ଓଡ଼ିଶାର ଦୁର୍ବଳ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜଭୁତ କରାଯାଉ

ଶରତ କୁମାର ରାଉତ
୧୯୮୩ ମସିହାରେ ଜାତୀୟ ସ୍ୱାସ୍ଥ୍ୟ ନୀତି ଘୋଷଣା ବେଳେ ଦେଶର ନୀତି ନିର୍ଦ୍ଧାରକ ମାନେ ଦୁଇହଜାର ମସିହା ସୁଦ୍ଧା ଦେଶବସୀଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା କରାଯିବାର ଘୋଷଣା କରିଥିଲେ । ଏହା ନିଶ୍ଚୟ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଥିଲା । ମାତ୍ର ଆଜି ୩୬ ବର୍ଷ ପରେ ସେହି ଘୋଷଣା ଦିବା ସ୍ୱପ୍ନରେ ପରିଣତ ହୋଇଛି । ଆଜି ମଧ୍ୟ ଭାରତ ମାରାତ୍ମକ ମ୍ୟାଲେରିଆ, ଡାଇରିଆ, ଡ଼େଙ୍ଗୁ, ମିଳିମିଳା, ଯକ୍ଷ୍ମା, ଫାଇଲେରିଆ, ପାରାଲିସିସ୍, ହଇଜା, ଜାପାନୀ ଏନ୍ସେଫାଲାଇଟ୍ସ, ଅନାହାର ଆଦି କବ୍ଜାରେ ରହିଛି । ଏଡ୍ସର ଆତଙ୍କ ଧିରେ ଧିରେ ବଢି ଚାଲିଥିବା ବେଳେ ହୃଦରୋଗ ଓ କ୍ୟାନସର ମଧ୍ୟ ନିଜ ନିଜର ଶକ୍ତି ବିସ୍ତାର କରି ଚାଲିଛନ୍ତି ।
ଭାରତର ୩୨.୮୭ ଲକ୍ଷ ବର୍ଗ କି.ମି. କ୍ଷେତ୍ରଫଳରେ ୭୪.୨୯ ଭାଗ ଗ୍ରାମାଂଚଳ ରହିଥିବା ବେଳେ ୭୫ ଭାଗ ଡାକ୍ତର ମାତ୍ର ୨୫ ଭାଗ ସହରାଂଚଳରେ କେନ୍ଦ୍ରୀଭୂତ ଅଛନ୍ତି । ଫଳତଃ ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ଗ୍ରାମାଂଚଳରେ ନକଲି ଡାକ୍ତରଙ୍କ ଉତ୍ପାତ ବଳବତର ରହିଛି । ଏବେ ସବୁ ସ୍ତରରେ କୁହା ଯାଉଛି ଯେ, ସ୍ୱାର୍ଥପର ଡାକ୍ତରମାନେ ଗ୍ରାମାଂଚଳକୁ ଯାଉନାହାଁନ୍ତି । ହେଲେ ଏହାର କାରଣ ସଂପର୍କରେ କେହି କେବେ ଭାବି ନାହାଁନ୍ତି । ଆଜି ପର୍ଯ୍ୟନ୍ତ କାହିଁକି ଗ୍ରାମାଂଚଳକୁ ଅତ୍ୟାବଶ୍ୟକ ସଡକ, ବିଜୁଳି, ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇନି? ତେବେ କ’ଣ କେବଳ ଡାକ୍ତର ପହଂଚି ଗଲେ ଗ୍ରାମାଂଚଳର ବିକାଶ ହୋଇଯିବ? ବାସ୍ତବତା ଦେଖିଲେ, ନିର୍ଦ୍ଦିଷ୍ଟ ମାପଦଣ୍ଡ ଅନୁଯାୟୀ ସହରାଂଚଳରେ ମଧ୍ୟ ଆବଶ୍ୟକୀୟ ଡାକ୍ତର ନାହାଁନ୍ତି । ଏଥିରୁ ଗାଁର ସ୍ଥିତି ଅନୁମାନ କରା ଯାଇପାରେ । ତେବେ ସ୍ୱାସ୍ଥ୍ୟ ବିଭାଗରେ ୧୬୦୦୬ଟି ପଦବୀ ଖାଲି ପଡ଼ିଛି । ରାଜ୍ୟରେ ୧୦,୦୦୦ରୁ ଅଧିକ ଡ଼ାକ୍ତରଙ୍କର ଆବଶ୍ୟକତା ଥିବାବେଳେ ମଂଜୁରୀପ୍ରାପ୍ତ ୬୭୧୯ ଡ଼ାକ୍ତର ପଦବୀରୁ ୨୯୭୮ ପଦବୀ ଖାଲି ପଡ଼ିଛି । ଏଥିଯୋଗୁ ରୋଗୀମାନେ ଚିକିତ୍ସା ସେବାରୁ ବଂଚିତ ହେଉଛନ୍ତି । ସେହିପରି ରାଜ୍ୟ ମୁଖ୍ୟାଳୟରେ ପ୍ରଶାସନିକ କାର୍ଯ୍ୟ କରିବାକୁ ଡ଼ାକ୍ତର ନାହାନ୍ତି । ଡ଼ାକ୍ତରଙ୍କ ପାଇଁ ୧୦୫ ଟି ପ୍ରଶାସନିକ ପଦବୀ ଥିବାବେଳେ ୬୧ଟି ପଦବୀ ଖାଲି ପଡ଼ିଛି । ସରକାରୀ ନିୟମ ତଥା ଜନସଂଖ୍ୟା ଅନୁପାତରେ ରାଜ୍ୟରେ ୧୨ହଜାରରୁ ଅଧିକ ଉପ-ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପିତ ହେବାର ଜରୁରୀ ଥିବାବେଳେ ଏବେ ମାତ୍ର ୬୬୮୮ଟି ଉପ-ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରୁଛି । ଅନ୍ୟପକ୍ଷରେ ପ୍ରତିବର୍ଷ ୨ହଜାରରୁ ଅଧିକ ବିଭାଗୀୟ କର୍ମଚାରୀ/ଅଧିକାରୀ ଅବସର ନେଉଛନ୍ତି । କିନ୍ତୁ ସେହି ଅନୁପାତରେ ନିଯୁକ୍ତି ହେଉନାହିଁ ।
ଆମ ଦେଶରେ ସ୍ୱାସ୍ଥ୍ୟ କମିଟି ଗଠନ ଓ ଭଙ୍ଗ ପ୍ରାଚୀନ ପରମ୍ପରା ଅଟେ । ସ୍ୱାଧୀନତାଠାରୁ ଆଜିଯାଏ ବହୁ କମିଟି ଆସିଛି ଓ ଯାଇଛି, କିନ୍ତୁ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆଦର୍ଶ କରିପାରିନି । ବିଭିନ୍ନ କମିଟି ଦ୍ୱାରା ଦିଆଯାଇଥିବା ପରାମର୍ଶ ଉପରେ ବିଶ୍ଳେଷଣ କରା ଯାଇଥିଲେ ମଧ୍ୟ ରାଜନୈତିକ ଓ ପ୍ରଶାସନିକ ଅପାରଗତା ଯୋଗୁଁ ଆମର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସ୍ୱୟଂ ରୋଗଗ୍ରସ୍ତ ହୋଇ ଚାଲିଛି ।
କୌଣସି ରାଷ୍ଟ୍ରର ସ୍ୱାସ୍ଥ୍ୟ ସେବାର ସକ୍ଷମତା ଓ ସଫଳତା ଦେଶର ଶିଶୁ ଓ ମାତୃ ମୃତୁ୍ୟହାରରୁ ସ୍ପଷ୍ଟ ହେଉଥିବା ବେଳେ ଏଥିରେ ଅନ୍ୟାନ୍ୟ ବିକାଶଶୀଳ ଦେଶ ଅପେକ୍ଷା ଆମ ଦେଶ ବହୁ ଜଟିଳ ଅବସ୍ଥାରେ ରହିଛି । ଏକ ସମୀକ୍ଷାରୁ ଜଣାପଡିଛି ଯେ, ସହରାଂଚଳରେ ୮୦ଭାଗ ଲୋକେ ଘରୋଇ ଚିକିତ୍ସା ଉପରେ ନିର୍ଭର କରୁଥିବା ବେଳେ ସରକାରୀ ଚିକିତ୍ସାସେବା ଉପରେ ମାତ୍ର ୨୦ଭାଗ ଲୋକ ନିର୍ଭର କରନ୍ତି । ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛିଯେ, ସରାକାରୀ ସ୍ୱାସ୍ଥ୍ୟ ସେବା ମାଗଣାରେ ମିଳୁଥିବା ବେଳେ ଲୋକେ ଖର୍ଚ୍ଚାନ୍ତ ହୋଇ ଘରୋଇ ଚିିକିତ୍ସାଳୟକୁ ଯାଆନ୍ତି କାହିଁକି? ମାତ୍ର ଏ ସଂପର୍କରେ କେହି ମୁଣ୍ଡ ଖେଳାଉ ନାହାନ୍ତି । ସତରେ କ’ଣ ଆମ ଦେଶରେ ସରକାରୀ ଚିକିତ୍ସା ସେବା ଅତି ନିମ୍ନମାନର? ବର୍ତମାନ ଆମ ରାଜ୍ୟବାସୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ୯ଟି ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ ସମେତ ୨୨ଟି ଘରୋଇ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ, ୩୨ଟି ଜିଲ୍ଲା ସ୍ତରୀୟ ହସ୍ପିଟାଲ, ୨୨ଟି ଉପଖଣ୍ଡସ୍ତରୀୟ ଚିକିତ୍ସାକେନ୍ଦ୍ର, ୩୧୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୧୧୬୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୩୨୮ଟି ପରିବାର କଲ୍ୟାଣ କେନ୍ଦ୍ର, ୬୬୮୮ଟି ଉପ ସ୍ୱାସ୍ଥ୍ୟକେନ୍ଦ୍ର, ୧୨୦ଟି ଅନ୍ୟାନ୍ୟ ଚିକିତ୍ସା କେନ୍ଦ୍ର, ଶହଶହ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ଚିକିତ୍ସାକେନ୍ଦ୍ର ତଥା ଅନେକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ରହିଛି । ତଥାପି ଓଡିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପଛରେ ପଡିଛି କାହିଁକି?
ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ ତଥା ଶିଶୁ ଓ ମାତୃ ମୃତୁ୍ୟହାର ହ୍ରାସ ପାଇଁ ବିଭିନ୍ନ ଅନ୍ତର୍ଜାତୀୟ ଓ ଜାତୀୟ ସଂସ୍ଥାରୁ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି । ଏହାଛଡ଼ା ୧୯୮୩-୮୪ରେ ଜାତୀୟ ସ୍ୱାସ୍ଥ୍ୟ ନୀତି, ୧୯୮୭-୮୮ରେ ପ୍ରଜନନ ଶିଶୁସ୍ୱାସ୍ଥ୍ୟ ପ୍ରକଳ୍ପ, ୧୯୯୯-୨୦୦୭ରେ ଓଡ଼ିଶା ସ୍ୱାସ୍ଥ୍ୟ ଉନ୍ନୟନ ପ୍ରକଳ୍ପ, ୨୦୦୧-୦୨ରେ ଶିଶୁ ମୃତୁ୍ୟହାର ହ୍ରାସ ମିସନ୍,୨୦୦୨-୦୩ରେ ସମନ୍ୱିତ ସ୍ୱାସ୍ଥ୍ୟସେବା ନୀତି ଓ କୌଶଳ ଭିଜନ୍-୧୦, ୨୦୦୫ରୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିସନ୍, ୨୦୦୭ରୁ ନରୱେ ଏବଂ ଭାରତ ସରକାରଙ୍କ ମିଳିତ ସହଯୋଗ (ନିପି)ରେ ଯଶୋଦା ନିଯୁକ୍ତି ଓ ମାତୃ-ଶିଶୁ ସ୍ୱାସ୍ଥ୍ୟ ଯୋଜନା, ୨୦୧୧ ଅକ୍ଟୋବର ୧୯ରୁ ମମତା ଯୋଜନା, ୨୦୧୮ରେ ନିର୍ମଳ, ସୁନେତ୍ର, ସଂପୂର୍ଣ୍ଣ ସୁରକ୍ଷା କବଚ ଓ ସହାୟ ଯୋଜନାର ଶୁଭାରମ୍ଭ ହୋଇଥିଲା ବେଳେ ୨୦୧୭ ଡ଼ିସେମ୍ବର ୩ୟ ସପ୍ତାହରେ “ନିଦାନ”, “ଆମ କ୍ଲିନିକ୍” ଓ “ଅନମୋଲ୍ ଟାବ୍ଲେଟ୍”ଭଳି ଯୋଜନା ଆଦି କାର୍ଯ୍ୟକାରୀ ହୋଇ ଫେଲ୍ ମାରିଛି । ଏସବୁ ଯୋଜନା ଗୁଡ଼ିକରୁ ବିଶେଷ ସୁଫଳ ମିଳି ନାହିଁ । ଏବାବଦରେକୋଟିକୋଟି ଟଙ୍କା ବାଟମାରଣା ହେଉଛି । ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଓ ସ୍ୱାସ୍ଥ୍ୟସେବା ଯୋଗାଣ ଜନିତ ତୃଟି ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ବାସୀ ଓ ସରକାରଙ୍କ ପାଖରେ ଉତରଦାୟୀ । ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ କେବଳ ଯୋଜନା ପ୍ରସ୍ତୁତ କରି ସରକାର ନିଜ କର୍ତବ୍ୟ ଶେଷ ହେଲା ବୋଲି ଭାବୁଛନ୍ତି । ଯୋଜନାର ସୁଫଳ ଲୋକମାନଙ୍କ ପାଖରେ ପହଂଚିଲା କି ନାହିଁ, ତାହାର ପ୍ରାୟ ସମୀକ୍ଷା ହେଉନାହିଁ । ସ୍ୱାସ୍ଥ୍ୟ ବିଭାଗରେ ଆଇନ ପ୍ରଣୟନ ଓ କାର୍ଯ୍ୟକାରୀ ହେବା ମଧ୍ୟରେ ଆକାଶ-ପାତାଳ ଫରକ୍ । ଯୁଗ୍ମ ସ୍ୱାସ୍ଥ୍ୟ ନିଦେ୍ର୍ଦଶାଳୟ ହାତରେ କୌଣସି କ୍ଷମତା ନାହିଁ କି ସେମାନେ କୌଣସି ନୀତି ନିର୍ଦ୍ଧାରଣ କରନ୍ତି ନାହିଁ । ସବୁ କ୍ଷମତା ଥାଏ ଅମଲା ମାନଙ୍କ ହାତରେ । ମନ୍ତ୍ରୀ ଓ ବିଧାୟକ ମାନଙ୍କ ଫୋନ୍ ଦ୍ୱାରା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଭାଗ୍ୟ ନିର୍ଦ୍ଧାରଣ କରାଯାଏ । ଡ଼ାକ୍ତର, କର୍ମଚାରୀ ଓ ରୋଗୀ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗର କୌଣସି ସହାନୁଭୁତି ନଥାଏ ।
ବିଭାଗୀୟ କେତେକ ଅସ୍ୱାଭାବିକ କାର୍ଯ୍ୟ ଯୋଗୁ ରାଜ୍ୟରେ କାର୍ଯ୍ୟରତ ଅଧିକାଂଶ ଡ଼ାକ୍ତର ଓ କର୍ମଚାରୀ ମାନସିକ ଯନ୍ତ୍ରଣାର ଶିକାର ହେଉଛନ୍ତି ଓ ପରିଣତି ସ୍ୱରୁପ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକାଶ ହୋଇ ପାରୁନାହିଁ । ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପ୍ରଶାସନିକ ନିଷ୍କ୍ରିୟତା ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକାଶରେ ବ୍ୟାଘାତ ସୃଷ୍ଟି କରୁଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି । ଅନ୍ୟ ସରକାରୀ ନିଦେ୍ର୍ଦଶାଳୟ ଭଳି ଯୁଗ୍ମ ସ୍ୱାସ୍ଥ୍ୟ ନିଦେ୍ର୍ଦଶାଳୟରେ ପ୍ରଶାସନିକ ସେବା ଅଧିକାରୀ ପଦବୀ ନାହିଁ । ଯୁଗ୍ମ ନିଦେ୍ର୍ଦଶାଳୟର ୭ଜଣ ନିଦେ୍ର୍ଦଶକ ହେଉଛନ୍ତି ଡାକ୍ତର ପାହ୍ୟାର । ଦ୍ୱିତୀୟ ଇଶ୍ୱର ବୋଲି ଖ୍ୟାତ ଡାକ୍ତରମାନେ ପ୍ରଶାସନିକ ଜ୍ଞାନରେ ଅଜ୍ଞ ବୋଲି ସାଧାରଣରେ ମନେ କରାଯାଏ । ପ୍ରାୟତଃ ଚାକିରି ଶେଷ ବେଳକୁ ସେହି ଡାକ୍ତର ପଦୋନ୍ନତି ପାଇ ନିଦେ୍ର୍ଦଶକ ଆସନରେ ବସନ୍ତି । ସେମାନେ ଶାସନତନ୍ତ୍ରକୁ ସୁଦୃଢ କରିବା ପାଇଁ ଉଦ୍ୟମ କରୁ କରୁ ଅବସର ନିଅନ୍ତି । ଏଣୁ ଯୁଗ୍ମ ସ୍ୱାସ୍ଥ୍ୟ ନିଦେ୍ର୍ଦଶାଳୟର ଶାସନତନ୍ତ୍ରକୁ ସୁଦୃଢ ଓ ନିର୍ମଳ କରାଯିବାକୁ ଅତି କମ୍ରେ ଯୁଗ୍ମ ସ୍ୱାସ୍ଥ୍ୟ ନିଦେ୍ର୍ଦଶାଳୟରେ ଗୋଟିଏ ଆଇଏଏସ୍ ପଦବୀ ସୃଷ୍ଟି କରାଯିବା ଉଚିତ୍ । ଅନ୍ୟାନ୍ୟ ଅନୁଷଙ୍ଗିକ ବ୍ୟବସ୍ଥାର ପରିବର୍ତନ କରାଯିବା ଉଚିତ୍ । ଏସବୁ ନିର୍ଭର କରୁଛି ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ପ୍ରସାଶନିକ ଦକ୍ଷତା ଉପରେ । ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ପ୍ରକୃତରେ ଆନ୍ତରିକତାର ଅଭାବ ରହିଛି । ଅତଏବ ସ୍ୱାସ୍ଥ୍ୟ ବିଭାଗ ଓ ଯୁଗ୍ମ ସ୍ୱାସ୍ଥ୍ୟ ନିଦେ୍ର୍ଦଶାଳୟର ପ୍ରଶାସନକୁ ନିର୍ମଳ ଓ ସକ୍ରିୟ କରାଇବା ରାଜ୍ୟ ସରକାରଙ୍କର ପ୍ରଥମ ଓ ପ୍ରଧାନ କର୍ତବ୍ୟ ହେବା ଉଚିତ୍ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *