କାଳିଆ ଯୋଜନା ଓ ସମ୍ବାରୁ ଜାନିର ସ୍ୱପ୍ନ!

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ନବରଙ୍ଗପୁର ଜିଲ୍ଲାର କେଉଁ ଅନ୍ଧାରୀ ଜଙ୍ଗଲ ମୁଲକର ଆଦିବାସୀ ମଣିଷ ସମ୍ବାରୁ ଜାନୀ । ପୁରୀ ଠାରେ ହେଉଥିବା କାଳିଆ ମହାସମାବେଶରେ ଯେତେବେଳେ ସରକାରୀ ବାବୁଙ୍କ ହାତରୁ ଚାରି ହଜାର ଟଙ୍କା ଗ୍ରହଣ କଲା, ତା ମନରେ ଆନନ୍ଦର ଲହଢି ଯେପରି ମାଡି ଆସିଲା । ନିପଟ ମଫସଲ ଗାଁର ସେ ଜଣେ ଭୂମି ହିନ ଚାଷି । ଘରେ ସାତ ପ୍ରାଣି କୁଟୁମ୍ବ । ସ୍ୱାମୀ ଓ ସ୍ତ୍ରୀ ଉଭୟେ ଦିନ ମଜୁରିଆ ରୁପେ କାମ କରନ୍ତି । ପର ଘରେ ସକାଳୁ ସଞ୍ଜ ଯାଏ ଖଟିଲେ ଟଙ୍କା ତିନି ଶହ କି ଚାରି ଶହ ମିଳେ । ସବୁଦିନ ବି କାମ ଜୁଟେ ନାହିଁ । ପାଖ ସହରକୁ ଯାଇ କୁଲି ବଜାରରେ ଅପେକ୍ଷା କରି ଯଦି କାମ ମିଳିଲା ତ ଭଲ ନହେଲେ ତୁଛା ହାତରେ ଘରକୁ ଫେରିବାକୁ ପଡେ । କାମ ଶେଷକରି ମଜୁରୀ ହାତରେ ଧରି ବଜାରରୁ ଚାଉଳ, ଡାଲି, ଲୁଣ, ପରିବା କିଣି ଫେରିଲା ବେଳକୁ ଅଧା ଟଙ୍କା ସରି ଯାଇଥାଏ । ଲୁଗାପଟା, ପିଲାଙ୍କ ପାଇଁ ବହି, ସିଲଟ ଇତ୍ୟାଦି ପାଇଁ ସବୁବେଳେ ପଇସା ନିଅଂଟ ହୁଏ । ହାତ ଉଧାରିରେ କାମ ଚଳେ । ଆଦିବାସୀ ସମାଜରେ ପର୍ବ ପର୍ବାଣୀ ଓ ବନ୍ଧୁ ବାନ୍ଧବ ଇତ୍ୟାଦିରେ ଖର୍ଚ୍ଚ ନକଲେ ଚଳେ ନାହିଁ । ସେତେବେଳେ ସେ ହଡବଡେଇ ଯାଏ । ହାତ ଉଧାରୀ ବା ଡବଲ କମ୍ପାନୀର ଦ୍ୱାରସ୍ତ ହେବାକୁ ପଡେ । ତା’ ଜୀବନରେ ଏକ କାଳିନ ହଜାରେ ଟଙ୍କା ପାଇବା ଭାଗ୍ୟ କେବେ ଜୁଟି ନଥିଲା । ଆଜି କିନ୍ତୁ ସେ ହାତରେ ଚାରି ହଜାର ଟଙ୍କା ଧରିଛି । ସତେ ଯେପରି ସେ ସ୍ୱର୍ଗର ଚାନ୍ଦ ପାଇଛି । ସରକାରୀ ବାବୁ ମାନଙ୍କୁ ମନେ ମନେ ସେ ଶତ କଲ୍ୟାଣ କଲା ଓ ଏହି ଟଙ୍କାକୁ ମୂଳଧନ କରି ସେ ପରିବାରର ଆର୍ଥିକ ସ୍ଥିତି ସଜାଡିବାକୁ ସଂକଳ୍ପ ନେଲା ।
ସମାବେଶ ସରିଗଲା । ପ୍ରତି ପଂଚାୟତ ପାଇଁ ସରକାର ଗୋଟିଏ ଗୋଟିଏ ବସ୍ ବ୍ୟବସ୍ଥା କରିଥାନ୍ତି । ସାଙ୍ଗରେ ଥାନ୍ତି ସ୍ଥାନିୟ ନେତା ଓ ସରକାରୀ କର୍ମଚାରୀ । ସମାବେଶ ପରେ ଅନ୍ୟ ମାନଙ୍କ ସହ ସେ ବଡ ଦେଉଳକୁ ଗଲା । କଳା ଠାକୁରଙ୍କୁ ଦର୍ଶନ କଲା । ମନ୍ଦିରରେ ଦୀପ ଜାଳିଲା । ତା ଭଳି ଜଙ୍ଗଲି ଲୋକ ପାଇଁ ଜଗନ୍ନାଥ ଦର୍ଶନ ଏକ ବିଶେଷ ଘଟଣା । ମନ୍ଦିରରୁ ଫେରି ସମସ୍ତେ ସରକାରଙ୍କ ଦ୍ୱାରା ଖୋଲା ଯାଇଥିବା ଭୋଜନାଳୟରେ ଖାଇ ଫେରିବା ପାଇଁ ବସ୍ରେ ବସିଲେ ।
ଫେରିଲା ବେଳେ ସରକାରୀ କର୍ମଚାରୀ ଜଣକ ଲିଷ୍ଟ ଦେଖି ସମସ୍ତେ ଆସିଲେ ବୋଲି ନିଶ୍ଚିତ ହେଲା ପରେ ବସ୍ଟି ଫେରନ୍ତା ଯାତ୍ରା ଆରମ୍ଭ କଲା । ଘରକୁ ଫେରୁ ଥିବାରୁ ସମସ୍ତ ଯାତ୍ରୀ ବେସ୍ ଖୁସି ଥିଲେ । ରାତ୍ର ୯ଟା ବେଳେ ଏକ ବାଟ ପାଖ ଢାବାରେ ବସ୍ଟି ରହିଲା । ସେଠାରେ ସମସ୍ତେ ଖାଇଲେ । ସମ୍ବାରୁ ଦେଖିଲା ଯେ, ତାଙ୍କ ସାଙ୍ଗରେ ଥିବା ନେତା ମାନେ ଓ ଅନ୍ୟ ଲୋକମାନେ ପାଖରେ ଥିବା ବିଦେଶି ମଦ ଦୋକାନରେ ଭିଡ ଜମେଇଲେଣି । ବୋତଲ ପରେ ବୋତଲ ପିଇ ଯାଉଥାନ୍ତି । ଯେତେ ଡାକିଲେ ବସ୍କୁ ଆସୁ ନଥାନ୍ତି । କାଳିଆ ଅର୍ଥର ପ୍ରଥମ ସତ୍ ବ୍ୟବହାର ସେମାନେ କରିବାକୁ ଲାଗି ପଡିଲେ । ଟଣା ଓଟରା କରି କଣ୍ଡକଟର୍ ଓ ସରକାରୀ କର୍ମଚାରୀ ଜଣକ ସେମାନଙ୍କୁ ବସରେ ବସାଇଲେ । ସମସ୍ତେ ଟଳ ମଳ ହେଉଥାନ୍ତି । ବସରେ ବସି ସାରିଲା ପରେ ବସଟି ତା ଗନ୍ତବ୍ୟ ପଥରେ ପୁଣି ଯାତ୍ରା ଆରମ୍ଭ କଲା । ଅନ୍ଧାରର ଛାତି ଚିରି ପାହାଡିଆ ଘାଟି ରାସ୍ତାରେ ଗର୍ଜନ କରି ଆଗକୁ ଛୁଟି ଚାଲିଲା ।
ଧିରେ ଧିରେ ସମ୍ବାରୁର ଆଖି ବୁଜି ହୋଇ ଆସିଲା । ଯାହାକୁ କୁହନ୍ତି ଭାତ ନିଦ । ଶୋଇବା ଅବସ୍ଥାରେ ତା ମନ ପରଦାରେ ସ୍ୱପ୍ନ ପରେ ସ୍ୱପ୍ନ ଲହଡି ଭଳି ମାଡି ଆସିଲା । ତାକୁ ଲାଗିଲା ସେ ଯେପରି ଘରେ ପହଂଚି ଯାଇଛି । ପିଲା ଓ ସ୍ତ୍ରୀ ମାନେ ତାକୁ ଘେରି ରହିଛନ୍ତି । ତା ନିକଟରେ ଅଳି କରୁଛନ୍ତି । ପୁଅର ବୟସ ୧୪ ବର୍ଷ । ସ୍କୁଲରେ ପାଠ ପଢୁଅଛି । ତାର ସବୁ ସାଙ୍ଗ ମୋବାଇଲ ଧରିଲେଣି । ତାର ବି ଗୋଟିଏ ଦରକାର । ଛଅ ମାସ ତଳେ ଉଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ ସିଲିଣ୍ଡର ଟିଏ ମିଳିଥିଲା । ଦୁଇ ମାସ ହେଲା ଖାଲି ହୋଇ ଯାଇଛି । ସ୍ତ୍ରୀ କହୁଛି ସିଲିଣ୍ଡର ଟିକୁ ରିଫିଲ କରିବା ନିହାତି ଦରକାର । ବୁଢା ବାପ ମାଁ ପ୍ରବଳ ଶିତରେ ଥରୁଛନ୍ତି । ଏବର୍ଷ ନାହିଁ ନଥିବା ଶିତ । ତାଙ୍କ କଷ୍ଟ ସହି ହେଉନି । ଶସ୍ତାରେ ହେଉ ପଛେ ଦୁଇଟି କମ୍ବଳ ଦରକାର । କାଳିଆର ସଭ୍ୟ ହେଲା ପରେ ତାକୁ ସବୁବେଳେ ବିଭିନ୍ନ ସଭାକୁ ଯିବାକୁ ପଡୁଛି । ନଗଲେ ତାର ଇନ୍ଦିରା ବାସ ମିଳିବ ନାହିଁ ବୋଲି ଧମକ ଦିଆ ହେଉଛି । ଛିଣ୍ଡା ସାର୍ଟ ପିନ୍ଧି ଯିବାକୁ ଲାଜ ଲାଗୁଛି । ନିଜ ପାଇଁ ନୂଆ ସାର୍ଟ ଟିଏ ଓ ଶସ୍ତା ହେଉ ପଛେ ଖଣ୍ଡେ ସାଲ୍ ଦରକାର । ଏତେ ସପନକୁ ରାତି ନାହିଁ । ହଠାତ୍ ସେ କହି ଉଠିଲା । ଏ ପଇସା ତାର ଭବଷ୍ୟତ । କିଛି ବାଜେ ଖର୍ଚ୍ଚ ହୋଇ ପାରିବ ନାହିଁ । ସେ ଏହି ପଇସାରେ ଗୋଟିଏ ଗୁପ୍ଚୁପ୍ ଦୋକାନ କରିବ । ତାଙ୍କ ସାହିରେ ଥିବା ସ୍କୁଲ ଛକରେ ଗୋଟିଏ ଗୁପ୍ଚୁପ୍ ଦୋକାନ ଥିଲା । ଦୋକାନିଟି ହଠାତ୍ ମରିଗଲା । ଦୋକାନ ବନ୍ଦ ଅଛି । ଦୋକାନର ଠେଲାଟି ରାସ୍ତା କଡରେ ପଡିଛି । ତାକୁ ଅଳ୍ପ ପଇସାରେ କିଣି ସେ ଦୋକାନ ଆରମ୍ଭ କରିବ । ସକାଳ ସଞ୍ଜ ଗୁପ୍ଚୁପ୍ ଖାଇବା ପାଇଁ ପିଲାଙ୍କର ଭିଡ ଜମିବ । ସେ ଲୋକ କହୁଥିଲା ଏଥିରେ ବେଶ୍ ଲାଭ ମିଳେ । ୨୦୦ ଟଙ୍କାର ଜିନିଷ କଲେ ୬୦୦- ୭୦୦ ବିକ୍ରୀ ହୁଏ । ଘରେ ସ୍ତ୍ରୀ ଗୁପ୍ଚୁପ୍ ଛାଣିବ । ସେ ନେଇ ବଜାରରେ ବିକିବ । ଦିନକୁ ସେ ୪୦୦ କି ୫୦୦ ଟଙ୍କ ଅନ୍ତତଃ ଲାଭ କରିବ । ବର୍ଷକ ପରେ ସେ ଲକ୍ଷପତି ହୋଇପାରିବ । ଗୁପ୍ଚୁପ୍ ଦୋକାନ ସାଙ୍ଗକୁ ଏକ ଜଳଖିଆ ଦୋକାନ ଖୋଲିବ । ଭଲ ଜଳିଖିଆ କଲେ ବହୁତ ଭିଡ ହବ । ଦୋକାନରେ କାମ କରିବା ପାଇଁ ଚାକର ରଖିବ । ଚାରି ପାଂଚ ବର୍ଷରେ ସେ ବଡ଼ ଧନି ହୋଇଯିବ । କୋଠା ଘରେ ରହିବ । ଯିବା ଆସିବା ପାଇଁ କାର ଟିଏ କରିବ । ଲୋକମାନେ ଆଖି ଉପରକୁ କରି କହିବେ ସାମ୍ବାରୁ ଲକ୍ଷପତି ହୋଇଗଲା । ହଠାତ୍ ସେ ଭୁଲ ସଂଶୋଧନ କରି ପାଟି କରି କହିଉଠିଲା ଲକ୍ଷ ନୁହେଁ ମୁଁ କୋଟିପତି ହୋଇଯିବି ।
ଏତିକି ବେଳେ ବସଟି ବ୍ରେକ୍ ମାରିବାରୁ ମୁଣ୍ଡଟା ତାର ବସ ରେଲିଙ୍ଗରେ ପିଟି ହୋଇଗଲା । ତା ନିଦ ଭାଙ୍ଗିଗଲା । ଦେଖିଲା ସକାଳ ହୋଇ ଯାଇଛି । ତାଙ୍କ ଗାଁ ବସଷ୍ଟାଣ୍ଡରେ ବସ୍ ରହିଛି । ଲୋକମାନେ ଓହ୍ଲେଇବା ଆରମ୍ଭ କଲେଣି । ସେ ମଧ୍ୟ ନିଜ ବ୍ୟାଗଟିିକୁ ଧରି ତଳକୁ ଓହ୍ଲାଇ ପଡିଲା ।
ବସଷ୍ଟାଣ୍ଡରେ ଲୋକ ହାଉ ଯାଉ ହେଉଥାନ୍ତି । ଧାଁ ଧପଡ ଲାଗିଥାଏ । ନିଦୁଆ ଆଖିକୁ ସେ ମଳିବାକୁ ଲାଗିଲା । ଚାହା ପିଇବ ବୋଲି ପାଖ ଚାହା ଦୋକାନକୁ ଯାଇ ବେଂଚରେ ବସିଲା । ବ୍ୟାଗଟି ପାଖରେ ଥୋଇ ଥାଏ । କିଛି ବୁଝିବା ଆଗରୁ ଦୁଇଟା ଷଣ୍ଢ ମାରକା ଲୋକ ଚିଲ ଭଳି ଆସି ବ୍ୟାଗକୁ ଉଠାଇ ନେଲେ । ବ୍ୟାଗ୍ରୁ ଟଙ୍କା ବାହାର କରି ପାଖରେ ଠିଆ ହୋଇଥିବା ଏକ ନିଶୁଆ ଲୋକକୁ ଦେଲେ । ସେ ଟଙ୍କାକୁ ଗଣି ସବୁ ଟଙ୍କା ରଖି ଦୁଇ ଶହ ଟଙ୍କା ସମ୍ବାରୁକୁ ଫେରାଇ ଦେଲା । କହିଲା ବର୍ଷେ ହେଲା ଡବଲ କମ୍ପାନିରୁ ଟଙ୍କା ନେଇ ଫାଙ୍କି ଚାଲିଛୁ । ସୁଧ ବି ଦେଉନୁ । ସେଥିପାଇଁ ମୁଁ ସୁଧ ମୂଳ ହିସାବ କରି କାଟି ନେଲି । ଆଉ ଦୁଇଶହ ଟଙ୍କା ବଳିଲା ତୁ ରଖ । ଅନେକ ଦିନ ହେଲା ଫାଙ୍କୁ ଥିଲୁ । ଆଜି ହାବୁଡରେ ପଡିଗଲୁ ।
ମୁଣ୍ଡ କାନ ଆଉଁସି ସମ୍ବାରୁ ଚୁପ ରହିଲା । ସେ ଦେଖିଲା ଯେଉଁମାନେ କାଳିଆ ଟଙ୍କା ଧରି ବସରୁ ଓହ୍ଲାଇଛନ୍ତି ତାଙ୍କୁ ମଧ୍ୟ ଋଣ ଦାତା ମାନେ ଘେରି କଟାଳ କରୁଛନ୍ତି । ଆଜି ଭଳି ଋଣ ଆଦାୟ କରିବାର ପ୍ରକୁଷ୍ଟ ସମୟ ଋଣ ଦାତା ମାନେ ଆଉ ପାଇବେ ନାହିଁ । ସମ୍ବାରୁର ସୁନେଲି ସ୍ୱପ୍ନ ମୁଙ୍ଗେରୀଲାଲର ଅଧୁରା ସ୍ୱନ୍ନ ଭଳି ଉଭେଇ ଯାଇଥିଲା । ସେ କେବଳ ଭାବୁଥିଲା, ଦାଣ୍ଡ ଦୁଆରେ ସ୍ତ୍ରୀ ଓ ପିଲା ମାନେ ଛଳ ଛଳ ଆଖିରେ ତାକୁ ଚାହିଁ ବସିଥିବେ ଓ ଭାବୁଥିବେ ବାପା ଆମ ପାଇଁ କଣ ଆଣୁଛନ୍ତି ।

Leave a Reply

Your email address will not be published. Required fields are marked *