ଆଳି ନିର୍ବାଚନ ମଣ୍ଡଳୀ: କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ହେବ ଲଢେଇ!

ଆଳି, (ଓଏନ୍ଏସ୍): ଚଳିତ ନିର୍ବାଚନରେ ଆଳି ବିଧାନସଭା ଆସନରେ ମୁଖ୍ୟତଃ ବିଜେଡ଼ିରୁ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ କେଶରୀ ଦେବ, କଂଗ୍ରେସରୁ ବିଧାୟକ ଦେବେନ୍ଦ୍ର ଶର୍ମା ଓ ବିଜେପିରୁ ଦୋଳ ଗୋବିନ୍ଦ ନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି । ମାତ୍ର ଏଠାରେ କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ହିଁ ଲଢେଇ ହେବ । କାରଣ ବର୍ତମାନ ସୁଦ୍ଧା ଏଠାରେ ବିଜେପି ସଂଗଠନର ଅବସ୍ଥା ସେମିତି କିଛି ଭଲ ନାହିଁ । ତଥାପି ଦୋଳଗୋବିନ୍ଦ ନାୟକ ନିଜର ସଂଗଠନକୁ ମଜଭୁତ କରିବାକୁ ଉଦ୍ୟମ କରୁଛନ୍ତି । ଅତୀତରେ ପ୍ରାୟ ସବୁ ନିର୍ବାଚନରେ କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଛି । ବର୍ତମାନ ଏଠାରେ ଦେବେନ୍ଦ୍ର ଶର୍ମା ବିଧାୟକ ଅଛନ୍ତିି । ତେଣୁ ପୁଣି ସେ ଏହି ଆସନକୁ ଅକ୍ତିଆର କରିବା ପାଇଁ ନିଜର ସଂଗଠନକୁ ମଜଭୁତ କରିବାରେ ଲାଗିଛନ୍ତି । ସହଜେ ୨୦୧୪ ନିର୍ବାଚନରେ ସାରା ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାୱା ଥିବାବେଳେ ପ୍ରତାପ କେଶରୀ ଦେବ ପରାସ୍ତ ହୋଇଥିଲେ । ଆଉ ଏବେ ନବୀନ ବାବୁଙ୍କର ପୂର୍ବପରି ସେତେଟା ହାୱା ନାହିଁ । ତଥାପି ଆଳି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ସଂଗଠନକୁ ମଜଭୁତ କରିବାରେ ଲାଗି ପଡ଼ିଛନ୍ତି ପ୍ରତାପ ଦେବ । ଅନ୍ୟ ପକ୍ଷରେ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ କଂଗ୍ରେସ ସଂଗଠନ ମଧ୍ୟ ନିଜର କାୟା ବିସ୍ତାର କରି ଚାଲିଛି । ଉଭୟ କଂଗ୍ରେସ ଓ ବିଜେଡ଼ି ସ୍ଥାନୀୟ ଉନ୍ନୟନ ଓ ସମସ୍ୟାକୁ ନେଇ ଲୋକଙ୍କ ପାଖରେ ପହଂଚୁ ଛନ୍ତି । ବାସ୍ତବରେ ଆଳି ଓ ରାଜକନିକା ଅଂଚଳରେ ସାଧାରଣ ଲୋକମାନେ ପାନୀୟ ଜଳ ସମସ୍ୟା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଭଳି ଅନେକ ମୌଳିକ ସମସ୍ୟା ସହିତ ଲଢି ଆସୁଛନ୍ତି । ସେମାନଙ୍କର ମୌଳିକ ସମସ୍ୟା ସମାଧାନ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ନେତା ଆଗେଇ ଆସି ନାହାନ୍ତି ବୋଲି ସାଧାରଣ ଲୋକେ ଅଭିଯୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *