ଓଡ଼ିଶାରେ ସୁରକ୍ଷିତ ଶୈଶବ କେତେ ସଫଳ!

ଶରତ କୁମାର ରାଉତ
ଦୁଇ ବର୍ଷର ଅବୋଧ ଶିଶୁ ଗୋବିନ୍ଦ ଜାନୀ ମରିଗଲା । ସେଦିନ ଅତି ପ୍ରାତଃ ମୁହୂର୍ତରେ ସାରା ପୃଥିବୀ ଆଖି ଖୋଲିବା ପୂର୍ବରୁ ତା’ ଆଖି ଚିରଦିନ ପାଇଁ ବୁଜି ହୋଇଗଲା । ଯେଉଁ ସମାଜରେ ସେ ବଢ଼ିଛି, ଯେଉଁ ପରିବାରରେ ସେ ଜନ୍ମ, ସେମାନଙ୍କ ନିକଟରେ ଗୋବିନ୍ଦର ମୃତୁ୍ୟ ଏକ ସାଧାରଣ ଓ ନିତି ଦିନିଆ ଘଟଣା । ସେମାନଙ୍କ ଭାଷାରେ ଅଗାଡ଼ି ଧାନରୁ ଅଲଗା ହୋଇଗଲା । ମାତ୍ର ସେହି ଅସହାୟ ସମାଜର ବାହାର ଦୁନିଆଁରେ ଗୋବିନ୍ଦକୁ ନେଇ ଯେ ଆଲୋଡ଼ନ ସୃଷ୍ଟି ହୋଇଛି, ସେକଥା ବୁଝିବା ପାଇଁ ବହୁ ଉଦ୍ଧ୍ୱର୍ରେ ସେହି ହତଭାଗ୍ୟ ମାନେ । ଏହା ୨୦୦୪ ଜୁଲାଇ ୨୪ ତାରିଖର ଘଟଣା, ବାସ୍ତବରେ ଗୋବିନ୍ଦ ଜାନି ହୋଇ ଯାଇଛି କେବିକେର ଅସହାୟ ଆତ୍ମାର ଏକ ପ୍ରତୀକ ତଥା ଅଲୋଡ଼ା ହୋଇ ପଡ଼ିଥିବା ଲକ୍ଷ ଲକ୍ଷ ଅସହାୟ ମଣିଷର ପ୍ରତିଧ୍ୱନି । ପାହାଡ଼ ପରେ ପାହାଡ଼, ସେହି ପାହାଡ଼ ତଳକୁ ·ହିଁଲେ ମୁଣ୍ଡ ବୁଲେଇ ଦିଏ । ଉପତ୍ୟକାରେ ପୁରି ରହିଛି ନିଘଂଚ ଜଙ୍ଗଲ । ଝରିଗାଁ ବ୍ଲକ ସଦର ମହକୁମା ଠାରୁ ୨୫ କିଲୋମିଟର ଦୁର୍ଗମ ରାସ୍ତାରେ ଯିବା ପରେ ଏକ ଅଣ ଓସାରିଆ ରାସ୍ତାରେ ପାଦରେ ଚାଲି ଚାଲି ଅନେକ ବାଟ ଗଲେ, ପଡ଼େ ଦୁର୍ଗମ ହଳଦୀଗୁଣ୍ଡି ଘାଟୀ, ଯେଉଁଠି ସୂର୍ଯ୍ୟ କିରଣ ପ୍ରତିଫଳିତ ହେଲେ, ସାରା ପ୍ରକୃତି ହଳଦୀବର୍ଣ୍ଣ ଧାରଣ କରେ । ଲୋକଙ୍କ ଧାରଣା, ଏଠାରେ ମାଟିତଳେ ସୁନା ଥିବାରୁ ହଳଦୀ ବର୍ଣ୍ଣ ପ୍ରତି ଫଳିତ ହେଉଛି । ଏଇ ଘାଟୀରୁ ୩୦୦ ଫୁଟ୍ ତଳକୁ ଖସିଲେ, ଗୋଟିଏ ଉପତ୍ୟକାରେ ଡ଼ଙ୍ଗରୀଗୁଡ଼ା ନାମରେ ଏକ ଗାଁ । ୮୨ ଟି ପରିବାର ବିଶିଷ୍ଟ ଏଇ କନ୍ଧ ଗ୍ରାମର ମୋଟ ଜନସଂଖ୍ୟା ୩୩୬ । ଭଙ୍ଗା ଝୁମ୍ପୁଡ଼ି, ପେଜ ହାଣ୍ଡି, ଗୋଟିଏ/ଦୁଇଟି ଘୁଷୁରୀ ଓ କେତୋଟି କୁକୁଡ଼ାକୁ ନେଇ ସେମାନଙ୍କର ସଂସାର । ଏଇ ସଂସାର ଭିତରେ ୨ରୁ ୫ବର୍ଷ ବୟସ ମଧ୍ୟରେ ଥିଲେ ୭୨ ଜଣ ଶିଶୁ । ମାତ୍ର ୨୦୦୪ ଜୁନ୍ ୧୧ରୁ ଜୁଲାଇ ୨୩ ତାରିଖ ମଧ୍ୟରେ ୧୩ ଜଣ ଅବୋଧ ଶିଶୁଙ୍କର ମୃତୁ୍ୟ ହୋଇ ଯାଇଥିଲା । ଜୁଲାଇ ୨୧ରେ ଘଟଣା ଲୋକଲୋଚନକୁ ଆସିବା ବେଳକୁ ଆହୁରି ଅନେକ ଶିଶୁ ମୃତୁ୍ୟ ସହ ସଂଗ୍ରାମ କରୁଥିଲେ । ସେମାନଙ୍କ ମଧ୍ୟରେ ସବୁଠୁ ସାଂଘାତିକ ଅବସ୍ଥା ଥିଲା ୨ବର୍ଷର ଗୋବିନ୍ଦ ଜାନିର । ତା’କୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆ ଯାଇଥିଲା । ଅବୋଧ ଶିଶୁ ଗୋବିନ୍ଦ ଜାନିର ହାତଗୋଡ଼ କାଉଁରିଆ କାଠି ଭଳି ସରୁ ହୋଇ ଯାଇଥିଲା ବେଳେ ଆଖି ୨ଟିରେ ଜୁଳୁ ଜୁଳୁ ହୋଇ ·ହିଁବା ଛଡ଼ା ଜୀବନର କୌଣସି ଲକ୍ଷଣ ତା’ଠାରେ ବାରି ହେଉନଥିବା ଅନୁମାନ କରାଯାଇଥିଲା । ତେବେ ଏଇ ଅବସ୍ଥାର ମୂଳକାରଣ ପୃଷ୍ଟିହୀନତା ଓ ଖାଦ୍ୟର ଅଭାବ ଥିବା ସ୍ପଷ୍ଟ ହୋଇଥିଲା । ଏଇ ଘଟଣା ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏଠାରେ ଶିଶୁ ମୃତୁ୍ୟର ତାଣ୍ଡବ ଘଟି·ଲିଥିଲେ ହେଁ ପ୍ରଶାସନ ପାଖରେ ଖବର ନ ପହଂଚିବାର କାରଣ କ’ଣ ଥିଲା? ଅନ୍ଧବିଶ୍ୱାସ ଓ ଅସଚେତନତା ଭିତରେ ବଂଚୁଥିବା ଏଇ ମଣିଷ ମାନଙ୍କର ଶିଶୁଙ୍କ ଫଟୋ ଯେ ସାରା ଦେଶରେ ଭୂମିକମ୍ପ ସୃଷ୍ଟି କରିଛି ଓ ସେମାନଙ୍କର ଅନାମଧେୟ ଗାଁଟି ଯେ ଭିନ୍ନ ଏକ ଇଥିଓପିଆ ଏବଂ ସୋମାଲିଆର ରୂପ ଧାରଣ କରିଛି, ସେମାନେ କିନ୍ତୁ ଏକଥା ଜାଣି ପାରୁନଥିଲେ । ଏଇ ମଣିଷମାନେ ଜନ୍ମରେ ଆନନ୍ଦ ହୁଅନ୍ତିନି କି ମୃତୁ୍ୟରେ ଦୁଃଖିତ ହୁଅନ୍ତିନି । ଏଣୁ ସେମାନଙ୍କର କାହା ବିରୁଦ୍ଧରେ କୌଣସି ଅଭିଯୋଗ ନଥାଏ । ସେମାନେ ଏଇ ଅବସ୍ଥାକୁ ଦେବୀ-ଦେବତାଙ୍କର ଅଭିଶାପ ଭାବି ନିଜର ଚିରାଚରିତ ପ୍ରଥାନୁସାରେ ପୂଜାର୍ଚ୍ଚନାରେ ବ୍ୟସ୍ତ ରହନ୍ତି । ମାତ୍ର ପୂଜାର୍ଚ୍ଚନା ପାଇଁ ବଡ଼ଗୁଣିଆ ଖୋଜିବା ବେଳେ ହିଁ ଏ ଘଟଣା ଲୋକ ଲୋଚନକୁ ଆସିଥିଲା । ଏଇ ଘଟଣା ପୂର୍ବରୁ ବହୁ ଅବୋଧ ଶିଶୁ ପୃଷ୍ଟିହୀନତା ଓ ଖାଦ୍ୟାଭାବ ଯୋଗୁଁ ମୃତୁ୍ୟବରଣ କରିଥିବା ନିଃସନେ୍ଦହ । ତେବେ ଏହି ସମୟରେ ଶିଶୁ ମାନଙ୍କର ସାମାଜିକ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଭଳି ନିଷ୍ପତି ଓ ପଦକ୍ଷେପ ଘୋଷଣା କରା ଯାଇଥିଲା, ଆଉ ଏଭଳି ସମ୍ବେଦନଶୀଳ ଘଟଣାର ପୁନରାବୃତି ହେବ ନାହିଁ ବୋଲି ଆଶା କରାଯାଉଥିଲା । ମାତ୍ର ଗୋଟିଏ ପରେ ଗୋଟିଏ ଏଭଳି ଘଟଣା ସାମ୍ନାକୁ ଆସିବାରେ ଲାଗିଛି । କ’ଣ ପାଇଁ ଓ କାହିଁକି ସରକାର ଚେତୁ ନାହାନ୍ତି, ଜାଣି ହେଉନାହିଁ । ୫ବର୍ଷ ତଳେ ବୁର୍ଲାରେ ୯ଜଣ ନବଜାତକ ଶିଶୁଙ୍କର ମୃତୁ୍ୟ ହୋଇଥିଲା । ୨୦୧୫ରେ ଓଡ଼ିଶାର ସବୁଠୁ ବୃହତମ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ବା ଶିଶୁ ଭବନରେ ୧୧ ଦିନ ମଧ୍ୟରେ ୫୩ ଜଣ ନବଜାତ ଓ କୋମଳମତି ଶିଶୁଙ୍କର ଅକାଳ ମୃତୁ୍ୟ ଘଟିଥିଲା । ୨୦୧୬ରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ନଗଡ଼ା ଗ୍ରାମରେ ପୃଷ୍ଠିହୀନତା ଯୋଗୁ ୨୨ ରୁ ଉଦ୍ଧ୍ୱର୍ ଶିଶୁଙ୍କର ଅକାଳ ମୃତୁ୍ୟ ଖବର ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଥିଲା । ମାଲକାନାଗିରି ଜିଲ୍ଲାରେ ୨୦୧୬ ସେପ୍ଟେମ୍ବର ୧୧ରୁ ଅକ୍ଟୋବର ୨ତାରିଖ ମଧ୍ୟରେ ମାରାତ୍ମକ ଜାପାନୀ ଏନ୍ସେଫାଲାଇଟ୍ସ (ମସ୍ତିଷ୍କ ଜ୍ୱର)ରେ ୧୦୨ ଶିଶୁଙ୍କର ମୃତୁ୍ୟ ଘଟିଥିବା ସରକାରୀ ଭାବେ କୁହାଯାଇଥିଲେ ହେଁ ଏହି ସଂଖ୍ୟା ବହୁ ଅଧିକ ବୋଲି ଚର୍ଚ୍ଚା ହୋଇଥିଲା । ବିଭିନ୍ନ ସମୟରେ ରାଜ୍ୟର ଅନେକ ସ୍ଥାନରେ ଶିଶୁ ମୃତୁ୍ୟ ଘଟଣା ଘଟି ଆସୁଛି । ଏମିତି କାହିଁକି, କ’ଣ ପାଇଁ ଘଟୁଛି, ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଶାରେ ଏଭଳି ଘଟଣା ନୂଆ ନୁହେଁ । ନଗଡ଼ା ଭଳି ଆମ ରାଜ୍ୟରେ ଅନେକ ଗାଁ ଅଛି, ଯେଉଁଠି ପ୍ରଶାସନ ଏବେ ବି ପହଂଚି ପାରିନାହିଁ । ମା’ ଓ ଶିଶୁଙ୍କ ପାଇଁ କାର୍ଯ୍ୟକାରୀ କୌଣସି ବି ଯୋଜନା ସେହି ହତଭାଗ୍ୟ ମାନଙ୍କ ପାଇଁ ସାତ ସପନ । ବଣ, ଜଙ୍ଗଲ ଓ ପାହାଡ଼ର ଫଳମୂଳ ବା ପଖାଳ ଓ ଲୁଣ ହିଁ ସେହି ମା’ ଓ ଶିଶୁଙ୍କ ପାଇଁ ପ୍ରଧାନ ଖାଦ୍ୟ । ଏହା ହିଁ ଅପପୃଷ୍ଠିର ମୂଳ କାରଣ । ସରକାରୀ ରିପୋର୍ଟ ଅନୁଯାୟୀ ୨୦୧୬-୧୭ ବର୍ଷରେ ଓଡ଼ିଶାରେ ୧୨,୦୦୦ ଶିଶୁ ବିଭିନ୍ନ କାରଣରୁ ମୃତୁ୍ୟ ବରଣ କରିଛନ୍ତି । ରାଜ୍ୟରେ ୬୧% ନବଜାତ ଶିଶୁ(ଜନ୍ମର ୪ସପ୍ତାହ ମଧ୍ୟରେ) ମୃତୁ୍ୟ ବରଣ କରୁଥିବାବେଳେ ୯% ନବଜାତ ଶିଶୁ(ଜନ୍ମର ୨୪ ଘଂଟା ମଧ୍ୟରେ)ମୃତୁ୍ୟ ବରଣ କରୁଛନ୍ତି ।
ତେବେ ସବୁ ଶିଶୁ ମୃତୁ୍ୟ ଘଟଣା ଅପପୃଷ୍ଟି ଜନିତ ନୁହେଁ । ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ, ତୃଟିପୂର୍ଣ୍ଣ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ପ୍ରଶାସନର ମନମୁଖୀ କାର୍ଯ୍ୟ ଯୋଗୁ ହିଁ ଅବୋଧ ଶିଶୁ ମାନଙ୍କର ମୃତୁ୍ୟ ଘଟିଥାଏ । ପ୍ରଶାସନିକ ଅବହେଳା ଓ ପରିଚାଳନାଗତ ତୃଟିର ଅର୍ଥ ଆମକୁ ବୁଝିବାକୁ ପଡ଼ିବ ଯେ, ଅସଜଡ଼ା ସ୍ୱାସ୍ଥ୍ୟସେବା ବ୍ୟବସ୍ଥା, ଭିତିଭୂମିର ଘୋର ଅଭାବ ସହିତ ଡ଼ାକ୍ତର ଓ କର୍ମଚାରୀଙ୍କ ପଦବୀ ଖାଲି । ୧୯୭୨ ମସିହାରୁ ଏପର୍ଯ୍ୟନ୍ତ ଶିଶୁ ଓ ମା’ ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ତଥା ଶିଶୁ ଓ ମାତୃ ମୃତୁ୍ୟହାର ହ୍ରାସ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି । ଶିଶୁ-ମାତୃ ମୃତୁ୍ୟହାର ହ୍ରାସ ସବୁ ଯୋଜନାର ମୁଳ ଲକ୍ଷ୍ୟ! ମାତ୍ର ଯୋଜନା ଗୁଡ଼ିକରୁ କାଣିଚାଏ ଉପକାରିତା ସେହି ହତଭାଗ୍ୟ ମାନଙ୍କୁ ମିଳୁନାହିଁ । ମୁଖ୍ୟତଃ ନଗଡ଼ା ଭଳି ଅନ୍ୟ ଆଦିବାସୀ ଅଂଚଳର ୯୫ ଭାଗ ଗ୍ରାମ ଭିନ୍ନ ଏକ ଇଥିଓପିଆ ଏବଂ ସୋମାଲିଆର ରୂପ ଧାରଣ କରିଥିବା ଦେଖାଯାଇ ପାରେ । ଏହି ଅବସ୍ଥାକୁ ସଜାଡ଼ିବାକୁ ବିଭାଗ ପକ୍ଷରୁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯିବା ଉଚିତ । କୌଣସି ଘୋଷଣା ବା ଯୋଜନା କାର୍ଯ୍ୟକାରୀ ପୂର୍ବରୁ ଯଦିଓ ସରକାର ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ, ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଓ ସମାଜର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇ ବ୍ୟାପକ ସମୀକ୍ଷା କରନ୍ତେ, ହୁଏତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ମଜଭୁତ ପାଇଁ ବାଟ ପାଇ ଯାଆନ୍ତେ । ଅନ୍ୟଥା କୌଣସି ଯୋଜନା, ପଦକ୍ଷେପ ବା ଘୋଷଣା ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆଦର୍ଶ କରି ପାରିବ ନାହିଁ । ତେବେ ଆଦିବାସୀ ବାସିନ୍ଦାଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ସ୍ୱତନ୍ତ୍ର ପ୍ରକଳ୍ନ କାର୍ଯ୍ୟକାରୀ ହେଉଥିଲେ ହେଁ ଦାରିଦ୍ର୍ୟର ଉତ୍ପାତ ବଢ଼ୁଥିବା, ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଥିବା, ଅନାହାର, ପୃଷ୍ଟିହୀନତା, ମେଲେରିଆ, ଡ଼ାଇରିଆ ଆଦି ରୋଗରେ ମୃତୁ୍ୟର ତାଣ୍ଡବର ମୂଳ କାରଣ ପ୍ରଶାସନ ତନ୍ତ୍ରର ଅବହେଳା, ସରକାରୀ ଅପବ୍ୟୟ, ଅପାରଗତା ଓ ଦୁର୍ନୀତି ବୋଲି ସାଧାରଣରେ ଅଭିଯୋଗ ହେଉଛି । ସବୁ ମାୟାରେ ବାୟା ଭଳି ବିଭାଗୀୟ ଅଧିକାରୀମାନେ ସ୍ୱାସ୍ଥ୍ୟସେବା ନୀତି ସ୍ୱୟଂ ଉଲଘଂନ କରୁଥିବା ସାରା ରାଜ୍ୟରେ ଆଲୋଚନା ହେଉଛି । ରାଜ୍ୟରେ ସ୍ୱାସ୍ଥ୍ୟସେବା ଆଉ କେତେ ତଳକୁ ଗଲେ, ରାଜ୍ୟ ସରକାର ଚେତିବେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଥିଲା । ଯଦିଓ ବିଭାଗୀୟ ମନ୍ତ୍ରୀ ଆନ୍ତରିକତାର ସହ ନିଜ ଦାୟିତ୍ୱ ପ୍ରତି ସଚେତନ ହୋଇଥାନ୍ତେ, ସ୍ୱାସ୍ଥ୍ୟସେବାର ଉନ୍ନତି ହୋଇ ସାରନ୍ତାଣି । ୧୯୯୫ ରୁ୨୦୧୮ ମଧ୍ୟରେ କୌଣସି ଅଭିଜ୍ଞ ମନ୍ତ୍ରୀଙ୍କୁ ବିଭାଗରେ ଦେଖିବାକୁ ମିଳିନାହିଁ । ଆଜି ପର୍ଯ୍ୟନ୍ତ କୌଣସି ଜଣେ ମନ୍ତ୍ରୀ କି ସଚିବ ନିଜ କରିସ୍ମା ବଳରେ ସ୍ୱାସ୍ଥ୍ୟ ବିଭାଗରେ ସାମାନ୍ୟତମ ପରିବର୍ତନ ଆଣି ପାରି ନାହାନ୍ତି କି କୌଣସି ନୂଆ ସଂସ୍କାର । ମାତ୍ର ବର୍ତମାନର ମନ୍ତ୍ରୀ ନବ କିଶୋର ଦାସ ରାଜ୍ୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବାରେ ଲାଗିଛନ୍ତି । ତାଙ୍କର ବଳିଷ୍ଠ ଉଦ୍ୟମରେ ରାଜ୍ୟରେ ଧୀରେ ଧୀରେ ସ୍ୱାସ୍ଥ୍ୟସେବାର ବିକାଶ ହୋଇ ପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *