ଦୁଃଖିନୀ କନିକାର ଦୁଃଖ!

ଶରତ କୁମାର ରାଉତ
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆନନ୍ଦଚନ୍ଦ୍ର ଜେନା ପୂର୍ବତନ କନିକା ଜମିଦାରୀର ଏକ ଅନାମଧେୟ ଗ୍ରାମ ଡ଼ାଳିକାଏନ୍ଦାରେ ୧୮୮୪ ମସିହା ଜୁଲାଇ ୧୭ ତାରିଖରେ ଏକ ଖଣ୍ଡାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ବାପା ଖଗେଶ୍ୱର ଜେନା ବେଙ୍ଗଲ୍ରେ ପୋଲିସ୍ ଏସ୍.ଆଇ.ପଦରୁ ବହିଷ୍କୃତ ହେବା ପରେ କଲିକତାର ଜଗତ୍ଦଳ ବଜାରରେ ଗୋଟିଏ ଲୁହା ଲକତର ଦୋକାନ କରି ରହୁଥିବାରୁ ଆନନ୍ଦଚନ୍ଦ୍ର ମଧ୍ୟ ଉଚ୍ଚ ଶିକ୍ଷା ନିମନ୍ତେ କଲିକତାରେ ରହୁଥିଲେ । ବାପାଙ୍କର କେତେକ ଘନିଷ୍ଠ ବନ୍ଧୁଙ୍କ ସହାୟତାରେ ଆଚାର୍ଯ୍ୟ ପ୍ରଫୁଲ ଚନ୍ଦ୍ର ରାୟ, ଅରବିନ୍ଦ ଘୋଷ୍, ଚିତରଞ୍ଜନ ଦାସ, ରାସବିହାରୀ ବୋଷ୍ ପ୍ରମୁଖଙ୍କ ସହ ଆନନ୍ଦଚନ୍ଦ୍ରଙ୍କର ସମ୍ପର୍କ ସ୍ଥାପନ ହେଲା । ୧୯୧୨ ମସିହା ବଙ୍ଗଭଙ୍ଗ ଆନେ୍ଦାଳନରେ ଆନନ୍ଦଚନ୍ଦ୍ର ସକି୍ରୟ ଅଂଶ ଗ୍ରହଣ କରି ପ୍ରଥମ ଥର ପାଇଁ କାରାବରଣ କଲେ । ୧୯୧୪ ରେ ଓଡ଼ିଶାରେ ଅନୁଷ୍ଠିତ ଉକ୍ରଳ ସମ୍ମିଳନୀରେ ଯୋଗଦେବା ପରେ ଗୋପବନ୍ଧୁ ଦାସ ଓ ମଧୁସୂଦନ ଦାସଙ୍କ ସହ ତାଙ୍କର ସଂପର୍କ ଦୃଢ ହୋଇଥିଲା । ସେ୧୯୧୭ରେ ପ୍ରଥମଥର ପାଇଁ ସାବରମତୀ ଆଶ୍ରମ ଯାଇ ୩ମାସ ସେଠାରେ ରହିବା ଭିତରେ ଗାନ୍ଧୀଜୀ ଓ ଅନେକ ଜାତୀୟ ସ୍ତରର ନେତାଙ୍କ ସହିତ ତାଙ୍କର ପରିଚୟ ହେଲା । ଦ୍ୱିତୀୟ ଥର ଆନନ୍ଦଚନ୍ଦ୍ର ଗୋପବନ୍ଧୁଙ୍କ ସହ ସାବରମତୀ ଯାଇ ଗାନ୍ଧୀଙ୍କ ସମେତ ବହୁ ଜାତୀୟ ସ୍ତରୀୟ ନେତାଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ୧୯୧୯ରେ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଦ୍ୱାରା ଉକ୍ରଳର ସର୍ବାଙ୍ଗୀନ ଉନ୍ନତି କରିଥିବା ଗୋପବନ୍ଧୁ ଓ ମଧୁସୂଦନଙ୍କୁ ଯେଉଁ ଉପାଧି ଯଥାକ୍ରମେ ଉକ୍ରଳମଣି ଓ ଉକ୍ରଳ ଗୌରବ ପ୍ରଦାନ କରାଯାଇଥିଲା, ସେଥିପାଇଁ ଆନନ୍ଦଚନ୍ଦ୍ରଙ୍କ ଭୂମିକା ଥିଲା ବେଶ୍ ଉଲ୍ଲେଖନୀୟ ।୧୯୧୪ରେ ଓଡ଼ିଶାରେ ଦୁର୍ଭିକ୍ଷ ପଡ଼ିଲା । ଆବାଳ ବୃଦ୍ଧ ବନିତା ହାହୁତାଶରେ ଭାଙ୍ଗିପଡ଼ିଥିବା ବେଳେ ଇଂରେଜ ସରକାରର ଖଜଣା ଆଦାୟ କରିବାର ବିରାମ ନଥିଲା । ଓଡ଼ିଶାର ଦୁଃଖ ସହିନପାରି ଗାନ୍ଧିଜୀ ନାଲି ଖୁଦ ବାଂଟିବା ପାଇଁ ଆହ୍ୱାନ ଦେବାରୁ ଆନନ୍ଦଚନ୍ଦ୍ର ଓ ଗୋପବନ୍ଧୁ ଦାସ ଦୁହେଁ ଆସି ଆଳି ଠାରେ କରାଳ ଦୁର୍ଭିକ୍ଷଗ୍ରସ୍ତ ପ୍ରଜାଙ୍କୁ ଖୁଦ ବାଂଟିଥିଲେ । ସେତେବେଳେ ଜମିଦାର ଓ ପୁଞ୍ଜିପତି ମାନେ ଇଂରେଜ ସରକାରର ପଦାଙ୍କ ଅନୁସରଣ କରିଥାନ୍ତି । ସେମାନଙ୍କର ନିର୍ମମ ଅତ୍ୟାଚାର ଓ ଶୋଷଣରେ ପ୍ରଜାକୂଳ ତ୍ରାହୀତ୍ରାହୀ ଡ଼ାକ ଛାଡ଼ୁଥିଲେ । ପ୍ରଜାଙ୍କ ଦୁଃଖରେ ମି୍ରୟମାଣ ହୋଇ ଆନନ୍ଦଚନ୍ଦ୍ର ପ୍ରଜାମଣ୍ଡଳ ଗଠନ କରି ରାଜାଙ୍କ ବିରୋଧରେ ଲଢିବାକୂ ପ୍ରଜାଙ୍କୁ ଆହ୍ୱାନ ଦେଲେ ।
ଆନନ୍ଦଚନ୍ଦ୍ରଙ୍କ ନେତୃତ୍ୱରେ ଅନେକଥର ପ୍ରଜାମେଳି ହୋଇଥିଲା । ବହୁବାର କନିକା ରାଜପ୍ରାସାଦ, ଥାନା, କଚେରୀ ଆଦି ଘେରାଉ ହୋଇଥିଲା । ବହୁବାର ସେ ପୋଲିସ୍ ଓ ରାଜାଙ୍କ ମୁହଁରେ କଡା ଜବାବ ଦେଇଥିବାବେଳେ ଅନେକଥର ନିର୍ଯ୍ୟାତନା ସହିଥିଲେ ଓ କାରାବରଣ କରିଥିଲେ । କନିକାର ଦୁଃଖ ବିଷୟରେ ସେ ଅନେକଥର କେନ୍ଦ୍ରୀୟ ନେତାମାନଙ୍କୁ ଜଣାଇଥିଲେ । କନିକାର ହୃଦୟସ୍ପର୍ଶୀ ଅନ୍ୟାୟ, ଅତ୍ୟାଚାର ଓ ଶୋଷଣକୁ ଅନୁଭବ କରି ୧୯୨୨ ମସିହାରେ ୬୪ଟି ଅଭିଯୋଗ ଆକାରରେ ବର୍ଣ୍ଣିତ “ଦୁଃଖିନୀ କନିକା” ନାମରେ ଏକ ପୁସ୍ତକ ଛପାଇ ସାରା ଓଡ଼ିଶାରେ ବଂଟନ କରିଥିଲେ । ଫଳତଃ ସମଗ୍ର ଓଡ଼ିଶା ତଥା ଭାରତର ଜାଗ୍ରତ ଜନମତ କନିକା ପ୍ରଜାମେଳି ପାଇଁ ସମ୍ବେଦନଶୀଳ ହୋଇପଡ଼ିଥିଲା । ପୁସ୍ତକଟି ପଣ୍ଡିତ ମଦନମୋହନ ମାଲବ୍ୟ, ଲାଲା ଲଜପତ୍ ରାୟ, ସ୍ୱଂୟ ଗାନ୍ଧିଜୀ ପ୍ରମୁଖ ନେତାମାନଙ୍କୁ ହତବାକ୍ କରିଦେଇଥିଲା । ଗାନ୍ଧିଜୀ ଏହାର ଇଂରାଜୀ ଅନୁବାଦ ପଢି ମର୍ମାହତ ହୋଇପଡ଼ିଥିଲେ ଓ “ୟଙ୍ଗ୍ ଇଣ୍ଡିଆ” ପତି୍ରକାରେ ଏହାର ଅନୁବାଦ ପ୍ରକାଶ କରିବାରୁ ସାରା ଭାରତରେ ଚାଂଚଲ୍ୟ ସୃଷ୍ଟି କରିଥିଲା । ଆଉ ସେହିଦିନୁ ସାରା ଭାରତରେ ଆନନ୍ଦଚନ୍ଦ୍ର ପରିଚିତ ହେଇଥିଲେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ଭାବରେ । ଗୋପବନ୍ଧୁ ଆନନ୍ଦଚନ୍ଦ୍ରଙ୍କ ନିକଟକୁ ପତ୍ର ଲେଖିଥିଲେ, ‘ତୁମେ ସାରା ଭାରତର ଗର୍ବ ଓ ଗୌରବ! ଅତ୍ୟଧିକ କରପୀଡ଼ା ଓ ସାମନ୍ତବାଦୀ ଶୋଷଣର ଶିକାର କନିକା ଜମିଦାରୀକୁ “ଦୁଃଖିନୀ କନିକା” ବୋଲି ସମ୍ବୋଧନ କରି ତୁମେ ଜନମାନସକୁ ଯେଭଳି ସ୍ପନ୍ଦିତ କରିଦେଲ, ସେଥିପାଇଁ ତ ତୁମେ କନିକାର ମୁକୁୁଟ ବିହୀନ ସମ୍ରାଟ! ମୁଁ ଆଜିଠୁ ତୁମକୁ ସମ୍ବୋଧନ କରିବି ‘ଦୁଃଖିନୀ କନିକା’ ଭାବରେ ।”
ପୁସ୍ତକ ପ୍ରକାଶନ ପରେ ପରେ ପତରପୁର ଘାଟଠାରେ ଏକ ବିଶାଳ ପ୍ରଜାମେଳିରେ ଆନନ୍ଦଚନ୍ଦ୍ର ଭାଷଣ ଦେଉଥିବା ବେଳେ ହଠାତ୍ କଲେକ୍ଟର, ପୋଲିସ ଅଫିସର କୃର୍ଷ୍ଣ ମହାପାତ୍ର ଓ ୩୭ଜଣ ସଶସ୍ତ୍ର ପୋଲିସ୍ ଫୋର୍ସଙ୍କ ସହ ରାଜା ଉପସ୍ଥିତ ହୋଇ ପ୍ରଜାମେଳି ଉପରକୁ ଗୋଳା ବର୍ଷଣ କରିବାକୁ ଆଦେଶ ଦେଲେ । ଘଟଣା ସ୍ଥଳରେ ବାସୁ ସେଠୀ ଓ ବିସୁନି ମେଢୁଆଳ ନାମକ ଦୁଇଜଣ ପ୍ରଜା ଟଳିପଡ଼ିଲେ । ଅନେକ ପ୍ରଜା ରକ୍ତାକ୍ତ ହେଲେ । ଆନନ୍ଦଚନ୍ଦ୍ରଙ୍କୁ ଗିରଫ୍ କରାଯାଇ ନିର୍ମମ ନିର୍ଯ୍ୟାତନା ଦିଆଗଲା । ତାଙ୍କର ୪୨ଏକର ଜମିକୁ ବାଜ୍ୟାପ୍ତ କରାଗଲା ଓ “ଦୁଃଖିନୀ କନିକା” ବହିକୁ ବେଆଇନ ଘୋଷଣା କରାଗଲା । ଏହାପରେ ଆନନ୍ଦଚନ୍ଦ୍ରଙ୍କୁ କନିକାରୁ ନିର୍ବାସିତ କରାଯିବାରୁ ନିଜକୁ ବଂଚାଇବା ପାଇଁ ରାତି୍ରର ଅନ୍ଧକାରରେ ହିଂସ୍ର ଜଳଜନ୍ତୁ ପୂର୍ଣ୍ଣ ଖରସ୍ରୋତା ନଦୀ ପହଁରି ସେ ଆଳି ଅଂଚଳକୁ ପଳାଇ ଆସିଲେ । ଆନନ୍ଦଚନ୍ଦ୍ର ଆଦୌ ହତୋତ୍ସାହ ହୋଇନଥିଲେ । ଉକ୍ରଳମଣି ଓ ବହୁ ଜାତୀୟ ନେତାଙ୍କ ଉତ୍ସାହ-ପ୍ରେରଣା ତାଙ୍କୁ ଶତ ସିଂହର ବଳ ଦେଉଥିଲା । ଯେତେବେଳେ ଭାରତର ଭାଗ୍ୟ ଆକାଶରେ ନିରନ୍ଧ୍ର ଅନ୍ଧକାର ମାଡ଼ି ଆସିଥିଲା, ସେ ଭାରତର ମୁକ୍ତି ପାଇଁ ଲୋକଙ୍କ କାନରେ ଇଂରେଜ ବିରୋଧୀ ଧ୍ୱନି ଶୁଣାଉଥିଲେ । ୧୯୨୫ ଚରଖା ଆନେ୍ଦାଳନ, ୧୯୩୦ରେ ଲବଣ ସତ୍ୟାଗ୍ରହ ଆନେ୍ଦାଳନ, ୧୯୪୨ରେ ଭାରତଛାଡ଼ ଆନେ୍ଦଳନରେ ଆନନ୍ଦଚନ୍ଦ୍ର ସକି୍ରୟ ଅଂଶ ଗ୍ରହଣ କରି ଗାନ୍ଧିଜୀ, ଗୋପବନ୍ଧୁ ଚୌଧୁରୀ,ଡ଼ଃ ହରେକୃର୍ଷ୍ଣ ମହତାବ ଆଦି ନେତାଙ୍କ ଠାରୁ ପ୍ରଶଂସା ପାଇଥିଲେ । ବିଭିନ୍ନ ସମୟରେ ଗାନ୍ଧିଜୀ ତାଙ୍କ ପାଖକୁ ସାନ୍ତ୍ୱନାମୂଳକ ପତ୍ର ଲେଖି ତାଙ୍କ ଭିତରେ ଉତ୍ସାହ ଭରି ଦେଉଥିଲେ ।
ଆନନ୍ଦଚନ୍ଦ୍ର ୧୯୨୮ ବେଳକୁ ବହୁ କବିତା ଗ୍ରନ୍ଥ ରଚନା କରିଥିଲେ । ସେଗୁଡ଼ିକ ମଧ୍ୟରେ ଭକ୍ତ ପ୍ରହଲ୍ଲାଦ, ମାତୃଦେବୀ, ବାରକଥା, ମୂଢମତୀ, କନିକା ବନ୍ଧୁ, “ଦୁଃଖିନୀ କନିକା” ଆଦି ଉଲ୍ଲେଖନୀୟ । ୧୯୩୬ରେ ବିହାର-ଓଡ଼ିଶା ଅଲଗା ହୋଇ ସ୍ୱତନ୍ତ୍ର ପ୍ରଦେଶ ହେବା ପରେ ଆନନ୍ଦଚନ୍ଦ୍ର କଟକରେ ରହି ସନ୍ଥ ବିନୋବା ଭାବେଙ୍କ ବ୍ୟକ୍ତିଗତ ସତ୍ୟାଗ୍ରହ ଆନେ୍ଦାଳନକୁ ସଫଳ କରାଇବା ପାଇଁ ପ୍ରୟାସ କରୁଥିବାବେଳେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଗିରଫ୍ କରାଗଲା । ଖବର ପାଇ ବାଳକୃର୍ଷ୍ଣ କର, ଗୋପାଳ ପ୍ରହରାଜ, ବିଧାନ ପରିଷଦର ବାଚସ୍ପତି ଯଦୁମଣି ମଙ୍ଗରାଜ ଆଦି ବହୁ ନେତା ଆନନ୍ଦଚନ୍ଦ୍ର ଓ ତାଙ୍କ ପରିବାରକୁ ଜାମିନରେ ଖଲାସ କଲେ । ସେ ଆଉ ଆଳି କିମ୍ବା କନିକା ଫେରନ୍ତୁ ନାହିଁ ବୋଲି ପରାମର୍ଶ ଦେଲେ । ଶେଷରେ ଯଦୁମଣି ମଙ୍ଗରାଜ କେନ୍ଦ୍ରାପଡ଼ା ନିକଟସ୍ଥ ହଜାରିବଗିଚା ଗାଁରେ ଚିର ବାସ କରି ରହିବା ପାଇଁ ଆନନ୍ଦଚନ୍ଦ୍ରଙ୍କ ପରିବାରର ସବୁପ୍ରକାର ବନେ୍ଦାବସ୍ତ କଲେ ।
ଗାନ୍ଧିଜୀଙ୍କ ସହ ତାଙ୍କର ଶେଷ ସାକ୍ଷାତ ହୋଇଥିଲା ଶୁଦ୍ଧପୂତ ଆଶ୍ରମରେ । ସେଠାରେ ସେ ଗାନ୍ଧିଜୀଙ୍କ ଚରଣ ସ୍ପର୍ଶ କରିବା ମାତ୍ରେ ଗାନ୍ଧିଜୀ ତାଙ୍କୁ କୋଳାଗ୍ରତ କରିନେଇ ତାଙ୍କର ସର୍ବହରା ଜନିତ କାରଣ ପାଇଁ ସାନ୍ତ୍ୱନା ଦେଇଥିଲେ । ଆଉ ତାଙ୍କ ହୃତ ସଂପତି ଫେରି ପାଇବାକୁ ସାହାଯ୍ୟ କରିବା ପାଇଁ ଭି.ଭି.ଗିରିଙ୍କୁ ଦାୟିତ୍ୱ ଦେଇଥିଲେ । ଗଡ଼ଜାତ ଆନେ୍ଦାଳନ ବେଳେ ଡ଼ଃ ମହତାବ ଓଡ଼ିଶାର ସବୁ ରାଜା-ଜମିଦାରଙ୍କ ନିଜସ୍ୱ ମୋଟ ଜମିର ଚିଠା ପ୍ରସ୍ତୁତ କଲାବେଳେ ଆନନ୍ଦଚନ୍ଦ୍ର କନିକା ରାଜାଙ୍କର ନିଜସ୍ୱ ଜମିଜମାର ନିଚ୍ଛକ ଚିତ୍ର ଉପସ୍ଥାପନ କରିଥିଲେ । ଏହାର ତିନିଦିନ ପରେ ତାଙ୍କୁ ମାରିଦେବାର ଯୋଜନା କରି ରାଜା ବାଘବୁଦା ଗାଁର ଦୁଇଜଣ ପ୍ରଜାଙ୍କୁ କେନ୍ଦ୍ର୍ରାପଡ଼ା ପଠାଇଲେ । ଦୁହେଁ ବାହାନା କରି କାନ୍ଦିକାନ୍ଦି ଆନନ୍ଦଚନ୍ଦ୍ରଙ୍କୁ କହିଲେ ଯେ, ରାଜା ସେମାନଙ୍କର ସବୁ ଭୂ-ସଂପତି ଛଡ଼ାଇ ନେଇଛନ୍ତି । ଆନନ୍ଦଚନ୍ଦ୍ର ଏକଥା ଶୁଣି ରାଗରେ ଲାଲ୍ ପଡ଼ିଗଲେ । କେନ୍ଦ୍ରାପଡ଼ା କୋର୍ଟରେ ରାଜାଙ୍କ ବିରୋଧରେ ମୋକଦ୍ଦମା କରିବାର ବ୍ୟବସ୍ଥା କରି ସେଦିନ ରାତିରେ ସେ ସେମାନଙ୍କ ଭଡ଼ାଘରେ ଆତିଥ୍ୟ ଗ୍ରହଣ କଲେ । ପ୍ରାୟ ରାତି ୧୨ଟାରେ ଘରକୁ ଫେରି ହଠାତ୍ ଅସୁସ୍ଥ ହୋଇଗଲେ । ଡ଼ାକ୍ତର ଅଟ୍ଟଳ ବିହାରୀ ଆଚାର୍ଯ୍ୟ ଓ କମ୍ପାଉଣ୍ଡର ବ୍ରଜବନ୍ଧୁ ସିଂ ଲଗାତାର ୧୪ଘଂଟା ଚିକିତ୍ସା କରିଥିଲେ ହେଁ କିଛି ଫଳ ହେଲା ନାହିଁ । ଖାଦ୍ୟରେ ବିଷ ମିଶା ଯାଇଥିବା ଜଣାପଡ଼ିଥିଲା । ୧୯୪୬ ମସିହା ଜାନୁୟାରୀ ୨୭ତାରିଖରେ କନିକା ତଥା ସାରା ଓଡ଼ିଶାରେ ଘୋଟିଯାଇଥିଲା ଘନ ଅନ୍ଧକାର । ପ୍ରଜାମାନେ ମୁଣ୍ଡ କଚାଡ଼ି ରାହା ଧରି କାନ୍ଦିଥିଲେ । ହଜାରହଜାର ଲୋକଙ୍କର ଲମ୍ବା ଧାଡ଼ି ଲାଗିଥିଲା ତାଙ୍କ ଭଗ୍ନ କୁଡ଼ିଆ ଅଭିମୁଖେ । ଓଡ଼ିଶାର ପ୍ରମୁଖ ନେତାମାନେ ପହଂଚି ଶୋକସଭା କରିଥିଲେ । ବହୁ ଜାତୀୟ ସ୍ତରର ନେତା ଶୋକ ସମ୍ବାଦ ପଠାଇ ଶୋକ ସନ୍ତପ୍ତ ପରିବାରକୁ ଆଶ୍ୱାସନା ଦେଇଥିଲେ । ଏତେ କଷଣ ସତ୍ୱେ ଜୀବନର ଶେଷ ମୁହର୍ତ ପର୍ଯ୍ୟନ୍ତ ବିପ୍ଲବର ବହ୍ନିଶିଖା ତାଙ୍କ ଜୀବନରେ ଅନିର୍ବାଣ ହୋଇ ରହିଗଲା । ସେ ସର୍ବଦା ପ୍ରଜାଙ୍କ ମୁକ୍ତି ପାଇଁ ଚିନ୍ତା କରୁଥିଲେ । ସେ ଲଢୁଥିଲେ ରାଜାଙ୍କ ବିରୁଦ୍ଧରେ, ବି୍ରଟିସ୍ ସରକାର ବିରୁଦ୍ଧରେ, କନିକା ପ୍ରଜାଙ୍କ ସୁଖ-ସମୃଦ୍ଧି ପାଇଁ-ଭାରତର ସ୍ୱାଧୀନତା ପାଇଁ । ସେ ମୋଟରେ ୭ଥର କାରାବରଣ କରି ୧୨ବର୍ଷ କାଳ କାରାବାସରେ କଟାଇଥିଲେ । ଇହଧାମ ତ୍ୟାଗ କରିଥିଲେ ମଧ୍ୟ ସେ ଆଜି ବି ଆମ ପାଖରେ ଅମର ହୋଇ ରହିଛନ୍ତି । ଆଜି ତାଙ୍କର ପବିତ୍ର ଜନ୍ମ ତିଥିରେ ତାଙ୍କର ଅମ୍ଲାନ କିର୍ତୀ ସମସ୍ତଙ୍କ ସାମ୍ନାରେ ଭାସି ଉଠୁଛି ।

Leave a Reply

Your email address will not be published. Required fields are marked *