ବିକଶିତ ରାଜ୍ୟରେ ପରିଣତ ହେବ ଓଡ଼ିଶା!

ଶରତ କୁମାର ରାଉତ
୨୦୧୪ ସାଧାରଣ ନିର୍ବାଚନରେ ଅଭୁତପୂର୍ବ ଭାବେ ସାରା ଦେଶରେ ମୋଦି ସୁନାମୀରେ ଧରାଶାୟୀ ହୋଇ ମାଟି କାମୁଡ଼ି ଥିଲା ଦେଶର ସର୍ବପୁରାତନ ଦଳ କଂଗ୍ରେସ । ନିର୍ବାଚନ ଫଳାଫଲରୁ ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡ଼ିଥିଲା ଯେ, ଭାରତର ଲୋକେ ପୂର୍ବାପେକ୍ଷା ସଚେତନ ହୋଇଛନ୍ତି । ଭଲ ଭାବରେ ଚିନ୍ତା କରି ଦଳ ଓ ପ୍ରାର୍ଥୀଙ୍କୁ ବାଛିଛନ୍ତି । ମାତ୍ର ଓଡ଼ିଶାରେ ମୋଦିଙ୍କ ପ୍ରଭାବ ଲୋକଙ୍କ ଉପରେ ଟିକେ ବି ପଡ଼ିନଥିଲା । ନବିନ ବାବୁଙ୍କ ନେତୃତ୍ୱରେ ବିଜେଡ଼ି ୧୧୭ଟି ବିଧାନସଭା ଆସନ ଓ ୨୦ଟି ଲୋକସଭା ଆସନ ଅକ୍ତିଆର କରି ନେଇଥିଲା । ନବିନ ବାବୁ ୪ ଥର ମୁଖ୍ୟମନ୍ତ୍ରୀ ପଦରେ ବସି ଲଗାତାର ୧୯ ବର୍ଷ ଧରି ଓଡ଼ିଶା ଶାସନ କରୁଛନ୍ତି । ହେଲେ ଏହି ଲମ୍ବା ସମୟ ମଧ୍ୟରେ ଓଡ଼ିଶାରେ ସେଭଳି କିଛି ବିକାଶ ହୋଇନଥିବା ଦେଖା ଯାଇପାରେ । ଯାହା କିଂଚିତ ବିକାଶ ହୋଇଛି, ତାହାଠାରୁ ଅଧିକ ଦୁର୍ନୀତି, ବାଟମାରଣା ଓ ଠକେଇ ହୋଇଛି । ସ୍ୱାଧୀନତାର ପ୍ରଥମ ୫୩ ବର୍ଷରେ ଯେତିକି ଖଣିଜ ସଂପଦ ଉତୋଳନ ହୋଇନଥିଲା, ନବିନବାବୁଙ୍କ ପ୍ରଥମ ୧୦ ବର୍ଷର ଶାସନ ମଧ୍ୟରେ ତାହାଠାରୁ ଅନେକ ଗୁଣର ଖଣିଜ ସଂପଦ ଲୁଟ୍ ହୋଇଗଲା । ଏଥିପାଇଁ ଦାୟୀ କିଏ ହେବେ? ଓଡ଼ିଶାରେ ଖଣି ମହାଦୁର୍ନୀତି ମାମଲାର ବିଚାର କରି ସୁପି୍ରମକୋର୍ଟ ଖଣି ଚୋର ମାନଙ୍କ ଠାରୁ ୧୦୦% ଜରିମାନା ଆଦାୟ କରିବାକୁ ରାୟରେ ପ୍ରକାଶ କରିଥିଲେ । ଏହିପରି ନବିନବାବୁଙ୍କ ଶାସନ ସମୟରେ ଦୁର୍ନୀତିର ଚେର ଖୁବ୍ ଲମ୍ବା ।
ଓଡ଼ିଶାର ମାଟି ତଳେ ପ୍ରଚୁର ଖଣିଜ ସଂପଦ ଭରି ରହିଛି । ପ୍ରାକୃତିକ ଦୃଶ୍ୟରାଜିରେ ଭରା ଓଡ଼ିଶା ଦେଶ ବିଦେଶରେ ଏକ ମନୋରମ ରାଜ୍ୟ ଭାବେ ପରିଚିତ । ରାଜ୍ୟରେ ବ୍ୟାପକ ପର୍ଯ୍ୟଟନ ଶିଳ୍ପର ସୁଯୋଗ ରହିଥିବା ବେଳେ ପର୍ଯ୍ୟାପ୍ତ ଜଙ୍ଗଲ ସଂପଦ, ମତ୍ସ୍ୟ ସଂପଦ, ଜଳ ସଂପଦ ଓ ଶହେଭାଗ ଉର୍ବର ଚାଷ ଜମି ରହିଛି । ରାଜ୍ୟରେ ବୌଦ୍ଧିକ ସଂପଦ ଓ ପ୍ରତିଭାର ଅଭାବ ନାହିଁ । ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଭାଷା-ସାହିତ୍ୟ ଦେଶ ବିଦେଶରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି । ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ସାରା ବିଶ୍ୱରେ ଖ୍ୟାତ । ଓଡ଼ିଶା ମନ୍ଦିର ମାଳିନି ରାଜ୍ୟ ଭାବେ ସର୍ବ ବିଦିତ । କଠିନ ପରିଶ୍ରମ କରିବାରେ ମଧ୍ୟ ଓଡ଼ିଆ ଅନ୍ୟ ରାଜ୍ୟବାସୀଙ୍କ ତୁଳନାରେ କିଛି କମ୍ ନୁହଁନ୍ତି । ରାଜ୍ୟରେ ୭୦ କୋଟି ଘନମିଟର ଭୂତଳ ଜଳ ଗଚ୍ଛିତ ରହିଛି, ଯାହା ଦେଶର ମୋଟ ଜଳ ସଂପଦର ୧୧ ଶତକଡ଼ା । ରାଜ୍ୟରେ ୭୯ ଲକ୍ଷ ହେକ୍ଟର କୃଷି ଉପଯୋଗୀ ଜମି ରହିଛି । ଏଥିରୁ ମାତ୍ର ୪୫ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ଓ ୧ ଲକ୍ଷ ୬୫ ହଜାର ହେକ୍ଟର ଜମିରେ ଅର୍ଥକାରୀ ଫସଲ ହେଉଛି । ଅନ୍ୟପକ୍ଷରେ ପ୍ରାୟ ୧୧.୫ ଲକ୍ଷ ହେକ୍ଟର ଚାଷ ଜମି ଜଳସେଚିତ ହୋଇଥିବା ବେଳେ ବାକି ଜମି ଜଳସେଚିତ ହୋଇନାହିଁ । ଆମ ରାଜ୍ୟରେ ଥିବା ୪୮୦ କି.ମି. ସୁଦୀର୍ଘ ମନୋରମ ସମୁନ୍ଦ୍ର ଉପକୂଳ ଓ ଏସିଆ ମହାଦେଶର ସର୍ବ ବୃହତ ଲବଣାକ୍ତ ହ୍ରଦ ଚିଲିକା ରାଜ୍ୟର ଗୌରବ ବହନ କରୁଛି । ବିଶ୍ୱ ବିଖ୍ୟାତ ଭିତରକନିକା ଅଭୟାରଣ୍ୟ, ଦୁର୍ଲଭ ଅଲିଭ୍ ରିଡ୍ÿଲେ କଇଁଛ ମାନଙ୍କ ଏନ୍ତୁଡ଼ିଶାଳ, କୂମ୍ଭୀର ପ୍ରଜନନ କେନ୍ଦ୍ର, ବିଶାଳ ସାମୁଦ୍ରିକ ଅଭୟାରଣ୍ୟ, ହେନ୍ତାଳ ବଣ ଆଦି ଓଡ଼ିଶାର ଗର୍ବ ଓ ଗୌରବ । ହେଲେ ଦୁଃଖର କଥା, ଓଡ଼ିଶାରେ ସବୁକିଛି ଥିବା ସତ୍ୱେ ଓଡ଼ିଶା ଦରିଦ୍ର ବୋଲି କୁହାଯାଇ ଆସୁଛି । ଏପରିକି ଓଡ଼ିଶା ଭାରତର ସବୁଠୁ ପଛୁଆ ଓ ଅବହେଳିତ ରାଜ୍ୟ । ଓଡ଼ିଶାରେ ଦାରିଦ୍ର୍ୟର ଉତ୍ପାତ ସବୁଠୁ ବେଶୀ । ଅନାହାର, ଅର୍ଦ୍ଧାହାର ଓ ଅଳ୍ପାହାରରେ ବଂଚୁଥିବା ଲୋକଙ୍କ ସଂଖ୍ୟା ବହୁ ଅଧିକ । ଏଠାକାର ଅଧିକାଂଶ ଶିଶୁ ପୃଷ୍ଟିହୀନତାର ଶିକାର ହେଉଛନ୍ତି । ପେଟକୁ ମୁଠାଏ ଦାନା ପାଇଁ ଓଡ଼ିଆର ଆର୍ତ ଚିକ୍ରାର ସାରା ଦେଶରେ ପ୍ରକମ୍ପିତ ହେଉଛି । ଓଡ଼ିଶାର ଅନାହାର ମୃତୁ୍ୟ ଖବର ବିଶ୍ୱବାସୀଙ୍କୁ ସ୍ତବ୍ଧ କରୁଛି । ଓଡ଼ିଶାରେ ଶିଶୁ ଓ ଗର୍ଭବତୀ ମାତୃ ମୃତୁ୍ୟହାର ସର୍ବାଧିକ…ଇତ୍ୟାଦି । ଏଥିରୁ କେବେ ଓଡ଼ିଶା ମୁକୁଳିବ, ତାହା ଜଗନ୍ନାଥଙ୍କୁ ଜଣା ।
ବାସ୍ତବରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବା ରାଜ୍ୟ ନେତୃତ୍ୱର ଅପାରଗତା ଯୋଗୁ ରାଜ୍ୟର ବିକାଶ ହୋଇ ପାରୁନାହିଁ । ନିର୍ବାଚନ ଜିତି କେହିଜଣେ ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି । ହେଲେ ସମସ୍ତେ ଭଲ ଶାସକ ହୋଇ ପ୍ରଜା ମାନଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରି ପାରନ୍ତିନି । ଆଜି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ସାଂଘାତିକ ଅବସ୍ଥା ହିଁ ଅପାରଗ ନେତୃତ୍ୱର କାରଣ । ସ୍ୱାଧୀନତା ଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାର ଓ ଓଡ଼ିଆ ମଣିଷର ସର୍ବାଙ୍ଗୀନ ଉନ୍ନତି ପାଇଁ କେହି କିଛି କରି ନାହାନ୍ତି । ଏପରିକି ବିଭିନ୍ନ ସମୟରେ କେନ୍ଦ୍ରରେ ଆସିଥିବା ବିଭିନ୍ନ ଦଳର ସରକାର ମାନେ ମଧ୍ୟ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି । ମାତ୍ର ନରେନ୍ଦ୍ର ମୋଦିଙ୍କ ସରକାର କେନ୍ଦ୍ରୀୟ ଶାସନ ଦାୟିତ୍ୱ ନେବା ପରଠାରୁ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ଦୃଷ୍ଟି ଦେଉଥିବା ଦେଖାଯାଉଛି । ଏପରିକି ପୂର୍ବର ଉପା ସରକାର ତୁଳନାରେ ବର୍ତମାନର ଏନଡ଼ିଏ ସରକାର ଅଧିକ ଅନୁଦାନ ଦେଉଛନ୍ତି ଓଡ଼ିଶାକୁ । ରେଳ ଅନୁଦାନ କ୍ଷେତ୍ରରେ ଏହା ପ୍ରାୟ ୪ଗୁଣ । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଦୀନ ଦୟାଲ୍ ଉପାଧ୍ୟାୟ ଅନ୍ତ୍ୟୋଦୟ ଯୋଜନା, ମନରେଗା ଯୋଜନା, ଶ୍ୟାମା ପ୍ରସାଦ ମୁଖାର୍ଜୀ ମିସନ୍, ଉଜ୍ଜ୍ୱଳ ଯୋଜନା, ଦୀନ ଦୟାଲ୍ ଉପାଧ୍ରାୟ ଗ୍ରାମୀଣ ଜ୍ୟୋତି ଯୋଜନା ଆଦିରେ ଶହଶହ କୋଟି ଟଙ୍କାର ଅନୁଦାନ ଆସିଛି । ଅଧିକାଂଶ ଗାଁରେ ଶୌଚାଳୟ ନିର୍ମିତ ହୋଇଛି ।
ଅନ୍ୟପକ୍ଷରେ ରାଜ୍ୟରୁ ମାତ୍ର ଜଣେ (ଜୁଏଲ୍ ଓରାମ୍) ଲୋକସଭାକୁ ଯାଇଥିଲେ ମଧ୍ୟ ୨ଜଣ ଓଡ଼ିଆ ଜୁଏଲ୍ ଓରାମ୍ ଏବଂ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ମନ୍ତ୍ରୀ ପଦ ପାଇଛନ୍ତି । ଏହା ମଧ୍ୟ ଓଡ଼ିଶାରେ ଭାଜପାର ସ୍ଥିତିକୁ ମଜଭୁତ କରିବାରେ ସହାୟକ ହୋଇଛି । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରଠାରୁ ବିଜେପି ନେତା ମାନଙ୍କର କାର୍ଯ୍ୟ ଶୈଳୀରେ ଘୋର ପରିବର୍ତନ ଦେଖା ଦେଇଛି । ମୁଖ୍ୟତଃ ଏହି ଦୁଇ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ନେତୃତ୍ୱରେ କେତେକ ଆଗଧାଡ଼ିର ନେତାମାନେ ଏଠାରେ ବିଜେପି ସଂଗଠନକୁ ମଜଭୁତ କରିବାରେ ସହାୟକ ହୋଇଛନ୍ତି । କେବଳ ଏହି ଦୁଇ କେନ୍ଦ୍ରମନ୍ତ୍ରୀ ନୁହଁନ୍ତି, ପ୍ରଧାନମନ୍ତ୍ରୀଙ୍କ ସମେତ ଦଳର ରାଷ୍ଟ୍ରୀୟ ସଭାପତି ତଥା ଅନେକ କେନ୍ଦ୍ରୀୟ ମନ୍ତ୍ରୀଙ୍କର ଘନ ଘନ ଓଡ଼ିଶା ଗସ୍ତ ଅନ୍ୟାନ୍ୟ ରାଜନୀତିକ ଦଳ ଗୁଡ଼ିକୁ ଦୋହଲାଇ ଦେଇଛି । ଏହାଛଡ଼ା ଓଡ଼ିଶାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ସଂପର୍କରେ ବିଜେପିର ଦୃଢ ପ୍ରତିବାଦ ଶାସକ ବିଜେଡ଼ିର ନିଦ ହଜାଇ ଦେଇଛି । ଓଡ଼ିଶାରେ ବିଜେପିର ଶକ୍ତି ବଢିଛି, ଏଥିରେ କାହାର ଦ୍ୱିମତ ନାହିଁ । ବିଜେପିର ଅନେକ ତୁଙ୍ଗ ନେତା ଜଣେ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଛନ୍ତି । ରାଜ୍ୟ ତଥା ଜାତୀୟ ରାଜନୀତି କ୍ଷେତ୍ରରେ ମଧ୍ୟ ସେମାନେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ନେଲେଣି । ଏହାର କାରଣ ହେଲା, ସ୍ୱାଧୀନତା ପରଠାରୁ କୌଣସି ପ୍ରଧାନମନ୍ତ୍ରୀ ବା ରାଜନୀତିକ ଦଳ ଓଡ଼ିଶାର ନେତାଙ୍କୁ ଆଗକୁ ବଢିବାର ସୁଯୋଗ ଦେଇ ନାହାନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ମୋଦି ଜ୍ଞାନୀ-ଗୁଣୀଙ୍କୁ ଚିହ୍ନି ସେମାନଙ୍କୁ ଆଗକୁ ବଢିବାର ସୁଯୋଗ ଦେଉଛନ୍ତି । ଓଡ଼ିଶାର ବିଜେପି ନେତାମାନେ ଏହି ସୁଯୋଗକୁ ହାତଛଡ଼ା କରି ନାହାନ୍ତି । ସେମାନେ ଆଗକୁ ମାଡ଼ି ଚାଲିଛନ୍ତି । ହୁଏତ ବିଜେପି ଚଳିତ ନିର୍ବାଚନରେ ସାରା ଓଡ଼ିଶାକୁ ପଦ୍ମରେ ସଜେଇ ଇତିହାସ ରଚିବା ଅସମ୍ଭବ ନୁହେଁ ।
ଭଲ-ମନ୍ଦ, ଆଗ-ପଛ ବିଚାର ନ କରି ରାଜ୍ୟବାସୀ ନବିନଙ୍କ କାନ୍ଧରେ ବାରମ୍ବାର ଦାୟୀତ୍ୱର ନୂଆ ବୋଝ ଲଦିଛନ୍ତି । ଆଉ ନବିନ ବାବୁ ଲୋକଙ୍କୁ ଯେଉଁ ରଙ୍ଗୀନ୍ ସ୍ୱପ୍ନ ଦେଖାଇ ଚାଲିଛନ୍ତି, ତାକୁ ସାକାର କରିବାକୁ ସେ ସେପରି କିଛି ଉଦ୍ୟମ କରୁଥିବା ଦେଖାଯାଉ ନାହିଁ । ସ୍ୱଚ୍ଛ, ଦୁର୍ନୀତିମୁକ୍ତ, ସମ୍ବେଦନଶୀଳ, ଉତରଦାୟୀ ଓ ଦକ୍ଷ ଶାସନର ଯେଉଁ ପ୍ରତିଶ୍ରୂତି ଦିଆ ଯାଇଛି, ତାହା ଫେଲ୍ ମାରିଛି । ରାଜ୍ୟ ଓ ରାଜ୍ୟବାସୀଙ୍କର ସର୍ବାଙ୍ଗୀନ ଉନ୍ନତି ସର୍ବୋପରି ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ବିକଶିତ ରାଷ୍ଟର ସଂଜ୍ଞା । ଏହା ମଧ୍ୟ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନ ଥିଲା । କିନ୍ତୁ ନବୀନ ବାବୁ ଓ ତାଙ୍କର ପ୍ରଶାସନ ପାଇଁ ଏହା ସୁଦୂର ପରାହତ ।

Leave a Reply

Your email address will not be published. Required fields are marked *