ଭାରତରେ ରାଜନୀତିକ ସଂସ୍କୃତିର ବିକାଶ ନହେବାର କାରଣ କ’ଣ?

ଭୁବନେଶ୍ୱର, (ଓଏନ୍ଏସ): ଆମ ଦେଶରେ ରାଜନୀତିକ ସଂସ୍କୃତି ଓ ସଂସଦ ଉଭୟ ପତନର ଶିକାର ହୋଇ ଚାଲିଥିବାରୁ ବିଭିନ୍ନ ମହଲରେ ଚିନ୍ତାର ବିଷୟ ହୋଇଛି । କିଛିବର୍ଷ ତଳୁ ଆମ ଦେଶରେ ରାଜନୀତିର ନୂଆରୂପ ଦେଖା ଦେଇଛି । ଗୁଣ୍ଡା-ବଦମାସଙ୍କ ନେତୃତ୍ୱ ନେଉଥିବା ଲୋକେ ଏବେ ରାଜନୀତିକ ନେତା ପାଲଟି ଯାଇଛନ୍ତି । ସ୍ମଗଲର୍, ଠିକାଦାର, ହତ୍ୟାକାରୀ, ବଳାକ୍ରାରୀ, େ·ରାବେପାରୀ ଓ ଧନୀ ଲୋକଙ୍କର ରାଜନୀତିକୁ ଅବାଧ ପ୍ରବେଶ ଆରମ୍ଭ ହୋଇଛି । ରାଜନୀତିକ ଦଳ ଗୁଡ଼ିକର ପରିଚାଳନା ବ୍ୟବସ୍ଥା ଏତେ ହୁଗୁଳା ଯେ, ଆଗ-ପଛ ବିଚାର ନକରି ଏହିଭଳି ବ୍ୟକ୍ତି ମାନଙ୍କୁ ନିଜ ଦଳକୁ ଟାଣି ନେଉଛନ୍ତି । ଏଇ ସୁଯୋଗରେ ଖଳ ପ୍ରକୃତିର ଲୋକେ ସଂପୂର୍ଣ୍ଣ ଭାବେ ସଂସଦ ଓ ବିଧାନସଭା ଉପରେ ନିଜର ପ୍ରଭାବ ବିସ୍ତାର କରିନେବାର ଆଶଙ୍କା ପ୍ରକାଶ ପାଇଲାଣି । ଏଭଳି ନେତାଙ୍କ ଦ୍ୱାରା ଅପରାଧ ଓ ଭ୍ରଷ୍ଟାଚାର ବହୁ ଅଧିକ ବଢି ଯାଇଛି । ତଳ ସ୍ତରର ଲୋକପ୍ରତିନିଧି ମାନଙ୍କ ବିରୁଦ୍ଧରେ ବିଭିନ୍ନ ଅପରାଧିକ ମାମଲା ତ ଭିନ୍ନ କଥା, ହେଲେ ବିଶ୍ୱର ବୃହତମ ଗଣତନ୍ତ୍ରର ମନ୍ଦିରରେ ପ୍ରବେଶ କରୁଥିବା ଅନେକ ସାଂସଦଙ୍କ ଅପରାଧିକ ଚିତ୍ର ଚିନ୍ତାଜନକ ହୋଇଛି । “ଗଣତାନ୍ତ୍ରିକ ସଂସ୍କାର ସଂଗଠନ”ର ରିପୋର୍ଟ ଅନୁଯାୟୀ ୨୦୧୪ ସାଧାରଣ ନିର୍ବାଚନ(୧୬ ତମ ଲୋକସଭା)ରେ ୫୪୩ ଆସନ ମଧ୍ୟରୁ ବିଜୟୀ ୫୪୧ ଜଣ ସାଂସଦଙ୍କ ମଧ୍ୟରେ ୧୮୬ ଜଣ ସାଂସଦ(୩୪%)ଙ୍କ ବିରୁଦ୍ଧରେ ହତ୍ୟା ଓ ବଳାକ୍ରାର ଭଳି ସମ୍ବେଦନଶୀଳ ମାମଲା ରହିଛି । ୧୧୨ ଜଣ ସାଂସଦଙ୍କ ବିରୁଦ୍ଧରେ ହତ୍ୟା, ହତ୍ୟା ଉଦ୍ୟମ, ସାଂପ୍ରଦାୟିକ ଉତେଜନା, ମହିଳା ନିର୍ଯ୍ୟାତନା ଭଳି ଅତି ସାଂଘାତିକ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୯ ସାଂସଦଙ୍କ ବିରୁଦ୍ଧରେ ହତ୍ୟା ମାମଲା, ୧୭ ସାଂସଦଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ, ୨ ସାଂସଦଙ୍କ ବିରୁଦ୍ଧରେ ମହିଳା ନିର୍ଯ୍ୟାତନା, ୧୬ ସାଂସଦଙ୍କ ବିରୁଦ୍ଧରେ ସାଂପ୍ରଦାୟିକ ଉତେଜନା, ୧୦ ସାଂସଦଙ୍କ ବିରୁଦ୍ଧରେ ଡ଼କାୟତି ଓ ୭ ସାଂସଦଙ୍କ ବିରୁଦ୍ଧରେ ଅପହରଣ ମାମଲା ରହିଛି । ଦଳୀୟ ହିସାବରେ ଭାଜପାର ୬୩ ସାଂସଦଙ୍କ ବିରୁଦ୍ଧରେ ସାଂଘାତିକ ଅପରାଧ ମାମଲା ରହିଥିବା ବେଳେ କଂଗ୍ରେସର ୩, ଏଆଇଏଡ଼ିଏମ୍କେର ୩, ଶିବସେନାର ୮, ତୃଣମୂଳ କଂଗ୍ରେସର ୪ ଓ ଆରଜେଡ଼ିର ୪ ସାଂସଦଙ୍କ ବିରୁଦ୍ଧରେ ଅତି ସମ୍ବେଦନଶୀଳ ମାମଲା ରହିଛି । ୨୦୦୯ ସାଧାରଣ ନିର୍ବାଚନରେ ବିଜୟୀ ୧୫୮ ସାଂସଦ(୩୦%)ଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଥିଲା । ୨୦୦୪ ସାଧାରଣ ନିର୍ବାଚନରେ ୧୨୧ ସାଂସଦ(୨୪%)ଙ୍କ ବିରୁଦ୍ଧରେ ବିଭିନ୍ନ ଅପରାଧର ମାମଲା ରହିଥିଲା । ସେହିପରି ୨୦୧୬ରେ ନିର୍ବାଚିତ ୫୭ ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୫୫ ଜଣ କୋଟିପତି ତଥା ୧୩ ଜଣଙ୍କ ବିରୁଦ୍ଧରେ ବିଭିନ୍ନ ଅପରାଧ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୭ଜଣଙ୍କ ବିରୁଦ୍ଧରେ ଅତି ଗୁରୁତର ମାମଲା ରହିଛି । ଏଥିରେ ଭାଜପାର ୩ ସାଂସଦ ଥିବାବେଳେ ସମାଜବାଦୀ ପାର୍ଟିର୧, ବିଜେଡ଼ିର ୧, ବିଏସ୍ପିର ୧, ଆଇଏନ୍ସିର ୧, ଆର୍ଜେଡ଼ିର ୧, ଡ଼ିଏମ୍କେର ୧, ୱାଇଏସ୍ଆର୍ସିପିର ୧, ଏସ୍ଏଚ୍ଏସ୍ ର ୧ସାଂସଦ ରହିଛନ୍ତି । ଏଥିରୁ ଜଣା ପଡ଼ୁଛି ଯେ, କ୍ରମେ ସଂସଦରେ ଅପରାଧ ଅଭିଯୁକ୍ତ ସାଂସଦଙ୍କ ସଂଖ୍ୟା ବଢି ଚାଲିଛି । ମୁଖ୍ୟତଃ ଉତର ପ୍ରଦେଶ, ବିହାର ଓ ମହାରାଷ୍ଟ୍ରର ସାଂସଦ ମାନଙ୍କ ବିରୁଦ୍ଧରେ ସର୍ବାଧିକ ଅପରାଧିକ ମାମଲା ରହିଛି । ସେହିପରି ନରେନ୍ଦ୍ର ମୋଦିଙ୍କର ପ୍ରଥମ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ୭୮ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୨୪ଜଣ(୩୧%)ଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଥିଲା । ସେମାନଙ୍କ ମଧ୍ୟରେ ୧୧ ମନ୍ତ୍ରୀଙ୍କ ବିରୁଦ୍ଧରେ ଅତି ସାଂଘାତିକ ମାମଲା ରହିଥିଲା ।
ଚଳିତ ଲୋକସଭାର ୧୨୫(୨୩%)ସାଂସଦଙ୍କର ଶିକ୍ଷା ଦ୍ୱାଦଶ ଠାରୁ କମ୍ ରହିଥିଲା ବେଳେ ୪୦୫(୭୫%)ସାଂସଦଙ୍କ ଶିକ୍ଷା ଗ୍ରାଜୁଏସନ୍ରୁ ଅଧିକ ରହିଛି । ସେହିପରି ୨୦୨(୩୭%) ସାଂସଦଙ୍କ ବୟସ ୨୫ ରୁ ୫୦ ବର୍ଷ ହୋଇଥିବା ବେଳେ ୨୯୮(୫୫%)ସାଂସଦ ଙ୍କ ବୟସ ୫୧ ରୁ ୭୦ବର୍ଷ, ୪୧(୮%) ସାଂସଦଙ୍କ ବୟସ ୭୧ ବର୍ଷରୁ ଅଧିକ । ଆଉ ମହିଳା ସାଂସଦଙ୍କ ସଂଖ୍ୟା ୬୨(୧୧%) ରହିଛି । ତେବେ ୨୦୦୯ ନିର୍ବାଚନରେ ବିଜୟୀ ମହିଳା ସାଂସଦଙ୍କ ସଂଖ୍ୟା ଥିଲା ୫୭ ।
ଦେଶର ବିଭିନ୍ନ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀ ମାନଙ୍କ ମଧ୍ୟରୁ ୨୦୧ ଜଣଙ୍କ ବିରୁଦ୍ଧରେ ବିଭିନ୍ନ ଅପରାଧିକ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୭୯ ଜଣଙ୍କ ବିରୁଦ୍ଧରେ ହତ୍ୟା ଏବଂ ୬ ଜଣଙ୍କ ବିରୁଦ୍ଧରେ ସାଂପ୍ରଦାୟିକ ଉତେଜନା ସୃଷ୍ଟି ଭଳି ମାମଲା ରହିଛି । ୧୧୩ ଜଣଙ୍କ ବିରୁଦ୍ଧରେ ଅତି ସାଂଘାତିକ ମାମଲା ରହିଛି । ସେମାନଙ୍କ ମଧ୍ୟରେ ଝାଡ଼ଖଣ୍ଡର ୯(୮୨%) ମନ୍ତ୍ରୀ, ଦିଲ୍ଲିର ୪(୫୭%) ମନ୍ତ୍ରୀ, ତେଲେଙ୍ଗାନାର ୯(୫୩%) ମନ୍ତ୍ରୀ, ମହାରାଷ୍ଟ୍ରର ୧୮(୪୬%)ମନ୍ତ୍ରୀ, ବିହାରର ୧୧(୩୯%)ମନ୍ତ୍ରୀ ଓ ଉତରାଖଣ୍ଡର ୨(୨୫%) ମନ୍ତ୍ରୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଛି । ସେହିପରି ରାଜ୍ୟମାନଙ୍କରେ ମନ୍ତ୍ରୀଙ୍କ ହାରାହାରୀ ସଂପତିର ମୂଲ୍ୟ ୮.୫୯ କୋଟି ଟଙ୍କା । କିନ୍ତୁ ଆନ୍ଧ୍ର ପ୍ରଦେଶର ମନ୍ତ୍ରୀଙ୍କ ହାରାହାରୀ ସଂପତିର ମୂଲ୍ୟ ୪୫.୪୯ କୋଟି ଟଙ୍କା ରହିଥିବାବେଳେ କର୍ଣ୍ଣାଟକ ମନ୍ତ୍ରୀଙ୍କର ୩୬.୯୬ କୋଟି ଟଙ୍କା, ଅରୁଣାଂଚଳ ପ୍ରଦେଶ ମନ୍ତ୍ରୀଙ୍କର ୩୨.୬୨ କୋଟି ଟଙ୍କା । ତି୍ରପୁରା ମନ୍ତ୍ରୀ ମାନଙ୍କର ସବୁଠୁ କମ୍ ସଂପତି ରହିଛି । ମୋଟ ୧୨ ଜଣ ମନ୍ତ୍ରୀଙ୍କର ହାରାହାରୀ ସଂପତିର ମୂଲ୍ୟ ୩୧.୬୭ ଲକ୍ଷ ଟଙ୍କା ।
ସେହିପରି ଚଳିତ ଲୋକସଭାରେ ୪୪୨ ସାଂସଦ କୋଟିପତି ଓ ସାଂସଦ ମାନଙ୍କ ହାରାହରୀ ସଂପତିର ମୂଲ୍ୟ ୧୪.୬୧ କୋଟି ଟଙ୍କା । କୋଟିପତି ସାଂସଦଙ୍କ ତାଲିକାରେ ଭାଜପା ସବୁଠୁ ଆଗରେ ରହିଛି । ଭାଜପାର ୨୮୧ ସାଂସଦଙ୍କ ମଧ୍ୟରୁ ୨୩୭(୮୪%) କୋଟିପତି ସାଂସଦ ରହିଥିବାବେଳେ କଂଗ୍ରେସର ୪୪ ସାଂସଦଙ୍କ ମଧ୍ୟରୁ ୩୫(୮୦%), ଏଆଇଏଡ଼ିଏମ୍କେର ୩୭ ରୁ ୨୯(୭୮%), ତୃଣମୂଳ କଂଗ୍ରେସର ୩୪ରୁ ୨୧(୬୨%) ସାଂସଦ ସର୍ବାଧିକ ଧନୀ ତାଲିକାରେ ରହିଛନ୍ତି । ଭାରତର ସବୁଠୁ ଧନୀ ସାଂସଦ “ତେଲଗୁ ଦେଶମ୍ ପାର୍ଟି”ର ଜୟଦେବ ଗାଲା(ଗୁଣ୍ଠୁର ନିର୍ବାଚନ ମଣ୍ଡଳୀ), ଯିଏ କି ୬୮୩ କୋଟି ଟଙ୍କାର ମାଲିକ । ଆଉ ତୃଣମୂଳ କଂଗ୍ରେସର ସାଂସଦ ଉମା ସରେନ୍ ସବୁଠୁ ଦରିଦ୍ର ତମ ସାଂସଦ, ଯିଏ କି ମାତ୍ର ୫ଲକ୍ଷ ଟଙ୍କାର ମାଲିକ । ତେବେ ୧୬ ତମ ଲୋକସଭା ଅପରାଧ ଅଭିଯୁକ୍ତ ଓ କୋଟିପତି ସାଂସଦଙ୍କ ଦ୍ୱାରା ଗଠିତ ହୋଇଥିବା କୁହାଯାଉଛି ।

Leave a Reply

Your email address will not be published.