ଓଡ଼ିଶାରେ ଭ୍ରଷ୍ଟାଚାର ଓ ଦୁର୍ନୀତିର ଗନ୍ଧ!

ଶରତ କୁମାର ରାଉତ
ସମ୍ପ୍ରତି ଭାରତ ବର୍ଷରେ ଦୁର୍ନୀତିର ଚେର ଲମ୍ବି ଲମ୍ବି ଚାଲିଥିବାରୁ ବୁଦ୍ଧିଜାବୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ସବୁ କ୍ଷେତ୍ରରେ ଦୁର୍ନୀତି ଓ ଅନିୟମିତତା ବଢି ଚାଲିଛି । ସମସ୍ତେ ଅସାଧୁ ଉପାୟରେ ନିଜ ସ୍ୱାର୍ଥ ହାସଲ ପାଇଁ ଲାଗି ପଡ଼ିଛନ୍ତି । ରାଜନୈତିକ ନେତା ଓ ଅଧିକାରୀ ନିଜ ଦାୟିତ୍ୱ ଓ କର୍ତବ୍ୟ ପ୍ରତି ସଚେତନ ରହିବାକୁ ଆଗ୍ରହୀ ହେଉ ନାହାଁନ୍ତି । ଆଇନ ଓ ସମ୍ବିଧାନକୁ ମାନିବାକୁ କେହି ପ୍ରସ୍ତୁତ ନାହାଁନ୍ତି । ଏଇ ଅବସ୍ଥାରେ ଦେଶ ଏକ ଅନ୍ଧକାର ଭବିଷ୍ୟତ ଆଡ଼କୁ ଠେଲି ହୋଇ ଚାଲିଛି । ଦୁର୍ନୀତି ମୁକ୍ତ ସ୍ୱଚ୍ଛ ନିର୍ମଳ ଶାସନର ଡିଣ୍ଡିମ ପିଟି ଓଡ଼ିଶା ଶାସନ ଗାଦିରେ ବସି ଆସୁଥିବା ନବୀନ ପଟ୍ଟନାୟକଙ୍କ ସରକାର ଓ ଶାସକ ଦଳର ନେତାମାନେ ଯେ ଇତିମଧ୍ୟରେ ଦୁର୍ନୀତି ଓ ଠକେଇକୁ ନିଜର ଆଦର୍ଶ ଭାବେ ଧରି ନେଇଛନ୍ତି, ତାହା ଆଉ କାହାକୁ ଅଛପା ନାହିଁ । ପ୍ରତି ଘଟଣାର କିଛି ସୀମା ରହିଛି । ମାତ୍ର ଏବେ ସୀମା ପାର କରିଗଲାଣି । ବିଭିନ୍ନ କେନ୍ଦ୍ରୀୟ ଯୋଜନା ଅର୍ଥ ବାଟମାରଣା ହେବା ତ ଏ ସରକାର ପାଇଁ ସାଧାରଣ କଥା, ହେଲେ ଖଣି, ପାଣି, ଜମି, ଡ଼ାଲି, କୋଇଲା ମହାଦୁର୍ନୀତି ଓ ଚିଟ୍ଫଣ୍ଡ ଠକେଇ ଅତି ନିନ୍ଦନୀୟ ଓ ଲଜ୍ଜା ଜନକ ଘଟଣା । ‘ପିସି’ସଂସ୍କୃତି ରାଜ୍ୟରେ ଯେଭଳି ପ୍ରସାର ଲାଭ କରି ଚାଲିଛି, ଏଠାରେ ଗଣତାନ୍ତି୍ରିକ ଶାସନ ବ୍ୟବସ୍ଥା ଥିବା ପରି ମନେ ହେଉନାହିଁ । ବିଭିନ୍ନ କଲ୍ୟାଣକାରୀ ଯୋଜନା ବା ପ୍ରକଳ୍ପ ବିଫଳ ହେବାରେ ‘ପିସି’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିଯୋଗୁ ଗରିବ ଓ ଦଳିତ ପ୍ରଜା ମୌଳିକ ସେବା ପାଇବାରୁ ବଂଚିତ ହେଉଛନ୍ତି । ନିର୍ମାଣ କାର୍ଯ୍ୟ ଗୁଡ଼ିକ ଅତି ନିମ୍ନ ମାନର ହେଉଥିବା ଅଭିଯୋଗ ସତ୍ୱେ ରାଜ୍ୟ ସରକାର ଏହାର ସ୍ଥାୟୀ ପ୍ରତିକାର କରୁନାହାନ୍ତି । ପ୍ରଜାମାନଙ୍କୁ ସାଧାରଣ ସରକାରୀ ସେବା ଯୋଗାଣରେ ସଚିବାଳୟ ପାଖରୁ ଆରମ୍ଭ କରି ଗ୍ରାମ ପଂଚାୟତ ଅଫିସ୍ ପର୍ଯ୍ୟନ୍ତ ଯେଉଁ ଦୁର୍ନୀତିର ଚେର ମଜଭୁତ୍ ହୋଇ ଯାଇଛି, ତାର ପ୍ରମାଣ ହେବା ତ କଷ୍ଟକର କଥା, ହେଲେ ଯାହା ଲୋକ ଲୋଚନରେ ସ୍ପଷ୍ଟ, ତାହାର ପର୍ଦ୍ଦାଫାସ ନହେବା ଓ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ସ୍ୱେଚ୍ଛା·ରିତା ବୋଲି କୁହାଯାଇ ପାରେ । ମାଲକାନାଗିରି ଜିଲ୍ଲାରେ ବର୍ଷକ ତଳେ ମାରାତ୍ମକ ଜାପାନୀ ଏନ୍ସେଫାଲାଇଟ୍ସ (ମସ୍ତିଷ୍କ ଜ୍ୱର)ରେ ଶତାଧିକ ଶିଶୁଙ୍କର ମୃତୁ୍ୟ ଘଟିଗଲା । ମୃତ ଶିଶୁ ମାନଙ୍କ ମଧ୍ୟରେ ବଙ୍ଗୀୟ ଶରଣାର୍ଥୀ ବା ଅଣ-ଆଦିବାସୀଙ୍କର ଗୋଟିଏ ହେଲେ ପିଲା ନଥିଲେ । ଏଥିରୁ ଜଣା ପଡ଼ୁଛି ଯେ, ଆଦିବାସୀ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବାରେ ଓ ଦାରିର୍ଦ୍ର୍ୟ ଦୂରୀକରଣରେ ସରକାର ଫେଲ୍ ମାରିଛନ୍ତି । ଯେଉଁମାନେ ଅପପୃଷ୍ଟିର ଶିକାର, ସେମାନେ ହିଁ ଏହି ରୋଗରେ ମରିଥିଲେ ବା ପିଡ଼ିତ ଥିଲେ ଓ ଭବିଷ୍ୟତରେ ମୃତୁ୍ୟ ମୁହଁକୁ ଠେଲି ହୋଇଯିବେ । ଅର୍ଥାତ୍ ବାଟମାରଣା ହେଉଛି ସବୁ ସରକାରୀ ଯୋଜନା ।
ଓଡ଼ିଶାରେ ଖଣି ମହାଦୁର୍ନୀତିର ପ୍ରମାଣ ବହୁ ପୂର୍ବରୁ ସ୍ପଷ୍ଟ ହୋଇଥିଲେ ମଧ୍ୟ କାହା ବିରୁଦ୍ଧରେ ସେମିତି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଖଣି ଚୋର ମାନଙ୍କ ଠାରୁ ଜରିମାନା ଅର୍ଥ ପ୍ରାୟତଃ ଆଦାୟ ହେଲା ନାହିଁ । ରାଜ୍ୟରେ ଦୁର୍ନୀତି ତାର ପ୍ରକାଣ୍ଡ କାୟା ବିସ୍ତାର କରି ଚାଲିଥିବା ପ୍ରମାଣିତ ହୋଇଛି । ରାଜ୍ୟ ପ୍ରଶାସନର ମୁଖିଆମାନଙ୍କ ଅଜାଣତରେ ଖଣି ଲୁଟ୍ ଅସମ୍ଭବ । ରାଜ୍ୟ ସରକାରଙ୍କ ସଲାସୁତୁରା ନୀତି ଯୋଗୁ ଖଣି ମହାଦୁର୍ନୀତିର ମହାନାୟକ ମାନେ କେବଳ ସୁରକ୍ଷିତ ନାହାନ୍ତି, ରାଜନେତା ବା ଜନପ୍ରତିନିଧି ବି ହୋଇ ଗଲେଣି । ଏଥିରେ ସଂପୃକ୍ତ କେତେକ ଖଣି ଲୁଟେରାଙ୍କ ସଂପୃକ୍ତି ନେଇ ଅନେକ ବିଧାୟକ ମଧ୍ୟ ଖୋଲାଖୋଲି ଅଭିଯୋଗ କରିଥିଲେ । ଖଣି ବିଭାଗ ପକ୍ଷରୁ ମଧ୍ୟ ଉକ୍ତ ଖଣିଚୋରଙ୍କ ବେଆଇନ କାର୍ଯ୍ୟକୁ ନେÿଇ ଉପର ମହଲକୁ ବାରମ୍ବାର ଚିଠି ଲେଖା ଯାଇଛି! ଏଥିନେଇ ମଧ୍ୟ ଗଣମାଧ୍ୟମ ଓ ଅନ୍ୟାନ୍ୟ ମଂଚରେ ବ୍ୟାପକ ଆଲୋଚନା ଓ ବ୍ୟବଚ୍ଛେଦ ହୋଇଛି । ଏବେ ରାଜ୍ୟରେ ଏପରି ଅବସ୍ଥା ହୋଇଛି ଯେ, ଖଣି ଦୁର୍ନୀତି ହେଉ କି ଅନ୍ୟାନ୍ୟ ଦୁର୍ନୀତି,ଏ ସଂପର୍କରେ କଥା ଉଠାଉଥିବା ନେତା ବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ସରକାର ଓ ମାଫିଆଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି କିମ୍ବା ହତ୍ୟା ଧମକ ଦିଆ ଯାଉଛି? କଥାରେ କୁହାଯାଏ, ‘ଚୋର ମୁହଁ ଟାଣ!’ ସମାଜରେ ଏମିତି ଲୋକ ଅଛନ୍ତି, ଯେଉଁ ମାନେ ନିଜ କଳାକାରନାମାରେ ସଂପୃକ୍ତ ରହି ସୁଦ୍ଧା ନିଜକୁ ସମାଜର ବଡ଼ଦାଣ୍ଡରେ ବେଶ୍ ସଫାସୁତୁରା ବୋଲି ଦର୍ଶାଇବା ପାଇଁ ବିଭିନ୍ନ ପ୍ରକାର ହୀନ ଉଦ୍ୟମ କରିଥାନ୍ତି! ଏହି ଉଦ୍ୟମର ଏକ ଜ୍ୱଳନ୍ତ ନିଦର୍ଶନ ହେଉଛି, ସମ୍ବିଧାନର ୪ର୍ଥ ସ୍ତମ୍ଭକୁ ଦୁର୍ବଳ କରିଦେବା ପାଇଁ ମାଫିଆମାନେ ନଗଦ ଅର୍ଥ ଓ ବିଜ୍ଞାପନ ଦେଇ କେତେକ ମିଡ଼ିଆ ସଂସ୍ଥା ଓ ସାମ୍ବାଦିକଙ୍କୁ ପ୍ରଲୋଭିତ କରିବା ପାଇଁ ଉଦ୍ୟମ କରି ଆସିଛନ୍ତି! ଗଣମାଧ୍ୟମ ସଜାଗ ଥିଲେ, ରାଜ୍ୟରେ ଦୁର୍ନୀତି/ଭ୍ରଷ୍ଟାଚାରର ମାତ୍ରା ଏତେ ବଢିଯାାଇ ନଥାନ୍ତା! ସେହିପରି ଚିଟ୍ଫଣ୍ଡ୍ ଠକେଇରେ ସଂପୃକ୍ତ ନେତା, ମନ୍ତ୍ରୀ ଓ ଅଫିସରଙ୍କୁ ପ୍ରାୟତଃ ସୁରକ୍ଷା ବଳୟ ଭିତରେ ରଖା ଯାଇଛି ।
ସୁତରାଂ ଦୁର୍ନୀତିର ଚେର ଯେତେ ମଜଭୁତ ହେଲେ ବି ସତ୍ୟ ଦିନେ ନା ଦିନେ ନିଶ୍ଚୟ ପଦାକୁ ଆସିଥାଏ! ଏମିତି ଯେଉଁମାନେ ଦିନେ ବାହାସ୍ପଟ ମାରୁଥିଲେ, ସେମାନେ ଜେଲ୍ରେ ଅଛନ୍ତି ଓ ଜେଲ୍ରେ ପଶିବାକୁ ଯାଉଛନ୍ତି! ଦୁର୍ନୀତିରେ ଛନ୍ଦି ହୋଇଥିବା ବା ଦୁର୍ନୀତି ଅଭିଯୁକ୍ତ ବ୍ୟକ୍ତି ମାନେ ନିଜକୁ ଯଦି ସଚ୍ଚୋଟ ଭାବୁଛନ୍ତି, ତେବେ ସଂପୃକ୍ତ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରନ୍ତୁ! ଦୁର୍ନୀତିର ପର୍ଦ୍ଦାଫାସ୍ ହେଉ! ନିଜେ କେତେ ସ୍ୱଚ୍ଛ-ନିର୍ମଳ, ପ୍ରଥମେ ପ୍ରମାଣ ଦେବାର ଆବଶ୍ୟକତା ରହିଛି । ଅନ୍ୟଥା ଦୁର୍ନୀତି ହଟିବ କେମିତି? ଦୁର୍ନୀତିମୁକ୍ତ, ନିର୍ମଳ-ସ୍ୱଚ୍ଛ ଶାସନ ନାଁରେ ବିଭିନ୍ନ ମହାଦୁର୍ନୀତି ପ୍ରମାଣିତ ହେଲା ପରେ ଏଥିପାଇଁ ବେଶୀ ଦାୟୀ କିଏ ହେବେ? ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବ କ’ଣ ଏଥିରୁ ବାଦ୍ ପଡ଼ିବେ? ଏମାନେ ନ ·ହିଁବା ପର୍ଯ୍ୟନ୍ତ ସରକାରୀ ସ୍ତରରେ କିଛି ହୋଇପାରେ କି? ଶାସନତନ୍ତ୍ର ଯଦି ସ୍ୱଚ୍ଛ ଓ ନିର୍ମଳ, ତେବେ ଦୁର୍ନୀତି ବା ଅନିୟମିତତା ହୋଇଥିବା ସରକାର ସ୍ୱୀକାର କରୁଛନ୍ତି କିପରି? ଆଉ ସେଥିରେ କେବଳ ଅଫିସର ଓ କର୍ମ·ରୀ ବା ଅନ୍ୟମାନେ କାହିଁକି ବଳି ପଡ଼ିବେ? ଆଜି ମଧ୍ୟ ସେହି ରାଜନୀତିକ ହୀନ ଉଦେ୍ଦଶ୍ୟରେ ଯଥେଷ୍ଟ ପ୍ରମାଣ ଥାଇ ମଧ୍ୟ ବହୁ ନେତା, ମନ୍ତ୍ରୀ, ଅଫିସର ଓ ଖଣି, ପାଣି,କୋଇଲା, ନରେଗା ଆଦି ଦୁର୍ନୀତିରେ ଛନ୍ଦି ହୋଇଥିବା ମହାନାୟକମାନଙ୍କୁ ଘଂଟ ଘୋଡ଼େଇ ରଖା ଯାଉଥିବା ଦେଖା ଯାଉଛି । ସେହିପରି ନିଜର ଅପର୍ଯ୍ୟାପ୍ତ ଆୟ ବର୍ହିଭୁତ ସଂପତି ଲୁଚାଇ ରାଜ୍ୟର କେତେକ ମନ୍ତ୍ରୀ, ବିଧାୟକ, ସାଂସଦ, ଅଧିକାରୀ ମାନଙ୍କ ଦ୍ୱାରା ମନଗଢା ସଂପତି ତାଲିକା ପ୍ରଦାନ ଓ ଇଛାଧିନ କୋଟା ନାଁରେ କ୍ଷମତାର ଅପବ୍ୟବହାର କରାଯିବା, ଜନସାଧାରଣଙ୍କ ସଂପତିକୁ ନେତାମାନେ ନିଜ ନିଜ ଭିତରେ ବାଂଟି ନେବା କ’ଣ ଭ୍ରଷ୍ଟାଚାର ନୁହେଁ? ଯଦିଓ ଏଭଳି ଦୁର୍ନୀତି-ଅନ୍ୟାୟକୁ ଘଂଟା ଘୋଡ଼ାଯିବ, ତେବେ ରାଜ୍ୟବାସୀଙ୍କ ପାଇଁ ଏହାଠୁ ଦୁର୍ଭାଗ୍ୟ ଆଉ କ’ଣ ହୋଇପାରେ?….
ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଏବେ ସ୍ୱେଛାଚାରୀ ଶାସନ ବ୍ୟବସ୍ଥାରେ ପରିଣତ ହୋଇଛି । ସାଧାରଣ ପ୍ରଜାଙ୍କ ପରାମର୍ଶ, ଆପତି, ଅଭିଯୋଗ ଓ ଅଳିକୁ ଆଡ଼େଇ ଯାଇ ରାଜନୈତିକ ନେତା ଓ ଅଧିକାରୀ ମନଇଛା ଶାସନ କରୁଛନ୍ତି । ଅଧିକାଂଶ ଅପରାଧି, ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି ଲୋକ ପ୍ରତିନିଧି ଭାବରେ ନିର୍ବାଚିତ ହେଉଛନ୍ତି । ସମ୍ବିଧାନର ଲକ୍ଷ୍ୟ ଅନୁଯାୟୀ ସାଧାରଣ ଲୋକ, ବୁଦ୍ଧିଜୀବୀ, ଜ୍ଞାନୀ, ଗୁଣୀ ଓ ବରିଷ୍ଠ ନାଗରିକଙ୍କ ପାଇଁ ଏଥିରେ ଆଉ ସ୍ଥାନ ନାହିଁ । ଯଦ୍ୱାରା ଦେଶରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢି ଚାଲିଛି । ରାଜନେତା ଓ ଅଧିକାରୀମାନେ ଟଙ୍କାର ପାହାଡ଼ ଉପରେ ବସୁଛନ୍ତି । ଧନୀ ଆଉରି ଧନୀ ଓ ଗରିବ ଆଉରି ଗରିବ ହୋଇ ଚାଲିଛନ୍ତି । ଯଦିଓ ଗରିବ ମଣିଷର ପେଟର ଦାନାକୁ ଲୁଟ୍ କରି ନେତା ଓ ଅଧିକାରୀମାନେ ନିଜ ପକେଟ ଗରମ କରିବେ, ତେବେ କ’ଣ କୁହାଯିବ ଆମ ଶାସନ ବ୍ୟବସ୍ଥାକୁ? ମିଥ୍ୟା ସୂଚନା, ମିଥ୍ୟା ମନ୍ତବ୍ୟ, ମିଥ୍ୟା ପ୍ରଚାର, ମିଥ୍ୟା ଅପବାଦ ଭଳି ବହୁ ଆପତି ଜନକ ଘଟଣା ରାଜ୍ୟ ସରକାରଙ୍କ ମନ୍ତ୍ରୀ, ନେତା ଓ ଅଧିକାରୀଙ୍କର ଅଭ୍ୟାସରେ ପରିଣତ ହୋଇଛି । ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ନରେଗା), ଖଣି, ପାଣି, ଡ଼ାଲି, କୋଇଲା, ସ୍ୱାସ୍ଥ୍ୟ ମିସନ୍ ଆଦି ଯୋଜନାରେ କୋଟି କୋଟି ଟଙ୍କା ବାଟମାରଣା କରା ଯାଉଛି, ଅନିୟମିତତା ଜାରି ରହିଛି । ଏହାକୁ କ’ଣ ରାଜ୍ୟ ସରକାର ଅସ୍ୱୀକାର କରି ପାରିବେ? ଭ୍ରଷ୍ଟାଚାର/ଦୁର୍ନୀତି ଅମାନବୀୟତା ନୁହେଁ? ସରକାରଙ୍କ ଦୁର୍ନୀତି ତାଲିକା କ୍ରମେ ଲମ୍ବି ଲମ୍ବି ଚାଲିଛି । ସବୁ ଯୋଜନା ଓ ବିଭାଗରେ ଦୁର୍ନୀତି ତାର ପ୍ରକାଣ୍ଡ କାୟା ବିସ୍ତାର କରିଛି । ଏପରିକି ସ୍ୱୟଂ ମନ୍ତ୍ରୀ ଓ ଅଧିକାରୀ ଲାଂଚ-ମିଛ ଭଳି ଅତି ଘୃଣ୍ୟ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି । ଟିକିଟିକି କାମରେ ଲାଂଚ ଖାଇ ଭୁଲ୍ କରୁଥିବା ବଡ଼ ଅଫିସରଙ୍କ ଦ୍ୱାରା ସାଧାରଣ ଲୋକେ କେତେ ସରକାରୀ ସେବା ପାଉଥିବେ,ତାହା ଅନୁସନ୍ଧାନ ସାପେକ୍ଷ । ମାତ୍ର ଏଭଳି ବେଇମାନ ରାଜନେତା ଓ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ଲୋକଙ୍କ ହାତରେ କିଛି କ୍ଷମତା ନାହିଁ । ଏହା ହିଁ ଆମ ପାଇଁ ଦୁର୍ଭାଗ୍ୟର କଥା । ଏଥିପ୍ରତି ଓଡ଼ିଶାବାସୀ ସଚେତନ ହୋଇ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଇବାର ସମୟ ଆସିଛି । ଅବଶ୍ୟ ଚଳିତ ନିର୍ବାଚନର ଅବସ୍ଥା ଶାସକ ବିଜେଡ଼ିକୁ ଶକ୍ତ ଧକ୍କା ଦେଇଛି । ଆଗାମୀ ଦିନରେ ରାଜ୍ୟ ସରକାର ଓ ଶାସକ ଦଳ ଚେତୁଛନ୍ତି କି ନାହିଁ, ନିକଟ ଭବିଷ୍ୟରେ ନିର୍ବାଚନ ଫଳରୁ ସ୍ୱଷ୍ଟ ହୋଇଯିବ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ବର, ମୋ-୯୩୩୭୩୬୯୪୪୮

Leave a Reply

Your email address will not be published.