ବିଫଳ ଭୂତଳ ଜଳ ସଂରକ୍ଷଣ ଯୋଜନା

ବାଲେଶ୍ୱର, (ଓଏନ୍ଏସ୍): ଜଳ ବିନା ଜୀବନ ଅସମ୍ଭବ । ତେଣୁ କୁହାଯାଏ ‘ଜଳ ହିଁ ଜୀବନ’ । ପୂର୍ବରୁ ଲୋକମାନେ ଗାଡ଼ିଆ ପୋଖରୀ ପାଣି ବ୍ୟବହାର କରୁଥିଲେ । କିନ୍ତୁ ଏହି ସବୁ ପାଣି ଅଧିକାଂଶ ସମୟରେ ଦୂଷିତ ହେଉଥିବାରୁ ତାହା ବଦଳରେ ଏବେ ନଳ କୂପ ଓ ପାଇପ୍ ପାଣିର ବ୍ୟବହାର କରାଯଉଛି । କିନ୍ତୁ ଦିନକୁ ଦିନ ଏହି ଭୂତଳ ଜଳର ବ୍ୟବହାର ବୃଦ୍ଧି ପାଇବା ସହିତ ଏହି ଭୂତଳ ଜଳର ଅପବ୍ୟବହାର ହେଉଛି । ଫଳରେ ଭୂତଳ ଜଳସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଥିବାରୁ ଭୂତଳ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇ କିପରି ଭୂତଳ ଜଳସ୍ତର ବୃଦ୍ଧି ପାଇବ ସେଥିପାଇଁ ଯୋଜନା ମଧ୍ୟ କରାଯାଇଛି । କିନ୍ତୁ କେତେକ ବ୍ୟକ୍ତି ଓ ବିଭାଗର ଖାମଖିଆଲି ନୀତି ଓ ଦାୟୀତ୍ୱହୀନତା ପାଇଁ ଏହି ଯୋଜନା ବିଫଳ ହେବାରେ ଲାଗିଛି ଏବଂ ଜଳ ଅଯଥାରେ ନଷ୍ଟ ହେଉଛି ।
ଜଳ ଅପଚୟ କରିବାରେ କେନ୍ଦ୍ର ସରକାରଙ୍କ ରେଳ ବିଭାଗ ସର୍ବାଗ୍ରେ ରହିଛି । ରେଳ ବିଭାଗର ପାଣି ଟାଙ୍କି ଭର୍ତି ହୋଇ ପାଣି ବହିବାରେ ଲାଗୁଥିଲେ ମଦ୍ୟ ପମ୍ପ ବନ୍ଦ କରାଯାଉନାହିଁ । ଫଳରେ ଲକ୍ଷଲକ୍ଷ ଲିଟର ପାଣି ଡ୍ରେନ୍କୁ ବହି ଯାଉଛି । ସୋର ରେଳ ଷ୍ଟେସନରେ ଥିବା ପାଣି ଟାଙ୍କି ଭର୍ତି ହେବାପରେ ପମ୍ପ ବନ୍ଦ କରାନଯିବାରୁ ପ୍ରତିଦିନ ଲକ୍ଷଲକ୍ଷ ଲିଟର ପାଣି ଅଯଥା ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି, ଯାହା ରେଳ ବିଭାଗର ଦାୟୀତ୍ୱ ହୀନତାର ଅଭାବର ଚିତ୍ର । ସେହିପରି ରାଜ୍ୟ ସରକାରଙ୍କର ଜନସ୍ୱାସ୍ଥ୍ୟ ବିଭାଗର ଦାୟୀତ୍ୱ ହୀନତା ପାଇଁ ମଧ୍ୟ ବହୁ ପାଣି ନଷ୍ଟ ହେଉଛି । ଷ୍ଟାଣ୍ଡ ପୋଷ୍ଟରେ ବହୁ ସ୍ଥାନରେ ଟ୍ୟାପ୍ ନଥିବାରୁ ଅନବରତ ପାଣି ଚାଲୁଥିବା ବେଳେ କେତେକ ସ୍ଥାନରେ ପାଇପ୍ ଫାଟି ପାଣି ନଷ୍ଟ ହେଉଥିଲେ ମଦ୍ୟ ତାହାକୁ ମରାମତି କରିବାରେ ବିଭାଗୀୟ ଅଧିକାରୀମାନେ ଅବହେଳା କରୁଥିବାରୁ ପାଣି ନଷ୍ଟ ହେଉଛି । ସେହିପରି କେତେକ ଲୋକ ଷ୍ଟାଣ୍ଡ ପୋଷ୍ଟରୁ ପାଣି ନେବାପରେ ଟ୍ୟାପ୍ ବନ୍ଦ ନକରିବାରୁ ପାଣି ନଷ୍ଟ ହେଉଛି । ଏହା ବ୍ୟତୀତ କେତେକ ବ୍ୟକ୍ତି ନିଜ ଘରେ ପମ୍ପ ଚଳାଇ ଟାଙ୍କି ଭର୍ତି ହେବାପରେ ପମ୍ପ ବନ୍ଦ କରୁ ନଥିବାର ଦେଖିବାକୁ ମିଳେ ।
ମୋଟ ଉପରେ କହିବାକୁ ଗଲେ ସାଧାରଣ ଜନତା ଠାରୁ ବିଭାାଗୀୟ ଅଧିକାରୀମାନଙ୍କର ସଚେତନତାର ଅଭାବ ସହିତ ଦାୟୀତ୍ୱ ହୀନତା ପାଇଁ ଲକ୍ଷଲକ୍ଷ ଲିଟର ପାଣି ପ୍ରତିଦିନ ନଷ୍ଟ ହେଉଛି ଏବଂ ଏଥି ସହିତ ଭୂତଳ ଜଳ ସଂରକ୍ଷଣ ଯୋଜନା ସଫଳ ହୋଇପାରୁ ନାହିଁ, ଯାହା ଆଗାମୀ ଦିନରେ ମହା ଶଙ୍କଟକୁ ଆହ୍ୱାନ କରୁଛି ।

Leave a Reply

Your email address will not be published. Required fields are marked *