ପୋଲ ଲୋକାର୍ପଣ ଉତ୍ସବ ନା’ଭୋଟ୍ ଆକର୍ଷଣ ଉତ୍ସବ?

ବାଲେଶ୍ୱର, (ଓଏନ୍ଏସ୍) : ଚଳିତମାସ ୧୪ ତାରିଖ ସନ୍ଧ୍ୟାରେ ସୋର ଓଭରବ୍ରିଜ୍ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କିନ୍ତୁ ଏହି ଉତ୍ସବକୁ ଯଦି ତର୍ଜମା କରାଯାଏ ତେବେ ଏହା ବ୍ରିଜ୍ ଲୋକାର୍ପଣ ଉତ୍ସବ ନାମରେ ଭୋଟ ଆକର୍ଷଣ ଉତ୍ସବ ବୋଲି ଦେଖିବାକୁ ମିଳେ । କାରଣ ଏହି ବ୍ରିଜ୍ ଉପରେ ପାଖାପାଖି ମାସେ ପୂର୍ବରୁ ଗାଡ଼ି ଚଳାଚଳ କରିଥିବା ବେଳେ ୧୩ତାରିଖରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ପୋଲିସ ପଡ଼ିଆରେ କରିଥିବା ୩୩ଗୋଟି ପ୍ରକଳ୍ପର ଲୋକାର୍ପଣ ମଧ୍ୟରେ ବାଲେଶ୍ୱର ତାମୁଳିଆ ଫ୍ଲାଏ ଓଭରବ୍ରିଜ୍ ଓ ସୋର ପ୍ଲାଏ ଓଭରବ୍ରିଜ୍ର ଲୋକାର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀ ଗୋଟିଏ ପ୍ରକଳ୍ପ (ସୋର ଫ୍ଲାଏ ଓଭରବ୍ରିଜ୍)କୁ ଲୋକାର୍ପଣ କଲାପରେ ସେହି ପ୍ରକଳ୍ପକୁ ତା’ପର ଦିନ ବହୁ ଆଡ଼ମ୍ବରର ସହିତ ଲୋକାର୍ପଣ ଉତ୍ସବ ପାଳନ କରିବାର ଆବଶ୍ୟକତା, ଯଥାର୍ଥତା ଥିଲା କି? ଦ୍ୱିତୀୟରେ ଏହି ଉତ୍ସବରେ ନାଚ/ଗୀତରେ ବିପୁଳ ପରିମାଣରେ ଅର୍ଥ ଖର୍ଚ୍ଚ କରାଯାଇଛି । ଏହାର ଆବଶ୍ୟକତା ଲୋକାର୍ପଣ ଉତ୍ସବରେ ଥିଲା କି? ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଏହି ଲୋକାର୍ପଣ ଉତ୍ସବ ସମ୍ପୂର୍ଣ୍ଣ ଭାବରେ ଅନାବଶ୍ୟକ ଥିବାବେଳେ ଏଭଳି ଉତ୍ସବର ପ୍ରକୃତ ଲକ୍ଷ ଆଗାମୀ ନିର୍ବାଚନ କହିଲେ ଭୁଲ ହେବନାହିଁ । ସରକାରୀ ଅର୍ଥ ଅପବ୍ୟୟ କରି ଶାସକ ବିଜେଡିଦଳ ନିର୍ବାଚନ ପ୍ରଚାର କରୁଛି ବୋଲି ଅତୁ୍ୟକ୍ତି ହେବନାହିଁ ।
ଏହି ଲୋକାର୍ପଣ ଉତ୍ସବ ସମୟରେ ବହୁତ କିଛି ଘଟଣା ଘଟିଥିଲା । ମୁଖ୍ୟତଃ ରାସ୍ତାର ଗୋଟିଏ ପାଶ୍ୱର୍ ଅବରୋଧ କରି ରାସ୍ତା ଉପରେ ଲୋକାର୍ପଣ ଉତ୍ସବ ପାଳନ କରାଯାଇଥିବାରୁ ରାସ୍ତାା ଜାମ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଏପରିକି ୧୦୮ ଆମ୍ବୁଲାନ୍ସ ଯାତାୟତରେ ବାଧା ଉପୁଜିବା ଫଳରେ ବହୁ ସମୟ ଧରି ୧୦୮ ଆମ୍ବୁଲାନ୍ସ ରାସ୍ତା ଉପରେ ଅଟକି ରହିଥିଲା । ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍, ସାଂସଦ ଅର୍ଜୁନ ସେଠୀ ପ୍ରମୁଖ ଉତ୍ସବ ସ୍ଥଳୀରେ ପହଂଚିବା ପରେ ବିଜେପିର କର୍ମୀମାନେ କଳାପତାକା ଦେଖାଇଥିଲେ । ଅପରପକ୍ଷରେ ଏହି ଉତ୍ସବର ଆୟୋଜକ ସୋର ବିଧାୟକ ଓ ଶାସକଦଳ ସୋରରେ ଅଦିନିଆ ଦୀପାବଳୀ ଉତ୍ସବର ଭ୍ରମ ସୃଷ୍ଟି କରିଥିଲେ । ମୋଟ ଉପରେ କହିବାକୁ ଗଲେ ଏହି ବ୍ରିଜ୍ ଲୋକାର୍ପଣ ଉତ୍ସବ, ପିଲା ଜନ୍ମ ହେଲାପରେ ବାସର ରାତି ପାଳନ ସଦୃଶ । ପ୍ରକୃତ କଥା ହେଲା ଲୋକଙ୍କ ଆଖିରେ ମାୟାଜାଲ ସୃଷ୍ଟିକରି ଭୋଟ ହାତେଇବା ଲକ୍ଷରେ ରହିଛି ଶାସକ ଦଳ । ଟଙ୍କାକିଆ ଚାଉଳ, ଜୋତା, ଛତା, ସାଇକେଲ, ମୋବାଇଲ ଓ ବିଭିନ୍ନ ଯୋଜନା କରି ଟଙ୍କା ବାଂଟିବା, ସରକାରୀ ଅର୍ଥରେ ଗୁଣ୍ଡାବାହିନୀ ତିଆରୀ କରି ଭୋଟ ହାତେଇବା ଲକ୍ଷରେ ଥିବା ଶାସକଦଳ ଲୋକମାନଙ୍କୁ ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କ ଆଖିରେ ଇନ୍ଦ୍ରଜାଲ ସୃଷ୍ଟି କରିଚାଲିଛନ୍ତି କେବଳ ନିର୍ବାଚନକୁ ଆଖିଆଗରେ ରଖି । ତା’ନହେଲେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବାର ପରଦିନ ଶାସକଦଳର ମନ୍ତ୍ରୀ, ସାଂସଦ, ବିଧାୟକ ଓ କର୍ମୀମାନେ ପୁନର୍ବାର ଲୋକାର୍ପଣ ଉତ୍ସବ କରିବା ଘଟଣା ଆଉ କେଉଁ ବାର୍ତା ଦେଉଛି ତାହା ସୋରର ଜନସାଧାରଣ ତର୍ଜମା କରିବା ଜରୁରୀ ।

Leave a Reply

Your email address will not be published.