ଅସହାୟ ଓଡ଼ିଆ ମଣିଷର ଭାଗ୍ୟ କ’ଣ ଆଉ ସୁଧୁରିବନି?

ଭୁବନେଶ୍ୱର, (ଓଏନ୍ଏସ୍): ଓଡ଼ିଶାର ମାଟି ତଳେ ପ୍ରଚୁର ଖଣିଜ ସଂପଦ ଭରି ରହିଛି । ପ୍ରାକୃତିକ ଦୃଶ୍ୟରାଜିରେ ଭରା ଓଡ଼ିଶା ଦେଶ ବିଦେଶରେ ଏକ ମନୋରମ ରାଜ୍ୟ ଭାବେ ପରିଚିତ । ରାଜ୍ୟରେ ବ୍ୟାପକ ପର୍ଯ୍ୟଟନ ଶିଳ୍ପର ସୁଯୋଗ ରହିଥିବା ବେଳେ ପର୍ଯ୍ୟାପ୍ତ ଜଙ୍ଗଲ ସଂପଦ, ମତ୍ସ୍ୟ ସଂପଦ, ଜଳ ସଂପଦ ଓ ଶହେଭାଗ ଉର୍ବର ଚାଷ ଜମି ରହିଛି । ରାଜ୍ୟରେ ବୌଦ୍ଧିକ ସଂପଦ ଓ ପ୍ରତିଭାର ଅଭାବ ନାହିଁ । ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଭାଷା-ସାହିତ୍ୟ ଦେଶ ବିଦେଶରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି । ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ସାରା ବିଶ୍ୱରେ ଖ୍ୟାତ । ଓଡ଼ିଶା ମନ୍ଦିର ମାଳିନି ରାଜ୍ୟ ଭାବେ ସର୍ବ ବିଦିତ । କଠିନ ପରିଶ୍ରମ କରିବାରେ ମଧ୍ୟ ଓଡ଼ିଆ ଅନ୍ୟ ରାଜ୍ୟବାସୀଙ୍କ ତୁଳନାରେ କିଛି କମ୍ ନୁହଁନ୍ତି । କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବା ରାଜ୍ୟ ନେତୃତ୍ୱର ଅପାରଗତା ଯୋଗୁ ରାଜ୍ୟରେ ଗଚ୍ଛିତ ବିଭିନ୍ନ ଖଣିଜ ସଂପଦର ଉପଯୁକ୍ତ ଉପଯୋଗ ହୋଇ ପାରୁନାହିଁ । ମଣିଷର ଅର୍ଥନୈତିକ ପ୍ରଗତି ଓ ସାମାଜିକ ଅବସ୍ଥାର ପରିବର୍ତନ ପାଇଁ ସମସ୍ତ ପ୍ରାକୃତିକ ସଂପଦର ଉପଯୁକ୍ତ ଉପଯୋଗ, ଅତ୍ୟାଧୁନିକ ଜ୍ଞାନକୌଶଳରେ ଚାଷ ବା କୃଷି ଉତ୍ପାଦନ ବୃଦ୍ଧି ଓ ରାଜନୈତିକ ଇଚ୍ଛାଶକ୍ତି ଏବଂ ଶିଳ୍ପ ପ୍ରସାରର ଆବଶ୍ୟକତା ରହିଥାଏ । ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ସ୍ୱାଧୀନତା ପରଠାରୁ ଓଡ଼ିଶା ବହୁ ଘାତ ପ୍ରତିଘାତ ଦେଇ ଗତି କରି ଆସିଛି । ମାତ୍ର କିଛି ବର୍ଷ ତଳୁ ରାଜ୍ୟବାସୀ ଯାହା ପ୍ରଗତିର ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଓଡ଼ିଶା ବିକାଶଶୀଳ ରାଜ୍ୟରେ ପରିଣତ ହୋଇଥିବା ଅର୍ଥନୈତିଜ୍ଞ, ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକ ମାନେ ସ୍ୱୀକାର କରୁଛନ୍ତି । ଓଏନ୍ଏସ୍ କୁ ପ୍ରାପ୍ତ ସୂଚନା ଅନୁଯାୟୀ କଳିଙ୍ଗନଗର ଶିଳ୍ପ ପ୍ରକଳ୍ପ ଭଳି ସାରା ରାଜ୍ୟରେ ବ୍ୟାପକ ଶିଳ୍ପ ପ୍ରସାର ଓଡ଼ିଶା ପ୍ରଗତିର ସ୍ପଷ୍ଟ ସୂଚନା । ଯଦିଓ ଟାଟାଷ୍ଟିଲ୍ ଭଳି କେତେକ କମ୍ପାନୀ ବିସ୍ତାପିତ ପରିବାର ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେଇ ନାହାଁନ୍ତି ତଥା ଥଇଥାନ କରିନାହାଁନ୍ତି, ତଥାପି ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଯୋଗୁ ରାଜ୍ୟ ପ୍ରଗତି ପଥରେ ଆଗେଇଥିବା କୁହାଯାଉଛି । ରାଜ୍ୟର ଉପକୂଳରେ ଗୋଟିଏ ପରେ ଗୋଟିଏ ବନ୍ଦର ପ୍ରତିଷ୍ଠା, ପର୍ଯ୍ୟଟନ ଶିଳ୍ପର ଦ୍ରୁତ ବିକାଶ, କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ, ରାସ୍ତାଘାଟର ନବୀକରଣ-ନିର୍ମାଣ, ଟଙ୍କିକିଆ ଚାଉଳ ଯୋଗାଣ ଭଳି ବହୁ ଦାରିଦ୍ର୍ୟ ଦୂରୀକରଣ ଯୋଜନା କାର୍ଯ୍ୟକାରୀ, ସେତୁ ନିର୍ମାଣ ଭଳି ଗମନାଗମନର ଅଭୂତପୂର୍ବ ବିକାଶ, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ବିଭିନ୍ନ ସନ୍ତୋଷଜନକ ପଦକ୍ଷେପ ଭଳି ଅଭିନବ ଯୋଜନା ଓଡ଼ିଶା ବିକାଶର ପଥ ପରିଷ୍କାର କରିଦେଇ ଥିବା ବିଭିନ୍ନ ମହଲ ସ୍ୱୀକାର କରୁଛି । ୧୯୯୯-୨୦୦୦ ମସିହାରେ ରାଜ୍ୟରେ ୫୫.୦୩ ଶତକଡ଼ା ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ ବର୍ତମାନ ୩୦.୦୨ ଶତକଡ଼ା ରହିଥିବା କୁହା ଯାଉଛି । ଏନ୍ତୁଡ଼ିଶାଳରୁ ଆରମ୍ଭ କରି ଶ୍ମଶାନ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ବିଭିନ୍ନ ଯୋଜନା ଘୋଷଣା ସାଧାରଣ ଲୋକଙ୍କୁ ମୁଗ୍ଧ କରିଛି । ଏପରିକି ରାଜ୍ୟର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ନବିନ ବାବୁଙ୍କ କାର୍ଯ୍ୟ ଓ ପଦକ୍ଷେପ ରାଜ୍ୟବାସୀଙ୍କୁ ଖୁବ୍ ଭଲ ଲାଗିଛି । ହେଲେ ସବୁ ଯୋଜନା, ଘୋଷଣା, ପଦକ୍ଷେପ, ନିଷ୍ପତି ଆଦି ସତ୍ୟ ନା ଫମ୍ପା ପ୍ରଚାର, ସେଥିରେ ଲୋକେ ମୁଣ୍ଡ ଖେଳାନ୍ତିନି । ରାଜ୍ୟର ଅଧିକାଂଶ ଲୋକେ ଗଭୀରକୁ ଯିବାକୁ ଚାହାନ୍ତିନି । କିନ୍ତୁ ବାସ୍ତବତା ହେଲା, ଆମ ରାଜ୍ୟରେ ଯାହା ବିକାଶ ହୋଇଥିବା ଜଳଜଳ ଦେଖାଯାଉଛି, ଭାରତର ଅନ୍ୟାନ୍ୟ ପ୍ରଦେଶରେ ଏହା ଠାରୁ ବହୁ ଗୁଣରେ ବିକାଶ ହୋଇଥିବା ଦେଖା ଯାଇପାରେ । ବରଂ ଆମେ ବିକାଶ ଦୌଡ଼ରେ ବହୁ ପଛରେ ରହଥିବା ବୁଦ୍ଧିଜିବୀ ମାନେ କହୁଛନ୍ତି । ଆମେ ଦୁର୍ନୀତିରେ ବହୁ ଉପରକୁ ଚାଲିଗଲେଣି । ଯଦିଓ ଆମ ରାଜ୍ୟରେ ଦାରିଦ୍ର୍ୟ ହଟିଥାନ୍ତା ଓ ମୁଣ୍ଡପିଛା ଆୟ ବଢିଥାନ୍ତା ବା ରୋଜଗାର ସୃଷ୍ଟି ହୋଇଥାନ୍ତା, ତେବେ ଆହାର ଯୋଜନା କାହିଁକି(? ), ଦାଦନ ସମସ୍ୟା କ’ଣ ପାଇଁ(?) ଓ ରେସନ୍ କାର୍ଡ଼ ହିତାଧିକାରୀ ତାଲିକାରେ ସାମିଲ୍ ହେବାକୁ ଲୋକଙ୍କ ପ୍ରତିଯୋଗିତା କାହିଁକି? ଆଶ୍ଚର୍ଯ୍ୟର କଥା ଯେ, ବହୁଚର୍ଚ୍ଚିତ ଖଣି, ପାଣି, କୋଇଲା, ଚିଟ୍ଫଣ୍ଡ ମହା ଦୁର୍ନୀତି ଭଳି ଅସୁମାରୀ କଳଙ୍କ ମଧ୍ୟ ଛୁଇଁ ପାରିନି ନବିନ ବାବୁଙ୍କ ଲୋକପି୍ରୟତାକୁ । ତେବେ ଏହିସବୁ ମହା ଦୁର୍ନୀତି କ’ଣ ମିଛ?…..
ଭଲ-ମନ୍ଦ, ଆଗ-ପଛ ବିଚାର ନ କରି ରାଜ୍ୟବାସୀ ନବିନଙ୍କ କାନ୍ଧରେ ବାରମ୍ବାର ଦାୟୀତ୍ୱର ନୂଆ ବୋଝ ଲଦିଛନ୍ତି । ଆଉ ନବିନ ବାବୁ ଲୋକଙ୍କୁ ଯେଉଁ ରଙ୍ଗୀନ୍ ସ୍ୱପ୍ନ ଦେଖାଇ ଚାଲିଛନ୍ତି, ତାକୁ ସାକାର କରିବାକୁ ସେ ସେପରି କିଛି ଉଦ୍ୟମ କରୁଥିବା ଦେଖାଯାଉ ନାହିଁ । ମୁଖ୍ୟତଃ ସ୍ୱଚ୍ଛ, ଦୁର୍ନୀତିମୁକ୍ତ, ସମ୍ବେଦନଶୀଳ, ଉତରଦାୟୀ ଓ ଦକ୍ଷ ଶାସନର ଯେଉଁ ପ୍ରତିଶ୍ରୂତି ଦିଆ ଯାଉଛି, ତାହା ପୂରଣ କରିବାକୁ ପଡ଼ିବ । ଦାରିଦ୍ର୍ୟ ଦୂରୀକରଣ ଓ କ୍ଷୁଧାମୁକ୍ତି, ବେକାରୀ ଦୂରୀକରଣ ଓ ନିଯୁକ୍ତି ସୁଯୋଗ ସୃଷ୍ଟି, ଶିକ୍ଷାର ପ୍ରସାର, ସଂକ୍ରାମକ ଓ ମାରାତ୍ମକ ରୋଗ ନିୟନ୍ତ୍ରଣ, ସବୁ ଗାଁକୁ ରାସ୍ତା, ବିଜୁଳି, ପାନୀୟ, ସଂଚାର ସେବା ସୁବିଧା, କୃଷି ଓ କୃଷକର ଉନ୍ନତି, ଆଇନଶୃଙ୍ଖଳା ବ୍ୟବସ୍ଥାରେ ଉନ୍ନତି ବା ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଉପଯୁକ୍ତ ପଦକ୍ଷେପ, ପର୍ଯ୍ୟଟନ ଶିଳ୍ପର ବିକାଶ, ଦୁର୍ନୀତିର ମୂଳୋତ୍ପାଟନ, ସାଧାରଣ ଲୋକଙ୍କ ସମସ୍ୟା ସମାଧାନରେ ଅଗ୍ରାଧିକାର ଓ ସରକାରୀ ଅଧିକାରୀ/କର୍ମଚାରୀଙ୍କୁ ନିୟନ୍ତ୍ରଣ ବା ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ସର୍ବୋପରି ସୁସ୍ଥ ଗଣତନ୍ତ୍ର ସୃଷ୍ଟି ତଥା ମୁଣ୍ଡ ପିଛା ଆୟ ବୃଦ୍ଧି ବିକଶିତ ରାଷ୍ଟ୍ର ବା ରାଜ୍ୟର ସଜ୍ଞା । ଏହା ମଧ୍ୟ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନ ଥିଲା । ଆଉ ଏବେ ନବୀନ ବାବୁ ଓ ତାଙ୍କର ପ୍ରଶାସନ ବିଜୁ ବାବୁଙ୍କ ସ୍ୱପ୍ନ ସାକାର କରିବା ପାଇଁ ବଦ୍ଧ ପରିକର ହେବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଓଏନ୍ଏସ୍ ।

Leave a Reply

Your email address will not be published. Required fields are marked *