ଯୋଗଜନ୍ମା ପୁରୁଷ ଥିଲେ ନଳିନି !

ଶରତ କୁମାର ରାଉତ
ଏମିତି କେତେକ ଯୋଗଜନ୍ମା ଅଛନ୍ତି, ଯେଉଁମାନେ ସମସାମୟିକ ବ୍ୟକ୍ତିମାନଙ୍କ ଠାରୁ ଅଧିକ ଯଶ-ଖ୍ୟାତିର ଅଧିକାରୀ ହୋଇଥାନ୍ତି ଓ ଅଜାତଶତ୍ରୁର ଆଖ୍ୟା ପାଇଥାନ୍ତି । ଏମିତି ଜଣେ ବ୍ୟକ୍ତିତ୍ୱ ଥିଲେ, ନଳିନି କାନ୍ତ ମହାନ୍ତି । ରାଜନୈତିକ ନେତାଙ୍କ ପାଖରୁ ଆରମ୍ଭ କରି ସାଧାରଣ ଲୋକେ ତାଙ୍କୁ ଖୁବ୍ ଶ୍ରଦ୍ଧା ଓ ସମ୍ମାନ କରନ୍ତି । ଚାରି ଦଶନ୍ଧି ଧରି ଓଡ଼ିଶା ରାଜନୈତିକ ଜଗତକୁ ପ୍ରଭାବିତ କରିଥିବା ସେହି ଲୋକପି୍ରୟ ନେତା ନଳିନି ୭ବର୍ଷ ତଳେ ମାତ୍ର ୬୩ ବର୍ଷ ବୟସରେ ଆମକୁ ଛାଡ଼ି ବହୁ ଦୂରକୁ ଚାଲି ଗଲେଣି । ୧୯୭୧-୭୨ ମସିହାର ପ୍ରଳୟଙ୍କରୀ ସାମୁଦ୍ରିକ ମହାପ୍ଲାବନରେ ରାଜନଗର ଓ ମହାକାଳପଡ଼ାରେ ଅନେକ ଧନ, ଜୀବନ ନଷ୍ଟ ହେବା ସହ ସାରା ଅଂଚଳ ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଥିଲା । ସେତେବେଳେ ସ୍ଥାନୀୟ ବିଧାୟକ ବିଜୁ ପଟ୍ଟନାୟକଙ୍କ ଆହ୍ୱାନରେ ସମସ୍ୟା ପୀଡ଼ିତ ଲୋକଙ୍କ ସେବାରେ ମାତ୍ର ୨୨ବର୍ଷ ବୟସରେ ନିଜକୁ ଉତ୍ସର୍ଗ କରିଥିଲେ ନଳିନି କାନ୍ତ । ଏହି ସମୟଠାରୁ ବିଜୁବାବୁଙ୍କ ନୀତି ଆଦର୍ଶକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ନିଜର ରାଜନୈତିକ ଜୀବନକୁ ଆଗେଇ ନେଇଥିଲେ ନଳିନି । ସେ ଥିଲେ ବିଜୁବାବୁଙ୍କ ରାଜନୈତିକ ମାନସ ପୁତ୍ର । ସେତେବେଳେ ଓଡ଼ିଶାର ଅବସ୍ଥା ସବୁ କ୍ଷେତ୍ରରେ ସାଂଘାତିକ ଥିଲା । ବିଜୁବାବୁ ନଳିନି, ଶ୍ରୀକାନ୍ତ,ବିଜୟ, ଅଶୋକଙ୍କ ଭଳି ଯୁବ ନେତୃତ୍ୱକୁ ନେଇ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖିଥିଲେ । ଫଳସ୍ୱରୂପ ୧୯୯୦ ମସିହାରେ ଦ୍ୱିତୀୟ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଥିଲେ ବିଜୁବାବୁ । ନିଜ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ପୂର୍ତ, ଗୃହ ଓ ନଗର ଉନ୍ନୟନ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ ନଳିନିଙ୍କୁ ଦାୟୀତ୍ୱ ଦେଇଥିଲେ ବିଜୁବାବୁ । ୧୯୯୦ରୁ ୧୯୯୫ ମଧ୍ୟରେ ହିଁ ନଳିନିଙ୍କର ପ୍ରଚଣ୍ଡ ରାଜନୈତିକ ପ୍ରତିଭା ସିଧା ଲୋକଲୋଚନକୁ ଆସିଥିଲା । ଯେହେତୁ ତାଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ସାରା ଓଡ଼ିଶାରେଆରମ୍ଭ ହୋଇଥିଲା ନିର୍ମାଣ ଯୁଗ । ରାସ୍ତାଘାଟ ପାଖରୁ ଆରମ୍ଭ କରି ନଦୀସେତୁ, ବିଭିନ୍ନ ସରକାରୀ ଗୃହ ଆଦି ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଚାଲିଥିଲା ।
ନଳିନି ଏକଧାରାରେ ଥିଲେ ଜଣେ ପ୍ରଚଣ୍ଡÿ ରାଜନୈତିକ ଜ୍ଞାନର ଅଧିକାରୀ, ସୁସଂଗଠକ, ଅମାୟିକ, ପରୋପକାରୀ ଓ ବନ୍ଧୁବତ୍ସଳ । ପ୍ରତି ମଣିଷକୁ ଆପଣାର କରିବାର କୌଶଳରେ ସେ ନିପୁଣ ଥିଲେ । ଦଳମତ ନିର୍ବିଶେଷରେ ସବୁ ନେତା ଓ ସାଧାରଣ ମଣିଷକୁ ସେ ବନ୍ଧୁ ଭାବରେ ଗ୍ରହଣ କରୁଥିଲେ । ସେଥିପାଇଁ ସେ ସାରା ଓଡ଼ିଶାର ଜନପି୍ରୟ ନେତା ହୋଇ ପାରିଥିଲେ ଓ ତାଙ୍କ ଦେହାନ୍ତ ପରେ ଦଳମତ ନିର୍ବିଶେଷରେ ସବୁ ନେତା ତାଙ୍କୁ ଅଜାତଶତ୍ରୁ ଆଖ୍ୟା ଦେଇଥିଲେ । ବାସ୍ତବରେ ସେ କାହାକୁ ନିଜର ଶତ୍ରୁ ବୋଲି ଭାବୁନଥିଲେ ଓ ସମସ୍ତଙ୍କୁ ସେ ବନ୍ଧୁତା ରଜ୍ଜୁରେ ବାନ୍ଧୁଥିଲେ । ସେଦିନ ତାଙ୍କର ଦେହାନ୍ତ ଖବର ମିଳିବା ପରେ ସମ୍ ହସ୍ପିଟାଲ୍ରେ ଯେଭଳି ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଭିଡ ଜମିଥିଲା, ତାହା ନଳିନିଙ୍କ ବନ୍ଧୁବତ୍ସଳତାର ଏକ ବଳିଷ୍ଠ ପ୍ରମାଣ । ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ, ସାଂସଦ ଓ ନେତାମାନେ ଶ୍ରଦ୍ଧାଞ୍ଜଳି ଦେବାବେଳେ କେତେଜଣ ତ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ । ବାସ୍ତବରେ ତାଙ୍କର ଆକର୍ଷଣୀୟ ଲୋକପି୍ରୟତା ଓ ଉତ୍ସର୍ଗୀକୃତ ଜନସେବା ଭଳି ମାନବୀୟ ଗୁଣ ପାଇଁ ସେ ଚିରଦିନ ଓଡ଼ିଶାବାସୀଙ୍କ ଭିତରେ ସ୍ମରଣୀୟ ହୋଇ ରହିବେ ।
କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ସବୁଠୁ ଅବହେଳିତ ରାଜନଗର ବ୍ଲକ୍ର ଏକ ଅନାମଧେୟ ଗ୍ରାମ ଫିରିକିଦାଣ୍ଡିରେ ୧୯୪୯ ମସିହା ଜାନୁୟାରୀ ୨୦ ତାରିଖରେ ଜନ୍ମିତ ନଳିନି ଛାତ୍ର ଜୀବନରୁ ସମାଜସେବାରେ ବ୍ରତୀ ହୋଇଥିଲେ । ବିଜୁ ପଟ୍ଟନାୟକଙ୍କୁ ନିଜର ରାଜନୈତିକ ଗୁରୁ ଭାବେ ଗ୍ରହଣ କରି ସେ ଜଣେ ଦୁର୍ଦ୍ଧର୍ଷ ରାଜନେତା ଭାବେ ନିଜକୁ ପ୍ରତିପାଦିତ କରିଥିଲେ । ଭାରତରେ ଜରୁରୀ ପରିସ୍ଥିତି ବେଳେ ସେ ଜେଲ୍ ଯାଇଥିଲେ । ୧୯୭୭ରେ ସେ ବିଜୁବାବୁଙ୍କ ଆଶୀର୍ବାଦରେ ରାଜନଗର ନିର୍ବାଚନ ମଣ୍ଡଳୀରୁ ଜନତା ପାର୍ଟି ଟିକଟରେ ନିର୍ବାଚିତ ହୋଇ ସକି୍ରୟ ରାଜନୀତିରେ ପ୍ରବେଶ କରିଥିଲେ । ଏହା ପରେ ୧୯୮୦,୧୯୮୫,୧୯୯୦,୧୯୯୫,୨୦୦୦,୨୦୦୪ରେ ସେ ଲଗାତାର ସାତ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୦ରୁ ୧୯୯୫ ଓ ୨୦୦୦ ରୁ ୨୦୦୧ ପର୍ଯ୍ୟନ୍ତ ପୂର୍ତ, ଗୃହ ନିର୍ମାଣ, ନଗର ଉନ୍ନୟନ ଓ ସଂସଦୀୟ ମନ୍ତ୍ରୀଭାବେ ସଫଳତାର ସହ କର୍ତବ୍ୟ ସଂପାଦିତ କରିଥିଲେ । ତେବେ ୨୦୦୦ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେଡ଼ିରେ ସାମିଲ ହୋଇ ଦଳର କାର୍ଯ୍ୟକାରୀ ସଭାପତି ଦାୟୀତ୍ୱ ଗ୍ରହଣ କରିଥିଲେ ।
ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜନଗର ଓ ମହାକାଳପଡ଼ା ବ୍ଲକ୍ ର ବିକାଶ ପାଇଁ ସେ ଯାହା କରିଯାଇଛନ୍ତି, ତାହା ହୁଏତ ଆଉ କାହା ଦ୍ୱାରା ସମ୍ଭବ ହୋଇ ନପାରେ । ଲୋକେ ତାଙ୍କୁ ନିଜ ପରିବାରର ସଦସ୍ୟ ଭଳି ଗ୍ରହଣ କରିଥିଲେ । ତାଙ୍କ ସମୟରେ ଉଭୟ ବ୍ଲକ୍ ଅଂଚଳରେ ଯାତାୟତ, ଜଳସେଚନ, ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ବହୁ ଉନ୍ନତି ହେବା ସହ ଅନେକ ବେକାର ଯୁବକ ଯୁବତୀ କର୍ମନିଯୁକ୍ତି ପାଇଥିଲେ । ୧୯୬୭ ଓ ୧୯୭୨ର ସାମୁଦ୍ରିକ ମହାପ୍ଲାବନରେ ରାଜନଗର, ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇର ଅନେକ ଧନ-ଜୀବନ ନଷ୍ଟ ହୋଇଥିବା ବେଳେ ୧୯୮୨ ସାମୁଦ୍ରିକ ଜୁଆରରେ ଉପକୂଳବାସୀଙ୍କର ପ୍ରଭୃତ କ୍ଷୟକ୍ଷତି ହୋଇଥିଲା । ଏହାର ସ୍ଥାୟୀ ସମାଧାନ ପାଇଁ ନଳିନି ନିଷ୍ଠାର ସହ କର୍ଯ୍ୟ କରିଥିଲେ । ତାଙ୍କ ଉଦ୍ୟମରେ ବିଭିନ୍ନ ଗାଁ ଗାଁ ମଧ୍ୟରେ ସଂଯୋଗୀ ରାସ୍ତା, ରାଜନଗର ଅଂଚଳକୁ ରାଜଧାନୀ ସହ ସଡ଼କ ପଥରେ ସଂଯୋଗ ପାଇଁ ହଂସୁଆ ସେତୁ ନିର୍ମାଣ, ମହାକାଳପଡ଼ାର ସବୁଠୁ ଆବଶ୍ୟକୀୟ ଓର୍ତ ଓ ବାବର ସେତୁ ଭଳି ଉଭୟ ବ୍ଲକ୍ ଅଂଚଳରେ ଶହ ଶହ ସେତୁ ନିର୍ମାଣ, ହଜାର ହଜାର ନଳକୂପ ସ୍ଥାପନ,ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସୁଦୃଢୀକରଣ, ଜଳସେଚନ, କୃଷି ଓ କୃଷକର ଉନ୍ନତି ତଥା ସବୁ ବର୍ଗର ଲୋକଙ୍କ ଉନ୍ନତି ନିମନ୍ତେ ଅନେକ ପଦକ୍ଷେପ ନେଇଥିଲେ । ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ପାଇଁ ତାଙ୍କ ଉଦ୍ୟମରେ୧୯୮୦ ରେ ବରୁଣେଇ ନିକଟସ୍ଥ ଜଗରିଜୋର ଠାରେ ସରକାର ଓ ବିଶ୍ୱବ୍ୟାଙ୍କ୍ର ମିଳିତ ସହାୟତାରେ ଏକ ନଡ଼ିଆ ଚାଷ ପ୍ରକଳ୍ପ ଓ ୧୯୯୪ରେ ସେହି ସ୍ଥାନରେ ବିଶ୍ୱବ୍ୟାଙ୍କ୍ ସହାୟତାରେ ଏକ ଚିଙ୍ଗୁଡ଼ି ଚାଷ ପ୍ରକଳ୍ପ ଆରମ୍ଭ କରାଯାଇଥିଲା ।
ବାସ୍ତବରେ ମଣିଷ ପରି ମଣିଷଟିଏ ଥିଲେ ସିଏ, କୋଟିକରେ ଗୋଟିଏ । ଆଜି ମଧ୍ୟ ତାଙ୍କୁ ଭଲ ପାଉଥିବା ଲୋକଙ୍କ ଆଖିରୁ ଲୁହ ଝରୁଛି । ସେ ଥିଲେ ମୋର ସଂପର୍କୀୟ ମାମୁଁ । ପିଲାଟି ବେଳୁ ମୁଁ ତାଙ୍କ ସହିତ ମିଶି ଆସିଛି । ମୁଁ ଅଭିଭୂତ ହୋଇଛି ତାଙ୍କର ଅମାୟିକତ୍ୱ ଓ ମଣିଷ ପଣିଆ ଦେଖି । ଆହା, ନିର୍ଲିପ୍ତ ମଣିଷଟିଏ! ମାନବିକତାର ପ୍ରଲେପ ସ୍ୱଷ୍ଟ ବାରି ହୋଇଯାଏ ତାଙ୍କ ଭିତରେ । ହୁଏତ ସେ ଜୀବନର ଆରମ୍ଭରୁ ବୁଝିଥିଲେ ମଣିଷ ଭିତରର ଭାବ-ଅଭାବ ଓ ଆବଶ୍ୟକତାକୁ । ସବୁବେଳେ ସେ ଜଣାପଡ଼ନ୍ତି ଯେମିତି ସବୁଥିରେ ଥାଇ କୋଉଥିରେ ନଥାନ୍ତି, ଲୋଭ, ମୋହ, ମାୟା,ବିଳାସର ବହୁ ଉଦ୍ଧ୍ୱର୍ରେ! ସ୍ଥିତପ୍ରଜ୍ଞ ସାଧୁଟିଏ ଭଳି! ତାଙ୍କଠାରେ ନଥିଲା ଜଣେ ପ୍ରଭାବଶାଳୀ ରାଜନୀତିଜ୍ଞର ବେଶପୋଷାକ, ଚାଲିଚଳନୀ କି ଆଭିଜାତ୍ୟ! ତାଙ୍କର ସାଧାରଣ ପୋଷାକ ତଳେ ଲୁକ୍କାୟିତ ମଣିଷତ୍ୱ ଅଭିଭୂତ କରୁଥିଲା ସବୁ ବର୍ଗର ଲୋକଙ୍କୁ । ସମସ୍ତଙ୍କ ପାଇଁ ସେ ପାଲଟି ଯାଇଥିଲେ ଯେମିତି ଦରଦୀ ରାଜନୀତିକ ନେତା ବା ଏକ ସଫଳ ମଣିଷର ସଜ୍ଞା । ସାଧାରଣ ଲୋକଙ୍କ ସହ ତାଙ୍କର କଥାବାର୍ତା ଓ ଭେଟ ବେଳେ ଦେଖାଯାଏ ସେମାନଙ୍କ ଭିତରେ ସୃଷ୍ଟ ସଂପର୍କ ବାସ୍ତବ ଆଉ ମଣିଷକୁ ମଣିଷ ଭଲ ପାଇବାର ଏକ ଶ୍ରେଷ୍ଠ ନିଦର୍ଶନ । ସେତିକିବେଳେ ସେ ଭୁଲିଯାଆନ୍ତି ନିଜକୁ, ନିଜ ପ୍ରଚଣ୍ଡ ରାଜନୀତିକ ପ୍ରତିଭାକୁ, ପଦବୀକୁ ଓ ନିଜ କାର୍ଯ୍ୟବ୍ୟସ୍ତ ଜୀବନକୁ । ମୃତୁ୍ୟ ଚିରନ୍ତନ ସତ୍ୟ । ଏହା ଯେତେ ନିଷ୍ଠୂର ଓ କଠୋର ଲାଗିଲେ ବି ସମସ୍ତେ ଗ୍ରହଣ କରିବାକୁ ବାଧ୍ୟ । ଭଗବାନ ଯାହାକୁ ବେଶୀ ଭଲ ପାଆନ୍ତି, ତାକୁ ନିଜ ପାଖକୁ ଶୀଘ୍ର ନେଇଯାଆନ୍ତି ବୋଲି ଧାରଣା ରହିଛି । ତାଙ୍କ କ୍ଷେତ୍ରରେ ସେଇଆ ଘଟିଲା ବୋଲି ଆମେ ଭାବୁଛୁ । ତାଙ୍କର ପାର୍ଥିବ ଶରୀର ସିନା ପଂଚଭୂତରେ ଲୀନ ହୋଇ ଯାଇଛି, ହେଲେ ତାଙ୍କର ବନ୍ଧୁ ବତ୍ସଳତା, କର୍ତବ୍ୟ ପରାୟଣତା ଓ ହସ ହସ ମୁହଁ ତାଙ୍କୁ ଚିରଦିନ ପାଇଁ ଅମର କରି ରଖିବ ।

Leave a Reply

Your email address will not be published. Required fields are marked *