିଛି । ରୋଲର୍ ଉପରେ ଦର୍ଶକମାନେ ଛିଡ଼ା ହେଲେ, ସମୁଦ୍ର ଭିତରର ଦୁର୍ଲଭ ଜୀବଙ୍କୁ ସହଜରେ ଦେଖିହୁଏ । ଏହି ସ୍ୱତନ୍ତ୍ର ସବ୍-ମେରାଇନ୍ରେ ପ୍ରତି ଟିକଟର ମୂଲ୍ୟ ୧୭୦୦ ଭାତ୍ । ଏହି କମନୀୟ ଆଇଲାଣ୍ଡ୍ର ପ୍ରାକୃତିକ ଦୃଶ୍ୟ ବାସ୍ତବରେ ଅବର୍ଣ୍ଣନୀୟ । ଏହା ଯେ ବିଶ୍ୱ ପର୍ଯ୍ୟଟନର ବିଖ୍ୟାତ କ୍ଷେତ୍ର ସିଙ୍ଗାପୁରଠାରୁ ଦୁଇପାଦ ଆଗରେ ଅଛି, ଏହାକୁ ନଦେଖିଲେ, ବିଶ୍ୱାସ କରିବା ସମ୍ଭବ ନୁହେଁ ।
ଉଲ୍ଲେଖ କରାଯାଇପାରେ ଯେ, ଦୁର୍ଲଭ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଲାଭ କରିଥିବା ବିଶ୍ୱର କୌଣସି ସମୁଦ୍ର ତଟ୍ଟ, ଆଇଲାଣ୍ଡ ବା ଐତିହାସିକ ସ୍ଥାନ ଠାରୁ ଯେ ଓଡ଼ିଶାର ସମୁଦ୍ର ତଟ୍ଟ, ଆଇଲାଣ୍ଡ ବା ଐତିହାସିକ ସ୍ଥାନ ଅଧିକ ମନୋରମ, ଉନ୍ନତମାନର ଓ ଅପରୂପ ସୌନ୍ଦର୍ଯ୍ୟରେ ଭରା, ତାହା ହୁଏତ ସମସ୍ତେ ଜାଣନ୍ତି ନାହିଁ । ଏଠାରେ କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ତଟ୍ଟ ଓ ଏକ ଅନାମଧେୟ ଆଇଲାଣ୍ଡର ଉଦାହରଣ ନିଆ ଯାଇପାରେ । ପଟାୟାର ସେହି କମନୀୟ କ୍ଷୁଦ୍ର ବେଳାଭୂମି ସଦୃଶ ଅବିକଳ ଧନୁ ଆକାରର ୭.୬ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏକ ମନଲୋଭା ବେଳାଭୂମି ଲମ୍ବିଛି ସାତଭାୟା ଓ ବରୁଣେଇ ମୁହାଣ ମଧ୍ୟରେ । ଯାହା ସଂଲଗ୍ନ ରହିଛି ବିଶ୍ୱ ବିଖ୍ୟାତ ଭିତରକନିକା ପ୍ରାଣୀ ଅଭୟାରଣ୍ୟ, ସାମୁଦି୍ରକ ଅଭୟାରଣ୍ୟ ଓ କଇଁଛ ପ୍ରଜନନ କେନ୍ଦ୍ର ସହିତ । ତଟ୍ଟବର୍ତୀ ଅଳ୍ପ କେତୋଟି ଗ୍ରାମକୁ ଛାଡ଼ିଦେଲେ, ସାରା ଅଂଚଳ ଘଂଚ ଅରଣ୍ୟାନିରେ ପୂର୍ଣ୍ଣ । ଏହି ସୁଦୀର୍ଘ କମନୀୟ ବେଳାଭୂମି ଠାରୁ ବଙ୍ଗୋପସାଗର ଭିତରକୁ ହାରାହାରି ୧୮ କି.ମି. ଦୂରରେ ରହିଛି ଏକ ପ୍ରାକୃତିକ ଅନାମଧେୟ ଆଇଲାଣ୍ଡ୍ । ଯାହା ସୁନ୍ଦର ବୃକ୍ଷରାଜି ଓ କମନୀୟ ସୌନ୍ଦର୍ଯ୍ୟରେ ଭରା ୨୪ ଏକର ପରିମିତ ଅଂଚଳ । ଏହାର ମାତ୍ର ୫ କି.ମି. ଦୂର ଦକ୍ଷିଣକୁ ବ୍ରିଟିସ୍ ବାଣିଜ୍ୟର କୋଠା ହୁକିଟେଲା ଓ ଏଠାରୁ ମାତ୍ର ୪.୫ କି.ମି. ଦୂର ଦକ୍ଷିଣକୁ ବତୀଘର ଏବଂ ଏହାର ପଶ୍ଚିମକୁ ସ୍ଥଳ ସୀମାକୁ ଲାଗି ରହିଛି ଜମ୍ବୁ ଜେଟ୍ଟୀ ଓ ଖରିନାସୀ ଜେଟ୍ଟୀ । ଜମ୍ବୁ ଜେଟ୍ଟୀ ନିକଟରୁ ୬.୫ କି.ମି. ସମୁଦ୍ର ଭିତରକୁ ଅନ୍ୟ ଏକ ଆଇଲାଣ୍ଡ ରହିଛି, ଯାହାର ନାମ ମାଦେଲି ଚଢା । ପ୍ରାୟ ୧୦୦ଏକର ପରିମିତ ଅଂଚଳର ଏହି ଆଇଲାଣ୍ଡ, ହୁକିଟେଲା ଓ ବତୀଘର ଭୌଗୋଳିକ ଦୃଷ୍ଟିରୁ ଏକ ସମବାହୁ ତି୍ରଭୁଜ ଭିତରେ ରହିଛନ୍ତି । ଅର୍ଥାତ୍ ଏହି ଆଇଲାଣ୍ଡ ପାଖରୁ ୪.୫ କି.ମି. ଉତର-ପୂର୍ବକୁ ହୁକିଟେଲା ଓ ୪.୫ କି.ମି. ଦକ୍ଷିଣ-ପୂର୍ବକୁ ବତୀଘର ଓ ବଙ୍ଗୋପସାଗରର ରିମ୍ଝିମ୍ ନୀଳ ଜଳରାଶି ପ୍ରତ୍ୟେକ ନିଜ ନିଜର ଅପରୂପ ସୌନ୍ଦର୍ଯ୍ୟ ପରିପ୍ରକାଶ କରୁଥିବା ବେଳେ ଏସବୁର ଫେଂଟାଫେଂଟିରେ ଯେଉଁ ଦୁର୍ଲଭ ପ୍ରାକୃତିକ ଦୃଶ୍ୟରାଜିର ସମାହାର ଘଟୁଛି ଏଠାରେ, ତାହାର ଏଯାଏ ଉପଯୁକ୍ତ ଉପଯୋଗ ହୋଇ ପାରିନାହିଁ । ଏହା ସମ୍ଭବ ହେଲେ, ଏହା ଯେ ପୃଥିବୀର ଦୁର୍ଲଭ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ଅନନ୍ୟ ଭୂମିକା ଗ୍ରହଣ କରିବ, ଏଥିରେ ତିଳେହେଁ ସନେ୍ଦହ ନାହିଁ । ଏହା ଦ୍ୱାରା ଓଡ଼ିଶା ସରକାରଙ୍କର ପ୍ରଚୁର ବୈଦେଶିକ ମୁଦ୍ରା ଆୟ ହୋଇ ପାରିବ । ସ୍ଥାନୀୟ ଅଂଚଳର ଆର୍ଥିକ ଓ ପାରିପାଶ୍ୱିର୍କ ଉନ୍ନତି ସମ୍ଭବ ହୋଇପାରିବ ।
ଓଡ଼ିଶାର ବେଳାଭୂମିକୁ ଉପଯୁକ୍ତ ଉପଯୋଗ କରି ବିଶ୍ୱର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଇବା ଉକ୍ରଳର ମୁକୁଟବିହୀନ ସମ୍ରାଟ ବିଜୁବାବୁଙ୍କର ସ୍ୱପ୍ନ ଥିଲା ଓ ସେ ବହୁବାର ଉପକୂଳବାସୀଙ୍କୁ ଏଥିପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ସେ ସ୍ୱୟଂ ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ସିଙ୍ଗାପୁର ବେଳାଭୂମିର ଉପଯୁକ୍ତ ଉପଯୋଗ ହୋଇଥିବା ଦେଖି ଓଡ଼ିଶାର ବେଳାଭୂମିକୁ ସେହି ଢଙ୍ଗରେ ଗଢି ତୋଳିବାକୁ ଏକପ୍ରକାର ବଦ୍ଧ ପରିକର ଥିଲେ । ମାତ୍ର ତାଙ୍କ ଜୀବଦ୍ଦଶାରେ ଏହା ସମ୍ଭବ ହୋଇ ପାରିନଥିଲା । ହେଲେ ତାଙ୍କର ଅଧୂରା ସ୍ୱପ୍ନ ପୂରଣ କରିବା ତାଙ୍କ ପୁତ୍ର ନବୀନ ପଟ୍ଟନାୟକଙ୍କ ପାଇଁ କିଛି ବଡ଼ କଥା ନୁହେଁ । ଏହାକୁ ପଟାୟା ଭଳି ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବାକୁ ହେଲେ, ମାତ୍ର ୨୦୦ ରୁ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ । ଏହାର ଦାୟିତୃ ରାଜ୍ୟ ସରକାର ମଧ୍ୟ କୌଣସି ଘରୋଇ ସଂସ୍ଥାକୁ ଦେଇ ପାରନ୍ତି ।
ବିଶ୍ୱର ଅନେକ ବିକଶିତ ଦେଶ ତାର ପର୍ଯ୍ୟଟନ ଶିଳ୍ପର ବିକାଶ ଯୋଗୁ ଆଗକୁ ବଢିଥିବା ନଜିର ରହିଛି । ମାତ୍ର ଆମ ଦେଶରେ ଏଇ ଧାରଣ, ଧାରଣାରେ ହିଁ ରହିଯାଇଛି । ଏ କ୍ଷେତ୍ରରେ ରାଜ୍ୟ ପର୍ଯ୍ୟଟନ ବିଭାଗର ସକି୍ରୟ ଭୂମିକା ଆବଶ୍ୟକ । ଏଇ ଅଜ୍ଞାତ ଆଇଲାଣ୍ଡକୁ “ବିଜୁ ଦ୍ୱୀପ” ନାମରେ ନାମିତ କରାଯାଇପାରେ । ପଟାୟା ପରିଭ୍ରମଣ କରିଥିବା ବିଶିଷ୍ଟ ଶିକ୍ଷାବିତ୍ ତଥା ତୁଙ୍ଗ ରାଜନୈତିକ ନେତା ଡ଼ଃ ଗନ୍ଧର୍ବ ଚନ୍ଦ୍ର ନାୟକଙ୍କ ମତରେ, ପଟାୟା ଓ ବିଶ୍ୱର ଅନ୍ୟାନ୍ୟ ଦ୍ୱୀପ ଠାରୁ ଆମ ଓଡ଼ିଶାର ସମୁନ୍ଦ୍ର ମଧ୍ୟସ୍ଥ ପ୍ରାକୃତିକ ଦ୍ୱୀପଗୁଡ଼ିକ ବହୁ ଗୁଣରେ ଉନ୍ନତ, କମନୀୟ ଓ ଦର୍ଶନୀୟ । ପଟାୟା ଭଳି କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଦ୍ୱୀପ ଗୁଡ଼ିକୁ ନେଇ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ସହ ଏହାର ନାମ “ବିଜୁ ପର୍ଯ୍ୟଟନ କ୍ଷେତ୍ର” ରଖାଯାଉ ବୋଲି ଡ଼ଃ ନାୟକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଶିଷ୍ଟ ପରିବେଶବିତ୍ ହେମନ୍ତ କୁମାର ରାଉତଙ୍କ ମତରେ, ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ନିଷ୍ଠା ଓ ଆନ୍ତରିକତାର ଆବଶ୍ୟକତା ରହିଛି । ତେବେ ଜିଲ୍ଲାରେ ଅସୁରକ୍ଷା ବଳୟରେ ରହିଥିବା ବିଶ୍ୱବିଖ୍ୟାତ ଭିତରକନିକା ଅଭୟାରଣ୍ୟ, ସାମୁଦି୍ରକ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ହେନ୍ତାଳ ଜଙ୍ଗଲ ଆଦି ଐତିହ୍ୟର ମଜଭୁତ୍ ସୁରକ୍ଷା ଓ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଜିଲ୍ଲାର ସାଂସଦ ଓ ବିଧାୟକ ମାନେ ନିଷ୍ଠାର ସହ ଉଦ୍ୟମ କରିବେ ବୋଲି ଜିଲ୍ଲାବାସୀ ଗଭୀର ଆଶା ରଖିଛନ୍ତି ।
କେତେ ମନୋରମ ଓଡ଼ିଶାର ସମୁଦ୍ର ତଟ୍ଟ!

Leave a Reply

Your email address will not be published.