ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ

ବରିଷ୍ଠ ସାମ୍ବାଦିକ ୰ରଣଜିତ୍ ଗୁରୁଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, (ଆଇଏନ୍ଏସ୍): ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ବରିଷ୍ଠ ସମ୍ବାଦିକ ୰ ରଣଜିତ୍ ଗୁରୁଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ପୌରହିତ୍ୟରେ ଆୟୋଜିତ ଏକ ସ୍ମୃତି ସଭାରେ ସଂଘର ସଭ୍ୟ, ସ୍ଥାନୀୟ ଯୁବବନ୍ଧୁ, ଲୋକପ୍ରତିନିଧି, ବରିଷ୍ଠ ନାଗରିକ ତଥା ଅନ୍ୟମାନେ ଉପସ୍ଥିତ ରହି ୰ ଗୁରୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରାରମ୍ଭରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ କ୍ୟାଣ୍ଡେଲ୍ ପ୍ରଜ୍ୱଳନ କରାଯାଇ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘର ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ (ସିଲୁ) ସ୍ୱର୍ଗତ ଗୁରୁଙ୍କ ବିୟୋଗ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ଅବିହିତ କରିବା ସହ ସ୍ୱର୍ଗତ ଗୁରୁ ତାଙ୍କର ଅମାୟିକ ତଥା ସରଳ ବ୍ୟବହାର ଦ୍ୱାରା ସମସ୍ତଙ୍କ ପାଖରେ ଆଦୃତ ହୋଇ ପାରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାରକୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରିବା ପାଇଁ ଏକ ସାମୁହିକ ପ୍ରାର୍ଥନା କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଓ କୋରିଓଗ୍ରାଫର ଶ୍ରୀ ବିଦ୍ୟାଧର ବାରିକ, ସାମ୍ବାଦିକ ସୁକାନ୍ତ ରାଉତ, ସଭ୍ୟ ଅଭିଷେକ ମିଶ୍ର, ଉତମ କୁମାର ପ୍ରଧାନ, ପ୍ରକାଶ ଚନ୍ଦ୍ର ସାହୁ, ସଚ୍ଚିଦାନନ୍ଦ ବେହେରା, ଶିଶିର କୁମାର ମହାରଣା, ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଗୁରୁଙ୍କ ସ୍ମୃତିଚାରଣ କରିଥିଲେ । ଶେଷରେ ସଭ୍ୟ ଭିମସେନ୍ ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *