୨୦୧୯ ନିର୍ବାଚନର ହାରଜିତ!

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ

ଚଳିତ ନିର୍ବାଚନର ଫଳାଫଳକୁ ନେଇ ନାନା ପ୍ରକାର କଳ୍ପନା ଜଳ୍ପନା ପ୍ରକାଶ ପାଉଛି । ପ୍ରତ୍ୟେକ ରାଜନୈତିକ ଦଳ ବହୁମତ ପାଇବେ ବୋଲି ଛତିରେ ହାତ ବାଡେଇ ଦାବି କରୁଛନ୍ତି । ଗଣତାନ୍ତ୍ରୀକ ଶାସନ ପଦ୍ଧତିରେ ନିର୍ବାଚନ ଓ ରାଜନୈ÷ତିକ ଦଳ ମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଅଛି । ରାଜନୈତିକ ଦଳ ମାନେ ଏକ ନିର୍ଦ୍ଧିଷ୍ଟ ନିତି ଓ ଆଦର୍ଶକୁ ନେଇ ଲୋକମାନଙ୍କ ପାଖକୁ ଯାଆନ୍ତି ଓ ସେମାନଙ୍କର ସମର୍ଥନ ଲୋଡିଥାନ୍ତି । ଲୋକମାନେ ଯେଉଁ ଦଳକୁ ବହୁମତ ଦେଇ ସମର୍ଥନ କରନ୍ତି ତାହା ଏକ ଦାୟିତ୍ୱପୂର୍ଣ୍ଣ ସରକାର ଗଠନ କରିଥାଏ ।
ଚଳିତ ନିର୍ବାଚନରେ ଏକ ଅଦ୍ଭୁତପୂର୍ବ ଅବସ୍ଥା ସୃଷ୍ଟ ହୋଇଛି । ନିତି ଓ ଆଦର୍ଶକୁ ସପୂର୍ଣ୍ଣ ରୁପେ ଜଳାଞ୍ଜଳି ଦିଆ ଯାଇଛି । ଦିର୍ଘ ଦିନର ସଂଗ୍ରାମ ପରେ ଆମେ ସ୍ୱାଧିନତା ପାଇଥିଲେ । ପରବର୍ତି ସମୟରେ ଯାହା କିଛି ନିତି ଆଦର୍ଶ ଥିଲା ଚଳିତ ନିର୍ବାଚନରେ ପାଣ ଫୋଟକା ଭଳି ମିଳେଇ ଯାଇଛି । କହିବାକୁ ଗଲେ କେଉଁ ଦଳ ଜିତିବ କେଉଁ ଦଳ ହାରିବ ତାହା ଅପ୍ରାସଂଗିକ ହୋଇଯାଇଛି । ସ୍ୱାର୍ଥ ଓ ମିଥ୍ୟାର ଅନ୍ଧକାରରେ ସବୁ ଦଳ ନିଜର ସତା ହରେଇ ଦେଇଛନ୍ତି । ମିଥ୍ୟା ଓ ଦଳ ବଦଳକୁ ସମସ୍ତେ ଆପଣେଇ ନେଇଛନ୍ତି । ତେଣୁ ଏହି ନିର୍ବାଚନ ମହାଭାରତ ଯୁଦ୍ଧରେ ସ୍ୱାର୍ଥ ଓ ଅସତ୍ୟର ଯେ ଜୟ ହେବ ତାହା ଜଳ ଜଳ ହୋଇ ଦେଖା ଯାଉଛି ।
ମହାଭାରତ ଯୁଦ୍ଧର କୁରୁରାଣୀ ଗାନ୍ଧାରୀ ଯଦି ଆଜି ଥାଆନ୍ତେ, ଏହି ନିର୍ବାଚନ ରୁପି ମହାଭାରତ ଯୁଦ୍ଧକୁ ଯାଉଥିବା ତାଙ୍କର ଅଲିଅଳ ପୂଅ ଦୁର୍ଯୋଧନ ଓ ଦୁଃଶାସନକୁ କହି ଥାଆନ୍ତେ, “ଅକ୍ଷୟ ହେଉ ସ୍ୱାର୍ଥ ଜଗତେ ପାପର ହେଉ ଜୟ’’ ।
ମହାଭାରତ ଯୁଦ୍ଧର ଅନ୍ୟତମ ମହାରଥୀ ସୁତ ପୂତ୍ର କର୍ଣ୍ଣ । ଭାଗ୍ୟର ବିଡମ୍ବନାରେ ସେ ନିମ୍ନ ଜାତିରେ ଜନ୍ମ ଯୋଗୁଁ ଜୀବନରେ ବାରମ୍ବାର ଲାଂଛିତ ହୋଇଥିଲେ, ତଥାପି ସେ ହାରି ଯାଇନଥିଲେ । ବରଂ ଗର୍ବରେ ଘୋଷଣା କରିଥିଲେ, ଉଚ୍ଚ କୁଳରେ ଜନ୍ମ ହେବା ଦୈବର ଅଧିନ । ମାତ୍ର ପୁରୁଷାକାର ମୋର ଅଧୀନ । ପିତା ଅଧିରଥ ଓ ମା ରାଧା ଦେବୀଙ୍କ ଦ୍ୱାରା ପାଳିତ ହୋଇ ନିଜ ଉଦ୍ୟମ ବଳରେ ମହାରଥୀର ପଦ ବାଚ୍ୟ ହୋଇଥିଲେ । ଦ୍ୱନ୍ଦ ଯୁଦ୍ଧରେ ଅର୍ଜୁନଙ୍କୁ ପରାସ୍ତ କରିବା ପାଇଁ ସେ ଦିବ୍ୟ ଅସ୍ତ୍ର ସାଇତି ରଖିଥିଲେ । ମାତ୍ର ଯୁଦ୍ଧର ଅଳ୍ପ ଦିନ ଆଗରୁ ଯୋଗେଶ୍ୱର କୃଷ୍ଣ ଓ ପାଣ୍ଡବ ରାଜମାତାା କୁନ୍ତି ଦେବୀ ତାଙ୍କ ନିକଟକୁ ଆସି ତାଙ୍କର ଜନ୍ମ ରହସ୍ୟ ଖୋଲି ଦଳ ବଦଳ ପାଇଁ ପ୍ରଲୋଭିତ କରିଥିଲେ । କହିଥିଲେ ସେ ସୂତ ପୁତ୍ର ନୁହନ୍ତି । ପବିତ୍ର ଚନ୍ଦ୍ର ବଂଶରେ କୁନ୍ତିଙ୍କର କୁମାରୀ ଅବସ୍ଥାରେ ଜାତ ଓ ସେ ହିଁ ପ୍ରଥମ ପାଣ୍ଡବ । ସେ ଚାହିଁଲେ ଉଭୟ କୁରୁ ରାଜ୍ୟ ସିଂହାସନ ଓ ପାଣ୍ଡବ ରାଜମହିସୀ ବରନାରୀ ଦୈ୍ରାପଦୀ ତାଙ୍କ ପାଦ ତଳକୁ ଆସିବେ । ମହାଭାରତ ଯୁଦ୍ଧର ବିଭିଷିକା ବନ୍ଦ ହୋଇଯିବା ।
ମ୍ଲାନ ହସ ଟିଏ ହସି କର୍ଣ୍ଣ ସେହି ଅପୂର୍ବ ପ୍ରଲୋଭନକୁ ପାଦରେ ଠେଲି ଦେଲେ ଓ କହିଲେ, ଦୂନିଆରେ ତାଙ୍କର ପରିଚୟ ସୂତ ପୁତ୍ର । ପିତା ଅଧିରଥ ଓ ମା ରାଧୀକା ତାଙ୍କର ପାଳନ କର୍ତା । ଦୁର୍ଯୋଧନ ତାଙ୍କର ଏକମାତ୍ର ବନ୍ଧୁ, ଯିଏ ତାଙ୍କ ଭଳି ସୂତ ପୁତ୍ରକୁ ବକ୍ଷରେ ସ୍ଥାନ ଦେଇଛି, ମୁଣ୍ଡରେ ଅଙ୍ଗ ଦେଶର ରାଜ ମୁକୁଟ ପିନ୍ଧାଇ ଦେଇଛି । ମୋ ଉପରେ ଭରସା ରଖି ଯୁଦ୍ଧ ଆରମ୍ଭ କରିଛି । ଆଜି ପକ୍ଷ ପରିବର୍ତନ କଲେ ଇତିହାସ କହିବ କର୍ଣ୍ଣ ସ୍ୱାର୍ଥପର ଓ ଭିରୁ ।
ମହାଭାରତ ଯୁଦ୍ଧର ଅନ୍ୟ ଏକ ମହାରଥି ମହାରାଜ ଶଲ୍ୟ ସମ୍ପର୍କରେ ପାଣ୍ଡବ ମାନଙ୍କର ମାମୁ । ନିଜର ଅଜାଣତରେ ଦୁର୍ଯୋଧନଙ୍କୁ ସେ ସାହାଯ୍ୟ କରିବେ ବୋଲି ପ୍ରତିସୃତି ଦେଇଥିଲେ ଓ ସେଥିରେ ଅଟଳ ରହିଲେ । ନିଜର ଭଣଜାଙ୍କ ବିରୁଦ୍ଧରେ ଲଢି ରଣ କ୍ଷତ୍ରରେ ବିରଗତି ପ୍ରାପ୍ତ ହେଲେ, ମାତ୍ର ଧର୍ମର ଅମର୍ଯ୍ୟାଦା କଲେ ନାହିଁ ।
୫୦୦୦ ବର୍ଷ ପରେ ଆଜିର ନିର୍ବାଚନ ମହାଭାରତରେ ଆମେ କଣ ଦେଖୁଚୁ? ଗାନ୍ଧିଙ୍କ ଆଦର୍ଶରେ ଗଢି ଉଠିଥିବା କଂଗ୍ରେସ ଦଳର କଥା ଦେଖନ୍ତୁ । ସତ୍ୟ ଥିଲା ଗାନ୍ଧିଜୀଙ୍କ ଆଦର୍ଶ । ଏମାନେ ଘୋଷଣା କରିଥିଲେ ଗୋଟିଏ ପରିବାରରୁ ଜଣକୁ ଟିକେଟ ଦିଆଯିବ । ମହିଳା ମାନଙ୍କୁ ଶତକଡା ୩୩ ଭାଗ ସିଟ୍ ଦିଆଯିବ । ମାତ୍ର କେତୋଟି ଦିନ ପରେ ଏମାନଙ୍କର ଭାଷା ବଦଳି ଗଲା । ନିଜେ ପକେଇ ଥିବା ଛେପକୁ ନିଜେ ଢୋକିଲେ । ଦିଲ୍ଲୀରେ ମା, ପୁଅ ଟିକଟ ପାଇଲେ । ରାଜ୍ୟରେ ସଭାପତି ଓ ତାଙ୍କ ପୁଅ ପ୍ରାର୍ଥୀ ହେଲେ । ବଡ ବଡ ମଙ୍ଗୁଆଳ ନିଜ ଭାଇ ବିରାଦଙ୍କୁ ଟିକଟ ଦେଲେ । ଶେଷକୁ ତାଙ୍କର କର୍ମିମାନେ କହିଲେ, ଦଳରେ ଟିକଟ ବିକି୍ର ହେଉଛି ।
ନିଜକୁ ଏକ ମଜବୁତ୍ କ୍ୟାଡର ଦଳ ଓ ପାର୍ଟି ୱିଥ୍ ଡିଫେରେନ୍ସ ବୋଲି ଦାବି କରୁଥିବା ବିଜେପି ଦଳର ମଧ୍ୟ ସମ ଅବସ୍ଥା । ଏମାନଙ୍କ ଘରେ ନିଜ ଲୋକ ଅପେକ୍ଷା କୁଣିଆ ବେସି । ଟିକଟ ପାଇଲା ପରେ କର୍ମି ମଧ୍ୟ ଅନ୍ୟ ଦଳକୁ ଚାଲି ଯାଉଛନ୍ତି । ଅନ୍ୟ ଦଳର ନେତା କାଲି ଆସି ଆଜି ସେ ଦଳରେ ଟିକଟ ପାଉଛନ୍ତି । କୁଆଡେ ଗଲା ଜନସଂଘ ସମୟର ଆଦର୍ଶ । କୁଆଡେ ଗଲା ଦିନ ଦୟାଲଙ୍କ ମହତ ବାଣୀ । ଆର ଏସ ଏସର ଦେଶ ପ୍ରେମ କାହିଁ? ଜନ ସଂଘ ବେଳେ ଏମାନେ କ୍ଷମତାରେ ନଥିଲେ । ମାତ୍ର ଆଦର୍ଶକୁ ଛାଡି ନଥିଲେ । ଆଜି ଏମାନେ କ୍ଷମତା ପାଇଛନ୍ତି କିନ୍ତୁ ଆଦର୍ଶ ହଜି ଯାଇଛି ।
ରାଜ୍ୟକୁ ୨୦ ବର୍ଷ ଶାସନ କରିଥିବା ବିଜେଡି ଦଳର ଅବସ୍ଥା ସମସ୍ତଙ୍କ ଠାରୁ ଅଧିକ । ଏ ଦଳ ଜଣେ ଲୋକର ମର୍ଜିରେ ଚାଲୁଅଛି । କାହାର ପଦେ କଥା କହିବାର ଜୁ ନାହିଁ । ଜଣେ ରାଜା ସମସ୍ତେ ଚାକର । ଦଳ ଓ ଶାସନ ମଧ୍ୟରେ ପ୍ରଭେଦ ନାହିଁ । ଭୋଟ ପୂର୍ବରୁ ସରକାରୀ ଟଙ୍କା ବାଂଟି ତାହା ସବୁଠାରୁ ଭଲ ଯୋଜନା ବୋଲି ଭାଷଣ ମାରୁଛନ୍ତି । ନିଜେ ମୁଖ୍ୟ ମନ୍ତ୍ରୀ ଦଳ ତ୍ୟାଗୀ ମାନଙ୍କୁ ଫୁଲ ମାଳ ପିନ୍ଧାଉଛନ୍ତି । ଅନ୍ୟ ଦଳରୁ ନେତାଙ୍କୁ ଆଣିବା ପାଇଁ ସବୁ ପ୍ରକାର ପନ୍ଥା ଆପଣେଇ ନେଉଛନ୍ତି । ତଥାପି କହୁଛନ୍ତି ତାଙ୍କ ଧଳା ପୋଷାକରେ କଳା ଦାଗ ଲାଗିନାହିଁ ।
ରାଜନୈତିକ ଦଳ ମାନଙ୍କର ଦୟନିୟ ଅବସ୍ଥା ଦେଖିଲେ ଦୁଃଖ ଲାଗୁଛି । ଜୀବନ ସାରା କ୍ଷମତା ଉପଭୋଗ କରି ମଧ୍ୟ ବୁଢା ବାପର ଆଶା ମେଂଟୁନି । ବାଡି ଧରି ଥର ଥର ହୋଇ ପାର୍ଟି ଅଫିସକୁ ଆସି ପୁଅକୁ ଟିକଟ ଦେବା ପାଇଁ ହାତ ଯୋଡୁଛି । ଟିକଟ ନପାଇଲେ କିଏ ଭୋ ଭୋ କାନ୍ଦି ପକାଉଛି ତ କିଏ ଆତ୍ମାହୁତି ଦେବାକୁ ଧମକ ଦେଉଛି । କାଳେ ଟିକଟ ନମିଳିବ ଆଗରୁ ଅନ୍ୟ ଦଳ ସହିତ ଲବି ଆରମ୍ଭ କରି ଦେଉଛନ୍ତି । ନିର୍ଲଜଙ୍କ ଭଳି କହୁଛନ୍ତି, ପରିବାର ବାଦ ଖରାପ ନୁହଁ । ଏମ.ଏଲ.ଏ ର ପୁଅ ହିଁ ଏମ.ଏଲ.ଏ ହେବା ଉଚିତ । ଗାଡି ମାନଙ୍କରୁ ଲକ୍ଷ ଲକ୍ଷ ଟଙ୍କା ଧରା ପଡୁଛି । ସମାବେଶ ନାଁ ରେ କୋଟି କୋଟି ଟଙ୍କା ଉଡୁଛି । ମାଂସ ଭୋଜିରେ ଦେଶ ଦୁଲୁକୁଛି । ସବୁଆଡେ ଗଦା ଗଦା ଅଇଁଠା ଖଲି ଓ ଫିଙ୍ଗା ଗିଲାସ । ଏମାନେ ପୁଣି କରିବେ ସ୍ୱଚ୍ଛ ଭାରତ । ନେତା ମାନେ ଘରେ ଘରେ ଟଙ୍କା ବାଂଟୁଛନ୍ତି, ଅନ୍ଧାର ରାତିରେ ମୁହଁକୁ ଲୁଗାରେ ଢାଙ୍କି ।
ନେତାଙ୍କର ଏ ଅବସ୍ଥା ଦେଖିଲେ ମନେପଡେ ବିଭାଜନ ପୂର୍ବରୁ ପାକିସ୍ଥାନର ପ୍ରତିଷ୍ଠାତା ଜିନ୍ନାଙ୍କର ସେହି ଅପ୍ରିୟ ସତ୍ୟ କଥା । ଭାରତୀୟ ନେତା ମାନେ ଛଳନାର ଗୋଟିଏ ଗୋଟିଏ ଅବତାର । ଏମାନଙ୍କର କହିବା ଓ କରିବା କେବେ ସମାନ ନୁହେଁ । ଗଣତନ୍ତ୍ର ଆଜି ଧ୍ୱଂସର ଶେଷ ପାହାଚରେ ପହଂଚି ଯାଇଛି । ଏହି ସ୍ୱାର୍ଥ ଓ ଅସତ୍ୟର ମୂର୍ତିମନ୍ତ ରାକ୍ଷସ ମାନଙ୍କ କବଳରୁ ରକ୍ଷା ପାଇବାର ଏକ ମାତ୍ର ଉପାୟ ହେଉଛି, ସଚେତନ ନାଗରିକ ମାନେ ଅଧିକରୁ ଅଧିକ ନୋଟାରେ ଭୋଟ ଦେଇ ଏକ ସାମ୍ବିଧାନିକ ସଂକଟ ସୃଷ୍ଟି କରି ପ୍ରଚଳିତ ନିର୍ବାଚନ ପଦ୍ଧତିକୁ ସଂପୂର୍ଣ୍ଣ ରୁପେ ବଦଳାଇ ଦେବା ।

Leave a Reply

Your email address will not be published.