ଓଡ଼ିଶା କ’ଣ ସତରେ ଗରିବ?

ଶରତ କୁମାର ରାଉତ
ଓଡିଶାରେ ମୁଖ୍ୟତଃ କ୍ରୋମାଇଟ୍, ବକ୍ସାଇଟ୍, ଲୁହାପଥର, ମାଙ୍ଗାନିଜ, କୋଇଲା, ଗ୍ରାଫାଇଟ, ନିକେଲ୍, ଚାଇନାକ୍ଲେ, ଡୋଲାମାଇଟ୍, ଫାୟାରକ୍ଲେ, ମିନେରାଲ ସ୍ୟାଣ୍ଡ୍ସ, ପିରୋଫାଇଲିଟ୍ ଆଦି ଭାରତରେ ଗଚ୍ଛିତ ମୋଟ ଖଣିଜ ସଂପଦର ପ୍ରାୟ ୫୦ ଭାଗ ଗଚ୍ଛିତ ରହିଛି । ବ୍ୟାପକ ପର୍ଯ୍ୟଟନ ଶିଳ୍ପର ସୁଯୋଗ ରହିଥିବା ବେଳେ ପର୍ଯ୍ୟାପ୍ତ ଜଙ୍ଗଲ ସଂପଦ, ମତ୍ସ୍ୟ ସଂପଦ, ଜଳ ସଂପଦ ଓ ଶହେଭାଗ ଉର୍ବର ଚାଷ ଜମି ରହିଛି । ରାଜ୍ୟରେ ବୌଦ୍ଧିକ ସଂପଦ ଓ ପ୍ରତିଭାର ଅଭାବ ନାହିଁ । ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଭାଷା-ସାହିତ୍ୟ ଦେଶ ବିଦେଶରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି । ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ସାରା ବିଶ୍ୱରେ ଖ୍ୟାତ । ଓଡ଼ିଶା ମନ୍ଦିର ମାଳିନି ରାଜ୍ୟ ଭାବେ ସର୍ବ ବିଦିତ । କଠିନ ପରିଶ୍ରମ କରିବାରେ ମଧ୍ୟ ଓଡ଼ିଆ ଅନ୍ୟ ରାଜ୍ୟର ଲୋକଙ୍କ ତୁଳନାରେ କିଛି କମ୍ ନୁହଁନ୍ତି । ରାଜ୍ୟରେ ଥିବା ୪୮୦ କି.ମି. ସୁଦୀର୍ଘ ମନୋରମ ସମୁନ୍ଦ୍ର ଉପକୂଳ ଓ ଏସିଆ ମହାଦେଶର ସର୍ବ ବୃହତ ଲବଣାକ୍ତ ହ୍ରଦ ଚିଲିକା ରାଜ୍ୟର ଗୌରବ ବହନ କରୁଛି । ବିଶ୍ୱ ବିଖ୍ୟାତ ଭିତରକନିକା ଅଭୟାରଣ୍ୟ, ଦୁର୍ଲଭ ଅଲିଭ୍ ରିଡ୍ÿଲେ କଇଁଛ ମାନଙ୍କ ଏନ୍ତୁଡ଼ିଶାଳ, କୂମ୍ଭୀର ପ୍ରଜନନ କେନ୍ଦ୍ର, ବିଶାଳ ସାମୁଦ୍ରିକ ଅଭୟାରଣ୍ୟ, ହେନ୍ତାଳ ବଣ ଆଦି ଓଡ଼ିଶାର ଗର୍ବ ଓ ଗୌରବ । ଓଡ଼ିଶାରେ ସବୁକିଛି ଥିବା ସତ୍ୱେ ଓଡ଼ିଶା ଦରିଦ୍ର ବୋଲି କୁହାଯାଇ ଆସୁଛି । ଏପରିକି ଓଡ଼ିଶା ଭାରତର ସବୁଠୁ ପଛୁଆ ଓ ଅବହେଳିତ ରାଜ୍ୟ । ଓଡ଼ିଶାରେ ଦାରିଦ୍ର୍ୟର ଉତ୍ପାତ ସବୁଠୁ ବେଶୀ । ଅନାହାର, ଅର୍ଦ୍ଧାହାର ଓ ଅଳ୍ପାହାରରେ ବଂଚୁଥିବା ଲୋକଙ୍କ ସଂଖ୍ୟା ବହୁ ଅଧିକ । ଏଠାକାର ଅଧିକାଂଶ ଶିଶୁ ପୃଷ୍ଟିହୀନତାର ଶିକାର ହେଉଛନ୍ତି । ପେଟକୁ ମୁଠାଏ ଦାନା ପାଇଁ ଓଡ଼ିଆର ଆର୍ତ ଚିକ୍ରାର ସାରା ଦେଶରେ ପ୍ରକମ୍ପିତ ହେଉଛି । ଓଡ଼ିଶାର ଅନାହାର ମୃତୁ୍ୟ ଖବର ବିଶ୍ୱବାସୀଙ୍କୁ ସ୍ତବ୍ଧ କରୁଛି । ଓଡ଼ିଶାରେ ଶିଶୁ ଓ ଗର୍ଭବତୀ ମାତୃ ମୃତୁ୍ୟହାର ସର୍ବାଧିକ ଇତ୍ୟାଦି । ସେହିପରି ରାଜ୍ୟରେ ଅପରାଧ ତାଲିକା ଖୁବ ଲମ୍ବା । ପ୍ରାୟ ପ୍ରତିଦିନ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ନାବାଳିକା ଛାତ୍ରୀ ଗର୍ଭବତୀ, ହତ୍ୟା, ଲୁଣ୍ଠନ ଭଳି ଅତି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳୁଛି । ନବିନ ବାବୁ ୪ ଥର ମୁଖ୍ୟମନ୍ତ୍ରୀ ଆସନରେ ବସି ଲଗାତାର ୧୯ ବର୍ଷ ଧରି ଓଡ଼ିଶା ଶାସନ କରି ଆସୁଛନ୍ତି । ହେଲେ ଏହି ଲମ୍ବା ସମୟ ମଧ୍ୟରେ ଓଡ଼ିଶାରେ ସେଭଳି କିଛି ବିକାଶ ହୋଇନଥିବା ଦେଖା ଯାଇପାରେ । ବିକାଶ ଠାରୁ ଅଧିକ ଅପରାଧ, ଦୁର୍ନୀତି, ବାଟମାରଣା ଓ ଠକେଇ ହୋଇଛି । ସ୍ୱାଧୀନତାର ପ୍ରଥମ ୫୩ ବର୍ଷରେ ଯେତିକି ଖଣିଜ ସଂପଦ ଉତୋଳନ ହୋଇ ନଥିଲା, ନବିନ ବାବୁଙ୍କ ପ୍ରଥମ ୧୦ ବର୍ଷର ଶାସନ ମଧ୍ୟରେ ତାହାର ଅନେକ ଗୁଣର ଖଣିଜ ସଂପଦ ଲୁଟ୍ ହୋଇଗଲା । ୨୦୧୭ରେ ଓଡ଼ିଶାରେ ଖଣି ମହାଦୁର୍ନୀତି ମାମଲାର ବିଚାର କରି ସୁପି୍ରମକୋର୍ଟ ଖଣି ଚୋର ମାନଙ୍କ ଠାରୁ ଜରିମାନା ଆଦାୟ କରିବାକୁ ରାୟରେ ପ୍ରକାଶ କରିଥିଲେ । ଏହିପରି ନବିନ ପଟ୍ଟନାୟକଙ୍କ ଶାସନ ସମୟରେ ଦୁର୍ନୀତିର ଚେର ଖୁବ୍ ଲମ୍ବା ।
ବାସ୍ତବରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବା ରାଜ୍ୟ ନେତୃତ୍ୱର ଅପାରଗତା ଯୋଗୁ ରାଜ୍ୟର ବିକାଶ ହୋଇ ପାରୁନାହିଁ । ନିର୍ବାଚନ ଜିତି କେହିଜଣେ ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି । ହେଲେ ସମସ୍ତେ ଭଲ ଶାସକ ହୋଇ ପ୍ରଜା ମାନଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରି ପାରନ୍ତିନି । ଓଡ଼ିଶାର ଗରିବ ଲୋକମାନଙ୍କର ଜୀବନ ଯନ୍ତ୍ରଣାକୁ ମୁଖ୍ୟମନ୍ତ୍ରୀ ହୁଏତ ବୁଝି ପାରୁନାହାନ୍ତି । ଗରିବ ଲୋକର ଉନ୍ନତି ପାଇଁ କିଛି କରୁନାହାନ୍ତି କି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ଠିକ୍ ଭାବେ ଲୋକଙ୍କ ପାଖରେ ପହଂଚାଉ ନାହାନ୍ତି । ଦିଲ୍ଲୀର ଗୋଟିଏ ପତି୍ରକା ପକ୍ଷରୁ ପୁରସ୍କାର ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଯେଭଳି ତାଙ୍କ କର୍ମୀ ଓ ନେତାମାନେ ସମ୍ବର୍ଦ୍ଧନା ଦେଲେ, ସେଥିରେ ଅନେକ କୋଟି ଟଙ୍କା ଖର୍ଚ୍ଚ ହୋଇଥିବ । ସେହି ଟଙ୍କା ଗରିବ ମଣିଷର ବିକାଶ ପାଇଁ ଖର୍ଚ୍ଚ ହୋଇ ପାରିଥାନ୍ତା । ସତରେ କ’ଣ କୌଣସି ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଲେ, ସେ ରାଜ୍ୟର ବିକାଶ ହୋଇଥାଏ? ଖଣି, ପାଣି, କୋଇଲା ମହାଦୁର୍ନୀତି ଓ ଚିଟଫଣ୍ଡ ଠକେଇ, ଦାନ ମାଝୀ, ନଗଡ଼ା, ମାଲକାନଗିରି ଓ କଟକ ଶିଶୁ ମୃତୁ୍ୟ ଘଟଣା ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରଙ୍କ ଅସ୍ୱଚ୍ଛ ଭାବମୂର୍ତିକୁ ପ୍ରମାଣିତ କରୁନାହିଁ କି? ଓଡ଼ିଶାର ବିକାଶ କେମିତି ଚାଲିଛି, ଏସବୁ ତାର ଉଦାହରଣ । ଆଜି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ସାଂଘାତିକ ଅବସ୍ଥା ହିଁ ଅପାରଗ ନେତୃତ୍ୱର କାରଣ ବୋଲି କୁହା ଯାଇପାରେ । ଆମକୁ ସ୍ୱୀକାର କରିବାକୁ ହେବ ଯେ, ନରେନ୍ଦ୍ର ମୋଦିଙ୍କ ସରକାର କେନ୍ଦ୍ରୀୟ ଶାସନ ଦାୟିତ୍ୱ ନେବା ପରଠାରୁ ଓଡ଼ିଶାର ବିକାଶ ପାଇଁ ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ଦେଇଛନ୍ତି । ଗତ ୫ବର୍ଷ ମଧ୍ୟରେ ଓଡ଼ିଶାର ୧ଲକ୍ଷ ଗରିବ ପରିବାରକୁ ପକ୍କାଘର ଯୋଗାଇ ଦିଆ ଯାଇଥିବାବେଳେ ୨୪ ଲକ୍ଷ ଘରକୁ ମୁକ୍ତ ବିଜୁଳି, ୪୦ ଲକ୍ଷ ଗରିବ ମା’ ଭଉଣିଙ୍କୁ ଉଜ୍ୱଳା ଗ୍ୟାସ, ୧କୋଟି ୪୦ ଲକ୍ଷ ଜନଧନ ଖାତା ଓ ୫୦ ଲକ୍ଷ ଶୌଚାଳୟ ନିର୍ମାଣ ଆଦି କେନ୍ଦ୍ର ସରକାରଙ୍କ ଅବଦାନ । ସେହିପରି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଦୀନ ଦୟାଲ୍ ଉପାଧ୍ୟାୟ ଅନ୍ତ୍ୟୋଦୟ ଯୋଜନା, ମନରେଗା ଯୋଜନା, ଶ୍ୟାମା ପ୍ରସାଦ ମୁଖାର୍ଜୀ ମିସନ୍, ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନା ଆଦିରେ ପର୍ଯ୍ୟାପ୍ତ ଅନୁଦାନ ଆସିଛି । କୋଇଲା ବଂଟନ କ୍ଷେତ୍ରରେ ନିୟମ ପରିବର୍ତନ ଯୋଗୁ ରାଜ୍ୟକୁ ବହୁ ଅଧିକ ରାଜସ୍ୱ ମିଳିବାର ସୁଯୋଗ ସୃଷ୍ଟି ହୋଇଛି । ବ୍ରହ୍ମପୁରରେ ଆଇଜର ଓ ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ହୋଇଛି । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଏମ୍ସିଏଲ୍ ଦ୍ୱାରା ତାଳଚେର ଓ ଏନ୍ଟିପିସି ଦ୍ୱାରା ସୁନ୍ଦରଗଡ଼ରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ହେବ । ସେହିପରି ଦେଶର ଅଧିକାଂଶ ଘରେ ରୋଷେଇ ଗ୍ୟାସ୍ ପହଂଚା ଯାଇଛି । ଇତିମଧ୍ୟରେ ଓଡ଼ିଶାରେ ଭାଜପାର ସ୍ଥିତି ମଜଭୁତ ହୋଇଛି ।
ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟ ଶୈଳୀରେ ଘୋର ପରିବର୍ତନ ଦେଖା ଦେଇଛି । ସାଧାରଣ ମଣିଷର ଉନ୍ନତିର ଚାବିକାଠି ସେ ହୁଏତ ପାଇ ଯାଇଛନ୍ତି । କେନ୍ଦ୍ର ମନ୍ତ୍ରୀତ୍ୱ ପରେ ସେ ଯେମିତି ନିଜ ବିଭାଗକୁ ସଜାଡ଼ି ଦ୍ରୂତ ବିକାଶ ପଥରେ ଆଗେଇ ନେଉଛନ୍ତି, ସେପରି ସାଧାରଣ ଲୋକଙ୍କର ବିକାଶର ଫର୍ମୂଲା ସେ ଜାଣି ନେବା ଭଳି ମନେ ହେଉଛି । ଧର୍ମେନ୍ଦ୍ର ବାବୁଙ୍କ ଭଳି ଅନେକ କେନ୍ଦ୍ରୀୟ ମନ୍ତ୍ରୀ ତଥା ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କର ଘନ ଘନ ଓଡ଼ିଶା ଗସ୍ତ ଅନ୍ୟାନ୍ୟ ରାଜନୀତିକ ଦଳ ଗୁଡ଼ିକୁ ଚିନ୍ତାରେ ପକାଇ ଦେଇଛି । ଓଡ଼ିଶାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ସଂପର୍କରେ ବିଜେପି ନେତାଙ୍କ ତୀବ୍ର ବିରୋଧ ବିଜେଡ଼ିର ନିଦ ହଜାଇ ଦେଇଛି । ଓଡ଼ିଶାରେ ବିଜେପି ଧୀରେ ଧୀରେ ଆଗକୁ ମାଡ଼ି ଚାଲିଥିବା ରାଜନୀତିକ ବିଶେଷଜ୍ଞ ମାନେ ସ୍ୱୀକାର କରୁଛନ୍ତି । ୨୦୧୪ ବିଧାନସଭା ନିର୍ବାଚନରେ ବିଜେପିକୁ ୧୮% ଭୋଟ ମିଳିଥିଲା । ୨୦୧୭ ପଂଚାୟତ ନିର୍ବାଚନରେ ୩୩% ଭୋଟ୍ ମିଳିଲା । ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଦଳୀୟ ନେତା ମାନଙ୍କର ନିଷ୍ଠାପର କାର୍ଯ୍ୟ ରାଜ୍ୟରେ ବିଜେପି ସଂଗଠନକୁ ମଜଭୁତ କରାଇବାରେ ସହାୟକ ହୋଇଛି । ସବୁଠୁ ବଡ଼ କଥା ହେଲା, ବରିଷ୍ଠ ରାଜନେତା ସର୍ବଶ୍ରୀ ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ ଓ ବିଜୟ ମହାପାତ୍ର ବିଜେପିରେ ସାମିଲ ହେବା ପରେ ଦଳ ସୁଯୋଗ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ପାଇ ପାରିଛି ବୋଲି ରାଜନୀତିକ ସମୀକ୍ଷକ ମାନେ ମତ ଦେଉଛନ୍ତି । ରାଜ୍ୟରେ ସର୍ବତ୍ର ବିଜେପି ହାୱା ବହୁଛି । ବିଜେପିର ଦଳୀୟ ପ୍ରାର୍ଥୀ ଓ ତୁଙ୍ଗ ନେତାମାନେ ସାଧାରଣ ଭୋଟରଙ୍କ ନିକଟତର ହେବାରେ ଲାଗିଛନ୍ତି । କେତେକ ବିଜେପି ଶୂନ୍ୟ ଅଂଚଳରେ ଏବେ ବିଜେପିର ସଂଗଠନ ବଢି ବଢି ଚାଲିଛି । ଏହାର କାରଣ ହେଲା, ସ୍ୱାଧୀନତା ପରଠାରୁ କୌଣସି ପ୍ରଧାନମନ୍ତ୍ରୀ ବା ରାଜନୀତିକ ଦଳ ଓଡ଼ିଶାର ନେତାଙ୍କୁ ଆଗକୁ ବଢିବାର ସୁଯୋଗ ଦେଇ ନାହାନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ମୋଦି ବିଜେପି ନେତା ମାନଙ୍କୁ ଆଗକୁ ଯିବାର ସୁଯୋଗ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଆଗଧାଡ଼ିର ନେତା ମାନେ ନିୟମିତ ଓଡ଼ିଶାକୁ ଆସୁଛନ୍ତି । ୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ଭଲ କରିବ ବୋଲି ରାଜନୀତିକ ପଣ୍ଡିତ ମାନେ ଭବିଷ୍ୟବାଣୀ କରୁଛନ୍ତି । ତେବେ ଏଥର ସାରା ଓଡ଼ିଶାକୁ ପଦ୍ମରେ ସଜେଇ ଭାଜପା ଇତିହାସ ରଚିବା ଅସମ୍ଭବ ନୁହେଁ ।

Leave a Reply

Your email address will not be published.