ଆଦିବାସୀ ଅଂଚଳର ବିକାଶରେ ଯାଦବ ମାଝୀ

ଶରତ କୁମାର ରାଉତ
ଏମିତି କେତେକ ଯୋଗଜନ୍ମା ଅଛନ୍ତି, ଯେଉଁମାନେ ସମସାମୟିକ ବ୍ୟକ୍ତିମାନଙ୍କ ଠାରୁ ଅଧିକ ଯଶ-ଖ୍ୟାତିର ଅଧିକାରୀ ହୋଇଥାନ୍ତି ଓ ଅଜାତଶତ୍ରୁର ଆଖ୍ୟା ପାଇଥାନ୍ତି । ଏମିତି ଜଣେ ବ୍ୟକ୍ତିତ୍ୱ ହେଲେ, ଯାଦବ ମାଝୀ । ୧୯୫୦ ମସିହା ଜୁଲାଇ ୫ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲା(ବର୍ତମାନ ନବରଙ୍ଗପୁର ଜିଲ୍ଲା)ର ଚନ୍ଦାହାଣ୍ଡି ବ୍ଲକ୍ର ଦଣ୍ଡାମୁଣ୍ଡା ଗ୍ରାମରେ ତାଙ୍କର ଜନ୍ମ । ୧୯୫୫ ମସିହାରୁ ଦଣ୍ଡାମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ପାଠପଢା ଆରମ୍ଭ କରି ସୁନାବେଡ଼ା ଉଚ୍ଚ ବିଦ୍ୟାଳୟରେ ହାଇସ୍କୁଲ୍ ଶିକ୍ଷା, ସୁନ୍ଦରଗଡ଼ ଜିଲ୍ଲାର ଭାଲୁଲତା ସିଟି ସ୍କୁଲ୍ରେ ସିଟି ଟ୍ରେନିଂ ଓ ପରେ ବ୍ରହ୍ମପୁର ୟୁନିଭରସିଟିରେ ଇତିହାସରେ ଏମ୍ଏ ପାଶ୍ କରିଥିଲେ । ଚାକିରି ଜୀବନରେ ସେ ମାଲକାନଗିରିର ଗୁମ୍ଫାଖୁଣ୍ଟା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲା ବେଳେ ପରେ ଚନ୍ଦାହାଣ୍ଡି ର ଧୋଡ଼ିପାଣି ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଓ ପରେ ଝରିଗାଁ ବ୍ଲକ୍ ବେଲଗାଁ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ଏତିକିବେଳେ ହଠାତ୍ ସେ ଶିକ୍ଷକତା ଛାଡ଼ି କୋରାପୁଟ ପଂଚବଟି ଗ୍ରାମ୍ୟ ବ୍ୟାଙ୍କର ନବରଙ୍ଗପୁର ଶାଖାରେ ଶାଖା ପରିଚାଳକ ଭାବେ କାର୍ଯ୍ୟ କରିଥିଲେ । କିନ୍ତୁ ୧୯୮୪ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ରାଜନୀତିରେ ଯୋଗ ଦାନ କରିଥିଲେ । ପ୍ରଥମେ ନବରଙ୍ଗପୁର ଲୋକସଭା ଆସନରୁ ଜନତା ପାର୍ଟି ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ପରାଜିତ ହୋଇଥିଲେ । ୧୯୯୦ରେ ଡ଼ାବୁଗାଁ ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ଟିକଟରେ ପ୍ରାର୍ଥୀ ହୋଇ ୩୦ ହଜାରରୁ ଅଧିକ ଭୋଟ୍ରେ ବିଜୟୀ ହୋଇଥିଲେ । ୧୯୯୦ ରୁ ୧୯୯୫ ମଧ୍ୟରେ ସେ ବିଜୁ ବାବୁଙ୍କ ମନ୍ତ୍ରୀ ମଣ୍ଡଳରେ ଯୋଜନା ଓ ସମନ୍ୱୟ ରାଷ୍ଟ୍ରମନ୍ତ୍ରୀ ଭାବେ ଓ ପରେ ଶିଳ୍ପ ଓ ସରକାରୀ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୯୫ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ସେ ଏକମାତ୍ର ଜନତା ଦଳ ବିଧାୟକ ଭାବେ ଡ଼ାବୁଗାଁ ଆସନରୁ ନିର୍ବାଚିତ ହୋଇଥିଲେ । ବିଧାୟକ ଥିବା ସମୟରେ ୧୯୯୯ ମସିହା ଏପି୍ରଲ୍ ୩ ତାରିଖରେ ମାତ୍ର ୪୯ ବର୍ଷ ବୟସରେ ତାଙ୍କର ପୈତୃକ ଗ୍ରାମ ଦଣ୍ଡାମୁଣ୍ଡାରେ ଅକାଳ ବିୟୋଗ ହୋଇଥିଲା ।
ସ୍ୱର୍ଗତ ମାଝୀ ଏକଧାରରେ ଥିଲେ ପ୍ରଚଣ୍ଡÿ ରାଜନୈତିକ ଜ୍ଞାନର ଅଧିକାରୀ, ଆଦର୍ଶ ଶିକ୍ଷକ, ସ୍ୱେଚ୍ଛାସେବୀ, ସୁଶାସକ, ସୁସଂଗଠକ, ଅମାୟିକ, ପରୋପକାରୀ ଓ ବନ୍ଧୁବତ୍ସଳ । ଅବିଭକ୍ତ କୋରାପୁଟ ଜିଲ୍ଲାର ରାଜନୈତିକ ନେତାଙ୍କ ପାଖରୁ ଆରମ୍ଭ କରି ସାଧାରଣ ଲୋକେ ତାଙ୍କୁ ଖୁବ୍ ଶ୍ରଦ୍ଧା ଓ ସମ୍ମାନ କରନ୍ତି । ଦୁଇ ଦଶନ୍ଧି ଧରି ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ଓଡ଼ିଶା ରାଜନୀତିକୁ ପ୍ରଭାବିତ କରିଥିବା ସେହି ଲୋକପି୍ରୟ ନେତା ଆଦିବାସୀ ଓ ଅନୁନ୍ନତ ଆଦିବାସୀ ଅଞ୍ଚଳର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ଯାଇଛନ୍ତି । ସେ ଥିଲେ ବିଜୁବାବୁଙ୍କ ଏକାନ୍ତ ଅନୁଗତ ଓ ଅନ୍ତରଙ୍ଗ । ଆଦିବାସୀ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ସବୁବେଳେ ବିଜୁବାବୁଙ୍କ ସହିତ ଆଲୋଚନା କରୁଥିଲେ । ପ୍ରତି ମଣିଷକୁ ଆପଣାର କରିବାର କୌଶଳରେ ସେ ନିପୁଣ ଥିଲେ । ସମସ୍ତଙ୍କୁ ସେ ସହଯୋଗର ହାତ ବଢେଇବାକୁ ଆଗେଇ ଆସୁଥିଲେ । ଦଳମତ ନିର୍ବିଶେଷରେ ସବୁ ନେତା ଓ ସାଧାରଣ ମଣିଷକୁ ସେ ବନ୍ଧୁ ଭାବରେ ଗ୍ରହଣ କରୁଥିଲେ । ସେଥିପାଇଁ ସେ ଜନପି୍ରୟ ନେତା ହୋଇ ପାରିଥିଲେ । ସେ ମଧ୍ୟ ଗଭୀର ଈଶ୍ୱର ବିଶ୍ୱାସୀ ଥିଲେ । ଆଧ୍ୟାତ୍ମିକ ଚିନ୍ତାଧାରା ତାଙ୍କ ଭିତରେ ଆଚ୍ଛନ୍ନ ଥିଲା । ବାସ୍ତବରେ ସେ କାହାକୁ ନିଜର ଶତ୍ରୁ ବୋଲି ଭାବୁନଥିଲେ ଓ ସମସ୍ତଙ୍କୁ ସେ ବନ୍ଧୁତା ରଜ୍ଜୁରେ ବାନ୍ଧୁଥିଲେ । ତାଙ୍କ ଦେହାନ୍ତ ପରେ ଏହା ଆହୁରି ସ୍ପଷ୍ଟ ହୋଇଥିଲା । ବାସ୍ତବରେ ତାଙ୍କର ଅମାୟିକ ବ୍ୟବହାର, ବନ୍ଧୁବତ୍ସଳତା, ସରଳତା, ନିଷ୍ଠାପରତା, ସାହସିକତା, ଉଚ୍ଚକୋଟୀର ଓ ଅମାୟିକ ରାଜନୀତି,ସମର୍ପିତ ଆଦିବାସୀ ରାଜନେତା, ଆକର୍ଷଣୀୟ ଲୋକପି୍ରୟତା, ଉତ୍ସର୍ଗୀକୃତ ଜନସେବା ଓ ପରୋପକାରୀ ମନୋଭାବ ଆଦି ମାନବୀୟ ଗୁଣ ପାଇଁ ସେ ଚିରଦିନ ଓଡ଼ିଶାବାସୀଙ୍କ ଭିତରେ ସ୍ମରଣୀୟ ହୋଇ ରହିବେ । ସୁତରାଂ ସେ ଜଣେ ସରଳ, ନିଷ୍କପଟ, ଦରଦୀ, ହୃଦୟବାନ୍ ଓ ନିର୍ବିବାଦୀୟ ରାଜନୀତିଜ୍ଞ ଥିଲେ । ତାଙ୍କର ସଂପୂର୍ଣ୍ଣ ଜୀବନୀ ଥିଲା ଆଦର୍ଶମୟ । ସ୍ପଷ୍ଟବାଦିତା, ନିର୍ଭୀକତା ତଥା ଦୃଢମନା ପାଇଁ ସେ ଯେତିକି ପ୍ରସିଦ୍ଧ ଥିଲେ, ସମାଜସେବା ଓ ପରୋପକାର ପାଇଁ ସେତିକି ଲୋକପି୍ରୟ ଥିଲେ । ସ୍ୱର୍ଗତ ମାଝୀ ନିଜକୁ ଜଣେ ସଫଳ ରାଜନୀତିଜ୍ଞ ଭାବେ ଅନେକ ଥର ପ୍ରମାଣିତ କରିଛନ୍ତି । ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇ ମନ୍ତ୍ରୀପଦ ଅଳଙ୍କୃତ କରିଥିଲେ ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ଅପ୍ରତିଦ୍ୱନ୍ଦୀ ନେତା ଭାବେ ନିଜର ଲୋକପିୟତାକୁ ପ୍ରମାଣ କରିଥିଲେ । ସେ ରାଜ୍ୟର ମନ୍ତ୍ରୀ ଥିଲାବେଳେ ତାଙ୍କର ନିଷ୍ଠା ଓ କାର୍ଯ୍ୟଦକ୍ଷତା ରାଜ୍ୟବାସୀଙ୍କୁ ଅଭିଭୂତ କରିଥିଲା । ତାଙ୍କ ପରଲୋକରେ ବିଶେଷତଃ ଅବିଭକ୍ତ କୋରାପୁଟ ଜିଲ୍ଲା ରାଜନୀତି ଓ ସାମାଜିକ କ୍ଷେତ୍ରରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି, ତାହା ତ ପୂରଣ ହେବା ଅସମ୍ଭବ, ତଥାପି ତାଙ୍କର ସୁଯୋଗ୍ୟ ସନ୍ତାନ ତଥା ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ମାଝୀ ନିଜ ପିତାଙ୍କର ସ୍ୱପ୍ନକୁ ସାକାର କରିବାକୁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଚାଲିଛନ୍ତି ।
ନବରଙ୍ଗପୁର ଜିଲ୍ଲା ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଲୋକେ ତାଙ୍କୁ କେବେ ମଧ୍ୟ ଭୁଲିପାରିବେ ନାହିଁ । ଅବହେଳିତ ଏହି ଆଦିବାସୀ ଅଂଚଳର ବିକାଶ ପାଇଁ ସେ ଯାହା କରିଯାଇଛନ୍ତି, ତାହା ହୁଏତ ଆଉ କାହା ଦ୍ୱାରା ସମ୍ଭବ ହୋଇ ନପାରେ । ହଠାତ୍ ତାଙ୍କର ଦେହାନ୍ତ ଖବରରେ ଏହି ଆଦିବାସୀ ଅଂଚଳ ସ୍ତବ୍ଧ ହୋଇ ଯାଇଥିଲା । ସମସ୍ତଙ୍କ ଘରେ ରନ୍ଧାବଢା ବନ୍ଦ୍ ହୋଇ ଯାଇଥିଲା । ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ କଇଁ କଇଁ କାନ୍ଦିଥିଲେ । ଆଜି ମଧ୍ୟ ତାଙ୍କୁ ଭଲ ପାଉଥିବା ଲୋକମାନଙ୍କ ଆଖିରୁ ଲୁହ ଶୁଖିନାହିଁ । ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ଅଦ୍ୱିତୀୟ ନେତା ଭାବେ ପରିଚିତ ଯାଦବ ମାଝୀ ସାରା ରାଜ୍ୟରେ ଲୋକପି୍ରୟ ନେତା ଭାବେ ଖ୍ୟାତ ଥିଲେ । ତାଙ୍କର ନିର୍ବାଚନ ମଣ୍ଡଳୀର ଲୋକେ ତାଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରିଥିଲେ । ତାଙ୍କ ସମୟରେ ଆଦିବାସୀ ଅଂଚଳରେ ଯାତାୟାତ, ପାନୀୟ ଜଳ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ବହୁ ଉନ୍ନତି ହେବା ସହ ଅନେକ ବେକାର ଯୁବକ ଯୁବତୀ କର୍ମନିଯୁକ୍ତି ପାଇ ପାରିଥିଲେ । ପାହାଡ଼, ପର୍ବତ, ଝରଣା ଓ ବନାନୀ ଘେରା ଚିର ଅବହେଳିତ ଆଦିବାସୀ ଅଂଚଳ ବିବିଧ ସମସ୍ୟାର ଗର୍ଭ ମଧ୍ୟରେ ରହି ଆସିଛି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ବିଜୁଳି, ପାନୀୟଜଳ,ସଂଚାର,ଦାରିଦ୍ର୍ୟ, ବେକାରୀ ଆଦି ମୌଳିକ ସମସ୍ୟା ଆଦିବାସୀ ମାନଙ୍କର ମୌଳିକ ସମସ୍ୟା । ବିଧାନସଭାକୁ ତାଙ୍କ ପ୍ରତିନିଧିତ୍ୱ ସମୟରେ ସେ ଆଦିବାସୀଙ୍କର ଅନେକ ମୌଳିକ ସମସ୍ୟା ସମାଧାନ କରିବା ସହ ଆଦିବାସୀ ଅଂଚଳକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ପାଇଁ ଅକ୍ଲାନ୍ତ ଉଦ୍ୟମ କରିଥିଲେ ।
ବାସ୍ତବରେ ସମସ୍ତଙ୍କ ପାଇଁ ସେ ପାଲଟି ଯାଇଥିଲେ ଯେମିତି ଦରଦୀ ରାଜନୀତିକ ନେତା ତଥା ଏକ ସଫଳ ମଣିଷର ସଜ୍ଞା । ସାଧାରଣ ଲୋକଙ୍କ ସହ ତାଙ୍କର କଥାବାର୍ତା ଓ ଭେଟ ବେଳେ ଦେଖାଯାଏ ସେମାନଙ୍କ ଭିତରେ ସୃଷ୍ଟ ସଂପର୍କ ବାସ୍ତବ ଆଉ ମଣିଷକୁ ମଣିଷ ଭଲ ପାଇବାର ଏକ ଶ୍ରେଷ୍ଠ ନିଦର୍ଶନ । ସେତିକିବେଳେ ସେ ଭୁଲିଯାଆନ୍ତି ନିଜକୁ, ନିଜ ପ୍ରଚଣ୍ଡ ରାଜନୀତିକ ପ୍ରତିଭାକୁ, ପଦବୀକୁ ଓ ନିଜ କାର୍ଯ୍ୟବ୍ୟସ୍ତ ଜୀବନକୁ । ମୃତୁ୍ୟ ଚିରନ୍ତନ ସତ୍ୟ । ଏହା ଯେତେ ନିଷ୍ଠୂର ଓ କଠୋର ଲାଗିଲେ ବି ସମସ୍ତେ ଗ୍ରହଣ କରିବାକୁ ବାଧ୍ୟ । ଭଗବାନ ଯାହାକୁ ବେଶୀ ଭଲ ପାଆନ୍ତି, ତାକୁ ନିଜ ପାଖକୁ ଶୀଘ୍ର ନେଇଯାଆନ୍ତି ବୋଲି ଧାରଣା ରହିଛି । ତାଙ୍କ କ୍ଷେତ୍ରରେ ସେଇଆ ଘଟିଲା ବୋଲି ଆମେ ଭାବୁଛୁ । ୧୭ବର୍ଷ ତଳୁ ଇହଧାମ ତ୍ୟାଗ କରିଥିଲେ ମଧ୍ୟ ତାଙ୍କର ବନ୍ଧୁ ବତ୍ସଳତା, କର୍ତବ୍ୟ ପରାୟଣତା ଓ ହସ ହସ ମୁହଁ ତାଙ୍କୁ ଆମ ପାଖରେ ଚିରଦିନ ପାଇଁ ଅମର କରି ରଖିବ ।

Leave a Reply

Your email address will not be published.