ଆଦିବାସୀ ଉନ୍ନୟନ ଓ ଆଦିବାସୀ ନେତା!

ଶରତ କୁମାର ରାଉତ
ଓଡ଼ିଶାର ବଣ-ପାହାଡ଼ ଘେରା ଦୁର୍ଗମ ଅଂଚଳରେ ବସବାସ କରୁଥିବା ଆଦିବାସୀ ମଣିଷ ମାନେ ଦାରିଦ୍ର୍ୟର ଅନ୍ଧକାର ଭିତରୁ କେବେ ମୁକ୍ତି ପାଇବେ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯୁଗ ଆରମ୍ଭରୁ ଆଦିବାସୀ ମଣିଷ ପ୍ରତି ସବୁ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଯାଇ ଆସୁଛି । ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ ଦିଗରେ ମଧ୍ୟ ସରକାର ଯତ୍ନବାନ ହେଉ ନାହାନ୍ତି । ସ୍ୱାଧୀନତା ପର ଠାରୁ ଆଦିବାସୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବାକୁ କୌଣସି ସରକାର ଆନ୍ତରିକତାର ସହ କାର୍ଯ୍ୟ କରି ନାହାନ୍ତି । ଆଦିବାସୀ ମଣିଷର ଦାରିଦ୍ର୍ୟ ଓ ଅସଚେତନତାର ମୂଳ କାରଣ ଏବଂ ତାର ସ୍ଥାୟୀ ସମାଧାନ ପନ୍ଥା ବାହାର କରାନଯାଇ କେବଳ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ଦ୍ୱାରା ଆଦିବାସୀ ମଣିଷର ବିକାଶ ଅସମ୍ଭବ । ୧୯୯୮ ଅଗଷ୍ଟ ୧୨ ତାରିଖରେ କାର୍ଯ୍ୟକାରୀ ହୋଇଥିବା କେବିକେ ପ୍ରକଳ୍ପ ଏବଂ ସମନ୍ନିତ ଆଦିବାସୀ ବିକାଶ ସଂସ୍ଥା, ପଂଚାୟତିରାଜ ବ୍ୟବସ୍ଥା, ଜିଲ୍ଲା ଯୋଜନା ବୋର୍ଡ଼, ବିଜୁ କେବିକେ ଯୋଜନା ଆଦି ଦ୍ୱାରା ଆଦିବାସୀ ପ୍ରଜା ଆଦୌ ଉପକୃତ ହୋଇ ପାରିନାହିଁ । ବରଂ ଯୋଜନା ଗୁଡ଼ିକ ଆଦିବାସୀ ବିକାଶ ବଦଳରେ ଅଫିସର ଓ ରାଜନେତାଙ୍କ ବିକାଶ ଯୋଜନାରେ ପରିଣତ ହୋଇଛି ।
ଆଦିବାସୀ ମଣିଷର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ମାତ୍ର ଏହାର ସୁଫଳ ଆଦିବାସୀ ମଣିଷ ମାନଙ୍କ ପାଖରେ ପହଂଚି ପାରିନାହିଁ । ଏବେ ମଧ୍ୟ ପ୍ରାୟ ୯୦ ଭାଗ ଆଦିବାସୀ ବାସିନ୍ଦା ଦାରିଦ୍ର୍ୟ ସୀମାରେଖା ତଳେ ଅବସ୍ଥାନ କରୁଛନ୍ତି । ଆଦିବାସୀ ଯୁବକ ଯୁବତୀଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରି ସେମାନଙ୍କ ପାଇଁ ଅଧିକ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି କାର୍ଯ୍ୟକାରୀ ଧନ୍ଦାମୂଳକ ତାଲିମ ଯୋଜନା ବାବଦରେ କୋଟି କୋଟି ଟଙ୍କା ଯୋଗାଇ ଦିଆଯାଉଛି । ଆଦିବାସୀ ବାଳିକାଙ୍କ ଶିକ୍ଷା ଯୋଜନା ବାବଦରେ କୋଟିକୋଟି ଟଙ୍କା ଯୋଗାଇ ଦିଆ ଯାଉଛି । ଆଦିବାସୀ ମାନଙ୍କୁ ବାଣିଜି୍ୟକ ଶୋଷଣ ଓ ଦଲାଲ ମାନଙ୍କ କବଳରୁ ରକ୍ଷା ପାଇଁ ଗଠିତ ଆଦିବାସୀ ସମବାୟ ବିପଣନ ଉନ୍ନୟନ ମହାସଂଘ ଆଦିବାସୀ ମାନଙ୍କୁ ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ଓ ବଳକା କୃଷିଜାତ ଦ୍ରବ୍ୟର ବିପଣନ ପାଇଁ ସହାୟତା ଯୋଗାଇ ଦେଉଛି । ଲଘୁ ବନଜାତ ଦ୍ରବ୍ୟ କାରବାର ପାଇଁ କେନ୍ଦ୍ର ସରକାର ଆଦିବାସୀ ଉନ୍ନୟନ ନିଗମ, ବନ ଉନ୍ନୟନ ନିଗମ ଓ ଲଘୁ ବନଜାତ ଦ୍ରବ୍ୟ ଉନ୍ନୟନ ମହାସଂଘକୁ ଅନୁଦାନ ଯୋଗାଇ ଦେଉଛି । ସେହିପରି ଗ୍ରାମୀଣ ଶସ୍ୟ ବ୍ୟାଙ୍କ୍ ଯୋଜନାରେ ହଜାର ହଜାର ଶସ୍ୟ ବ୍ୟାଙ୍କ ଗଠିତ ହୋଇଛି । ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବୃତି ଯୋଜନାରେ ଅନୁଦାନ ଯୋଗାଇ ଦିଆଯାଉଛି । ଆଦିବାସୀ ମାନଙ୍କର ବିଭିନ୍ନ ଆୟ ସୃଷ୍ଟିକାରୀ ଯୋଜନା ପାଇଁ ଗଠିତ ଜାତୀୟ ଆଦିବାସୀ ଅର୍ଥ ଉନ୍ନୟନ ନିଗମ ଆଦିବାସୀ ମାନଙ୍କୁ ଶହଶହ କୋଟି ଟଙ୍କାର ଋଣ ଯୋଗାଇ ଦେଉଛି ।
କିନ୍ତୁ ଏହାର କଣିଚାଏ ସୁଫଳ ସାଧାରଣ ଆଦିବାସୀ ମଣିଷ ପାଖରେ ପହଂଚି ପାରୁନାହିଁ । ଯୋଜନା ଗୁଡ଼ିକ କେବଳ କାଗଜପତ୍ରରେ କାର୍ଯ୍ୟକାରୀ ହୋଇ କୋଟିକୋଟି ଟଙ୍କା ହରିଲୁଟ୍ ହେଉଛି । ଯୋଜନାବଦ୍ଧ ଭାବେ ଗରିବ ଆଦିବାସୀର ସ୍ୱାର୍ଥ ଲୁଟ୍ ହେଉଥିଲେ ମଧ୍ୟ ଏଥିରେ ସରଳ-ନୀରିହ ଆଦିବାସୀ ମଣିଷ ପ୍ରତିବାଦ କରିପାରେ ନାହିଁ । ଏବେ ମଧ୍ୟ ଆଦିବାସୀ ମଣିଷ ଦାରିଦ୍ର୍ୟର କବଳରେ ବନ୍ଦି ହୋଇ ରହିଛି । ପେଟକୁ ମୁଠାଏ ଦାନା ପାଇଁ ଏବେ ବି ସେ ନିଜ ଜୀବନ-ଜିବୀକା ସହ ସଂଘର୍ଷ ଜାରି ରଖିଛି । ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଛି । ଶିକ୍ଷା ଠାରୁ ବହୁ ଦୂରରେ ରହିଛି । ସାମାଜିକ ଓ ଆର୍ଥିକ ସ୍ଥିତି ବିପନ୍ନ ରହିଛି ।
ପରିବାର କଲ୍ୟାଣ ଭିତିକ ଯୋଜନା ଓ ଆୟ ସୃଷ୍ଟିକାରୀ ଯୋଜନାରେ ଆଦିବାସୀ ପରିବାର ଗୁଡ଼ିକ ଉପକୃତ ହୋଇପାରି ନଥିବାବେଳେ ବିଭିନ୍ନ କଲ୍ୟାଣ ଯୋଜନା ବିଫଳ ହୋଇଛି । ଛାତ୍ରୀନିବାସ ଯୋଜନା ଓ ଆଶ୍ରମ ସ୍କୁଲ୍ ଯୋଜନାରେ ନିର୍ମିତ ଗୃହ ଓ ପରବର୍ତୀ ସ୍କୁଲ୍ ପରିଚାଳନାରେ ଗୁରୁତର ବ୍ୟାହତ ସୃଷ୍ଟି ହେଉଛି । ଇତିମଧ୍ୟରେ କେବିକେ ଜିଲ୍ଲାରେ ପ୍ରାୟ ୧ହଜାରରୁ ଅଧିକ ଆବାସିକ ବିଦ୍ୟାଳୟରେ ଛାତ୍ରୀନିବାସ ପ୍ରତିଷ୍ଠା କରାଯାଇଛି । କିନ୍ତୁ ଏହି ଯୋଜନାରେ ମହିଳା ସାକ୍ଷରତା ହାର ବୃଦ୍ଧି ଲକ୍ଷ୍ୟ ପୂରଣ ହୋଇ ପାରିନଥିବା ବେଳେ ଛାତ୍ରୀ ନିବାସ ଗୃହ ନିର୍ମାଣରେ କୋଟିକୋଟି ଟଙ୍କା ବାଟମାରଣା ହୋଇଛି । ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ଖାତାପତ୍ରରେ ସୀମିତ ରହିଛି । ଆଦିବାସୀ ବିକାଶ ନାଁରେ କୋଟିକୋଟି ଟଙ୍କା ସ୍ୱେଚ୍ଛାସେବୀ ସଂସ୍ଥା ମାନେ ଆତ୍ମସାତ୍ କରୁଥିବା ଦେଖାଯାଇ ଆସୁଛି । ଆଦିବାସୀ ଅର୍ଥ ଉନ୍ନୟନ ନିଗମ ଦ୍ୱାରା ଆଦିବାସୀ ମାନେ ଉପକୃତ ହୋଇ ପାରୁନଥିବା ବେଳେ ସମନ୍ନତି ଆଦିବାସୀ ବିକାଶ ସଂସ୍ଥା ଅଧିକାରୀ ଓ ଯନ୍ତ୍ରୀଙ୍କ ବିକାଶ ସଂସ୍ଥାରେ ପରିଣତ ହୋଇଛି । ଅଧିକାରୀମାନେ ପ୍ରଶାସନକୁ ଦୁର୍ନୀତିମୁକ୍ତ ଓ କି୍ରୟାଶୀଳ କରାଇବା ପରିବର୍ତେ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଅର୍ଥ ହରିଲୁଟ୍ କରିବାରେ ବ୍ୟସ୍ତ ଅଛନ୍ତି । ଯୋଜନା ଅର୍ଥ ହେରଫେର ସଂପର୍କରେ ଅନୁସଂଧାନ କରାଯାଇ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ତେବେ ନିଶ୍ଚୟ ନୈତିକତାର ଅବକ୍ଷୟ ଘଟୁଛି ଓ ଏ ଦେଶ ବିଶେଷତଃ ଆଦିବାସୀ ମଣିଷର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଗତି କରୁଛି ବୋଲି କୁହାଯାଇ ପାରିବ ।
ଆମକୁ ଏହା ସ୍ୱୀକାର କରିବାକୁ ପଡ଼ିବ ଯେ, ୨୦୦୦ରୁ ୨୦୧୭ ମଧ୍ୟରେ ଅନୂସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର କୌଣସି ଜଣେ ମନ୍ତ୍ରୀ ନିଜ କରିସ୍ମା ବଳରେ ସାମାନ୍ୟତମ ପରିବର୍ତନ ଆଣି ପାରି ନାହାନ୍ତି କି କୌଣସି ନୂଆ ସଂସ୍କାର । କିନ୍ତୁ ବର୍ତମାନର ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଜଣେ ଅଭିଜ୍ଞ ଓ ନିଷ୍ଠାପର ବ୍ୟକ୍ତିତ୍ୱ । ସେ ହେଉଛନ୍ତି ବହୁପ୍ରତିଭାର ଅଧିକାରୀ ଥିବା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଯାଦବ ମାଝୀଙ୍କର ସୁଯୋଗ୍ୟ ସନ୍ତାନ । ରାଜନୀତିକ ପରିବାରରୁ ଆସିଥିବା ଶ୍ରୀ ମାଝୀ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିବା ସହିତ ଓଡ଼ିଶା ରାଜନୀତି କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ୧୯୯୭ ମସିହାରେ ମାତ୍ର ୧୯ବର୍ଷ ବୟସରେ ବିଜୁ ପଟ୍ଟନାୟକ ଓ ନିଜର ପିତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଶ୍ରୀ ମାଝୀ ସକି୍ରୟ ରାଜନୀତିରେ ପାଦ ଦେଇଥିଲେ ଓ ଚନ୍ଦାହାଣ୍ଡି ବ୍ଲକ୍ର ଧୋଡ଼ିପାଣି ଗ୍ରାମପଂଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ପରେ ବ୍ଲକ୍ ଅଧ୍ୟକ୍ଷ ପଦରେ ଅଧିଷ୍ଠିତ ହୋଇଥିଲେ । ୨୦୦୪ ନିର୍ବାଚନରେ ସେ ପ୍ରଥମ ଥର ପାଇଁ ଡ଼ାବୁଗାଁ ସଂରକ୍ଷିତ ବିଧାନସଭା ଆସନରୁ ନିର୍ବାଚିତ ହୋଇ ବିଧାନସଭାର ବିଭିନ୍ନ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟୀତ୍ୱ ସଫଳତାର ସହ ତୁଲାଇଥିଲେ । ସେତେବେଳେ ସେ ଥିଲେ ବିଧାନସଭାର ସର୍ବ କନିଷ୍ଠ ବିଧାୟକ । ୨୦୦୯ରେ ନୂତନ ଭାବେ ସୃଷ୍ଟି ହୋଇଥିବା ଝରିଗାଁ ସଂରକ୍ଷିତ ବିଧାନସଭା ଆସନରୁ ନିର୍ବାଚିତ ହୋଇ ପ୍ରଥମେ ସୂଚନା ଓ ପ୍ରଯୁକ୍ତି, ବିଜ୍ଞାନ ଓ କାରଗରୀ, ମତ୍ସ୍ୟ ଓ ପଶୁ ସଂପଦ ଉନ୍ନୟନ ବିଭାଗର ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ) ଓ ପରେ ପେନ୍ସନ୍ ଓ ସାଧାରଣ ଅଭିଯୋଗ, କ୍ରୀଡ଼ା ଓ ଯୁବ ବ୍ୟାପାର, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଜାତି ଓ ଜନଜାତି ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଭାବେ ସଫଳତାର ସହ ଦାୟୀତ୍ୱ ସଂପନ୍ନ କରିଥିଲେ । ୨୦୧୪ ରେ ୩ୟ ଥର ପାଇଁ ଝରିଗାଁ ସଂରକ୍ଷିତ ବିଧାନସଭା ଆସନରୁ ନିର୍ବାଚିତ ହୋଇ ବାଣିଜ୍ୟ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୧୭ ମଇ ୭ ତାରିଖରେ ତାଙ୍କୁ ଅନୂସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିଲା । ପୁଣି ୨୦୧୯ ଜାନୁୟାରୀ ୬ ତାରିଖରେ ତାଙ୍କୁ ଅତିରିକ୍ତ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି । ତେବେ ରାଜ୍ୟରେ ଅନୂସୂଚିତ ଜାତି ଓ ଜନଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ମାନଙ୍କର ଉନ୍ନତି ପାଇଁ ଶ୍ରୀ ମାଝୀଙ୍କର ନିଷ୍ଠାପର କାର୍ଯ୍ୟ ଉଲ୍ଲେଖଯୋଗ୍ୟ । ସାଧାରଣ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିଲେ ମଧ୍ୟ ତାଙ୍କର ନୂଆ ତଥା ଅତିରିକ୍ତ ବିଭାଗରେ ସେ ବ୍ୟାପକ ସଂସ୍କାର ଆଣି ପାରିବେ ବୋଲି ବିଭିନ୍ନ ମହଲରେ ଆଶା କରାଯାଉଛି । ସରକାରୀ ନୀତି କାର୍ଯ୍ୟକାରୀ ଉପରେ ମନ୍ତ୍ରୀ ରମେଶ ବାବୁ ବେଶ୍ ଗୁରୁତ୍ୱ ଦେଉଥିବା ବେଳେ ବିଭିନ୍ନ ଆଦିବାସୀ ପ୍ରକଳ୍ପ ଓ ତାହାର କାର୍ଯ୍ୟକାରୀ ପ୍ରଣାଳୀର ନିୟମିତ ସମୀକ୍ଷା କରୁଛନ୍ତି । ବିଭାଗୀୟ ସଚିବାଳୟ, ସମନ୍ନିତ ଆଦିବାସୀ ବିକାଶ ସଂସ୍ଥା ଆଦି କାର୍ଯ୍ୟାଳୟରେ ଅଭିନବ ସଂସ୍କାର ଆଣିବାରେ ସେ ରେକର୍ଡ଼ ସୃଷ୍ଟି କରିଛନ୍ତି । ୨୦୧୭-୧୮ ଆର୍ଥିକ ବର୍ଷରେ ଅନ୍ୱେଷା ଯୋଜନାରେ ୧୮୭ କୋଟି ଟଙ୍କା ବ୍ୟୟରେ ୨୫୦ ଆବାସିକ ବିଦ୍ୟାଳୟ ନିର୍ମାଣ ହେବା ସହ ଆକାଂକ୍ଷା ଯୋଜନାରେ ୬ଟି ଆବାସିକ ବିଦ୍ୟାଳୟ, ୧୪ ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଏବଂ ୧୦ଟି କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ହେବ ବୋଲି ମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

Leave a Reply

Your email address will not be published.