ଓଡ଼ିଶାରେ ଆଉ କେତେ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ ହେବ?

ଶରତ କୁମାର ରାଉତ
ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ବହୁ ସ୍ୱାସ୍ଥ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଅନେକ ନିଷ୍ପତି ଓ ପଦକ୍ଷେପ ନିଆ ଯାଉଛି । ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ମାଳମାଳ ଯୋଜନା କାର୍ଯ୍ୟକାରୀ ହେଉଛି । ଅନେକ ପ୍ରକାରର ଔଷଧପତ୍ର ମାଗଣାରେ ଯୋଗାଇ ଦିଆଯାଉଛି । ଗର୍ଭବତୀ ମା’ ଓ ଶିଶୁ ମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ପୃଷ୍ଟିକର ଖାଦ୍ୟ ଦିଆଯିବା ସହ ସେମାନଙ୍କୁ ଆବଶ୍ୟକୀୟ ପ୍ରତିଷେଧକ ମୂଳକ ଟୀକାକରଣ କରାଯାଉଛି । ସାଧାରଣ ଲୋକଙ୍କୁ ସୁବିଧାରେ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେÿ ବଡ଼ ହସ୍ପିଟାଲ୍ ଓ ମେଡ଼ିକାଲ୍ କଲେଜ ଖୋଲା ଯାଉଛି । ଏଥିସହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ଆଂଚଳିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ଉନ୍ନୀତ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯାଇ ରୋଗୀଶଯ୍ୟା ସଂଖ୍ୟା ବୃଦ୍ଧି ଓ ଅତ୍ୟାଧୁନିକ-ଉନ୍ନତ ଚିକିତ୍ସା ଉପକରଣ ଉପଲବ୍ଧ କରା ଯାଉଛି । ରୋଗୀମାନଙ୍କୁ ତୁରନ୍ତ ଡ଼ାକ୍ତରଖାନାରେ ପହଂଚାଇବା ପାଇଁ ଆମ୍ବୁଲାନ୍ସ ସେବା ପ୍ରଚଳନ ହେଉଛି । ସାଧାରଣ ଲୋକଙ୍କ ପାଇଁ ଏମିତି ବହୁ ସ୍ୱାସ୍ଥ୍ୟ ସୁବିଧାର ବ୍ୟବସ୍ଥା କରାଯାଇଛି । ଏହା ନିଶ୍ଚୟ ସ୍ୱାଗତଯୋଗ୍ୟ ପଦକ୍ଷେପ । ହେଲେ ବାସ୍ତବରେ ଆମ ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ହୋଇ ପାରୁନାହିଁ । ଦିନକୁ ଦିନ ରାଜ୍ୟରେ ସ୍ୱାସ୍ଥ୍ୟସେବା ଅବସ୍ଥା ନିମ୍ନଗାମୀ ହେବାରେ ଲାଗିଛି ।
୨୦୧୮ପବିତ୍ର ସ୍ୱାଧୀନତା ଦିବସରେ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା”କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ ଉଦ୍ଘାଟନ କରିଥିଲେ । ଯୋଜନା ଅନୁଯାୟୀ ଏଥିରେ ରାଜ୍ୟର ୭୦ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଉପକୃତ ହେବେ ବୋଲି କୁହା ଯାଇଥିଲା । ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ଦେୟମୁକ୍ତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯିବ । ରାଜ୍ୟର ଦେଢ କୋଟି ମହିଳା ବାର୍ଷିକ ୭ ଲକ୍ଷ ଟଙ୍କାର ଦେୟମୁକ୍ତ ସ୍ୱାସ୍ଥ୍ୟ ସୁରକ୍ଷା ପାଇ ପାରିବେ । ନୂଆ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ ହେବା ନିଶ୍ଚୟ ସ୍ୱାଗତଯୋଗ୍ୟ । ମାତ୍ର ବାସ୍ତବତା ଦେଖାଗଲେ, ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ୭ ଅପ୍ରେଲ ୨୦୧୮ରେ ନିର୍ମଳ, ସୁନେତ୍ର, ସଂପୂର୍ଣ୍ଣ ସୁରକ୍ଷା କବଚ ଓ ସହାୟ ଯୋଜନାର ଶୁଭାରମ୍ଭ ହୋଇଥିଲା ବେଳେ ୨୦୧୭ ଡ଼ିସେମ୍ବର ୩ୟ ସପ୍ତାହରେ “ନିଦାନ”, “ଆମ କ୍ଲିନିକ୍” ଓ “ଅନମୋଲ୍ ଟାବ୍ଲେଟ୍”ଭଳି ଯୋଜନା କାର୍ଯ୍ୟକାରୀ ହୋଇଥିଲା । ସେହିପରି ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ ତଥା ଶିଶୁ ଓ ମାତୃ ମୃତୁ୍ୟହାର ହ୍ରାସ ପାଇଁ ୧୯୮୩-୮୪ରେ ଜାତୀୟ ସ୍ୱାସ୍ଥ୍ୟ ନୀତି, ୧୯୮୭-୮୮ରେ ପ୍ରଜନନ ଶିଶୁସ୍ୱାସ୍ଥ୍ୟ ପ୍ରକଳ୍ପ, ୧୯୯୯-୨୦୦୭ ରେ ଓଡ଼ିଶା ସ୍ୱାସ୍ଥ୍ୟ ଉନ୍ନୟନ ପ୍ରକଳ୍ପ, ୨୦୦୧-୦୨ ରେ ଶିଶୁ ମୃତୁ୍ୟହାର ହ୍ରାସ ମିସନ୍,୨୦୦୨-୦୩ ରେ ସମନ୍ୱିତ ସ୍ୱାସ୍ଥ୍ୟସେବା ନୀତି ଓ କୌଶଳ ଭିଜନ୍-୧୦, ୨୦୦୫ରୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିସନ୍, ୨୦୦୭ ରୁ ନରୱେ ଏବଂ ଭାରତ ସରକାରଙ୍କ ମିଳିତ ସହଯୋଗ (ନିପି)ରେ ଯଶୋଦା ନିଯୁକ୍ତି ଓ ମାତୃ-ଶିଶୁ ସ୍ୱାସ୍ଥ୍ୟ ଯୋଜନା, ୨୦୧୧ ଅକ୍ଟୋବର ୧୯ ରୁ ମମତା ଯୋଜନା ଆଦି କାର୍ଯ୍ୟକାରୀ ହେଉଛି । ସେହିପରି ୨୦୨୦ ସୁଦ୍ଧା ଶିଶୁ ଓ ମାତୃ ମୃତୁ୍ୟହାର କମାଇବାକୁ ୨୦୧୫ ମଇ ୧୯ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା୧୫ଟି ପଛୁଆ ଜିଲ୍ଲାର ୬୮ଟି ଅବହେଳିତ ବ୍ଲକ୍ରେ ୫୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିସହିତ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ୟୁନିସେଫ୍, ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଓ ବିଶ୍ୱବ୍ୟାଙ୍କ ଭଳି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାରୁ ସ୍ୱାସ୍ଥ୍ୟ ବିଭାଗକୁ କୋଟି କୋଟି ଟଙ୍କା ଆସୁଛି । ମାତ୍ର ଅଧିକାଂଶ ଯୋଜନା ଫେଲ୍ ମାରିଛି । ଯୋଜନା ଚାଲିଛି କିପରି, କେଉଁଠି ଓ କାହାପାଇଁ(?), କେହି କିଛି ଜାଣିପାରୁ ନାହାଁନ୍ତି । କେବଳ ଜଳଜଳ ଦେଖାଯାଉଛି, ସାରା ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି । ଶିଶୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ମୃତୁ୍ୟର ଅାଁ ଭିତରକୁ ଚାଲି ଯାଇଛି ।
ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମିର ଅଭାବ ଓ ପରିଚାଳନାଗତ ତୃଟି ସୀମା ପାର କରିଛି । ମାଳ ମାଳ ଯୋଜନା ସତ୍ୱେ ରୋଗୀ ମାନଙ୍କୁ ଉତମ ସେବା ଯୋଗାଇବା କ୍ଷେତ୍ରରେ ବିଭାଗ ଫେଲ୍ ମାରିଛି । ଏହା ହିଁ ଏବେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଆହ୍ୱାନ ପାଲଟିଛି । ଭଲ ଯୋଜନା ଗୁଡ଼ିକ ହାତକୁ ନିଆ ଯାଉଥିବା ବେଳେ ମେଡ଼ିକାଲ୍ କଲେଜ ସଂଖ୍ୟା ବୃଦ୍ଧି, ନୂଆ ନୂଆ ଚିକିତ୍ସାଳୟ ନିର୍ମାଣ ଆଦି ଅତ୍ୟନ୍ତ ସୁଖର କଥା । ମାତ୍ର ବ୍ୟାପକ ପରିଚାଳନା ଗତ ବିଭ୍ରାଟ ଯୋଗୁ ଯୋଜନା ଗୁଡ଼ିକ ଫେଲ୍ ମାରୁଛି ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ମଜଭୁତ ହୋଇ ପାରୁନାହିଁ । କଟକ ଶିଶୁ ଭବନ ଶିଶୁ ମୃତୁ୍ୟ, ନଗଡ଼ା ଆଦିବାସୀ ଶିଶୁ ମୃତୁ୍ୟ ଓ ତିନି ବର୍ଷ ତଳେ ମାଲକାନଗିରିରେ ଲଗାତାର ଅବୋଧ ଆଦିବାସୀ ଶିଶୁଙ୍କର ମୃତୁ୍ୟ ବିଭିଷୀକା ଏହାର ଜ୍ୱଳନ୍ତ ଉଦାହରଣ । ଅଧିକାଂଶ ଜିଲ୍ଲା ସଦର ମହକୁମା ହସ୍ପିଟାଲ୍ରେ ଆଇସିୟୁ ଉପଲବ୍ଧ ନାହିଁ । କେତେକ ସ୍ଥାନରେ ଜୀବନ ରକ୍ଷାକାରୀ ଅକ୍ସିଜେନ୍ର ସଂଯୋଗ ମଧ୍ୟ ନାହିଁ । ରାଜ୍ୟରେ ୩୧୪ଟି ବ୍ଲଡ଼୍ ଷ୍ଟୋରେଜ୍ ୟୁନିଟ୍, ଉପଜିଲ୍ଲା ଓ ଜିଲ୍ଲା ହସ୍ପିଟାଲ୍ ମାନଙ୍କରେ ବ୍ଲଡ଼୍ ବ୍ୟାଙ୍କ୍ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟ ମିସନ୍ର ଲକ୍ଷ୍ୟ ଫେଲ୍ ମାରିଛି । ସରକାରୀ ଡ଼ାକ୍ତରଖାନାରେ ସୁବିଧାରେ ରକ୍ତ, ମଳ, ମୂତ୍ର ଆଦି ବିଭିନ୍ନ ପରିକ୍ଷା ବ୍ୟବସ୍ଥା ଥିôଲେ ହେଁ ରୋଗୀଙ୍କୁ ଘରୋଇ ପରିକ୍ଷାଗାର ଉପରେ ନିର୍ଭର କରିବାକୁ ପଡ଼ୁଛିÿ । ରାଜ୍ୟ ସରକାର କୋଟିକୋଟି ଟଙ୍କାର ଅନେକ ପ୍ରକାର ଔଷଧ କିଣନ୍ତି । ମାତ୍ର ସେସବୁ ରୋଗୀଙ୍କ ଭାଗରେ ପଡ଼େନି । କର୍ମଚରୀଙ୍କ ଦ୍ୱାରା କିଛି ହରିଲୁଟ୍ ହୁଏ, କିଛି ସମୟ ସୀମା ଶେଷ ପରେ ବଂଟାଯାଏ ଓ ଆଉକିଛି ବର୍ଷ ଶେଷ ବେଳକୁ ନଷ୍ଟ କରି ଦିଆଯାଏ । ତଥାପି ସରକାରୀ ଡ଼ାକ୍ତରଖାନାରେ ୨୪ ଘଂଟା ମାଗଣା ଔଷଧ ବାଂଟିବାକୁ ୨୦୧୫ ମଇ ୧ ତାରିଖରୁ ‘ନିରାମୟ’ ଯୋଜନା ଆରମ୍ଭ ହୋଇଥିଲା । ଏହା ଏବେ ହାସ୍ୟାସ୍ପଦରେ ପରିଣତ ହୋଇଛି । ତଥାପି ଟଳମଳ ଅବସ୍ଥାରେ ଥିବା ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ ସ୍ଥାନରେ ଓଡ଼ିଶାବାସୀଙ୍କୁ ଭୂଅାଁ ବୁଲାଇବା ପାଇଁ ନୂଆ ନୂଆ ସ୍ୱାସ୍ଥ୍ୟ ଯୋଜନା ଘୋଷଣା ହେଉଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି ।
ଆମ ରାଜ୍ୟରେ୨୦୦୫ରୁ ଜାତୀୟ ସ୍ୱାସ୍ଥ୍ୟ ମିସନ୍(ଏନ୍ଏଚ୍ଏମ୍)କାର୍ଯ୍ୟକାରୀ ହେଉଛି । ସମୁଦ୍ର ଲହଡ଼ି ଭଳି ଅନୁଦାନ ସ୍ରୋତ ମାଡ଼ି ଆସୁଛି । ରଙ୍ଗାରଙ୍ଗ ଘର, କାଚର ଦ୍ୱାର ଓ ଝରକା, ଏସି ମେସିନ୍, ମାର୍ବଲ୍ ଚଟାଣ, ଗଦି ଲଗା ଚେୟାର୍, ନିୟନ୍ ଲାଇଟ୍, ଶହଶହ ଗାଡ଼ି ଓ ସୁନ୍ଦର ଉଦ୍ୟାନରେ ହସ୍ପିଟାଲ୍ ଗୁଡ଼ିକ ଶୋଭା ପାଉଛି । ହେଲେ ବାସ୍ତବ ଭିତିଭୂମିର ବିକାଶ ହେଉ ନାହିଁ । କୌଣସି ମୁହୂର୍ତରେ ଏନ୍ଏଚ୍ଏମ୍ କାର୍ଯ୍ୟ ବନ୍ଦ୍ ହୋଇଗଲେ ଓ ଅନୁଦାନର ମହାନଦୀ ଶୁଖି ଗଲେ, ତା’ପରେ ରାଜ୍ୟରେ କି ଅବସ୍ଥା ହେବ ବିଭାଗୀୟ ମନ୍ତ୍ରୀ କି ସଚିବ ଥରେ ଚିନ୍ତା କଲେଣି କି? ଆଜି ଯେତିକି ଭିତିଭୂମିର ବିକାଶ ହୋଇଥିବା ଆମେ ଦେଖୁଛେ, ତାହା ସ୍ୱାସ୍ଥ୍ୟ ମିସନ୍ର ଦାନ । ଆୟୂଷ କାର୍ଯ୍ୟକ୍ରମ ଅନ୍ତର୍ଗତ ହୋମିଓପାଥୀ, ଆର୍ୟୁବେଦ, ଯୋଗ, ୟୁନାନୀ, ସିଦ୍ଧ ଓ ନେଚରପାଥୀ ଚିକିସôା ସେବାର ଉନ୍ନତି କରାଇବା ମିସନ୍ର ମୂଳ ଲକ୍ଷ୍ୟ ଥିଲେ ହେଁ ତାହା ମଧ୍ୟ ସଂପୂର୍ଣ୍ଣ ଫେଲ୍ ମାରିଛି ।
ନୂଆ ଯୋଜନା ଗୁଡ଼ିକ ଯେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ସଂସ୍କାର ଆଣିବ ବା ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ କରାଇବ, ଏହାର କିଛି ଗ୍ୟାରେଂଟି ନାହିଁ । ଯେହେତୁ ଅନେକ ସ୍ୱାସ୍ଥ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ସହିତ ଗୁଡ଼ାଏ ନିଷ୍ପତି ଓ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ସ୍ୱାସ୍ଥ୍ୟସେବାର ଉନ୍ନତି ଶୂନ । ଅଧିକାଂଶ ଯୋଜନା ଫେଲ୍ ମାରିଥିବା ଜଳ ଜଳ ଦେଖା ଯାଉଛି । ମିସନ୍ ର ଅଜସ୍ର ଅନୁଦାନ ସତ୍ୱେ ଆମେ ଯଦି ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଧାରି ପାରିଲୁ ନାହିଁ, ତେବେ ଭଗବାନ୍ ବି ଆମକୁ କ୍ଷମା ଦେବେ ନାହିଁ । କୌଣସି ପ୍ରକଳ୍ପ, ଆଇନ୍ ଓ ପଦକ୍ଷେପ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ କାହିଁକି ଆଦର୍ଶ କରିପାରୁ ନାହିଁ, ତା’ଉପରେ ବ୍ୟାପକ ସମୀକ୍ଷା ହେବା ଉଚିତ । ସ୍ୱାସ୍ଥ୍ୟ ବିଭାଗରେ ସରକାରୀ ନୀତି ତଥା ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପ ସଠିକ୍ ଭାବେ କାର୍ଯ୍ୟକାରୀ ଉପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଓ ସଚିବ ଡ଼ା.ପ୍ରମୋଦ ମେହେର୍ଦ୍ଦା ଗୁରୁତ୍ୱ ଦେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *