ଆଦିବାସୀ ଅଂଚଳରେ ରକ୍ତହୀନତା ଜନିତ ମୃତୁ୍ୟ ସଂଖ୍ୟା ବଢୁଛି

ନବରଙ୍ଗପୁର,(ଆଇଏନ୍ଏସ୍): ଓଡ଼ିଶାର ସବୁଠୁ ଅନଗ୍ରସର ଓ ଗରିବ ଜିଲ୍ଲା ଭାବେ ପରିଚିତ ନବରଙ୍ଗପୁର ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ପୃଷ୍ଟିହୀନତା, ରକ୍ତ ଶିକୁଳି ରୋଗ ଓ ମ୍ୟାଲେରିଆର ବ୍ୟାପକତା ଯୋଗୁ ରକ୍ତହୀନତା ଜନିତ ମୃତୁ୍ୟ ସଂଖ୍ୟା କ୍ରମେ ବଢୁଛି । ଓଏନ୍ଏସ୍ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ପ୍ରସବ ବେଳେ ମା’ ମାନଙ୍କର ଏହି ସମସ୍ୟା ଅତି ଜଟିଳ ଅବସ୍ଥା ସୃଷ୍ଟି କରୁଛି । ଏଠାରେ ଅଧିକାଂଶ ମାତୃ ମୃତୁ୍ୟ ଅନ୍ତରାଳରେ ରକ୍ତ ହୀନତା ହିଁ ଏକମାତ୍ର କାରଣ ବୋଲି ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଉଛନ୍ତି । ଚିକିତ୍ସା ବିଜ୍ଞାନର ନିୟମ ଅନୁସାରେ ରକ୍ତରେ ହେମୋଗ୍ଲୋବିନ୍ର ପରିମାଣ ଶତକଡ଼ା ୧୧ ରୁ କମ୍ ରହିଲେ, ରୋଗୀଟି ରକ୍ତହୀନତାର ଶିକାର ବୋଲି ଚିକିତ୍ସା ବିଜ୍ଞାନ କହିଥାଏ । ଓଏନ୍ଏସ୍ ସର୍ଭେରୁ ଜଣାପଡ଼ିଛି ଯେ, ଜିଲ୍ଲାରେ ୯୫ ଶତକଡ଼ା ଳୋକଙ୍କର ହେମୋଗ୍ଲୋବିନ୍ ର ପରିମାଣ ୧୧% ରୁ ବହୁ ତଳେ ରହୁଛି । ଅନେକ ଗର୍ଭବତୀ ମା’ପ୍ରସବ ପାଇଁ ଆସିବାବେଳେ ସେମାନଙ୍କର ହେମୋଗ୍ଲୋବିନ୍ ର ପରିମାଣ ୪ ରୁ ୭ ଶତକଡ଼ା ମଧ୍ୟରେ ରହୁଛି । ଯେଉଁଥିପାଇଁ ପ୍ରସବ ବେଳେ ଅଧିକାଂଶ ମା’ଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇଯାଉଛି ଓ ବେଳେବେଳେ କେତେକ ମୃତୁ୍ୟମୁଖରେ ପଡ଼ୁଛନ୍ତି । ସୂଚନାଯୋଗ୍ୟ ଯେ, ସାରା ଜିଲ୍ଲା ପାଇଁ ଏକମାତ୍ର ରକ୍ତ ଭଣ୍ଡାରଟି ନବରଙ୍ଗପୁର ସ୍ଥିତ ଜିଲ୍ଲା ସଦରମହକୁମା ଚିକିତ୍ସାଳୟ ଠାରେ ରହିଛି । ସେଠାରୁ ଜିଲ୍ଲାର ସୀମାନ୍ତ ହାଟଭରଣ୍ଡି ଓ ଚନ୍ଦାହାଣ୍ଡିର ଦୂରତା ୧୨୦ କି.ମି.ରୁ ଅଧିକ । ଜିଲ୍ଲାର ଅନ୍ୟ ଏକ ଅଗ୍ରଣୀ ଚିକିତ୍ସାଳୟ ଉମରକୋଟ ଠାରୁ ଏହା ୬୫କି.ମି. ଦୂରବର୍ତୀ । ରକ୍ତ ଦରକାର ପଡ଼ୁଥିବା ଆଦିବାସୀ ରୋଗୀଙ୍କୁ ରାତି ଅଧରେ ରକ୍ତ ଆଣିବା ଚିଠାଟି ଧରାଇ ସ୍ୱାସ୍ଥ୍ୟ ବିଭାଗ ନିଜ ଦାୟିତ୍ୱ ସାରିଦେଉଛି । ଅଧ ରାତିରେ ରୋଗୀର ଆତ୍ମୀୟ କିଭଳି ଏତେ ଦୂର ଯାଇ ରକ୍ତ ଆଣିବ, ଏହି ପ୍ରଶ୍ନର ଉତ୍ତର କୋଟିକୋଟି ଟଙ୍କା ପାଣି ପରି ଉଡ଼ାଉଥିବା ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ୍ ପାଖରେ ହୁଏତ ନାହିଁ । ୨୦୦୫ରେ ସ୍ୱାସ୍ଥ୍ୟ ମିସନ୍ ଏହି ଜିଲ୍ଲାରେ କାର୍ଯ୍ୟକାରୀ ହେବା ପରଠାରୁ ରକ୍ତହୀନତା ରୋଗ ବ୍ୟାପକ ଭାବେ ବଢିଚାଲିଥିବା ଅଭିଯୋଗ ହେଉଛି । ଚିକିତ୍ସାଳୟ ନିର୍ମାଣ, ସଜେଇବା, ବିଭିନ୍ନ ହୋଡ଼ିଙ୍ଗ୍ ଟାଙ୍ଗି ଓ ଗଣମାଧ୍ୟମରେ ରଙ୍ଗୀନ୍ ବିଜ୍ଞାପନ ବାବଦରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ ହେଉଥିବା ଦାବି କରୁଛି ସ୍ୱାସ୍ଥ୍ୟ ମିସନ୍ । କିନ୍ତୁ ବାସ୍ତବରେ ରୋଗୀ ପାଇଁ ଉନ୍ନତ ଚିକିତ୍ସାସେବା ଯୋଗାଇବାରେ ସ୍ୱାସ୍ଥ୍ୟ ମିସନ୍ ଫେଲ୍ ମାରିଥିବା ଜଳଜଳ ଦେଖାଯାଉଛି । ସ୍ୱାସ୍ଥ୍ୟ ମିସନ୍ର ହର୍ତାକର୍ତା ସାଜିଥିବା ଅନଭିଜ୍ଞ, ଅଦକ୍ଷ ଓ ଅସ୍ଥାୟୀ କର୍ମଚାରୀଙ୍କ ହାତରେ ଛାଡ଼ି ଦିଆଯାଇଛି ରାଜ୍ୟର ସ୍ୱାସ୍ଥ୍ୟସେବା ଦାୟିତ୍ୱ । ସେହିପରି ଗର୍ଭବତୀ ମା’ର ଦାୟିତ୍ୱ ଅନଭିଜ୍ଞ ଆଶା ଉପରେ ଛାଡ଼ିଦେଇ ସମସ୍ତେ ନିଶ୍ଚିତ ରହିଛନ୍ତି । ବାହାରୁ ଔଷଧ ନକିଣିବାକୁ ସମସ୍ତଙ୍କୁ ତାଗିଦ୍ କରାଯାଉଛି । ରକ୍ତହୀନତା ରୋଗର ପ୍ରତିଷେଧକ ପାଇଁ ଯେଉଁ ଫଲିଫର୍ ଟାବ୍ଲେଟ୍ ବଂଟାଯାଉଛି,ସେଗୁଡ଼ିକ ରୋଗୀଙ୍କ ଦ୍ୱାରା ଆଦୌ ଆଦୃତ ହେଉନାହିଁ । ପ୍ୟାକିଂ ତୃଟି ଯୋଗୁ ଖୋଲିବା ପରେ ସେସବୁ ଭାଙ୍ଗି ଯାଉଛି । ଅନେକ ରୋଗୀ ତାହାକୁ ଖାଉ ନାହାଁନ୍ତି । ଖାଇଲେ ମଧ୍ୟ ସେମାନଙ୍କର ହେମୋଗ୍ଲୋବିନ୍ ପରିମାଣ ଏତେ କମ୍ ରହୁଛି ଯେ ପ୍ରସବ ପୂର୍ବରୁ ଅବସ୍ଥା ସ୍ୱାଭାବିକ୍ ହେବା ସମ୍ଭବ ହେଉନି । ବେଳେବେଳେ ସମୟସୀମା ପାର ହୋଇଥିବା ଔଷଧ ବଂଟାଯାଇ ଅବସ୍ଥାକୁ ଆହୁରି ଅସମ୍ଭାଳ କରାଯାଉଛି । ଏଣୁ ଅକାରଣେ ପ୍ରଚୁର ଅର୍ଥ ବ୍ୟୟ କରାନଯାଇ ସମସ୍ୟାର ମୂଳରେ ପହଂଚି ସମାଧାନ କରାଗଲେ ହିଁ ଏହି ଯୋଜନାର ସଫଳ ରୂପାୟନ ହୋଇପାରିବ ବୋଲି ବ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଆଇଏନ୍ଏସ୍ ।

Leave a Reply

Your email address will not be published. Required fields are marked *