ଲୋକାୟୁକ୍ତ ଆଇନ୍ ଓ ଆମ ସରକାର

ନିଜକୁ ସାଧୁ, ପବିତ୍ର ଓ ବୃହତ୍ ଗଣତନ୍ତ୍ର ରାଷ୍ଟ୍ରର ନାଗରିକ କହୁଥିବା ଭାରତୀୟ ମାନେ ଯେ ପୃଥିବୀର ଅନ୍ୟାନ୍ୟ ଦେଶ ଠାରୁ ଦୁର୍ନୀତି ଓ ଠକେଇ କରିବାରେ ସିଦ୍ଧହସ୍ତ ଓ ପାରଙ୍ଗମ, ଏହା ସର୍ବ ବିଦିତ ହୋଇ ଯାଇଛି । ସମସ୍ତେ ଅସାଧୁ ଉପାୟରେ ନିଜ ସ୍ୱାର୍ଥ ହାସଲ ପାଇଁ ଲାଗି ପଡ଼ିଛନ୍ତି । ରାଜନୈତିକ ନେତା ଓ ଅଧିକାରୀ ନିଜ ଦାୟୀତ୍ୱ ଓ କର୍ତବ୍ୟ ପ୍ରତି ସଚେତନ ରହିବାକୁ ଆଗ୍ରହୀ ହେଉ ନାହାନ୍ତି । ଆଇନ ଓ ସମ୍ବିଧାନକୁ ମାନିବାକୁ କେହି ପ୍ରସ୍ତୁତ ନୁହନ୍ତି । ଏଇ ଅବସ୍ଥାରେ ଦେଶ ଏକ ଅନ୍ଧକାର ଭବିଷ୍ୟତ ଆଡ଼କୁ ଠେଲି ହୋଇ ଯାଉଥିବା ବେଳେ ଜନ ଲୋକପାଳ ବିଲ୍ ଗୃହୀତ ପାଇଁ ସମାଜସେବୀ ଆନ୍ନା ହଜାରେ ଯଥାସାଧ୍ୟ ଉଦ୍ୟମ କରିଛନ୍ତି । ଏଥିପାଇଁ ସେ ବିଭିନ୍ନ ସମୟରେ ଅନଶନ କରିଛନ୍ତି । ଶେଷରେ ୨୦୧୩ ଡ଼ିସେମ୍ବରରେ ପାର୍ଲିଆମେଂଟରେ ବହୁ ପ୍ରତିକ୍ଷୀତ ଲୋକାୟୁକ୍ତ ବିଲ୍ ମଞ୍ଜୁରୀ ଲାଭ କରିଥିଲା । ଆଉ ହତାଶ ଭାରତୀୟ ଯୁବ ପିଢିର ଅନ୍ୟ ଏକ ସ୍ୱାଧିନତାର ସ୍ୱପ୍ନ ସାକାର ହୋଇଥିଲା । ଭାରତ ପାଇଁ ଏହି ବିଲ୍ର ଅତ୍ୟନ୍ତ ଆବଶ୍ୟକତା ରହିଛି । ଏହି ଆଇନ କାର୍ଯ୍ୟକାରୀ ହେଲେ, ହୁଏତ ସାଧାରଣ ପ୍ରଜାଙ୍କ ହାତକୁ ଯଥେଷ୍ଟ କ୍ଷମତା ଆସିଯିବ ।
ଆନ୍ନାଙ୍କର ପ୍ରମୁଖ ଦାବୀ ଗୁଡ଼ିକ ମଧ୍ୟରେ ଲୋକପାଳଙ୍କୁ ପୂର୍ଣ କ୍ଷମତା ଓ ସ୍ୱାଧିନତା, ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ସମ୍ପର୍କରେ ନିଜ ଆଡ଼ୁ ତଦନ୍ତ ପାଇଁ ଲୋକପାଳଙ୍କୁ କ୍ଷମତା, ଆର୍ଟିଆଇ ମାଧ୍ୟମରେ ଦୁର୍ନୀତି ଧରା ପଡ଼ିଲେ, ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆଦି ଉଲ୍ଲେଖ ଯୋଗ୍ୟ । ବହୁ ପୂର୍ବରୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଲୋକପାଳ ସଂସ୍ଥା ଗଠିତ ହୋଇଥିଲେ ହେଁ ପୂର୍ଣ କ୍ଷମତା ଓ ସ୍ୱାଧିନତା ନ ଥିବାରୁ ଲୋକପାଳଙ୍କ ରାୟକୁ ସରକାର ମାନୁନଥିବା ପ୍ରମାଣିତ ହୋଇ ସାରିଛି । ଏପରିକି ନିଜର କ୍ଷମତା ନଥିବାରୁ ଅଭିଯୁକ୍ତ ସରକାରୀ ବ୍ୟକ୍ତିଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ସମ୍ପୃକ୍ତ ବିଭାଗକୁ ଦାୟୀତ୍ୱ ଦିଆ ଯାଉଛି । ଯଦ୍ୱାରା ଦୋଷୀ ଦଣ୍ଡ ବିଧାନରୁ ଖସିି ଯାଉଛନ୍ତି ଓ ଲୋକପାଳ ସଂସ୍ଥାର ଗୁରୁତ୍ୱ ରହୁନାହିଁ । ସୁସ୍ଥ ସାମାଜିକ ପରିବେଶ, ସ୍ୱଛ-ନିର୍ମଳ ଶାସନ ବ୍ୟବସ୍ଥା ଓ ସାଧାରଣ ପ୍ରଜାଙ୍କ କଲ୍ୟାଣ ଲୋକପାଳ ସଂସ୍ଥା ଗଠନର ମୂଳ ଲକ୍ଷ୍ୟ । ମାତ୍ର ଶାସନ ବ୍ୟବସ୍ଥାରେ କୌଣସି ସଂସ୍କାର ଆସି ପାରୁନି, ନେତା ଓ ଅଧିକାରୀଙ୍କ ଦ୍ୱାରା କୋଟି କୋଟି ଟଙ୍କା ବାଟମାରଣା ହେଉଛି, ସରକାରୀ କାର୍ଯ୍ୟରେ ଅନିୟମିତତା ବଢି ଚାଲିଛି । ସାଧାରଣ ଲୋକଙ୍କୁ ହଇରାଣ କରାଯାଉଛି । ଏଇ ପରିସ୍ଥିତିରେ ଉକ୍ତ ଆଇନ କାର୍ଯ୍ୟକାରୀ ଦ୍ୱାରା ପ୍ରାୟତଃ ଦୁର୍ନୀତି, ଅନିୟମିତତା ଓ ବେଆଇନ କାର୍ଯ୍ୟ କରିବାକୁ ସମସ୍ତେ ଭୟ କରିବେ । ସେହିପରି ଉପରୋକ୍ତ ଲକ୍ଷ୍ୟ ନେଇ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହୋଇଥିଲା । ଏହି ଆଇନ ବଳରେ ଭ୍ରଷ୍ଟାଚାର ଧରା ପଡ଼ୁଥିଲେ ହେଁ ସର୍ବୋଚ୍ଚ ଅଧିକାରୀ ମାନେ ଦୋଷୀମାନଙ୍କୁ ଘଂଟ ଘୋଡ଼ାଉଛନ୍ତି । ସରକାରୀ ବ୍ୟକ୍ତିଟି ଭ୍ରଷ୍ଟାଚାର ଭଳି କୌଣସି ତୃଟି କରିଥିବା ସମ୍ପର୍କୀତ ସୂଚନା ସାଧାରଣ ପ୍ରଜାଙ୍କୁ ବିଭାଗ ଦ୍ୱାରା ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଆଇନର ମୂଳ ଲକ୍ଷ୍ୟ । ମାତ୍ର ଏହାର କୌଣସି ପ୍ରଭାବ ଅଧିକାରୀଙ୍କ ଉପରେ ପଡ଼ୁ ନାହିଁ । ଏହି ଆଇନକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ମଧ୍ୟ ଆନ୍ନାଙ୍କର ଦାବୀ ରହିଥିଲା ।
ଆମ ଦେଶରେ ଲକ୍ଷ ଲକ୍ଷ ଲୋକେ ଦିନରେ ଠିକ୍ ଭାବେ ବକ୍ତେ ଖାଇବାକୁ ପାଉ ନାହାଁନ୍ତି । କାମଧନ୍ଦା ଅଭାବରୁ ଖଟିଖିଆମାନେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ଯଦିଓ ଗରିବ ମଣିଷର ପେଟର ଦାନାକୁ ଲୁଟ୍ କରି ନେତା ଓ ଅଧିକାରୀ ମାନେ ନିଜ ପକେଟ ଗରମ କରିବେ, ତେବେ କ’ଣ କୁହାଯିବ ଆମ ଶାସନ ବ୍ୟବସ୍ଥାକୁ? ମିଥ୍ୟା ସୂଚନା, ମିଥ୍ୟା ମନ୍ତବ୍ୟ, ମିଥ୍ୟା ପ୍ରଚାର ଭଳି ବହୁ ଆପତି ଜନକ ଘଟଣା ଲୋକପ୍ରତିନିଧି ଓ ଅଧିକାରୀଙ୍କର ଅଭ୍ୟାସରେ ପରିଣତ ହୋଇ ଯାଇଛି । ଭ୍ରଷ୍ଟାଚାର, ଦୁର୍ନୀତି ଅମାନବୀୟତା ନୁହେଁ? ସରକାରଙ୍କ ଦୁର୍ନୀତି ତାଲିକା କ୍ରମେ ଲମ୍ବି ଲମ୍ବି ଚାଲିଛି । ସବୁ ଯୋଜନା ଓ ବିଭାଗରେ ଦୁର୍ନୀତି ତାର ପ୍ରକାଣ୍ଡ କାୟା ବିସ୍ତାର କରିଛି । ଏପରିକି ସ୍ୱୟଂ ମନ୍ତ୍ରୀ ଓ ଅଧିକାରୀ ମଧ୍ୟ ଲାଂଚ-ମିଛ ଭଳି ଅତି ଘୃଣ୍ୟ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି । ଟିକିଟିକି କାମରେ ଲାଂଚ ଖାଇ ଭୁଲ୍ କରୁଥିବା ବଡ଼ ଅଫିସରଙ୍କ ଦ୍ୱାରା ସାଧାରଣ ଲୋକେ କେତେ ସରକାରୀ ସେବା ପାଉଥିବେ, ତାହା ଅନୁସନ୍ଧାନ ସାପେକ୍ଷ । ମାତ୍ର ଏଭଳି ବେଇମାନ ରାଜନେତା ଓ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ଲୋକଙ୍କ ହାତରେ କିଛି କ୍ଷମତା ନାହିଁ । ଏହା ଅତି ଦୁର୍ଭାଗ୍ୟର କଥା ।
ତେବେ ଏହି ବହୁ ଅପେକ୍ଷିତ ଲୋକପାଳ ବିଲ୍ ସଂସଦରେ ଗୃହୀତ ହେବା ପରେ ୨୦୧୪ଫେବୃୟାରୀ୧୪ରେ “ଓଡ଼ିଶା ଲୋକାୟୁକ୍ତ ବିଲ୍-୨୦୧୪” ଓଡ଼ିଶା ବିଧାନସଭାରେ ଗୃହୀତ ହେଲା ଓ ଏହା ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ୨୦୧୫ ଜାନୁୟାରୀ ୧୬ ତାରିଖରେ ମଞ୍ଜୁରୀ ଲାଭ କଲା । ବସ୍ତୁତଃ ଏହା ଆଇନରେ ପରିଣତ ହେବା ସହ କାର୍ଯ୍ୟକାରୀ ହୋଇଛି । ରାଜ୍ୟ ସରକାର ବିଧାନସଭାରେ ଲୋକାୟୁକ୍ତ ଆଇନ ଗୃହୀତ କରାଇ ଲୋକାୟୁକ୍ତ ଆଇନକୁ କାର୍ଯ୍ୟକାରୀ କରାଇବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ବୋଲି ସେତେବେଳେ ଡ଼ିଣ୍ଡିମ ପିଟିଥିଲେ । ହେଲେ ବାସ୍ତବ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆଗ୍ରହ ପ୍ରକାଶ କରି ନଥିଲେ ସରକାର । ଲୋକାୟୁକ୍ତ ଗଠନ କରିବାରେ ସରକାରଙ୍କ ଅନାଗ୍ରହକୁ ନେଇ ବିଭିନ୍ନ ମହଲରେ ସନେ୍ଦହ ସୃଷ୍ଟି ହୋଇଥିଲା । ଏଥିନେଇ ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ଜୋରଦାର ହଙ୍ଗାମା ହୋଇଛି । ଏହି ଆଇନ କାର୍ଯ୍ୟକାରୀ ହେଲେ ନିଜେ ସରକାର ଏଥିରେ ଛନ୍ଦି ହୋଇଯିବେ, ଏହି ଡ଼ର ବୋଧେ ଧରିଥିଲା ରାଜ୍ୟ ସରକାରଙ୍କୁ । ହୁଏତ ରାଜ୍ୟରେ ବହୁଚର୍ଚ୍ଚିତ ଦୁର୍ନୀତି, ଠକେଇ ଓ ଅନିୟମିତତା ଆଦି କେଳେଙ୍କାରୀ ଧରା ପଡ଼ିଯିବା ଆଶଙ୍କାରେ ଲୋକାୟୁକ୍ତ ଗଠନର ଫାଇଲ୍ କୁ ୪ବର୍ଷରୁ ଉଦ୍ଧ୍ୱର୍ ସମୟ ଚାପି ରଖିଥିଲେ ସରକାର । ସରକାର ଯେ ଏହି ଆଇନକୁ ଡ଼ରୁଥିଲେ,ଏଥିରେ ସନେ୍ଦହ ନାହିଁ । ଏହାର କାରଣକୁ ନେଇ ମଧ୍ୟ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ୨୦୧୩ ଜାନୁୟାରୀ ୨୨ ତାରିଖରୁ ଖାଲି ପଡ଼ିଥିଲା ଲୋକପାଳ ପଦବୀ । ହଜାର ହଜାର ସମ୍ବେଦନଶୀଳ ମାମଲା ବିଚାର ପାଇଁ ପଡ଼ି ରହିଛି । ଏଥିନେଇ ଓଡ଼ିଶା ହାଇକୋର୍ଟ ରେ ଲୋକପାଳ ପଦବୀ ପୂରଣ ସଂପର୍କୀୟ ଜନସ୍ୱାର୍ଥ ମାମଲା ତଥା ସାଧାରଣ ଅଭିଯୋଗ ତୀବ୍ର ହୋଇଥିଲା । ଫଳତଃ ଗତ ୨୦୧୯ ମାର୍ଚ୍ଚ ୩ ତାରିଖରେ ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଓଡ଼ିଶାର ପ୍ରଥମ ଲୋକପାଳ ଭାବେ ଗୌହାଟୀ ହାଇକୋର୍ଟ ର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଅଜିତ ସିଂହଙ୍କୁ ନିଯୁକ୍ତି ଦିଆଯାଇଥିଲା । ତେବେ ଜଷ୍ଟିସ ସିଂହ ୨୦୧୯ ମାର୍ଚ୍ଚ ୨୦ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ । ତେବେ ଲୋକାୟୁକ୍ତ ଜଷ୍ଟିସ ସିଂହଙ୍କ ଅଧୀନରେ ଉଭୟ ବିଚାର ବିଭାଗୀୟ ଓ ଅଣ-ବିଚାର ବିଭାଗୀୟ ୫ ଜଣ ସଦସ୍ୟ ମଧ୍ୟ ନିଯୁକ୍ତି ପାଇଛନ୍ତି । ସୂଚନାଯୋଗ୍ୟ ଯେ, ସମସ୍ତ ସରକାରୀ କାର୍ଯ୍ୟାଳୟ ସମେତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଆରମ୍ଭ କରି ପଂଚାୟତ ସରପଂଚ ଓ ସରକାରୀ ସହାୟତାରେ ପରିଚାଳିତ ବିଭିନ୍ନ ଉଦ୍ୟୋଗ ଅଧ୍ୟକ୍ଷ ପର୍ଯ୍ୟନ୍ତ ସମସ୍ତେ ଲୋକାୟୁକ୍ତ ଆଇନ ପରିସର ମଧ୍ୟରେ ରହିବେ । ସେମାନଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସିଲେ, ଲୋକାୟୁକ୍ତ ତଦନ୍ତ କରିବେ ଓ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରକାରଙ୍କୁ ସୁପାରିସ କରି ପାରିବେ ।
ଦୁର୍ନୀତି ଲୋପ୍ ପାଇଁ ଆମ ଦେଶରେ ଆଇନ ରହିଛି । ତଥାପି ଦୁର୍ନୀତି ବଢୁଛି । ଏଣୁ ପ୍ରଥମେ ବ୍ୟକ୍ତି ଚରିତ୍ରରେ ପରିବର୍ତନର ଆବଶ୍ୟକତା ରହିଛି । ଦେଶରେ କାର୍ଯ୍ୟକାରୀ ପ୍ରାୟ ସମସ୍ତ ଆଇନ ଲକ୍ଷ୍ୟ ହାସଲ କରିପାରି ନାହିଁ । ଆମର ରାଜନେତା ଓ ଅଧିକାରୀଙ୍କ ମାନସିକତା ଏତେ ନିମ୍ନମୁଖୀ ହୋଇ ଯାଇଛି ଯେ, ସେମାନଙ୍କ ମସ୍ତିଷ୍କକୁ ସ୍ୱଛ-ନିର୍ମଳ-ବିକଶିତ କରାଇବା ଅସମ୍ଭବ ଭଳି ମନେ ହେଉଛି । ଲୋକାୟୁକ୍ତ ଆଇନ ଦ୍ୱାରା ଦୁର୍ନୀତି ହଟିବ କି ନାହିଁ, ତାହା ତ ଭବିଷ୍ୟତ କହିବ, ହେଲେ କୌଣସି ନୂଆ ଆଇନ ତିଆରି କରିବାକୁ କି କାର୍ଯ୍ୟକାରୀ କରିବାକୁ ମୁଖ୍ୟତଃ ଦଳମତ ନିର୍ବିଶେଷରେ ରାଜନେତା ଓ ଅଧିକାରୀ ଚାହିଁବେ ନାହିଁ, ଯାହା ଆଜି ଜଳଜଳ ଦେଖାଯାଉଛି । ଶରତ କୁମାର ରାଉତ

Leave a Reply

Your email address will not be published. Required fields are marked *