ମହିଳାଙ୍କ ଭୋଟ ମତେ ଜିତେଇଛି

ସେମାନଙ୍କ ସମସ୍ୟା ସମାଧାନ ମୋର ମୂଳ ଲକ୍ଷ୍ୟ :ରାଜଶ୍ରୀ
ଭୁବନେଶ୍ୱର, (ଆଇଏନ୍ଏସ୍): ଜଗତସିଂହପୁର ସଂସଦୀୟ କ୍ଷେତ୍ରରୁ ବିଜୁ ଜନତା ଦଳର ପ୍ରାର୍ଥୀ ଡାକ୍ତର ରାଜଶ୍ରୀ ମଲ୍ଲିକ ବିଜୟ ଲାଭ କରିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱିଙ୍କୁ ୨ଲକ୍ଷ ୭୧ହଜାରରୁ ଅଧିକ ଭୋଟରେ ପରାଜିତ କରି ସଂସଦକୁ ନିର୍ବାଚିତ ହୋଇଛନ୍ତି ।
ନିର୍ବାଚନମଣ୍ଡଳୀର ବହୁ ସଂଖ୍ୟକ ମହିଳା ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ତାଙ୍କୁ ଭୋଟ ଦେଇ ଜିତାଇଥିବା ଥିବା ଡାକ୍ତର ମଲ୍ଳିକ କହିଛନ୍ତି । ଯେଉଁ ଆଶା ଓ ଭରସା ରଖି ମହିଳାମାନେ ତାଙ୍କୁ ସମର୍ଥନ ଦେଇଛନ୍ତି ତାକୁ ସେ ପୂରଣ କରିବା ନେଇ ଯଥାସାଧ୍ୟ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଜଗତସିଂହପୁର ଆସନରୁ ନିର୍ବାଚନ ଲଢ଼ିବା ସୁଯୋଗ ଦେଇଥିଲେ । ଅଧିକ ସଂଖ୍ୟକ ମହିଳାଙ୍କୁ ସଂସଦକୁ ପଠାଇବା ନେଇ ଦଳ ସଭାପତି ନେଇଥିବା ନିଷ୍ପତି ଆଧାରରେ ସେ ପ୍ରାର୍ଥୀ ହୋଇଥିଲେ । ପୁରୁଷ ପ୍ରାର୍ଥୀମାନେ ମହିଳାଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝିବାରେ ସକ୍ଷମ ହେଉନଥିବା ବେଳେ ଜଣେ ମହିଳା ଭାବେ ସେ ମହିଳାମାନଙ୍କ ନିକଟତର ହେବା ତାଙ୍କୁ ସଫଳତା ଆଣି ଦେଇଛି । ଅଧିକ ମହିଳାଙ୍କ ଭୋଟ ପାଇ ଜିତି ଥିôବା ଦୃଷ୍ଟିରୁ ସେମାନଙ୍କ ବିକାଶ ତାଙ୍କର ମୂଳଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି । ମହିଳାଙ୍କ ସମସ୍ୟା ସମାଧାନ ପାଇଁ ସଂସଦରେ ସ୍ୱର ଶାଣିତ କରିବେ ରାଜଶ୍ରୀ । ଏପରିକି ବିଭିନ୍ନ ବିଭାଗର ମନ୍ତ୍ରୀଙ୍କୁ ଭେଟି ମହିଳା ବିକାଶ ପାଇଁ ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେବେ ବୋଲି କହିଛନ୍ତି ।
ରାଜଶ୍ରୀ କହିଛନ୍ତି, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସେ ମିଶନ ଶକ୍ତି ଗୃହ ନିର୍ମାଣ ପ୍ରସ୍ତାବ ଦେଇଥିଲେ । ତାହା କାର୍ଯ୍ୟକାରୀ କରାଯାଇଛି । ସଂସଦରେ ସେ ମହିଳାଙ୍କ ସ୍ୱାର୍ଥ ରକ୍ଷା ପ୍ରସଙ୍ଗ ଉଠାଇବେ ।
କିଛି ମାସ ତଳେ ସେ ବିମାନରେ ଦିଲ୍ଲୀରୁ ଭୁବନେଶ୍ୱର ଫେରିବା ସମୟରେ ଅସୁସ୍ଥ ହୋଇ ପଡ଼ିଥିବା ଜଣେ ସହଯାତ୍ରୀଙ୍କୁ ଚିକିତ୍ସା କରି ତାଙ୍କ ଜୀବନ ରକ୍ଷା କରିଥିଲେ । ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା । ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳୀୟ ଟିକଟ ଦେବା ବେଳେ ମଧ୍ୟ ଏହି କଥା କହିଥିଲେ । ଏ ସମ୍ପର୍କରେ ରାଜଶ୍ରୀ କହନ୍ତି, ଡାକ୍ତର ଭାବରେ ସେ ତାଙ୍କ କର୍ତବ୍ୟ କରିଛନ୍ତି । ସେବାକୁ ସେ ଆରମ୍ଭରୁ ଜୀବନର ମନ୍ତ୍ର ଭାବେ ବାଛି ନେଇଛନ୍ତି ।
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହାସପାତାଳରେ ଆସୋସିଏଟ ପ୍ରଫେସର ଥିଲେ ରାଜଶ୍ରୀ । ୨୦୧୪ରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡି ଟିକଟରେ ତିର୍ତୋଲ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ବିଜୟୀ ହୋଇଥିଲେ । ୧୯୯୧ରେ ଚାକିରି ଜୀବନ ଆରମ୍ଭରୁ ସେବା କ୍ଷେତ୍ରରେ ଥିବା ସେ କହିଛନ୍ତି ।
ଓଡ଼ିଶା ମହିଳା ଡାକ୍ତର ଫୋରମ ସମ୍ପାଦିକା ଥିବା ବେଳେ ତକ୍ରାଳୀନ ରାଜ୍ୟପାଳ ତାଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରିଥିଲେ । ଜାତୀୟସ୍ତରରେ ମଧ୍ୟ ତାଙ୍କୁ ପୁରସ୍କାର ମିଳିଛି । ଭୁବନେଶ୍ୱର ବସ୍ତି ଅଂଚଳରେ କ୍ୟାନସର ଚିହ୍ନଟ ଓ ପୀଡ଼ିତ ଲୋକଙ୍କ ଚିକିତ୍ସା ପାଇଁ ତାଙ୍କ ଉଦ୍ୟମକୁ ସରକାର ପ୍ରଶଂସା କରିଥିଲେ । ବିଭିନ୍ନ ବିଦ୍ୟାଳୟ, ଭିନ୍ନକ୍ଷମଙ୍କ ଆବାସସ୍ଥଳୀ ଏବଂ ଅନାଥାଶ୍ରମରେ ଚିକିତ୍ସା ଶିବିର ଆୟୋଜନ କରି ସେ ସେବା ଯୋଗାଇବାରେ ସଫଳ ହୋଇଥିଲେ । ନାରୀ ସେବା ସଂଘର ଜଣେ ସକ୍ରିୟ କାର୍ଯ୍ୟକର୍ତା ଭାବେ ସେ କାମ କରିଛନ୍ତି ।
ସଂସଦକୁ ନିର୍ବାଚିତ ହେବା ପରେ ଏବେ ମହିଳା ସଂଗଠନକୁ ଅଧିକ କ୍ରିୟାଶୀଳ କରିବେ ବୋଲି କହିଛନ୍ତି ରାଜଶ୍ରୀ । ବିଧାୟିିକା ଥିବା ବେଳେ ଯେଭଳି ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିଛି ସେହିଭଳି ସାଂସଦ ଭାବେ ଏହାକୁ ଅଧିକ ତ୍ୱରାନ୍ୱିତ କରିବା ଆଶା ରଖିଥିବା ରାଜଶ୍ରୀ ପ୍ରକାଶ କରିଛନ୍ତି । (ରବିପ୍ରିୟ ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ)

Leave a Reply

Your email address will not be published.