ଅନ୍ଧାର ଭିତରେ ହଜି ଗଲାଣି ଅବହେଳିତ କେନ୍ଦ୍ରାପଡ଼ା ଜିଲ୍ଲାର ଭାଗ୍ୟ ଓ ଭବିଷ୍ୟତ!

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ, (ଓଏନ୍ଏସ୍): ଚିର ଅବହେଳିତ କେନ୍ଦ୍ରାପଡ଼ା ଜିଲ୍ଲାର ଭାଗ୍ୟ ଅନ୍ଧାର ଭିତରେ ହଜି ଯିବାକୁ ବସିଛି । ସବୁ ସରକାରୀ ଯୋଜନା ଫେଲ୍ ମାରିଛି । କୌଣସିଟିର ଲକ୍ଷ୍ୟ ସାଧନ ହୋଇନାହିଁ । ପ୍ରତି ମୁହୂର୍ତରେ ଧ୍ୱଂସ ପାଇ ଚାଲିଛି ଉପକୂଳ ଝାଉଁଜଙ୍ଗଲ । ୧୯୮୦ ରେ ବରୁଣେଇ ନିକଟସ୍ଥ ଜଗରିଜୋର ଠାରେ ସରକାର ଓ ବିଶ୍ୱବ୍ୟାଙ୍କ୍ର ମିଳିତ ସହାୟତାରେ ବିଶାଳ ହେନ୍ତାଳବଣ ଧ୍ୱଂସ କରାଯାଇ ଏକ ନଡ଼ିଆ ଚାଷ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ପୁନଶ୍ଚ ୧୯୯୪ରେ ସେହି ସ୍ଥାନରେ ବିଶ୍ୱବ୍ୟାଙ୍କ୍ ସହାୟତାରେ ବାକି ଥିବା ହେନ୍ତାଳବଣ ଧ୍ୱଂସ କରାଯାଇ ଏକ ଚିଙ୍ଗୁଡ଼ି ପ୍ରକଳ୍ପ ଆରମ୍ଭ କରା ଯାଇଥିଲା । ହେଲେ ଅଳ୍ପ କିଛି ବର୍ଷ ପରେ ଏହି ୨ଟି ପ୍ରକଳ୍ପ ବିଫଳ ହୋଇଥିଲା । ସଂପ୍ରତି ଜିଲ୍ଲାରେ ରାସ୍ତାଘାଟ ସମସ୍ୟା ଗମ୍ଭୀର ରହିଛି । ଆଜି ମଧ୍ୟ ବିଭିନ୍ନ ଗାଁ, ପଂଚାୟତ ଓ ବ୍ଲକ୍ ସଦର ମହକୁମା ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଛି । ବହୁ ରାସ୍ତା କିଛି ବର୍ଷ ତଳୁ ମରାମତି ହୋଇନାହିଁ । ୧୫ ରୁ ଉଦ୍ଧ୍ୱର୍ ନିର୍ମାଣାଧିନ ନଦୀ ସେତୁ ଦୀର୍ଘ ବର୍ଷ ତଳୁ ଅଧାପନ୍ତରିଆ ଭାବେ ପଡ଼ି ରହିଛି ।
ସମୁଦ୍ର ତଟ୍ଟବର୍ତୀ ଗାଁ ଗୁଡ଼ିକର ଅବସ୍ଥା ଭାରି ସାଂଘାତିକ । ଇତି ମଧ୍ୟରେ ଅନେକ ଗାଁ ବଙ୍ଗୋପସାଗର ଓ ହଂସୁଆ ନଦୀର ମହାପ୍ଲାବନରେ ମିଳେଇ ଯାଇଛି । ସାତଭାୟା ଭଳି କେତେକ ଗାଁ ବଙ୍ଗୋପସାଗରର ପ୍ରକୋପକୁ ସାମ୍ନା କରି ନପାରି କେଉଁ ମୁହୂର୍ତରେ ତାର ମହାପ୍ଲାବନରେ ଲୀନ ହୋଇଯିବ, ଭଗବାନଙ୍କୁ ଜଣା । ଲୁଣା ଘେରିବନ୍ଧ ଦୁର୍ବଳ ଥିବାରୁ ସମୁଦ୍ରରୁ ଲୁଣି ପାଣି ଆସି ଭେଡ଼ା ଭିତରେ ପଶୁଛି ଓ ଫସଲ ହାନୀ ହେଉଛି । ଜଳସେଚନ ବ୍ୟବସ୍ଥା ଜିଲ୍ଲାବାସୀଙ୍କ ପାଇଁ ଯେମିତି ସ୍ୱପ୍ନ । ଲୁଣା ଘେରିବନ୍ଧ ଓ ବନ୍ୟା ଘେରିବନ୍ଧ ନିର୍ମାଣ ବା ମରାମତି ନାଁରେ ରାଜନୀତିକ ପ୍ରୋତ୍ସାହନରେ ଫର୍ଜରୀ ବିଲ୍ କରାଯାଇ ଶହଶହ କୋଟି ଟଙ୍କା ଲୁଟ୍ କରାଯାଉଛି ।
ମହାକାଳପଡ଼ା ଓ ରାଜନଗର ଅଂଚଳରେ ବଙ୍ଗୀୟ ଅନୁପ୍ରବେଶ ସମସ୍ୟା କ୍ରମେ ଉକ୍ରଟ ହେବାରେ ଲାଗିଛି । ସେମାନେ ବହୁ ସମ୍ବେଦନଶୀଳ କାର୍ଯ୍ୟରେ ସଂପୃକ୍ତ ରହୁଛନ୍ତି । ସେମାନ ଭୋଟ୍ ପରିଚୟ ପତ୍ର, ଭୂମିହୀନ ପଟ୍ଟା, ଇନ୍ଦିରା ଆବାସ, ବିଧବା ଓ ବାର୍ଦ୍ଧକ୍ୟ ଭତା, ବିପିଏଲ ସୁବିଧା ହାସଲ କରିବାକୁ ସକ୍ଷମ ହେଉଛନ୍ତି । ସେମାନଙ୍କୁ ରାଜନୈତିକ ଓ ପ୍ରଶାସନିକ ସହଯୋଗ ମିଳି ଆସୁଛି । ୨୦୧୪ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଅନେକ ଅନୁପ୍ରବେଶକାରୀ ବଙ୍ଗୀୟଙ୍କୁ ଶାସକ ଦଳ ପକ୍ଷରୁ ଭୂମିହୀନ ପଟ୍ଟା ବଂଟନ କରା ଯାଇଥିବା ବେଳେ ଅନ୍ୟାନ୍ୟ ସରକାରୀ ଯୋଜନାରେ ସାମିଲ୍ କରାଯାଇଥିବା ଅଭିଯୋଗ ହୋଇ ଆସୁଛି । ଜିଲ୍ଲାରେ ସ୍ୱାସ୍ଥ୍ୟ ପ୍ରଶାସନର ଅବହେଳା ଓ ମନମୁଖୀ କାର୍ଯ୍ୟ ଯୋଗୁ ଉପକୂଳବର୍ତୀ ଓ ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ରହିଛି । ରାଜନୈତିକ ଓ ପ୍ରଶାସନିକ ଇଚ୍ଛା ଶକ୍ତି ଅଭାବରୁ ଅବହେଳିତ ବିଶ୍ୱବିଖ୍ୟାତ ଭିତରକନିକା ଜାତୀୟ ଉଦ୍ୟାନ, ଭିତରକନିକା ପ୍ରାଣୀ ଅଭୟାରଣ୍ୟ, ହେନ୍ତାଳ ଜଙ୍ଗଲ, ଡ଼ାଙ୍ଗମାଳ କୂମ୍ଭୀର ପ୍ରଜନନ କେନ୍ଦ୍ର, ବତୀଘର, ବ୍ରିଟିସ୍ ବାଣିଜ୍ୟ କୋଠାଘର ହୁକିଟେଲା ଓ ବରୁଣେଇ ହେନ୍ତାଳ ବଣ ଆଦିର ସୁରକ୍ଷା ଓ ବିକାଶ ଆଶା ସ୍ୱପ୍ନ ହୋଇ ରହିଛି । ପ୍ରଚୁର ମନୋରମ ପ୍ରାକୃତିକ ସଂପଦ, ମତ୍ସ୍ୟ ସଂପଦ, ବନ୍ୟପ୍ରାଣୀ ସଂପଦ, ପର୍ଯ୍ୟଟନ ସଂପଦ ଓ ବନ୍ଦର ସୁଯୋଗ ଭଳି ଅନେକ ଦୁର୍ଲଭ ସଂପଦ ଭରପୂର ହୋଇ ରହିଛି ଏହି ଜିଲ୍ଲାରେ । ତେବେ ପ୍ରଚୁର ପର୍ଯ୍ୟଟନ ଶିଳ୍ପର ସୁଯୋଗକୁ ଉପଯୋଗର ଆବଶ୍ୟକତା ରହିଛି ।
ସୂଚନାଯୋଗ୍ୟ ଯେ, ଗତ ୧୮ ବର୍ଷ ମଧ୍ୟରେ ରାଜନୀତିକ ଆକ୍ରୋଶର ଶିକାର ଏହି ଜିଲ୍ଲା ଅବହେଳାର ଚରମ ସୀମାକୁ ଟପି ଯାଇଛି । କେନ୍ଦ୍ରାପଡ଼ାର ବିକାଶ ପାଇଁ କାମ କରୁଥିବା ବିଜୁବାବୁଙ୍କ ହାତରେ ଗଢା ଲୋକପି୍ରୟ ନେତା ମାନଙ୍କୁ ଏକ ପ୍ରକାର ଷଡ଼ଯନ୍ତ୍ର ପୂର୍ବକ ରାଜନୀତିରୁ ବିଦା କରାଯାଇଛି । କେନ୍ଦ୍ରାପଡ଼ାର ସୁଦକ୍ଷ-ଲୋକପି୍ରୟ ରାଜନେତାଙ୍କୁ ଅଯଥାରେ ନିନ୍ଦିତ କରାଯାଇ ପ୍ରଚ୍ଛନ୍ନରେ ଜିଲ୍ଲାର ଅଶେଷ କ୍ଷତି କରାଯାଇଥିବା ଅଭିଯୋଗ ହୋଇ ଆସୁଛି । ଏହି ସମୟ ମଧ୍ୟରେ ବିଜେଡ଼ିରେ ଯେଉଁ ନୂଆ ନେତା ସୃଷ୍ଟି କରା ଯାଇଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଯେ ଅତି ଅପରିପକ୍ୱ, ତାହା ଜଳ ଜଳ ଦେଖା ଯାଉଛି । ସାଂସଦ ବୈଜୟନ୍ତ ପଣ୍ଡା ଶିଳ୍ପ ବିହୀନ ଏହି ଜିଲ୍ଲାକୁ ସବୁଜ ସୁନ୍ଦର ସହ ଶିଳ୍ପ କାରଖାନାରେ ଭରିଦେବେ ବୋଲି କହିଥିଲେ । ମାତ୍ର ଏହି ୮ବର୍ଷ ଭିତରେ ସାଂସଦ ନିଜ ଭାଷଣ ପ୍ରତିଶ୍ରୂତି ମୁତାବକ କାର୍ଯ୍ୟ କରି ନାହାନ୍ତି । ମହାକାଳପଡ଼ା ବିଧାୟକ ଅତନୁ ଶବ୍ୟସାଚୀ ନାୟକଙ୍କ କାର୍ଯ୍ୟକଳାପରେ ଲୋକେ ଅସନ୍ତୁଷ୍ଟ ଥିବାÿ କହି ବୁଲୁଛନ୍ତି । ନିଜ ଅଂଚଳର ଉନ୍ନତି ଓ ଲୋକଙ୍କ ସମସ୍ୟା ସମାଧାନ ପାଇଁ ସେ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହେଉଛି । ଏହା ତାଙ୍କର ରାଜନୀତିକ ଅପରିପକ୍ୱତା ଓ ଲୋକଙ୍କ ପ୍ରତି ହେୟ ମନୋଭାବ ବୋଲି ଚର୍ଚ୍ଚା ହେଉଛି । ତାଙ୍କର କାର୍ଯ୍ୟଧାରାକୁ ନେଇ ଲୋକେ ସମାଲୋଚନା କରି କୁହନ୍ତି, ଆମେ ଭୋଟ୍ ଦେଉଛୁ ନବିନ ପଟ୍ଟନାୟକଙ୍କ ଶଙ୍ଖ ଚିହ୍ନକୁ । ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, ଆଳି ବିଧାୟକ ଦେବେନ୍ଦ୍ର ଶର୍ମା, ବିଜେଡ଼ି ଜିଲ୍ଲା ସଭାପତି ଧୃବ ସାହୁ ଓ ସାଂସଦ ପ୍ରତାପ ଦେବ ଜିଲ୍ଲାର ଉନ୍ନତି ପାଇଁ ଉଦ୍ୟମ କରୁଥିବା ଓ ସାଧାରଣ ଲୋକଙ୍କ ସମସ୍ୟା ସହିତ ଜଡ଼ିତ ଥିବା ଦେଖା ଯାଇ ଆସୁଛି ।
ତୃଣମୂଳ ସ୍ତରରେ ଲୋକଙ୍କ ସେବା କରି, ଲୋକଙ୍କ ସୁଖ-ଦୁଃଖରେ ଏକାକାର ହୋଇ ନେତା ପାଲଟି ଥିବା ବ୍ୟକ୍ତି ହିଁ ବାସ୍ତବ କ୍ଷେତ୍ରରେ ଲୋକପ୍ରତିନିଧି ହେବାକୁ ଯୋଗ୍ୟ ହୋଇ ଥାଏ । ମାତ୍ର ବିଜେଡ଼ି ଅମଳରେ ଏହାର ସଂପୂର୍ଣ୍ଣ ବ୍ୟତିକ୍ରମ ଦେଖା ଦେଇଛି । ବିଭିନ୍ନ କ୍ଷେତ୍ରରୁ ଆମଦାନି ହୋଇଥିବା ନୂଆ ବିଜେଡ଼ି ନେତା ମାନେ ଚାନ୍ଦା ଆଦାୟ, କାମ ପାଇଁ ଚିଠା ବଂଟନ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ନିଜ ନିଜ ପିସି ପାଇଁ ବେଶୀ ସମୟ ଦେଉଥିବା ଦେଖା ଯାଉଛି । ଏଥିନେଇ ଖାଂଟି ବିଜେଡ଼ି ନେତା ଓ ସମର୍ଥକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଉଛି । କ୍ରମେ ବିଜେଡ଼ି ସଂଗଠନ ଦୁର୍ବଳ ହେଉଥିବା ରାଜନୀତିକ ସମୀକ୍ଷକ ମାନେ ମତ ଦେଲେଣି । ନିକଟ ଅତୀତରେ ମହାକାଳପଡ଼ା ଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଧାୟକ ଅତନୁ ଓ ତତ୍କାଳୀନ ସାଂସଦ ବୈଜୟନ୍ତଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ବିଦ୍ରୋହୀ ମାନେ ସାଂସଦଙ୍କୁ ସଭାସ୍ଥଳକୁ ପୁରାଇ ନଦେବାକୁ ଚେଷ୍ଟା କରିବା ଅତି ନିନ୍ଦନୀୟ ଘଟଣା । ଏହା ହିଁ ରାଜନୀତିରେ ଅପରିପକ୍ୱତାର ପରିଚୟ । ବାସ୍ତବତା ଦେଖାଗଲେ, ଅଧିକାଂଶ ନେତା ତୃଣମୂଳ ସ୍ତରରେ ରାଜନୀତି କରି ଲୋକଙ୍କ ପି୍ରୟଭାଜନ ହୋଇ ଲୋକପ୍ରତିନିଧିତ୍ୱ ହାସଲ କରି ନାହାନ୍ତି । ବରଂ ନବିନ ଓ ଶଙ୍ଖକୁ ହିଁ ଲୋକେ ଭୋଟ ଦେଉଛନ୍ତି । ଏମାନଙ୍କ ରାଜନୀତିକ ଦକ୍ଷତାକୁ ଦେଖି ନୁହେଁ । ଅର୍ଥାତ୍ ନବିନ ଓ ଶଙ୍ଖ ବିନା ଏମାନଙ୍କର ପରିଚୟ କିଛି ନାହିଁ । ଏତିକି କୁହାଯାଇ ପାରେ ଯେ, ମହାକାଳପଡ଼ା ସମେତ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ବୈଜୟନ୍ତ ପଣ୍ଡାଙ୍କର ଲୋକପି୍ରୟତା ବହୁ ଅଧିକ ରହିଛି । ସେ ଅଧିକାଂଶ ସମୟ ନିଜ ନିର୍ବାଚନ ମଣ୍ଡଳୀରେ ରହି ଲୋକ ମାନଙ୍କ ସୁଖ-ଦୁଃଖରେ ଭାଗୀ ହେଉଛନ୍ତି । ପ୍ରତି ମଣିଷକୁ ଆପଣାର କରିବାର କଳାରେ ସେ ନିପୁଣ । ତେବେ ଜିଲ୍ଲାର ବିକାଶରେ ରାଜନୀତିକ ଇଚ୍ଛା ଶକ୍ତିର ଘୋର ଅଭାବ ରହିଛି । କେନ୍ଦ୍ରାପଡ଼ାର ବିକାଶ ପାଇଁ ନିର୍ବାଚିତ ପ୍ରତିନିଧି ନେତା ମାନେ ଉନ୍ନତି ମୂଳକ କାର୍ଯ୍ୟ କରୁନଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେଉଛି । ଆଗାମୀ ନିର୍ବାଚନ ଗୁଡ଼ିକରେ ଯେପରି ସାଧାରଣ ଲୋକେ ସେମାନଙ୍କୁ ପ୍ରତ୍ୟାଖାନ ନକରନ୍ତୁ, ସେଥିପ୍ରତି ସେମାନେ ସଚେତନ ହେବା ଉଚିତ । ଓଏନ୍ଏସ୍ ।

Leave a Reply

Your email address will not be published. Required fields are marked *