ଦୁର୍ବଳ ହେଉଛି ଉପକୂଳର ହେନ୍ତାଳ ଜଙ୍ଗଲ

ହେମନ୍ତ କୁମାର ରାଉତ
ପ୍ରଥମ ବିଶ୍ୱ ଯୁଦ୍ଧରେ ସାତଭାୟା ନିକଟସ୍ଥ ମାଈପୁରା ବନ୍ଦର ଥିଲା ଚଳଚଂଚଳ । ସାତଭାୟା ବହୁ କାଳରୁ ବିପୁଳ ଐଶ୍ୱର୍ଯ୍ୟର ଅଧିକାରୀ । ପ୍ରଚୁର ମାଛ, କଙ୍କଡ଼ା, ହରିଣ ମାଂସ, କଦଳୀ, ମହୁ, ମଇଁଷି ଘିଅ, ସୁବାସିତ ବାସୁମତୀ ଓ ହଳଦୀଗୁଣ୍ଡି ଚାଉଳ ଆଦି ଏଇ ବନ୍ଦର ଦେଇ କଲିକତା ଓ ଅନ୍ୟାନ୍ୟ ସ୍ଥାନକୁ ରପ୍ତାନୀ କରାଯାଉଥିଲା । ଏସବୁ ସୃଷ୍ଟି ହେବାର ମୂଳ କାରଣ ଥିଲା ଘଂଚ ହେନ୍ତାଳ ବଳୟ । ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ଆମର ଚାନ୍ଦବାଲି ସମେତ ମାଈପୁର ବନ୍ଦର ତା’ର ପୂର୍ବ ଗାରିମାକୁ ହରେଇଲା । ଧାମରା ମୁହାଣ ଠାରୁ ମହାନଦୀ ମୁହାଣ, ମହାନଦୀ ମୁହାଣ ଓ ମହାନଦୀ ମୁହାଣ ଠାରୁ ଦେବୀ ନଦୀ ମୁହାଣ ମୁହାଣ ଯାଏ ସୁଦୃଢ ଘଂଚ ହେନ୍ତାଳ ଜଙ୍ଗଲର ବିଶାଳ ସବୁଜ ବଳୟ ପ୍ରାଚୀର ଭଳି ଭୂଭାଗକୁ ଆବୋରି ବସିଥିଲା ।
୧୭୭୧ ଅକ୍ଟୋବର୨୯ ଓ ୩୦ ତାରିଖ ଦୁଇଦିନ ଧରି ଭୟଙ୍କର ସାମୁଦି୍ରକ ଝଡ଼ ଭିତରକନିକା ସମେତ ପାରାଦୀପ ଯାଏ ପୂର୍ବ ଉପକୂଳକୁ ଛାରଖାର କରିଦେଲା । ଅଥଳ ପାଣିରେ ସାତଭାୟା ଜଳମଗ୍ନ ହେଲା । ଅସଂଖ୍ୟ ମଣିଷ, ଗାଈଗୋରୁ, ଜୀବଜନ୍ତୁ ଭାସିଗଲେ । ପଚାଶ ହଜାରରୁ ଅଧିକ ଲୋକେ ମରିଗଲେ । ପଶ୍ଚିମବଙ୍ଗ ଓ ବାଂଲାଦେଶରୁ ଆସିଥିବା ଅଧିବାସୀଙ୍କର ହିସାବ ନଥିଲା ସରକାରଙ୍କ ଖାତାରେ । ସମୁଦ୍ର ତା’ର ବିଶାଳ ଜଳ ରାଶିକୁ ବୃଥିବୀରେ ଅଜାଡ଼ି ଦେଲା । ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ସାତଭାୟାର ମଣିଷ ମାନେ ଆଜି ବି ଅଂଟା ସଳଖି ଉଠି ପାରି ନାହାନ୍ତି ।
ପାରାଦୀପ ବନ୍ଦର ପାଇଁ ୩୦ ବର୍ଗଫୁଟ ହେନ୍ତାଳ ଜଙ୍ଗଲ ସଫା କରାଗଲା । ଜଳବାୟୁ ପରିବର୍ତନ କିମ୍ବା ଓ ପାରାଦୀପ ବନ୍ଦରର ବ୍ରେକ୍ ୱାଟର ସିଷ୍ଟମ୍ ସାତଭାୟା ନିକଟସ୍ଥ ଗହୀରମଥାର ସୁଦୀର୍ଘ ବେଳାଭୂଇଁକୁ ଛାରଖାର କରିଦେଲା । ଗହୀରମଥାରେ ପାହାଡ଼ ପରି ବାଲୁକାର ବେଦି । କଡ଼େକଡ଼େ ହେନ୍ତାଳ ଜଙ୍ଗଲ, ଦିଗ୍ ବଳୟ ବ୍ୟାପି ଜହ୍ନରାତି, ଅସଂଖ୍ୟ ସାମୁଦ୍ରିକ ଚଢେଇମାନଙ୍କର କଳରବ ନିସ୍ତବ୍ଦ ହୋଇଗଲା । ୧୯୯୭ ମସିହାରେ ସରକାର ଗହୀରମଥାକୁ ସାମୁଦି୍ରକ ଅଭୟାରଣ୍ୟ ଭାବରେ ଘୋଷଣା କଲେ, ଯାହା ସମଗ୍ର ବିଶ୍ୱର ଧÿ୍ୟାନ ଆକର୍ଷଣ କଲା । କିନ୍ତୁ ସେ ଦୁଇଟି ଗାଁ ସାନ ଗହୀରମଥା ଓ ବଡ଼ ଗହୀରମଥା ବହୁ ପୂର୍ବରୁ ସମୁଦ୍ରରେ ମିଶି ଯାଇଥିଲା, ଯେଉଁ ଗାଁ ନାମରେ ଗହୀରମଥା ଅଭୟାରଣ୍ୟ ଘୋଷଣା କରାଗଲା । କେନ୍ଦ୍ରାପଡ଼ାର ଉପକୂଳରେ କେତୋଟି ଗାଁ, ହାଟବଜାର ସମୁଦ୍ରରେ ମିଶିଗଲା । ଭିତରକନିକାର ଚାରି ପାଖରେ ଅହିରାଜ, ଅଜଗର, ହରିଣ, ବାର୍ହା ଭଳି ଅନ୍ୟାନ୍ୟ ଜୀବଜନ୍ତୁ ମରି ଭାସିଲେ । ପୃଥିବୀର ବହୁ ଦେଶ ସେମାନଙ୍କର ହାତ ବଢେଇଥିଲେ । ସେ ପ୍ରଳୟଙ୍କରୀ ମହାବାତ୍ୟାକୁ ଅନୁଭବି ଭୁଲି ପାରିବ ନାହିଁ ।
୧୯୯୯ ମହାବାତ୍ୟା ୧୩ ଟି ଜିଲ୍ଲାକୁ ଛାରଖାର କଲେ ବି ଏରସମା ଓ ବାଲିକୁଦାକୁ ଧ୍ୱଂସ ସ୍ତୂପରେ ପରିଣତ କଲା । ପରିବେଶବିତ୍ ମାନଙ୍କ ମତରେ ଦେବୀନଦୀ ପାଖରେ ଅସ୍ତରଙ୍ଗ ମୁହାଣରେ ଆଗ ଭଳି ହେନ୍ତାଳ ଜଙ୍ଗଲ ଥିଲେ, ଏରସମା ଓ ବାଲିକୁଦା ଅଂଚଳ ଆଗ ଭଳି ପ୍ରଳୟଙ୍କରୀ ହୋଇ ନ ଥାନ୍ତା କିମ୍ବା ସମୁଦ୍ର ଢେଉ ସେ ଅଂଚଳକୁ ପ୍ରବେଶ କରି ନ ଥାନ୍ତା । ସେହିପରି ୧୯୭୬ ଓ ୧୯୮୨ର ସାମୁଦି୍ରକ ଝଡ଼ ଉପକୂଳବାସୀଙ୍କୁ ହତଚକିତ କରି ନଥାନ୍ତା । ଏହା ବ୍ୟତୀତ ଆହୁରି ଛୋଟବଡ଼ ବାତ୍ୟା ଉପକୂଳବାସୀଙ୍କର ସହଚର ହୋଇଛି । ବଙ୍ଗୋପସାଗର ଓ ଆରବ ସାଗରର ଘନ ଘନ ଲଘୁଚାପ ଉପକୂଳବାସୀଙ୍କର ନିଦ ହଜେଇ ଦେଇଛି ।
ଓଡ଼ିଶା ଉପକୂଳରେ ଏହି ମହାବାତ୍ୟାର ନିରାକରଣ ପାଇଁ ୧୯୭୧ ମସିହା ନଭେମ୍ବର ୧୬ ତାରିଖାର ଓଡ଼ିଶା ସରକାରଙ୍କ ସେଚ ଓ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ନମ୍ବର-୩୨୧୮୯ ରେ ଏକ ବିଶେଷଜ୍ଞ କମିଟିକୁ ନିଯୁକ୍ତି ଦିଆଗଲା । ସେହିବର୍ଷ ବିଜ୍ଞପ୍ତି ଅନୁଯାୟୀ ସମଗ୍ର ଉପକୂରେ ବାତ୍ୟା ନହେବା ପାଇଁ ୩୧ପୃଷ୍ଠା ବ୍ୟାପି ଆବଶ୍ୟକୀୟ ପଦକ୍ଷେପ ନିଆଗଲା । ସେଥିରେ ମୁଖ୍ୟ ପ୍ରସଙ୍ଗ ଥିଲା ଯେ, ସମଗ୍ର ଉପକୂଳରେ ୧କିମି ବ୍ୟାପି ସବୁଜ ପ୍ରାଚୀର ସୃଷ୍ଟି ହେବ । ସ୍ଥଳଭାଗ ଆଡ଼କୁ ବୃକ୍ଷ ରୋପଣ, ବାଲି ଜାଗାରେ ଝାଉଁ ଓ ସମୁଦ୍ର ଆଡ଼କୁ ଘଂଚ ହେନ୍ତାଳ ଜଙ୍ଗଲ ସୃଷ୍ଟି ହେବ । ଜବରଦଖଲକାରୀ ମାନେ ଯେପରି ତା’ଭିତରେ ପ୍ରବେଶ ନ କରନ୍ତି, ସେଥିପାଇଁ ସରକାର ସଜାଗ ରହିବେ । ଏହା ଥିଲା ବିଜ୍ଞପ୍ତିର ପ୍ରମୁଖ ପ୍ରସଙ୍ଗ ।
ଦିନକୁ ଦିନ ବାୟୁମଣ୍ଡଳ ଆହୁରି ଉତପ୍ତ ହେବାରେ ଲାଗିଛି । ବାରମ୍ବାର ଲଘୁଚାପ ହୋଇ ମିଳେଇ ଯାଉଛି । ବେଳେବେଳେ ବାତ୍ୟାର ରୂପ ନେଉଛି । ଭାରତ ମହାସାଗର ସୁନାମୀ ପ୍ରବଣ ଅଂଚଳ । ୨୦୦୪ରେ ତାମିଲନାଡ଼ୁର ପିଚାଭରମ୍ ଜିଲ୍ଲାର ହେନ୍ତାଳବଣ ସୁନାମୀକୁ ପ୍ରତିରୋଧ କରି ବହୁ ଧନ ଜୀବନ ରକ୍ଷା କରିଥିଲା । ଏଇ ସୁନାମୀରେ ସମଗ୍ର ଉପକୂଳ ଦୋହଲି ଯାଇଥିଲା ।
ଆଜି ସମଗ୍ର ଓଡ଼ିଶା ଉପକୂଳ ଚିଙ୍ଗୁଡ଼ିଘେରୀ ମାଲିକଙ୍କ କବ୍ଚାରେ । ଖୁବ ଅଳ୍ପଦିନ ମଧ୍ୟରେ ଆମ ପରିବେଶ ଆହୁରି ବିଗିଡ଼ି ଯିବ । ବିଶ୍ୱବ୍ୟାଙ୍କର ଆର୍ଥିକ ସହାୟତାରେ କେନ୍ଦ୍ରାପଡ଼ା ବଣପଡ଼ା ଠାରେ ପ୍ରସ୍ତୁତ ଚିଙ୍ଗୁଡ଼ିଘେରୀ ଅଂଚଳରେ ୨୦ବର୍ଷ ପରେ ବି ସାମାନ୍ୟ ଲୁଣି ଘାସ ସୃଷ୍ଟି ହେଉନାହିଁ । ଯେହେତୁ ସେଠାରେ ବିଷାକ୍ତ ଔଷଧ ପ୍ରୟୋଗ ହୋଇଥିଲା । ଆଜି ବି ବିଶ୍ୱବିଖ୍ୟାତ ଭିତରକନିକା ଅଭୟାରଣ୍ୟ ଚାରିପାଖରେ ହଜାର ହଜାର ଚିଙ୍ଗୁଡ଼ିଘେରୀ ।
ବାତ୍ୟା ‘ଫଣି’ର ପ୍ରଭାବ ସତ୍ୱେ ହେନ୍ତାଳ ଜଙ୍ଗଲ ଥିବା ଅଂଚଳରେ ପଶୁପକ୍ଷୀଙ୍କ ସହ ମଣିଷମାନେ ମଧ୍ୟ ସୁରକ୍ଷିତ ଥିଲେ । ବାତ୍ୟା ସମୟରେ ହୁକିଟେଲା ହେନ୍ତାଳବଣ ପାଖରେ ଜରିରେ ଘର କରି ରହିଥିବା ଲୋକମାନେ ସୁରକ୍ଷିତ ଥିଲେ । ଚିଲିକାର ସାତପଡ଼ା ହେନ୍ତାଳବଣ ପାଖରେ ରହୁଥିବା ଲୋକେ ମଧ୍ୟ ସୁରକ୍ଷିତ ଥିଲେ ।
ପ୍ରବଳ ଝଡ଼ ସମୟରେ ପ୍ରାୟତଃ ମଣିଷମାନେ ସୁରକ୍ଷିତ ରହିଥାନ୍ତି । କିନ୍ତୁ ପଶୁପକ୍ଷୀ ଓ ଜୀବଜନ୍ତୁଙ୍କର ଅବସ୍ଥାକୁ ଆମେ ଚିନ୍ତା କରିପାରୁନା । ଘଂଚ ହେନ୍ତାଳବଣ କେବଳ ପାଣି ପବନରୁ ମଣିଷ ମାନଙ୍କୁ ସୁରକ୍ଷିତ ରଖେନା, ବରଂ ପଶୁପକ୍ଷୀମାନଙ୍କୁ ମଧ୍ୟ ସୁରକ୍ଷିତ କରି ରଖେ ।
ତେବେ ବ୍ୟାପକ ଚିଙ୍ଗୁଡ଼ି ଚାଷ ହେନ୍ତାଳ ଜଙ୍ଗଲ ସୃଷ୍ଟି ପାଇଁ ସୁଯୋଗ ଦେବନାହିଁ । ଓଡ଼ିଶା ଉପକୂଳର ଘଂଚ ହେନ୍ତାଳ ଜଙ୍ଗଲ କ୍ରମେ କ୍ରମେ ଦୁର୍ବଳ ହେବାରେ ଲାଗିଛି । କିନ୍ତୁ ସମୁଦ୍ର ନିକଟସ୍ଥ ବ୍ରାହ୍ମଣୀ, ବୈତରଣୀ, ହଂସୁଆ, ମହାନଦୀ, ଖୋଳାନଦୀର ମିଠା ପାଣି ଧାରେ ଧାରେ ଆଜି ମଧ୍ୟ ହେନ୍ତାଳ ସୃଷ୍ଟି ହେବାରେ ଲାଗିଛି । ଏହା ଉପରେ ଧ୍ୟାନ ଦେଲେ ଗୋଟିଏ ବିଶାଳ ହେନ୍ତାଳ ଜଙ୍ଗଲ ସୃଷ୍ଟି ହୋଇ ପାରିବ, ଏଥିରେ ସନେ୍ଦହ ନାହିଁ ।

Leave a Reply

Your email address will not be published. Required fields are marked *