କେନ୍ଦ୍ରାପଡ଼ା ରାଜନୀତିର ଗତି କୁଆଡ଼େ?

କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ରାଜନୀତିକ ଦୃଶ୍ୟପଟ୍ଟ କ୍ରମେ ପରିବର୍ତନ ହେବାରେ ଲାଗିଛି । ଗତ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନ ସମେତ ପାଟକୁରା, କେନ୍ଦ୍ରାପଡ଼ା, ମହାକାଳପଡ଼ା ଓ ମାହାଙ୍ଗା ବିଧାନସଭା ଆସନ ବିଜେଡ଼ି ହାତକୁ ଯାଇଥିଲା ବେଳେ ରାଜନଗର, ଆଳି ଓ ସାଲେପୁର ଆସନ କଂଗ୍ରେସ ଅକ୍ତିଆରକୁ ଯାଇଥିଲା । ମାତ୍ର ସମୟ ବଦଳିବା ସହ ଏଠାକାର ରାଜନୀତିକ ପାଣିପାଗ ମଧ୍ୟ ବଦଳିବାରେ ଲାଗିଛି । ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବିନ ବାବୁଙ୍କର ହାୱାରେ କେତେକ ବିଜେଡ଼ି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏଥର ବିଭିନ୍ନ ବିଧାନସଭା ନିର୍ବାଚନ କ୍ଷେତ୍ରରେ ବିଜେଡ଼ିରୁ ଲଢିବାକୁ ଆଶାୟୀଙ୍କ ସଂଖ୍ୟା ୫,୬,୭ ଓ ୮ଥିଲା । ପ୍ରାୟ ସବୁ ଆସନରେ ଦଳୀୟ ପ୍ରାର୍ଥୀତ୍ୱକୁ ନେଇ ନେତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚରମ ସୀମାରେ ପହଂଚିଥିଲା । ଶେଷରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଅନେକ ସମୀକ୍ଷା ପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ । ରାଜନଗରରୁ ଧୃବ ସାହୁଙ୍କୁ ଟିକେଟ ଦିଆ ଯାଇଥିବା ବେଳେ ମହାକାଳପଡ଼ାରୁ ଅତନୁ ଶବ୍ୟସାଚୀ ନାୟକ, ପାଟକୁରାରୁ ବେଦପ୍ରକାଶ ଅଗ୍ରୱାଲା, ଆଳିରୁ ପ୍ରତାପ ଦେବ ଓ କେନ୍ଦ୍ରାପଡ଼ାରୁ ଶଶୀଭୂଷଣ ବେହେରାଙ୍କୁ ଟିକେଟ ଦିଆଯାଇଥିଲା । ମାତ୍ର ଅସନ୍ତୁଷ୍ଟ ଟିକେଟ ଆଶାୟୀ ମାନଙ୍କୁ ନବୀନ ନିବାସ ଡ଼କାଯାଇ କୌଣସି ପ୍ରକାର ଶାନ୍ତ କରାଯାଇଛି ।
ରାଜନଗର ବିଧାନସଭା କ୍ଷେତ୍ରରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେବା ନେଇ ସ୍ପଷ୍ଟ ହେଉଛି । ବିଜେଡ଼ି ପ୍ରାର୍ଥୀ ଧୃବ ସାହୁ ଓ କଂଗ୍ରେସ ପ୍ରାର୍ଥୀ ବିଧାୟକ ଅଂଶୁମାନ ମହାନ୍ତିଙ୍କ ମଧ୍ୟରେ କଡ୍ଡା ଟକ୍କର ହେବ । ବିଜେପି ପ୍ରାର୍ଥୀ ଅଲେଖ ଜେନା ବର୍ତମାନ ସୁଦ୍ଧା ସବୁଠୁ ପଛରେ ଅଛନ୍ତି । ବିଜେପିର କୌଣସି ସଶକ୍ତ ସଂଗଠନ ଏଠାରେ ନଥିଲେ ମଧ୍ୟ ପୂର୍ବତନ ବିଧାୟକ ଅଲେଖ ଜେନା ନିଜର ଶକ୍ତି ବୃଦ୍ଧି ପାଇଁ ଚେଷ୍ଟାରେ ଅଛନ୍ତି । ତେବେ ବିଧାୟକ ଅଂଶୁମାନ ମହାନ୍ତି ନିଜ ସଂଗଠନ ମଜଭୁତ କରିବା ସହ ମତଦାତାଙ୍କର ନିକଟତର ହେବାରେ ଲାଗିଛନ୍ତି । ସେହିପରି ଦୀର୍ଘଦିନ ଧରି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡ଼ି ସଭାପତି ଦାୟୀତ୍ୱରେ ରହି ଧୃବ ସାହୁ ଜିଲ୍ଲାର ବହୁ ଉନ୍ନୟନ ମୂଳକ କାର୍ଯ୍ୟ ସହିତ ଜଡ଼ିତ ରହିଛନ୍ତି । ରାଜନଗର ଅଂଚଳରେ ଏହି ତିନି ପ୍ରାର୍ଥୀଙ୍କର ବ୍ୟାପକ ଲୋକ ସଂପର୍କ ରହିଛି । ତଥାପି ଏଠାରେ କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ଲଢେଇ ହେବ ବୋଲି ରାଜନୀତିକ ସମୀକ୍ଷକ ମାନନେ ମତ ଦେଉଛନ୍ତି ।
ମହାକାଳପଡ଼ା ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ବିଜେପି ପ୍ରାର୍ଥୀ ବିଜୟ ପ୍ରଧାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବାର ଆଶଙ୍କା କରାଯାଉଛି । ଏଠାରେ ବିଜେଡ଼ି ସଂଗଠନ ଦୁର୍ବଳ ହେବାରେ ଲାଗିଛି । ଏହି ଅଂଚଳରେ ବିଧାୟକ କୌଣସି ଆଖିଦୃଶିଆ କାମ କରି ନଥିବା ଅଭିଯୋଗ ହେଉଛି । ସ୍ଥାନୀୟ ଲୋକମାନେ ଅଧିକାଂଶ ସରକାରୀ ଯୋଜନାର ସୁଫଳ ପାଇ ପାରୁନାହାନ୍ତି । ପାନୀୟ ଜଳ ଓ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟୟ ହୋଇ ପଡ଼ିଛି । ଶିକ୍ଷା ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏହି ଅଂଚଳରେ ନିମ୍ନଗାମୀ ହୋଇ ପଡ଼ିଛି । ସବୁ ସରକାରୀ ଉନ୍ନୟନ ଯୋଜନାରେ ପିସି କାରବାର ଯୋଗୁ ସାଧାରଣ ଲୋକଙ୍କ ପାଖରେ ଯୋଜନା ପହଂଚୁ ନାହିଁ । ଲୋକେ କାମ ନପାଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଜଳସେଚନ ବ୍ୟବସ୍ଥା ନଥିବାରୁ ଚାଷକାର୍ଯ୍ୟ ବିପର୍ଯ୍ୟସ୍ତ ହେଉଛି । ସେହିପରି ଗାଁ, ସହର ଆଦି ଚାରିଆଡ଼େ ମଦର ବନ୍ୟା ଛୁଟୁଛି । ଲୋକଙ୍କର ମୌଳିକ ସମସ୍ୟା ସମାଧାନ ଅପେକ୍ଷା ଅଧିକ ରାଜସ୍ୱ ମିଳୁଥିବାରୁ ମଦର ପ୍ରସାରକୁ ସରକାର ଗୁରୁତ୍ୱ ଦେଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଯାହା ଚଳିତ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ସାଧାରଣ ଲୋକଙ୍କ ସମେତ ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି । ତେବେ କଂଗ୍ରେସ ପ୍ରାର୍ଥୀ ଏଠାରେ ବହୁ ପଛରେ ପଡ଼ିଛନ୍ତି । ଅଧିକାଂଶ ଅଂଚଳରେ ବିଜେପିର ଢେର ଶକ୍ତି ବୃଦ୍ଧି ହୋଇଛି । ଏଠାରେ ସର୍ବତ୍ର ବିଜେପି ହାୱା ବହୁଛି । ବିଜେପି ଲୋକସଭା ପ୍ରାର୍ଥୀ ଶ୍ରୀ ଜୟ ପଣ୍ଡା ଓ ବିଧାନସଭା ପ୍ରାର୍ଥୀ ଶ୍ରୀ ପ୍ରଧାନ ସାଧାରଣ ଭୋଟରଙ୍କ ନିକଟରେ ପହଂଚି ପାରିଛନ୍ତି । କେତେକ ବିଜେପି ଶୂନ୍ୟ ଅଂଚଳରେ ଏବେ ବିଜେପିର ସଂଗଠନ ବଢି ବଢି ଚାଲିଛି । ଏହି ଦୃଷ୍ଟିରୁ ବିଜେପି ଏଠାରେ ଅନେକ ଆଗରେ ଚାଲିଛି ବୋଲି କୁହାଯାଉଛି । ତେବେ ବିଜେପି ପ୍ରାର୍ଥୀ ବିଜୟ ପ୍ରଧାନ ଓ ବିଜେଡ଼ି ପ୍ରାର୍ଥୀ ଅତନୁ ନାୟକଙ୍କ ମଧ୍ୟରେ କଡ୍ଡା ମୁକାବିଲା ହେବ ବୋଲି ସ୍ଥାନୀୟ ରାଜନୀତିକ ସମୀକ୍ଷକ ମାନେ ମତ ଦେଉଛନ୍ତି ।
କେନ୍ଦ୍ରାପଡ଼ା ସଂରକ୍ଷିତ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରା ଓ ବିଜେଡ଼ି ପ୍ରାର୍ଥୀ ଶଶୀଭୂଷଣ ବେହେରାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବା ସ୍ପଷ୍ଟ ହୋଇ ଗଲାଣି । ଏଠାରେ ବିଜେଡ଼ି ସଂଗଠନ ଅପେକ୍ଷାକୃତ ଦୁର୍ବଳ ଥିବାବେଳେ କଂଗ୍ରେସ ସଂଗଠନ ମଜଭୁତ ହୋଇଛି । ମାତ୍ର ବିଜେପିର ସଂଗଠନ ଏଠାରେ ସେମିତି କିଛି ସକି୍ରୟ ଥିବା ଭଳି ଦେଖାଯାଉନାହିଁ । ତଥାପି ବିଜେପି ପ୍ରାର୍ଥୀ ସୁନାକର ବେହେରା ନିଜ ସଂଗଠନ ମଜଭୁତ କରିବାରେ ଲାଗିପଡ଼ିଛନ୍ତି । ସମୀକ୍ଷାରୁ ଜଣା ପଡ଼ିଛି ଯେ, ସ୍ଥାନୀୟ ବିଧାୟକ ଏଠାରେ କୌଣସି ଆଖି ଦୃଶିଆ ଉନ୍ନୟନ କାର୍ଯ୍ୟ କରି ନାହାନ୍ତି । କେନ୍ଦ୍ରାପଡ଼ା ଅଂଚଳରେ ଆବଶ୍ୟକୀୟ ଉନ୍ନୟନ କାର୍ଯ୍ୟ ହୋଇ ନଥିବାରୁ ସାଧାରଣ ଭୋଟର ବିଜେଡ଼ି ତଥା ବିଧାୟକଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି । ଏହି ସୁଯୋଗକୁ ହାତ ଛଡାÿ ନକରି କଂଗ୍ରେସ ନେତା ଗଣେଶ୍ୱର ବେହେରା କଂଗ୍ରେସ ସଂଗଠନକୁ ଏଠାରେ ମଜଭୁତ କରିଛନ୍ତି । ଗଣେଶ୍ୱର ବେହେରା ନିୟମିତ ଏହି ଅଂଚଳ ବୁଲି ସାଧାରଣ ଲୋକଙ୍କ ସୁଖ-ଦୁଃଖରେ ଭାଗି ହେଉଛନ୍ତି । ଯାହା ଏହି ଅଂଚଳରେ କଂଗ୍ରେସର ଶକ୍ତି ବୃଦ୍ଧି ହେବାରେ ବେଶ ସହାୟକ ହୋଇଛି । ଏଠାରେ କଂଗ୍ରେସ ସଂଗଠନ ବେଶ ସକି୍ରୟ ରହିଛି । କଂଗ୍ରେସ ନେତାମାନେ ସାଧାରଣ ଭୋଟରଙ୍କ ନିକଟରେ ପହଂଚି ପାରିଛନ୍ତି । ଅନ୍ୟ ପକ୍ଷରେ ଗଣେଶ୍ୱର ବାବୁ ଜଣେ ସରଳ, ଭଦ୍ର, ଅଭିଜ୍ଞ, ପରୋପକାରୀ ଓ ନିଷ୍ଠାପର ବ୍ୟକ୍ତିତ୍ୱ । ସେ ଜଣେ ପ୍ରଗତିଶୀଳ ମଣିଷ ଭାବେ ଅନେକ ଗଣ ଆନେ୍ଦାଳନ ସହିତ ଜଡ଼ିତ ଅଛନ୍ତି । ଏପରିକି ଦଳ ମତ ନିର୍ବିଶେଷରେ ଗଣେଶ୍ୱର ବାବୁ ସମସ୍ତଙ୍କର ପି୍ରୟପାତ୍ର । ଏହି ଦୃଷ୍ଟିରୁ କଂଗ୍ରେସ ଏଠାରେ ଆଗରେ ଚାଲିଛି ବୋଲି କୁହାଯାଉଛି । ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଆସନ ପାଇଁ ଆଖି ପକାଇଥିବା କେତେକ ଆଶାୟୀ ପ୍ରାର୍ଥୀ ମଧ୍ୟ ଶଶୀବାବୁଙ୍କୁ ଶେଷ ମୂହୂର୍ତରେ ସହଯୋଗ ଦେଇ ନପାରନ୍ତି ।
ଚଳିତ ନିର୍ବାଚନରେ ଆଳି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ବିଧାୟକ ଦେବେନ୍ଦ୍ର ଶର୍ମା ଓ ବିଜେଡ଼ି ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ କେଶରୀ ଦେବଙ୍କ ମଧ୍ୟରେ ଲଢେଇ ହେବା ନେଇ ଆଲୋଚନା ହେଉଛି । ବର୍ତମାନ ସୁଦ୍ଧା ବିଜେପି ପ୍ରାର୍ଥୀ ଦୋଳ ଗୋବିନ୍ଦ ନାୟକ ତୃତୀୟ ସ୍ଥାନରେ ରହିଥିବା ଆକଳନରୁ ଜଣାପଡ଼ିଛି । ତଥାପି ଦୋଳଗୋବିନ୍ଦ ନାୟକ ନିଜର ସଂଗଠନକୁ ମଜଭୁତ କରିବାକୁ ଉଦ୍ୟମ କରୁଛନ୍ତି । ତେବେ ବିଧାୟକ ଦେବେନ୍ଦ୍ର ଶର୍ମା ପୁଣି ଏହି ଆସନକୁ ଅକ୍ତିଆର କରିବା ପାଇଁ ନିଜର ସଂଗଠନକୁ ମଜଭୁତ କରିଛନ୍ତି । ସହଜେ ୨୦୧୪ ନିର୍ବାଚନରେ ସାରା ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାୱା ଥିବାବେଳେ ପ୍ରତାପ କେଶରୀ ଦେବ ପରାସ୍ତ ହୋଇଥିଲେ । ଆଉ ଏବେ ନବୀନ ବାବୁଙ୍କର ପୂର୍ବପରି ସେତେଟା ହାୱା ନାହିଁ । ଉଭୟ କଂଗ୍ରେସ ଓ ବିଜେଡ଼ି ସ୍ଥାନୀୟ ଉନ୍ନୟନ ଓ ସମସ୍ୟାକୁ ନେଇ ଲୋକଙ୍କ ପାଖରେ ପହଂଚୁ ଛନ୍ତି । ବାସ୍ତବରେ ଆଳି ଓ ରାଜକନିକା ଅଂଚଳରେ ସାଧାରଣ ଲୋକମାନେ ପାନୀୟ ଜଳ ସମସ୍ୟା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଭଳି ଅନେକ ମୌଳିକ ସମସ୍ୟା ସହିତ ଲଢି ଆସୁଛନ୍ତି ।
ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରତାପ ଜେନା ଓ ବିଜେପି ପ୍ରାର୍ଥୀ ସାରଦା ପ୍ରଧାନଙ୍କ ମଧ୍ୟରେ ହିଁ ତୀବ୍ର ପ୍ରତିଦ୍ୱନ୍ଦିତା ହେବାର ଦମ୍ଭାବନା ସୃଷ୍ଟି ହୋଇଛି । କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ରନାଥ ସାହୁ ମଧ୍ୟ ନିଜର ସଂଗଠନ ମଜଭୁତ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସାରଦା ପ୍ରଧାନଙ୍କର ଲୋକପି୍ରୟତା ବଢି ଚାଲିଛି । ବିଜେପିର ଶକ୍ତି ବୃଦ୍ଧି ହେଉଛି । ଏଣୁ ପ୍ରତାପ ବାବୁ ଙ୍କ ପାଇଁ ଏଥର ବିଜୟ ଏତେ ସହଜ ନୁହେଁ ବୋଲି ରାଜନୀତିକ ପଣ୍ଡିତ ମାନେ ମତ ଦେଉଛନ୍ତି । ଏହି ନିର୍ବାଚନରେ ପ୍ରତାପ ବାବୁ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବା ନିଶ୍ଚିତ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି ।
ସେହିପରି ସାଲେପୁରରେ ବିଧାୟକ ତଥା ବିଜେପି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଦଳୀୟ ସଂଗଠନ ମଜଭୁତ ହୋଇ ଗଲାଣି । । ଏଠାରେ ବିଜେଡ଼ି ପ୍ରାର୍ଥୀ ପ୍ରଶାନ୍ତ ବେହେରା ଦଳୀୟ ସଂଗଠନକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଦେଖା ଯାଉଛି । କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ରନାଥ କର ମଧ୍ୟ ଦଳୀୟ ସଂଗଠନକୁ ମଜଭୁତ କରାଇବାରେ ଲାଗି ପଡ଼ିଛନ୍ତି । ତେବେ ଏଠାରେ ତିନି ପ୍ରମୁଖ ଦଳ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢେଇ ହେବାର ଆକଳନ କରାଯାଉଛି ।
କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେଡ଼ିରୁ ଅଭିନେତା ଅନୁଭବ ମହାନ୍ତି, କଂଗ୍ରେସରୁ ଧରଣୀଧର ନାୟକ ଓ ବିଜେପିରୁ ବୈଜୟନ୍ତ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । ସମସ୍ତ ପ୍ରାର୍ଥୀ ଉଚ୍ଚ ଶିକ୍ଷିତ, ମର୍ଯ୍ୟାଦା ସଂପନ୍ନ ଓ ସାରା ରାଜ୍ୟରେ ସୁପରିଚିତ ଥିବାରୁ ଏଠାରେ ତ୍ରିମୁଖୀ ଲଢେଇ ହେବା ପ୍ରାୟ ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି । ଏଠାରେ ପ୍ରତ୍ୟେକ ପ୍ରାର୍ଥୀଙ୍କର ଦଳୀୟ ସଂଗଠନ ମଧ୍ୟ ମଜଭୁତ ରହିଛି । ମାତ୍ର ଏଠାକାର ପୂର୍ବତନ ସାଂସଦ ବୈଜୟନ୍ତ ବାବୁ ସ୍ଥାନୀୟ ସମସ୍ୟାକୁ ଗୁରୁତ୍ୱ ଦେଇ ଅନେକ ଉନ୍ନୟନ କାର୍ଯ୍ୟକୁ ଆଗେଇ ନେଇଛନ୍ତି । ବାସ୍ତବରେ ସାଧାରଣ ଲୋକଙ୍କ ଉନ୍ନୟନ କାର୍ଯ୍ୟରେ ସେ ନିଜକୁ ସଂପୂର୍ଣ୍ଣ ଭାବେ ଉତ୍ସର୍ଗ କରିଥିବା ଲୋକେ ଚର୍ଚ୍ଚା କରୁଛନ୍ତି । ବୈଜୟନ୍ତ ପଣ୍ଡା ଜଣେ ଭିନ୍ନ ଚରିତ୍ରର ମଣିଷ । ସେ ସବୁବେଳେ କେନ୍ଦ୍ରାପଡ଼ା ଲୋକ ମାନଙ୍କ ସୁଖ-ଦୁଃଖରେ ଭାଗୀ ହେଉଥିବା ଦେଖା ଯାଇଛି । ଦଳମତ ନିର୍ବିଶେଷରେ କେନ୍ଦ୍ରାପଡ଼ାର ସାଧାରଣ ମଣିଷକୁ ସେ ବନ୍ଧୁ ଭାବରେ ଗ୍ରହଣ କରିଥିବା ବେଳେ ତାଙ୍କ ପ୍ରତି ମଧ୍ୟ କେନ୍ଦ୍ରାପଡ଼ା ବାସୀଙ୍କର ଅକୁଣ୍ଠ ସମର୍ଥନ ଦେଖିବାକୁ ମିଳୁଛି । କେନ୍ଦ୍ରାପଡ଼ା ଅଂଚଳରେ ତାଙ୍କର ଲୋକପି୍ରୟତା କ୍ରମେ ବଢୁଥିବାରୁ ସେ ସହଜରେ ଏଠାରୁ ବିଜୟୀ ହେବେ ଏବଂ କେନ୍ଦ୍ରାପଡ଼ା ତାଙ୍କର ଅଭେଦ୍ୟ ଦୁର୍ଗ ହୋଇ ରହିଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଶରତ କୁମାର ରାଉତ

Leave a Reply

Your email address will not be published. Required fields are marked *