ବିଜୟ ମହାପାତ୍ର ବନାମ ତାଙ୍କ ଭାଗ୍ୟର ଗତି!

ନଈ, ନାଳ ଓ ପାଣିପାଟ ଭରା ଉପକୁଳ ଓଡ଼ିଶାର ଅବିଭକ୍ତ କଟକ ତଥା କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳି ରାଜ୍ୟ ରାଜନିତିରେ ଅନେକ ଚାଂଚଲ୍ୟକର ଅଧ୍ୟାୟ ସୃଷ୍ଟି କରିଛି । ଗର୍ଦପୁର ଓ ଡେରାବିିଶି ବ୍ଲକକୁ ନେଇ ଦୁଇ ଲକ୍ଷ ସତୁରୀ ହଜାର ଭୋଟର ବିଶିଷ୍ଟ ଏହି ନିର୍ବାଚନ ମଣ୍ଡଳି ଅନେକ ଐତିହାସିକ ଘଟଣାର ମୁକ ସାକ୍ଷି ହୋଇ ରହିଛି । ସଂପୂର୍ଣ୍ଣ ଗ୍ରାମିଣ ହେଲେ ମଧ୍ୟ ଏଠାକାର ସଚେତନ ଭୋଟର ମାନଙ୍କ ସିଦ୍ଧାନ୍ତ ଦେଶର ରାଜନୈତିକ ପଣ୍ଡିତ ମାନଙ୍କୁ ମଧ୍ୟ ଗୋଲକ ଧନ୍ଧାରେ ପକାଇ ଦେଇଛି ।
୧୯୫୧ ମସିହାରେ ଏହି ନିର୍ବାଚନ ମଣ୍ଡଳି ସୃଷ୍ଟି ହେଲା । ଏହାର ପ୍ରଥମ ବିଧାନ ସଭା ସଦସ୍ୟ ଥିଲେ ଲୋକନାଥ ମିଶ୍ର । ସେ ଜାତିୟ କଂଗ୍ରେସ ଦଳ ତରଫରୁ ଲାଗ ଲାଗ ତିନି ଥର ୧୯୫୧, ୧୯୫୭ ଓ ୧୯୬୧ ମସିହାରେ ନିର୍ବାଚିତ ହୋଇ ବିଧାନସଭାର ଉପ ବାଚଷ୍ପତି ପଦ ପାଇଥିଲେ । ୧୯୬୭ ମସିହାରେ କଂଗ୍ରେସ ଟିକଟ ତାଙ୍କୁ ଦିଆ ନଯାଇ ଦଳ ସୁପ୍ରିମ ବିଜୁ ପଟ୍ଟନାୟକଙ୍କୁ ଦିଆଗଲା । ସେତେବେଳେକୁ କଂଗ୍ରେସର ବିଭାଜନ ହୋଇ ହରେକୃଷ୍ଣ ମହତାବ, ପବିତ୍ର ମୋହନ ପ୍ରଧାନ ଓ ସୁରେନ୍ଦ୍ର ପଟ୍ଟନାୟକଙ୍କ ଭଳି ନେତା ମାନେ ଜନ କଂଗ୍ରେସ ଦଳ ଗଢିଥିଲେ । ଏହି ନିର୍ବାଚନରେ ବିଜୁ ବାବୁ ଚøଦ୍ୱାର, ଭୁବନେଶ୍ୱର ଓ ଭଞ୍ଜନଗର ଭଳି ୫ଟି ଜାଗାରୁ ନିର୍ବାଚନ ଲଢୁଥିଲେ । ଭାଗ୍ୟର ବିପର୍ଯୟରୁ ୫ଟି ଜାଗାରେ ହାରିଲେ । ପାଟକୁରାରେ ପ୍ରଜା ସୋସିଆଲିଷ୍ଟ ଦଳର ପ୍ରାର୍ଥୀ ଜଣେ ଶିକ୍ଷକ ଚକ୍ରଧର ସତପଥୀ ତାଙ୍କୁ ପରାସ୍ତ କରି ସାରା ଦେଶରେ ଚହଳ ପକାଇ ଦେଇଥିଲେ ।
ଏହି ନିର୍ବାଚନ ପର ଠାରୁ ପାଟକୁରା ସମେତ କେନ୍ଦ୍ରାପଡା ସଂସଦିୟ କ୍ଷେତ୍ର ସବୁବେଳେ ବିଜୁ ବାବୁଙ୍କ ପ୍ରାର୍ଥୀକୁ ବିଧାନ ସଭା ଓ ଲୋକସଭାକୁ ପଠାଇବାକୁ ଲାଗିଲେ । ନିଜେ ବିଜୁ ବାବୁ ୧୯୭୪ ମସିହାରେ ରାଜ ନଗର ନିର୍ବାଚନ ମଣ୍ଡଳିରୁ ରାଜ୍ୟ ବିଧାନ ସଭାକୁ ନିର୍ବାଚିତ ହେଲେ ଓ ପରେ ପରେ କଂଗ୍ରେସରୁ ଇସ୍ତଫା ଦେଇ ଉକôଳ କଂଗ୍ରେସ ଦଳ ଗଠନ କଲେ । ପାଟକୁରାରୁ ୧୯୭୧ ଓ ୧୯୭୪ ମସିହା ନିର୍ବାଚନରେ ଉକôଳ କଂଗ୍ରେସ ପ୍ରାର୍ଥୀ ତଥା ବର୍ତମାନର ବିଜେଡି ବିଧାୟକ ଅତନୁ ସବ୍ୟସାଚିଙ୍କ ପିତା ରାଜକିଶୋର ନାୟକ ବିଧାନସଭାକୁ ଯାଇଥିଲେ । ୧୯୭୭ ମସିହାରେ ଉକôଳ କଂଗ୍ରେସ ଜନତା ଦଳରେ ମିଶିଗଲା ଓ ସେହି ବର୍ଷ ବିଜୁ ବାବୁଙ୍କ ଅନୁଗତ ପ୍ରହଲ୍ଲାଦ ମଲିକି ବିଧାନସଭାକୁ ନିର୍ବାଚିତ ହେଲେ ।
୧୯୮୦ ମସିହାରୁ ପାଟକୁରାରେ ବିଜୟ ମହାପାତ୍ରଙ୍କ ଯୁଗ ଆରମ୍ଭ ହେଲା । ବିଜୁ ବାବୁଙ୍କ ପ୍ରତି ଆକର୍ଷିତ ହୋଇ କେନ୍ଦ୍ରାପଡା ଅଂଚଳର ଉଦିୟମାନ ଯୁବକ ନଳିନି ମହାନ୍ତି ଶରତ ଦେବ, ଶରତ କର, ବଟକୃଷ୍ଟ ଜେନା, ଜନତା ଦଳରେ ଯୋଗ ଦେଇଥିଲେ ଓ ଓ ଡ଼ିଶା ରାଜନିତିରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନେଇଥିଲେ ।
ବିଜୟ ମହାପାତ୍ର ୧୯୮୦, ୧୯୮୫, ୧୯୯୦, ୧୯୯୫ ନିର୍ବାଚନରେ ପାଟକୁରାରୁ ନିର୍ବାଚିତ ହୋଇ ୧୯୯୦ ରୁ ୯୫ ପର୍ଯ୍ୟନ୍ତ ବିଜୁବାବୁଙ୍କ ମନ୍ତ୍ରୀ ମଣ୍ଡଳର ଗୁରୁତ୍ୱ ପୂର୍ଣ୍ଣ ଜଳ ସେଚନ ବିଭାଗ ପାଇଥିଲେ । ଡ଼ିଶା ଶାସନରେ ତାଙ୍କର ପ୍ରଭାବ ଯୋଗୁଁ ତାଙ୍କୁ ସୁପର ଚିଫ୍ ମିନିଷ୍ଟର କୁହାଯାଉଥିଲା । ସେତେବେଳେ ମଦ ବେପାରି ବେଲୁଙ୍କ ସହ ତାଙ୍କର ସଂପର୍କକୁ ନେଇ ରାଜ୍ୟରେ ଝଡ ସୃଷ୍ଟି ହୋଇଥିଲା ।
୧୯୯୫ ମସିହା ନିର୍ବାଚନରେ ବିଜୁ ବାବୁଙ୍କ ଦଳ ସଂଖ୍ୟା ଗରିଷ୍ଠତା ପାଇଲା ନାହିଁ । ଅନେକ ମନେ କରନ୍ତି ବିଜୟ ମହାପାତ୍ରଙ୍କ ଡମି ପ୍ରାର୍ଥୀ ମାନଙ୍କ ଯୋଗୁଁ ଦଳର ବିପର୍ଯ୍ୟୟ ଘଟିଲା । ୧୭ଏପ୍ରିଲ ୧୯୯୭ ମସିହାରେ ବିଜୁବାବୁ ପରଲୋକକୁ ଗମନ କଲେ । ବିଜୁ ଅନୁଗାମି ମାନେ ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ୨୬.୧୨.୧୯୯୭ ମସିହାରେ ବିଜୁ ଜନତା ଦଳ ଗଠନ କଲେ ଓ ବିଜୁ ବାବୁଙ୍କ କନିଷ୍ଠ ପୁତ୍ର ରାଜନିତିରେ ଅନଭିଜ୍ଞ ଓଡ଼ିଆ ଭାଷା ଜାଣି ନଥିବା ନବିନ ପଟ୍ଟନାୟକଙ୍କୁ ଦିଲ୍ଲୀରୁ ଡାକି ଦଳର ସଭାପତି କଲେ ଓ ପୂର୍ବତନ ମୁଖ୍ୟ ସଚିବ ପ୍ୟାରି ମୋହନ ମହାପାତ୍ର ତାଙ୍କର ପରାମର୍ଶ ଦାତା ହେଲେ । ୨୦୦୦ ମସିହାର ନିର୍ବାଚନ ଆସିଲା । ବିଜୟ ମହାପାତ୍ର ବିଜେଡିର ପାର୍ଲାମେଂଟାରି ବୋର୍ଡର ଅଧ୍ୟକ୍ଷ ରୁପେ ନିଜ ମନୋନୋତ ପ୍ରାର୍ଥୀ ଓ ଡ଼ିଶା ସାରା ଦେଲେ ଓ ନିଜେ ପାଟକୁରାରେ ଠିଆ ହେବେ ବୋଲି ସ୍ଥିର କଲେ । ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ଦଳ ବଳ ସହିତ ମନୋ ନୟନ ପତ୍ର ଦାଖଲ ପାଇଁ କେନ୍ଦ୍ରାପଡାରେ ପହଂଚିଲେ ।
ଏଣେ ତାଙ୍କ ଅଜାଣତରେ ପ୍ୟାରିମୋହନ ମହାପାତ୍ରଙ୍କ ନିର୍ଦେଶରେ ଏକ ଗଭିର ଷଡଯନ୍ତ୍ର ଆରମ୍ଭ ହେଲା । ଶେଷ ମୁହୁର୍ତରେ ତାଙ୍କୁ ଦଳିୟ ପ୍ରାର୍ଥୀରୁ ବଂଚିତ ହେଲା ବୋଲି ଷୋଷଣା କରାଯାଇ ଅତନୁ ସବ୍ୟସାଚିଙ୍କୁ ବିଜେଡି ପ୍ରାର୍ଥୀ କରାଗଲା । ଚତୁର ବିଜୟ ବାବୁ ଏଭଳି ଘଟଣା ଦେଖି ହତବାକ୍ ହୋଇଗଲେ । ସେତେବେଳକୁ ଆଉଥରେ ପ୍ରାର୍ଥୀ ପତ୍ର ଦେବାକୁ ସମୟ ନଥିଲା । ତେଣୁ ବାଧ୍ୟ ହୋଇ ପାଟକୁରାର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତ୍ରୀଲୋଚନ ବେହେରାଙ୍କୁ ସେ ସମର୍ଥନ ଦେଲେ ଓ ସର୍ତ ରହିଲା ନିର୍ବାଚନରେ ବିଜୟି ହେଲାପରେ ତ୍ରୀଲୋଚନ ବାକୁ ଇସ୍ତଫା ଦେଇ ବିଜୟ ବାବୁଙ୍କୁ ବାଟ ଛାଡି ଦେବେ । ଅପମାନର ପ୍ରତିଷୋଧ ପାଇଁ ବିଜୟ ମହାପାତ୍ର ତୀ୍ରଲୋଚନ ବେହେରାଙ୍କ ପକ୍ଷରେ ମନପ୍ରାଣ ଦେଇ ପ୍ରଚାର କଲେ । ଚାଳିଶି ହଜାର ଭୋଟ ବ୍ୟବଧାନରେ ତ୍ରୀଲୋଚନ ଜିତିଲେ । ମାତ୍ର ତାଙ୍କୁ ପ୍ରଲୋଭିତ କରି ବିଜେଡି ଦଳ ନିଜ ଦଳକୁ ଟାଣି ନେଲେ ଓ ବିଜୟ ବାବୁ ହତାଶ ହେଲେ ।
ଏଣେ ନିର୍ବାଚନରେ ବିଜୟ ବାବୁଙ୍କର ଅନେକ ପ୍ରାର୍ଥୀ ଜୟଲାଭ କଲେ ମ୍ମ ଆଉ ଧରା ଛୁଆଁ ଦେଲେନାହିଁ । ସେମାନେ ମେଘ ଜୁଆଡେ ଛତା ସିଆଡେ ନିତି ଧରିଲେ । ନବିନ ବାବୁ କେନ୍ଦ୍ର ବିଜେପିର ଆର୍ଶିବାଦ ପାଇ ଏକ ମିଳିତ ସରକାର ରାଜ୍ୟରେ ଗଠନ କଲେ । ଏଣେ ବିଜୟ ବାବୁ ଓଡ଼ିଶା ଗଣ ପରିଷଦ ନାମରେ ଏକ ନୂତନ ଦଳ ଗଠନ କଲେ ଓ କଂଗ୍ରେସ ସହ ମେଂଟ କରି ୨୦୦୪ ନିର୍ବାଚନରେ ଦଳଦୁଇଟି ସ୍ଥାନରେ ଜିତିଲା । ନିଜେ କିନ୍ତୁ ଆଉ ବିଧାନ ସଭାକୁ ଆସି ପାରିଲେ ନାହିଁ । ସେ ଯେପରି ପରାଜୟ ବରଣ କରନ୍ତି ଏଥିପାଇଁ ନବିନ ବାବୁ ସମସ୍ତ ପଦକ୍ଷେପ ନେଇଥିଲେ । ପାଟକୁରାରୁ ୨୦୦୪ରେ ଅତନୁସବ୍୍ୟସାଚ ିଓ ୨୦୦୯,୨୦୧୪ ମସିହାରେ ବେଦ ପ୍ରକାଶ ଅଗ୍ରୱାଲା ନିର୍ବାଚିତ ହେଲେ । ଏଣେ ବିଜୟ ବାବୁ କଂଗ୍ରେସ ମେଂଟ ଛାଡି ଶରଦ ପାୱାରଙ୍କ ଏନ. ସ.ି ପି ଦଳରେ ଯୋଗ ଦେଲେ । ମାତ୍ର ଶରଦ ପାୱାର ବିଜେଡି କୁ ସମର୍ଥନ ଦେବାରୁ ସେ ଏନ ସି ପି ଦଳ ତ୍ୟାଗ କଲେ ଓ ବିଜେପିରେ ଯୋଗ ଦେଲେ । ତାଙ୍କ ଭଳି ତୁଙ୍ଗ ନେତାକୁ ରାଜ୍ୟ ବିଜେପିର କ୍ଷେତ୍ର ଯଥେଷ୍ଟ ସଂକିର୍ଣ୍ଣ ଥିଲା । ୨୦୦୯ ମସିହାରେ ବିଜେପି ଓ ବିଜେଡି ମେଂଟ ଭାଙ୍ଗିଲା । ବିଜୟ ବାବୁ ୨୦୦୯ ଓ ୨୦୧୪ ମସିହାରେ ବିଜେପିରୁ ଲଢିଲେ ମଧ୍ୟ ବିଧାନ ସଭାକୁ ଯାଇ ପରିଲେ ନାହିଁ । ସେ ବିଜେପିର ରାଜ୍ୟ ନେତା ମାନଙ୍କୁ ଅତି ଖର୍ବକାୟ ବୋଲି ଭାବୁଥିଲେ । ସବୁବେଳେ ମତାନ୍ତର ଲାଗି ରହିଲା । ପ୍ରେସ ମିଟ ମାନ କରି ସେମାନଙ୍କୁ ସମାଲୋଚନା କରିବାକୁ ଲାଗିଲେ । କନ୍ଧମାଳ ସାଂସଦିୟ ଉପ ନିର୍ବାଚନରେ ତାଙ୍କୁ ଦଳର ପ୍ରଚାର ଦାୟିତ୍ୱ ଦିଆଗଲା । କିନ୍ତୁ ବିଜେପି ସେଠାରେ ହାରିଲା । ଦଳ ଭିତରେ କାଦୁଅ ଫିଙ୍ଗା ଫିଙ୍ଗି ଚାଲିଲା । ଶେଷକୁ ବିଜୟ ମହାପାତ୍ର ଓ ତାଙ୍କ ସାଥୀ ଦିଲିପ ରାୟ ବିଜେପି ରୁ ଇସ୍ତଫା ଦେଲେ ।
ଏଣେ ୨୦୧୯ ନିର୍ବାଚନ ଆଗେଇ ଆସିଲା । ବିଜେଡି ଦଳର ମନ୍ତ୍ରୀ ଦାମ ରାଉତ ଓ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଭଳି ନେତା ମାନେ ବିଜେପିରେ ଯୋଗ ଦେଲେ । ବୈଜୟନ୍ତଙ୍କ ଉଦ୍ୟମରେ ବିଜୟ ବାବୁ ପୁଣି ବିଜେପିରେ ଯୋଗ ଦେଲେ ଓ ପାଟକୁରାରୁ ପ୍ରାର୍ଥୀ ହେଲେ । ତାଙ୍କ ବିରୁଦ୍ଧରେ ବର୍ଷିୟାନ ବିଜେଡି ନେତା ଓ ପାଟକୁରାରୁ ଦୁଇ ଥର ଜିତିଥିବା ବେଦ ପ୍ରକାଶ ଅଗ୍ରୱାଲା ପ୍ରାର୍ଥୀ ପତ୍ର ଦାଖଲ କଲେ । ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡାରୁ ବିଜେପି ସାଂସଦ ପ୍ରାର୍ଥୀ ହେଲେ । ତାଙ୍କୁ ବିରୁଦ୍ଧରେ ଠିଆ ହେଲେ ବିଜେଡିରୁ ଅଭିନେତା ଅନୁଭବ ପଟ୍ଟନାୟକ । ନିଜର କାର୍ଯ୍ୟ କଳାପ ଯୋଗୁଁ ବୈଜୟନ୍ତ ବାବୁ ଲୋକମାନଙ୍କ ପ୍ରିୟ ହୋଇଥିଲେ । ସମସ୍ତେ ଆଶା କରୁଥିଲେ ବିଜୟ ଓବୈଜୟନ୍ତ ଏଥର ଜିତିବେ । ବାରମ୍ବାର ଚକ୍ରାନ୍ତର ଶିକାର ହୋଇଥିବା ବିଜୟ ବାବୁଙ୍କୁ ତାଙ୍କ ଜନ୍ମ ମାଟି ପାଟକୁରା ନ୍ୟାୟ ଦେବ ।
ମାତ୍ର ଉଭୟଙ୍କୁ ପରାସ୍ତ କରିବାପାଇଁ ନବିନ ବାବୁ ପ୍ରଶାସନ ଓ ଦଳକୁ ପୁରା ଦମରେ ଲଗାଇଦେଲେ । ପ୍ରାର୍ଥୀ ପତ୍ର ଦାଖଲ ପରେ ବେଦ ବାବୁଙ୍କ ଦେହାନ୍ତ ହେଲା । ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କୁ ବିଜେଡି ଟିକଟ ଦେଲା ଓ ଦ୍ୱିତୀୟ ପର୍ଯ୍ୟାୟରେ ଥିବା ପାଟକୁରା ନିର୍ବାଚନ ଶେଷ ପର୍ଯ୍ୟାୟ ଏପ୍ରିଲ ୨୯ କୁ ଘୁଂଚାଇ ଦିଆଗଲା । ବିଜୟ ବାବୁ ଅନେକ ଆଶା ନେଇ ପ୍ରଚାର ଆରମ୍ଭ କଲେ । ଏହା ତାଙ୍କର ଶେଷ ନିର୍ବାଚନ ଓ ସେ ମାଟିରେ ପୁଅ କହି ଲୋକଙ୍କୁ ଭୋଟ ମାଗିଲେ । ତାଙ୍କ ର୍ଦୁଭାଗ୍ୟକୁ ଫନି ମହାବାତ୍ୟା ଆସି ଉପକୁଳ ଅଂଚଳ ଛାରଖାର କରିଦେଲା । ଏହି ସୁଯୋଗରେ ନିଜେ ନବିନ ବାବୁ ପାଟକୁରା ନିର୍ବାଚନ ତାରିଖ ଜୁଲାଇ ୨୦ କୁ ଘୁଂଚାଇ ଦେଲେ ନିର୍ବାଚନ କମିଶନଂକ ଦ୍ୱାରା । ରାଜ୍ୟ ବିଜେପି ପ୍ରତିବାଦ କଲେ ମଧ୍ୟ ତାହା ଫଳପ୍ରଦ ହେଲା ନାହିଁ । ବିଜେପି କେନ୍ଦ୍ର ସରକାର ହସ୍ତକ୍ଷେପ କଲେନାହିଁ । ପାଟକୁରାରେ ଫନି ବାତ୍ୟା ବିଶେଷ କ୍ଷତି କରି ନଥିଲେ ମ୍ମ ଆଶ୍ଚର୍ଯ୍ୟ ଜନକ ଭାବେ ନବୀନ ବାବୁଙ୍କ ଦାବିରେ ନିର୍ବାଚନ ଘୁଂଚିଗଲା । ଏଣେ ସାଂସଦିୟ କ୍ଷେତ୍ରରେ ଜୟ ବାବୁ ଆଶ୍ଚର୍ଯ୍ୟ ଜନକ ଭାବେ ହାରିଗଲେ । ଅଭିମନ୍ୟୁଭଳି ଚକ୍ରବ୍ୟୁହରେ ଏକୁଟିଆ ବିଜୟ ଲଢିବାକୁ ବାହାରିଲେ । ଶତାଧିକ ମନ୍ତ୍ରୀ ଓ ଏମ ଏଲ ଏ ପାଟକୁରାର ପ୍ରତି ଗାଁ ରେ ଡେରା ପକାଇଲେ । କ୍ଷମତା ଓ ଅର୍ଥ ବଳର ସବୁ ପ୍ରକାର ଅପପ୍ରୟୋଗ ହେଲା । ନିଜେ ନବୀନ ବାବୁ ଗାଁ ଗାଁ ରେ ପ୍ରଚାର କଲେ । ଅଜସ୍ର ଅନୁଦାନ ରାଶି ବଂଟାହେଲା । ତୃଣମୂଳ ସ୍ତରରେ ସଂଗଠନ ନଥିବା ବିଜେପି ଦଳ ପ୍ରଚାରରେ ପଛରେ ପଡିଗଲା । ଯାହା ଭୋଟ ମିଳିଲା ବିଜୟ ବାବୁଙ୍କ ନିଜ ଚେଷ୍ଟାରୁ । ଶେଷ ଥର ପାଇଁ ସେ ହତାଶ ହେଲେ । ଭାଗ୍ୟ ପୁଣି ଲୁଚକାଳି ଖେଳ ଖେଳିଲା । ସାବିତ୍ରଙ୍କ ଠାରୁ ସେ ୧୭ ହଜାର ଭୋଟରେ ହାରିଗଲେ ।
ସମସ୍ତେ ଆଶା କରୁଥିଲେ ୧୯୬୭ ମସିହା ଭଳି କ୍ଷମତା ଓ ଅର୍ଥକୁ ଏଡେଇ ପାଟକୁରା ବାସୀ ଏକ ଯୁଗାନ୍ତକାରୀ ରାୟ ଶୁଣାଇ ଦେବେ । ମାତ୍ର ୨୦୧୯ ଓ ୧୯୬୭ ମଧ୍ୟରେ ମହାନଦୀରେ ଅନେକ ପାଣି ବୋହି ଯାଇଛି । ବଦଳି ଯାଇଛି ଓ ଡ଼ିଆଙ୍କର ଚରିତ୍ର ଓ ସ୍ୱାଭିମାନର ସଜ୍ଞା । ଓ ଡ଼ିଆ ଜାତି ଆଜି ୫ଟଂକିଆ ଆହାର ଓ ୧ ଟଂକିଆ ଚାଉଳର ଗୋଲାମ ହୋଇ ଯାଇଛି । ନବିନ ବାବୁ ଓ ଡ଼ିଆ କହନ୍ତୁ କି ନକୁହନ୍ତୁ, ପ୍ରଗତି କରନ୍ତୁ କି ନକରନ୍ତୁ ଆମ ଲୋକଙ୍କ ର ନାଡି କୁ ଠିକ୍ ଚିହ୍ନିଛନ୍ତି । ଏମାନଙ୍କର ପ୍ରଗତି ଦରକାର ନାହିଁ । ଏମାନଙ୍କ ପେଟ ଓ ପକେଟ ପୁରିବା ଦରକାର । ନିଜ ପାଇଁ ଇନ୍ଦିରା ଆବାସ, ଭତା, କାଳିଆ ଟଙ୍କା ଓ ଠିକା କାମ ଦରକାର । ସେଥିପାଇଁ ସେ ଲୋକମାନଙ୍କ ପାଇଁ ଜନ୍ମ ରୁ ମୃତୁ୍ୟ ପର୍ଯ୍ୟନ୍ତ ଯୋଜନା ଖଞ୍ଜି ଛନ୍ତି । ଟଙ୍କା ବାଂଟୁଛନ୍ତି । ମାଗଣା ସାଇକଲ, ଲାପଟପ ଦେଉଛନ୍ତି । ଏସ.ଏଚ.ଜି ମହିଳାଙ୍କୁ ଭୁବନେଶ୍ୱର ନେଇ ଅନୁଦାନ ଦେଉଛନ୍ତି । ବୁଢା ବୁଢିଙ୍କୁ ତିର୍ଥ ବୁଲାଉଛନ୍ତି, ହବିଷ ଖୁଆଉଛନ୍ତି । ବେକାର ପିଲା ମାନଙ୍କୁ ବିଜୁ ଯୁବ ବାହିନୀରେ ଲଗାଇ କବଜାରେ ରଖିଛନ୍ତି । ଅଫିମ ନିଶାରେ ଏ ଜାତି ଶୋଇ ପଡିଛି । ସ୍ୱାଭିମାନ ମରି ଯାଇଛି । ଏ ଅଫିମ ନିଶା କେବେ ଭାଙ୍ଗିବ ତାହା ସମୟ ହିଁ କହିବ ।
ସବୁଠାରୁ ଦୁଃଖର କଥା କେନ୍ଦ୍ରରେ ଶାସନ କରୁଥିବା ବିଜେପି ଦଳର ଆଭିମୁଖ୍ୟ ନେଇ । ଦ୍ୱିତୀୟ ମହାଯୁଦ୍ଧ ପରେ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଇଂଲଣ୍ଡରେ ସାଙ୍ଗେ ସାଙ୍ଗେ ନିର୍ବାଚନ ହୋଇପାରିଲା । ଅଥଚ ଟିକେ ପବନ ପାଇଁ ପାଟକୁରା ନିର୍ବାଚନ କୁ ଘୁଂଚାଇ ଦିଆଗଲା । ମନେହୁଏ କେନ୍ଦ୍ର ବିଜେପି ଦଳ ନବିନବାବୁଙ୍କ ସହ ହାତ ମିଳାଇ ଏହା କଲେ । ବିଜୟ ବାବୁଙ୍କୁ ନିଶ୍ଚିତ ପରାଜୟ ମୁଖକୁ ଠେଲି ଦେଲେ । ଦିନେ ବିଜୁବାବୁ ରାଜ୍ୟ ବିଜେପିକୁ ସାଇନ ବୋର୍ଡ ପାର୍ଟି କହୁଥିଲେ । ବିଧାନସଭକୁ ୨୩ ଜଣ ସଭ୍ୟ ଆସିଲେ ମଧ୍ୟ କାହାରି ପାଟି ଶୁଭୁନାହିଁ । ଏମାନଙ୍କ ମଧ୍ୟରେ ଜଣେ ତାରା ବାହିନିପତି, ସୁର ରାଉତ ରାୟ କି ନରସିଂହ ମିଶ୍ର ନାହାନ୍ତି । ପାଟକୁରା ନିର୍ବାଚନରେ ଦଳର କୈାଣସି ଭୁମିକା ନଥିଲା । ପଡୋଶି ବଙ୍ଗ ପ୍ରଦେଶରେ ବିଜେପି ସଭ୍ୟ ମାନେ ଯେପରି କ୍ଷମତା ସିନ ତୃଣମୁଳ କଂଗ୍ରେସ ସହ ପ୍ରାଣ ମୁର୍ଚ୍ଛା ଲଢେଇ କରୁଛନ୍ତ,ି ଗୁଳି ଓ ମାଡ ଖାଉଛନ୍ତି ଏମାନେ ତାଙ୍କ ଠାରୁ ଶିଖିବା ଦରକାର । ସିଂହ ଶୋଇ ରହିଲେ ତା ମୁହଁରେ ମୃଗ ପଶନ୍ତି ନାହିଁ । ଶିକାର ପାଇଁ ସିଂହକୁ ମ୍ମ କସରତ କରିବାକୁ ପଡେ । ଏମାନଙ୍କର ଅଯୋଗ୍ୟ ପଣିଆ ଦେଖି ମୋଦି ଓ ଅମିଦ ସାହା ବାଧ୍ୟ ହୋଇ ରାଜ୍ୟ ବିଜେଡି ସହ ଭିତରିଆ ସଂପର୍କ ରଖିଛନ୍ତି ଓ ଏମାନେ କେବଳ ବିବୃତି ମାଧ୍ୟମରେ ନିଜର ରାଜନିତିକୁ ସିମିତ ରଖିଛନ୍ତି । ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬

Leave a Reply

Your email address will not be published. Required fields are marked *