ନୂଆ ବର୍ଷ ଆଣିଦେଉ ବ୍ୟକ୍ତି ତଥା ରାଷ୍ଟ୍ରର ସମୃଦ୍ଧି

ଡକ୍ଟର ଧୀରେନ୍ଦ୍ର ନନ୍ଦ
ଭାରତୀୟ କାଳଗଣନା ଅତି ପ୍ରାଚୀନ ଏବଂ ବୈଜ୍ଞାନିକ ସମ୍ମତ । ଏହି କାଳ ଗଣନା ଅନୁସାରେ ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍ରତିପଦା ହେଉଛି ସୃଷ୍ଟିର ଆରମ୍ଭ ଦିନ । ଏହି ତିଥିର ଧାର୍ମିକ, ପୈାରାଣିକ ଏବଂ ଐତିହାସିକ ମହତ୍ୱ ରହିଛି । କିମ୍ବଦନ୍ତୀ କହେ ସୃଷ୍ଟିକର୍ତା ବ୍ରହ୍ମା ଏହି ଦିନଠାରୁ କାଳ ଗଣନା ଆରମ୍ଭ କରିଥିଲେ । ଏହି ସୃଷ୍ଟିର ପ୍ରଥମ ଦିନ ଚୈତ୍ର ଶୁକ୍ଳ ପ୍ରତିପଦାକୁ ଆମେ ନୂଆବର୍ଷ ରୁପେ ପାଳନ କରିବାକୁ ଭୁଲିଯାଇଛୁ । ଆମର ସ୍ୱାଭିମାନ ଦୃଷ୍ଟିରୁ ଏହାକୁ ରାଷ୍ଟ୍ରୀୟ ନବବର୍ଷ ଭାବେ ପାଳନ କରି ଏହି ଦିନରେ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହ ଦେଶର ଗୈାରବଶାଳୀ ଇତିହାସକୁ ସ୍ମରଣ କରିବାର ଏହା ଏକ ପ୍ରକୃଷ୍ଟ ମୁହୂର୍ତ । କଳିଯୁଗ ଅରମ୍ଭ ହେବାର ୩ହଜାର ୪୪ବର୍ଷ ବିତିବା ପରେ ଏହି ଦିନ ପ୍ରତାପୀ ରାଜା ବିକ୍ରମାଦିତ୍ୟ ବିକ୍ରମ ସମ୍ବତ୍ ପ୍ରଚଳନ କରିଥିଲେ । ବିକ୍ରମାଦିତ୍ୟ ଶକ୍ ମାନଙ୍କୁ ପରାଜିତ କରି ଶକାରୀ ଉପାଧି ଧାରଣ କରିଥିଲେ । ସେ ସମଗ୍ର ଭାରତବର୍ଷକୁ ଏକାଠି କରିଥିଲେ ଏବଂ ତାଙ୍କର ଉତମ ଶାସନଦ୍ୱାରା ଭାରତରେ ଐକ୍ୟ ନିର୍ମାଣ ହେବା ସହ ନୂତନ ବର୍ଷ ଗଣନାର ପରମ୍ପରା ସୃଷ୍ଟି ହୋଇପାରିଥିଲା । ଦକ୍ଷିଣରେ ଏହାର ଏକ ଶହ ପଂଚତିରିଶ ବର୍ଷ ପରେ ରାଜା ଶାଳିବାହନ ଶକ୍ ସମ୍ବତ୍ ବା ଶକାବ୍ଦ ପ୍ରଚଳନ କରିଥିଲେ । ପୌରାଣିକ ମତରେ ଏହି ଦିନରେ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଚନ୍ଦ୍ର ଓ ଧର୍ମରାଜ ଯୁଧିଷ୍ଟିରଙ୍କର ରାଜ୍ୟାଭିଷେକ ହୋଇଥିଲା । ଆଜକୁ ୧୪୪ ବର୍ଷ ତଳେ କୁସଂସ୍କାରରେ ଆଛାଦିତ ଭାରତୀୟ ମାନଙ୍କୁ ଏକ ନୂତନ ଦିଗଦର୍ଶନ ଦେବାପାଇଁ ବେଦ ଉଦ୍ଧାରକ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଏହି ପବିତ୍ର ଦିନରେ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ । ଏହି ଦିନ ଜଣେ ଉତମ ସଙ୍ଗଠକ, ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ ଓ କ୍ରାନ୍ତିକାରୀ ତଥା ବିଶ୍ୱର ସର୍ବବୃହତ ସ୍ୱେଚ୍ଛାସେବୀ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସଂସ୍ଥାପକ ଡ଼ାକ୍ତର କେଶବ ବଳିରାମ ହେଡ଼୍ଗେୱାର୍ ଜନ୍ମଗ୍ରହଣ କରିଥିଲେ । ସେହି କାରଣରୁ ଭାରତ ବର୍ଷ ପାଇଁ ଚୈତ୍ର ଶୁକ୍ଳ ପ୍ରତିପଦାର ଐତିହାସିକ ତଥା ପୌରାଣିକ ମହତ୍ୱ ସର୍ବଜନ ବିଦିତ ।
ବୈଦିକ ରୀତି ଅନୁସାରେ ଚୈତ୍ର ମାସ ହିଁ ଭାରତୀୟ ମାନଙ୍କ ବର୍ଷର ଆରମ୍ଭ ମାସ । ଏହା ମୂଳରେ ଅନେକ ପୈାରାଣିକ ଓ ବୈଜ୍ଞାନିକ ସିଦ୍ଧାନ୍ତ ମାନ ରହିଛି । ମହାକାଳ ସିଦ୍ଧାନ୍ତରେ ଏହି ମାସ କାଳଚକ୍ରର ପ୍ରଥମ ମାସ ବୋଲି ଉଲ୍ଲେଖ ଅଛି । ପୌରାଣିକ ମତରେ ସୃଷ୍ଟିକର୍ତା ବ୍ରହ୍ମା ପ୍ରଥମେ ଚୈତ୍ରଶୁକ୍ଳ ପ୍ରତିପଦା ତିଥିର ସୂର୍ଯ୍ୟୋଦୟ ସମୟରେ ସୃଷ୍ଟି ସର୍ଜନା କରିଥିଲେ । ଆମ ଶାସ୍ତ୍ରରେ କୁହାଯାଇଛି –
“ଚୈତ୍ରମାସି ଜଗଦବ୍ରହ୍ମା ସମର୍ଜନେ ପ୍ରଥମେହଽନି, ଶୁକ୍ଳପକ୍ଷେ ସମଗ୍ରଂତୁ ତଥା ସୂର୍ଯୋଦୟେ ସତି । ପ୍ରବତୟାମାସ ତଦାକାଳସ୍ୟ ଗଣନାମମି, ଗ୍ରହାନ୍, ନାଗାନ୍, ଋତୁନ୍, ମାସନ୍ ବସରାନ୍ ବସରାଧିପାନ ।ା”
ତେଣୁ ବସନ୍ତର ପ୍ରଥମ ମାସ ଚୈତ୍ର ମାସର ଆଗମନ ମାତ୍ରେ ଧରିତ୍ରୀ ରୂପବତୀ ଓ ନବ ଯୈାବନ ପ୍ରାପ୍ତ ହୁଏ । ମଧୁମାସ ଚୈତ୍ର ଫୁଲର ମହକରେ ଚାରିଆଡ଼େ ମହକାଇ, କୋଇଲିର କୁହୁ କୁହୁ ତାନ ସମସ୍ତଙ୍କ ମନମୁଗ୍ଧ କରିଥାଏ । ଚୈତ୍ରଶୁକ୍ଳ ପ୍ରତିପଦା ଅବସରରେ ପ୍ରକୃତି ବିଭିନ୍ନ ରଙ୍ଗର ଫୁଲରେ ସୁସଜ୍ଜିତ ହୋଇଥାଏ ।
କାଳଗଣନା ଯେକୈାଣସି ରାଷ୍ଟ୍ରର ନାଗରିକମାନଙ୍କର ଜାଗୃତିର ସୂଚକ । କେଉଁ ରାଷ୍ଟ୍ର କେତେ ପ୍ରାଚୀନ ତାହାର କାଳ ଗଣନାରୁ ଜଣାପଡ଼ିଥାଏ । ଭାରତୀୟ କାଳ ଗଣନା ପୂର୍ଣ୍ଣତଃ ଶୁକ ମୁନିଙ୍କ ବୈଜ୍ଞାନିକ ସିଦ୍ଧାନ୍ତ ଉପରେ ଆଧାରିତ । ତାଙ୍କ ଅନୁସାରେ ଏକ ବୃତ ତିନିଶହ ଷାଠିଏ ଅଂଶ, ଏକ ଅଂଶ ଷାଠିଏ କଳା, ଏକ କଳା ଷାଠିଏ ବିକଳା । ମହାଭାରତର ମୋକ୍ଷ ପର୍ବ ଅନୁସାରେ ୧୫ ନିମିଷରେ ୧ କାଷ୍ଠା, ୩୦ କାଷ୍ଠାରେ ୧ କଳା, ୩୦ କଳାରେ ୧ ମୁହୂର୍ତ, ୩୦ ମୁହୂର୍ତରେ ୧ ଦିନରାତି ବା ଅହୋରାତ୍ରି, ୩୬୦ ଅହୋରାତ୍ରିରେ ଏକ ବର୍ଷ ଏବଂ ୩୬୦ ବର୍ଷରେ ଏକ ଦିବ୍ୟବର୍ଷ ହୋଇଥାଏ । ୧୨୦୦ ଦିବ୍ୟବର୍ଷ ହେଉଛି ୪,୩୨,୦୦୦ ବର୍ଷ ବା ୧ ଯୁଗ । ଏହା ଏକ କଳିଯୁଗ ସହ ସମାନ । ୨ କଳିଯୁଗ ମିଶିଲେ ଏକ ଦ୍ୱାପର ଯୁଗ, ୩ କଳିଯୁଗ ମିଶିଲେ ଏକ ତ୍ରେତୟା ଯୁଗ ଏବଂ ୪ କଳିଯୁଗ ମିଶିଲେ ଏକ ସତ୍ୟ ଯୁଗ ହୋଇଥାଏ । ତେଣୁ ସତ୍ୟ ଯୁଗର ଅବଧି ୧୭,୨୮,୦୦୦ ବର୍ଷ, ତ୍ରେତୟା ଯୁଗର ଅବଧି ୧୨,୯୬,୦୦୦ ବର୍ଷ, ଦ୍ୱାପର ଯୁଗର ଅବଧି ୮,୬୪,୦୦୦ ବର୍ଷ ଏବଂ କଳି ଯୁଗର ଅବଧି ୪,୩୨,୦୦୦ ବର୍ଷ । ଏହି ଚାରିଯୁଗ ମିଶିଲେ ଏକ ପ୍ରାକ୍ ଚତୁର୍ଯୁଗ ବା ମହାଯୁଗ ହୁଏ । ୭୧ ମହାଯୁଗରେ ୧ ମନୁ କାଳ ବା ମନ୍ୱନ୍ତର । ୧୦୦୦ ମହାଯୁଗ ବା ଏକ କଳ୍ପ ହେଉଛି ବ୍ରହ୍ମାଙ୍କର ଏକ ଦିନ । ଦୁଇ କଳ୍ପ ବ୍ରହ୍ମାଙ୍କର ଏକ ଅହୋରାତ୍ର ବା ଏକ ଦିନରାତି । ଏହିପରି ବ୍ରହ୍ମାଙ୍କ ୧୦୦ ବର୍ଷରେ ଭଗବାନ ବିଷ୍ଣୁଙ୍କର ୧ ନିମିଷ (ଆଖିର ପଲକ ପଡି ଉଠିବାର ସମୟ) । ମହାଭାରତ ଯୁଦ୍ଧର ୩୬ ବର୍ଷ ପରେ କଳିଯୁଗ ଆରମ୍ଭ ହୋଇ ଆଜି ଏହା ୫୧୧୯ ବର୍ଷରେ ପଦାର୍ପଣ କରିଛି । ଆମର ପୂଜାର୍ଚ୍ଚନା ବେଳେ ସଂକଳ୍ପ ସମୟରେ ଉଚ୍ଚାରଣ କରାଯାଉଥିବା ନିମ୍ନୋକ୍ତ ଶ୍ଳୋକରୁ ଆମ ରାଷ୍ଟ୍ରର ପ୍ରାଚୀନତା ତଥା କାଳ ଗଣନା ଉପରେ ଆମେ ଷ୍ପଷ୍ଟ ଅନୁମାନ କରିପାରିବା :
“ଓଁ ଅସ୍ୟ ବିଷ୍ଣୋରାଜ୍ଞୟା ପ୍ରବର୍ତମାନସ୍ୟ ବ୍ରହ୍ମାଣାଂ ଦ୍ୱିତୀୟ ପରାଦେ୍ର୍ଧ, ଶ୍ୱେତବରାହ କଳ୍ପେ, ବୈବସୂତ ମନ୍ୱନ୍ତରେ, ଅଷ୍ଟବିଂଶତମ କଳିଯୁଗେ, କଳି ପ୍ରଥମ ଚରଣେ, କଳି ସମ୍ବତେୟା ଯୁଗାବେ୍ଦ ଜମ୍ବୁଦ୍ୱୀପେ ବ୍ରହ୍ମବର୍ତଦେଶେ, ଭାରତଖଣ୍ଡେ ଅମୂକ ସ୍ଥାନେ, ଅମୂକ ସମ୍ବସôରେ, ଅମୂକ ରାଶିସ୍ଥିତୌ, ଅମୂକ ନାମଧେୟୋ ନକ୍ଷେତ୍ରେ … … … ।”
ବର୍ତମାନ ବ୍ରହ୍ମାଙ୍କର ଦ୍ୱିତୀୟ ପରାର୍ଦ୍ଧ ପ୍ରଥମ କଳ୍ପ (ଶ୍ୱେତବରାହ କଳ୍ପ)ର ଉତରାର୍ଦ୍ଧ ସପ୍ତମ ମନ୍ୱନ୍ତର (ବୈବସୂତ ମନ୍ୱନ୍ତର)ର ୨୮ତମ ମହାଯୁଗର କଳିଯୁଗାବ୍ଦ ୫୧୨୦ ଶେଷ ହୋଇଛି । ଅର୍ଥାତ୍ ସୃଷ୍ଟିର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଛଅ ମନ୍ୱନ୍ତର (୧୮୪୦୩୨୦୦୦୦ ବର୍ଷ) ଶତେଇଶି ମହାଯୁଗ (୧୧୬୬୪୦୦୦୦ ବର୍ଷ), ପରେ ସତ୍ୟ ଯୁଗ (୧୭,୨୮,୦୦୦ ବର୍ଷ), ତ୍ରେତୟା ଯୁଗ (୧୨,୯୬,୦୦୦ ବର୍ଷ) ଏବଂ ଦ୍ୱାପର ଯୁଗ (୮,୬୪,୦୦୦ ବର୍ଷ) ଶେଷ ହୋଇ କଳିଯୁଗର ୫୧୨୦ ବର୍ଷ ଶେଷ ହୋଇଛି । ତେଣୁ ଆଜିର ଦିନରେ ସୃଷ୍ଟିର ବୟସ ହେଉଛି ୧,୯୬,୦୮,୫୩,୧୨୦ ବର୍ଷ । ସୃଷ୍ଟିର ଏହି ଚରମ ରହସ୍ୟକୁ ଜାଣିବା ପାଇଁ ଆଜିର ବୈଜ୍ଞାନିକମାନେ ଗବେଷଣାରତ ।
ଭାରତ ଗୋଟିଏ ପୁରାତନ ରାଷ୍ଟ୍ର । ଏହି ସାଂସ୍କୃତିକ ରାଷ୍ଟ୍ରର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଗୋଟିଏ ଜାତି ବା ସଭ୍ୟତା ତା’ର ଅତୀତର ମହାନ୍ ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ନେଇ ତିଷ୍ଠି ରହେ । ଏହି ମହାନ୍ ସଂସ୍ୃତିର ଦାୟାଦ ଭାବେ ଆସନ୍ତୁ ଆମେ ସମସ୍ତେ ଭାରତୀୟ ଆମ ସ୍ୱାଭିମାନ ଏବଂ ଏକ ସଂସୃତିର ପ୍ରତୀକ ଚୈତ୍ର ଶୁକ୍ଳ ପ୍ରତିପଦା, ଯୁଗାଦ୍ଦ ୫୧୨୧, ବିକ୍ରମ ସମ୍ବତ ୨୦୭୬, ଶକାବ୍ଦ ୧୯୪୧, ୨୦୧୯ ମସିହା ଅପ୍ରେଲ ମାସ ୬ ତାରିଖ ଦିନଟିକୁ ନୂଆ ବର୍ଷ ଭାବେ ମହାସମାରୋହରେ ପାଳନ କରି ବିଶ୍ୱ କଲ୍ୟାଣର ବ୍ରତୀ ହେବା । ହସଖୁସିର ଏହି ନୂଆ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବା ସହିତ ସମସ୍ତଙ୍କ ମନରେ ନୂତନ ଉସôାହ ଓ ଉଦ୍ଦୀପନା ଆଣି ଦେବାର କାମନା କରିବା । ଏହି ଦିବସଟି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମ ଦେଶ ତଥା ପୃଥିବୀର ସମସ୍ତଙ୍କ ପାଇଁ ଶାନ୍ତି ତଥା ସମୃଦ୍ଧିର ବାର୍ତା ଆଣୁ ଏବଂ ମହାନ୍ ରାଷ୍ଟ୍ର ପୁରୁଷ ମାନଙ୍କର ଆଶ୍ରୀର୍ବାଦ ପବିତ୍ର ଗଙ୍ଗାଭଳି ସ୍ୱର୍ଗପୁରରୁ ଆମମାନଙ୍କ ଉପରେ ପତିତ ହେବା ସହିତ ଆମକୁ ସତ୍ୟ ଓ ଅମୃତର ମାର୍ଗ ଦେଖାଉ । ନୂଆ ବର୍ଷ ଆଣିଦେଉ ବ୍ୟକ୍ତି ତଥା ରାଷ୍ଟ୍ରର ସମୃଦ୍ଧି, ଏହା ହିଁ ଜଗତର ନାଥ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ନିକଟରେ ଆଜିର ବିନମ୍ର ପ୍ରାର୍ଥନା ।
ରାଜ୍ୟ ସହସଂଯୋଜକ ଏବଂ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱଦେଶୀ ଜାଗରଣ ମଂଚ, ଓଡିଶା ।
ଚେୟାରମ୍ୟାନ୍, ବିବେକାନନ୍ଦ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଆଡ଼୍ଭାନ୍ସଡ଼ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟେକ୍ନୋଲୋଜି (ଭାରତ୍) ।
ଖୋର୍ଦ୍ଧା – ୭୫୨୦୫୭ (ଓଡିଶା), ଚଳଭାଷ – ୯୪୩୭୦୦୬୭୨୫,

Leave a Reply

Your email address will not be published. Required fields are marked *