ଅତୀତ ଓ ବର୍ତମାନ ଅଙ୍ଗାଅଙ୍ଗି ଜଡ଼ିତ!

ଯେଉଁମାନେ ଅତିତକୁ ମୃତ ବୋଲି ଘୋଷଣା କରନ୍ତି ସେମାନେ ସଂପୂର୍ଣ୍ଣ ଭ୍ରମ ବୋଲି ପ୍ରମାଣିତ ହୁଅନ୍ତି । ଅତିତରୁ ହିଁ ଉପାଦନ ସଂଗ୍ରହ କରି ବର୍ତମାନର ପୃଷ୍ଟି ସାଧନ ହୁଏ । ତେଣୁ ଆମ ପାଇଁ ଉଭୟ ମୂଲ୍ୟବାନ । ହଜାର ହଜାର ବର୍ଷର ସ୍ମୃତି କୁ ବହନ କରୁଥିବା ପୁରୁଣା କର୍ତିରାଜ କୁ ଭାଙ୍ଗି ମାଟିରେ ମିଶାଇ, ସେ ଗୁଡିକ ସ୍ଥାନରେ ସୌଖିନ୍ ବିଭବ ପୂର୍ଣ୍ଣ ଅଟାଳିକା ମାନ ତିଆରି କରିଦେଲେ ଯେ ଆମ ସ୍ଥାନ ବିଶ୍ୱ ସ୍ତର କୁ ଉନ୍ନତ ହୋଇଯିବ,ଏହା ଭାବିବା ସଂପୂର୍ଣ୍ଣ ଭୁଲ । ଅତିତ ର ସ୍ମୃତି ବହନ କରୁଥିବା ପୂରାତନ କିର୍ତିମାନ ଯେତେ ଭଙ୍ଗା ଦଦରା ହେଲେ ମଧ୍ୟ ତାହାର ଏକ ସ୍ୱତନ୍ତ୍ର ଆକର୍ଷଣ ଅଛି । ସେଗୁଡିକ ସମାଜର ଜୀବନ୍ତ ଇତିହାସ । ସମୟ ସୂଅରେ ଘଟିଯାଇଥିବା ଦୁଃଖ ଓ ସୁଖ ଉତ୍ଥ୍ାନ ପତନ, ଭଙ୍ଗା ଗଢା ର ମୁକ ସାକ୍ଷି । ସେଥିପାଇଁ ପ୍ରତ୍ୟେକ ଦେଶରେ ପୁରାତନ କର୍ତିରାଜି କୁ ସେମାନେ ମୈାଳିକ ଅବସ୍ଥାରେ ସଂରକ୍ଷିତ ରଖିବା ପାଇଁ ଚେଷ୍ଟା କରନ୍ତି ।
ରଘୁନନ୍ଦନ ଲାଇବ୍ରେରୀ କୁ ଭାଙ୍ଗି ଦେଇ ତାହା ସ୍ଥାନରେ ବିଶ୍ୱ ସ୍ତରିୟ ପାଠାଗାର ତିଆରି କରିବା ଯେତିକି ହାସ୍ୟାସ୍ପଦ, ହଜାର ବର୍ଷ ତଳର ଦୈତ୍ୟବାଦ ର ପ୍ରଚାରକ ମହାତ୍ମା ରାମାନୂଜଙ୍କ ସ୍ମୃତି କୁ ବହନ କରୁଥିବା ଏମାର ମଠ କୁ ମାଟିରେ ମିଶାଇ ଦେବା ସେତିକି ଦୁଃଖ ଦାୟକ । ଏମାର ମଠ ହେଉଛି ଓଡ଼ିଶାର ସବୁଠାରୁ ଧନଶାଳି ମଠ । ନ’ଙ୍କ ର୍ଦୁଭିକ୍ଷ ସମୟରେ ହଜାର ହଜାର ଭୋକିଲା ଲୋକ ମଠ ପରିସରରେ ମାଗଣାରେ ଖାଉଥିଲେ । ଏମାର ଚକଡା ନାମରେ ତାହାର ସ୍ମୃତି ଏବେ ବି ରହିଅଛି । ପୁରୀ କହିଲେ କେବଳ ବଡ ଦେଉଳ ଓ ଜଗନ୍ନାଥ କୁ ବୁଝାଏ ନାହିଁ । ଅବଶ୍ୟ ସାଧାରଣ ଲୋକ ଚକା ଆଖି ଙ୍କୁ ଦର୍ଶନ କରି ଖୁସି ମନରେ ପୁରୀ ରୁ ଫେରି ଯାଏ । କିନ୍ତୁ ଜଣେ ଗବେଷକଙ୍କ ପାଇଁ ଜଗନ୍ନାଥଙ୍କ ବ୍ୟତିତ ପୁରୀ ରେ ଆହୁରି ଅନେକ ସ୍ମାରକି ଅଛି । ପୁରୀ ରେ ଥିବା ମଠ ମାନ ଜଗନ୍ନାଥଙ୍କ ନିତି ସହିତ ନିବିଡ ଭାବରେ ଜଡିତ ଓ ଆଗ କାଳରେ ସେମାନେ ବିଦେଶି ମାନଙ୍କ ଆକ୍ରମଣ ରୁ ଜଗନ୍ନାଥ ଙ୍କୁ ସୁରକ୍ଷା ଦେଉଥିଲେ । ଯୁଗେ ଯୁଗେ ପୁରୀ କୁ ଆସୁଥିବା ଅନେକ ମହାପୁରୁଷଙ୍କ ଚିହ୍ନ ସେମାନେ ନିଜ ଛାତିରେ ସାଇତି ରଖିଛନ୍ତି । ସେହି ମହାପୁରୁଷ ମାନେ ହେଲେ ମହାତ୍ମା କବିର, ଗୁରୁ ନାନକ, ଆଚାର୍ଯ୍ୟ ନାମାନୁଜ, ଆଚାର୍ଯ୍ୟ ନିମ୍ବାର୍କ, ରାୟ ରାମାନନ୍ଦ ଓ ମହାପ୍ରଭୂ ଚୈତନ୍ୟ । ଭକ୍ତି ପଥର ପ୍ରବର୍ତକ ଚୈତନ୍ୟ ଦିର୍ଘକାଳ ପୁରୀର ରାଧାକାନ୍ତ ମଠରେ ଅବସ୍ଥାନ କରିଥିଲେ । ଏଠାରେ ତାଙ୍କର କଠଉ, କମଣ୍ଡଳ ଓ କନ୍ଥା ସୁରକ୍ଷିତ ରହି ପୂଜା ପାଉଛି ।
ଘୁମୁସର ମଠରେ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଙ୍କ ସ୍ମୃତି ରହିଅଛି । ଏଠାରେ ପ୍ରଭୁ ଶ୍ରୀରାମ ପୂଜା ପାଉଛନ୍ତି ।
ସିଦ୍ଧ ବକୁଳ ମଠରେ ପ୍ରକ୍ଷାତ ପଣ୍ଡିତ ବକ୍ରେସର ଙ୍କର ସ୍ମୃତି ରହିଛି । ଏଠାରେ ଥିବା ବକୁଳ ଗଛର କୌଣସି ପତ୍ର କିମ୍ବା ଫଳ ହୁଏନାହିଁ ।
ନନ୍ଦିନୀ ମଠରେ ଶ୍ରୀକୃଷ୍ଣ ଙ୍କର ପରମ ନାରୀ ଭକ୍ତ ମିରା ବାଇ ଅବସ୍ଥାନ କରିଥିଲେ । ୭ ଲହଡି ମଠରେ ଭାଗବତ ରଚୟିତା ଜଗନ୍ନାଥ ଦାସ ଅବସ୍ଥାନ କରୁଥିଲେ । କଥିତ ଅଛି ଏକ ନିକାଂଚନ ଯାଗା ଯୋଗାଇ ଦେବାପାଇଁ ସେ ସମୁଦ୍ର କୁ ପ୍ରାର୍ଥନା କଲେ ଓ ଏଥିପାଇଁ ସମୁଦ୍ର ତାଙ୍କୁ ୭ ଲହଡି ପରିଣିତ ଆଶ୍ରୟ ପ୍ରଦାନ କଲେ । ଅଷ୍ଟମ ଶତାଦ୍ଦିର ଅଦୈତ୍ୟବାଦ ର ପ୍ରଚାରକ ଆଚାର୍ଯ୍ୟ ଶଙ୍କର ପୁରୀରେ ଗୋବର୍ଧନ ମଠ ପ୍ରତିଷ୍ଠା କରିଛନ୍ତି ଓ ସେହିଦିନ ଠାରୁ ଏହି ମଠର ଅଧ୍ୟକ୍ଷ ଶଙ୍କରାଚାର୍ଯ୍ୟ ପଦବୀ ଗ୍ରହଣ କରି ହିନ୍ଦୁ ଧର୍ମ କୁ ସୁରକ୍ଷା ଯୋଗାଇ ଆସୁଛନ୍ତି । ଜଗନ୍ନାଥ ମନ୍ଦିର ସାଙ୍ଗରେ ଏହି ମଠ ର ନିବିଡ ସଂମ୍ପର୍କ ଅଛି । ଯେ କୈାଣସି ଧର୍ମିୟ ବିବାଦରେ ଶଙ୍କରା ଚାର୍ଯ୍ୟଙ୍କ ମତ କୁ ସମସ୍ତେ ଗ୍ରହଣ କରନ୍ତି । ରଥ ଯାତ୍ରାରେ ଶଙ୍କରା ଚାର୍ଯ୍ୟ ସ୍ୱତନ୍ତ୍ର ଭାବେ ନିଜ ଅନୂଗାମି ଙ୍କ ସହ ରଥ ଉପରକୁ ଯାଇ ପୂଜାର୍ଚ୍ଚନା କରିଥାନ୍ତି । ଏହା ବ୍ୟତିତ ରାଧା ବଲ୍ଲବ ମଠ, ଓଡିଆ ମଠ, ବଡ ଛତାମଠ, ବଡ ଆଖୁଡା ମଠ, ମାର୍କଣ୍ଡ ପୁଷ୍କରଣୀ, ନରେନ୍ଦ୍ର ପୁଷ୍କରଣୀ, ସୁନାର ଗୈ÷ାରଙ୍ଗ, ଶେତ ଗଙ୍ଗା, ପୁରୀ ରଜାଙ୍କ ଉଆସ, ଜଗନ୍ନାଥଙ୍କ ନିତି ସହିତ ଜଡିତ ହୋଇ ପଡିଛି । ମଠ ମାନଙ୍କ ମଧ୍ୟରୁ କିଏ ଫୁଲ ଦିଏ ତ କିଏ ତୁଳସୀ ଦିଏ,କିଏ ଖଣ୍ଡୁଆ ଦିଏ, କିଏ ସ୍ୱତନ୍ତ୍ର ଭୋଗ ଦିଏ, କିଏ ଆସି ଝାଞ୍ଜ ପିଟେ, ମନ୍ଦିରରୁ ମହା ପ୍ରସାଦ ପ୍ରତି ମଠକୁ ନିୟମିତ ଯାଏ । ରଥଯାତ୍ରା ଓ କାର୍ତିକ ବେଳେ ହଜାର ହଜାର ଶ୍ରଦ୍ଧାଳୁ ମଠରେ ଆଶ୍ରୟ ନେଇଥାନ୍ତି । ଏହି ପରମ୍ପରା କେଉଁ ଯୁଗ ରୁ ଚାଲି ଆସୁଛି । ଏହାକୁ ଧ୍ୱଂସ କରିଦେଲେ ମଠ ଯାଗାରେ ବିଶ୍ୱ ସ୍ତରିୟ ଷ୍ଟାର ହୋଟେଲ ଠିଆ କଲେ ତାହା ଏକ ଗୋଆ ସିନା ହେବ, ପୁରୀ ର ମହାନତା ରଖି ପାରିବ ନାହିଁ ।
୧୮ ନଳା ଗୋଟିଏ ଛୋଟିଆ ଭଙ୍ଗା ପୋଲ । ତଥାପି ଭକ୍ତ ତା ଉପରେ ଗଲାବେଳେ ଆତ୍ମହରା ହୋଇ ଗାଇ ଉଠେ. ବାଟରେ ବାଟ ମଙ୍ଗଳା ପଡିବ ଅଠର ନଳା । ଆକାର ଦୃଷ୍ଟି ରୁ ବାଟ ମଙ୍ଗଳା ଗୋଟିଏ ଅତି ଛୋଟିଆ ମନ୍ଦିର । ମାତ୍ର ପୁରୀ କୁ ଆସୁଥିବା ପ୍ରତ୍ୟେକ ଭକ୍ତର ମୁଣ୍ଡ ସେଠାରେ ନଇଁ ଯାଏ । ରେଭେନ୍ସା କଲେଜର କନିକା ଲାଇବ୍ରେରୀ । ୧୦୦ ବର୍ଷ ତଳ ର କୋଠା । ରେଭେନ୍ସା ରେ ଯିଏ ପାଠ ପଢିଛି ତାହାର ଛବି ତା ମନରେ ରହି ଯାଇଛି । ନୂଆ କରି ଗଢି ଉଠିଥିବା ବିଶାଳ ଶତବାର୍ଷକି ପାଠାଗାର ପାଖରେ କନିକାର ଗାରିମା ନାହିଁ । ସେହି ମହାବିଦ୍ୟାଳୟରେ ଶହେ ବର୍ଷ ତଳର ଲାଲ୍ ରଙ୍ଗ ର ଲମ୍ବା କୋଠାର ଆକର୍ଷଣ ନିଆରା ଅଟେ । ତାହାର ଗାରିମା ପରେ ତିଆରି ହୋଇଥିବା ବଡ ବଡ କୋଠାରେ ନାହିଁ । ହାଇକୋର୍ଟ ପାଇଁ ନୂଆ ୬ ମହଲା କୋଠା ତିଆରି ହୋଇଛି । ମାତ୍ର ପୁରୁଣା ଲାଲ କୋଠାକୁ ଲୋକ ଏବେବି ହାଇକୋର୍ଟ ବୋଲି ବୁଝନ୍ତି ।
କୋଣାର୍କ ଖାଲି ଭଙ୍ଗା ପଥର ଗଦାର ଏକ ପୁରୁଣା ମନ୍ଦିର ନୂହେଁ । ଓ ଡ଼ିଆ ଜାତିର ଶିଳ୍ପ ନୈପୁଣ୍ୟର ଏକ ଜୀବନ୍ତ କାହାଣୀ । ସେଠାରେ ଗୋଟିଏ ବିରାଟ ମନ୍ଦିର ତିଆରି କଲେ ତାକୁ ଦେଖିବାର ସେତିକି ଆଗ୍ରହ ରହିବକି? ରୋମରେ ରହିଛି କେତେ ହଜାର ବର୍ଷ ତଳର କଲୋସିଅସ୍–ଏକ ଭଙ୍ଗା ଖେଳ ଷ୍ଟାଡିୟମ । ଆଜି କାଲି ଯୁଗରେ ତାହାର ମୂଲ୍ୟ କିଛି ନାହିଁ । ବେବି ଲୋନ୍ ର ଝୁଲନ୍ତା ବଗିଚା, ପିସାର ଢଳି ପଡିଥିବା ଗମ୍ଭୁଜ, ମିଶର ର ପିରାମିଡ ଓ ସ୍ପିଙ୍କ ୍ସ ଠାରୁ ବହୁତ ବଡ ସ୍ଥାପତ୍ୟ ଆଜିକାଲି ତିଆରି ହେଲାଣି । କିନ୍ତୁ ଲୋକମାନେ ସେହି ପୁରୁଣା ସ୍ମୃତି କୁ ଦେଖିବାକୁ ଯାଆନ୍ତି । ହଳଦି ଘାଟିର ପାହାଡିଆ ମାଟି, ଚିତୋରର ଭଙ୍ଗା ଦୁର୍ଗ, କଟକ ବାରବାଟି ର ପଥର ଗଦା ଓ ପଂକ ଭର୍ତି ଗଡ ଖାଇ ଦେଖି ଲୋକ କଣ ପାଆନ୍ତି । ସେଠାରେ ଅତିତ କୁ ଝୁରି ହୁଅନ୍ତି । ସେହି ରଣ କ୍ଷେତ୍ରରେ ଅତିତର କଙ୍କାଳ କୁ ମନରେ ଉଣ୍ଡାଳନ୍ତି ।
ଲଣ୍ଡନର ଟେମ୍ସ ନଦୀରେ ଥିବା ଲଣ୍ଡନ ବି୍ରଜ କୁ କିଏ ନଜାଣେ । ପରିଜା ସାହେବଙ୍କ ଭାଷାରେ ଟେମ୍ସ ନଦୀ ଆମ କଟକ ର ତାଳଦଣ୍ଡା କେନାଲ ଭଳି । ସେ ବି୍ରଜ ମଧ୍ୟ କେତେ ଶହ ବର୍ଷ ତଳର । ବାରବୁଲା ଭିକାରୀଙ୍କ ଆଶ୍ରୟ ସ୍ଥଳ । ସେମାନେ ଚାହିଁ ଥିଲେ ତାହା ଯାଗାରେ କେଡେ ସୁନ୍ଦର ବି୍ରଜ ତିଆରି କରିପାରିଥାନ୍ତେ । ମାତ୍ର ତାକୁ ସେହି ପୁରୁଣା ଢଙ୍ଗରେ ସାଇତି ରଖିଛନ୍ତି । ଲଣ୍ଡନର ୧୦ ଡାଉନିଂ ଷ୍ଟି୍ରଟ, ହା୍ୱଇଟ ହଲ, ବଙ୍କିମହାମ ପ୍ୟାଲେସ, ଲଣ୍ଡନ ସ୍କୋୟାର ସବୁ ପୁରାତନ ଢଙ୍ଗରେ ସାଇତା ହୋଇଛି । କାରଣ ସେ ଜାତି ଇତିହାସକୁ ଛାଡି ନାହିଁ । ଇତିହାସରୁ ସବୁବେଳେ ଶିଖୁଛି । ଯେଉଁଁ ଜାତି ଇତିହାସରୁ କିଛି ଶିଖେନା ସେ ବାରମ୍ବାର ଠକିଯାଏ ।
ଅତିତ ଉପରେ ବୁଲଡୋଜର ଚଢାଇ ଆମେ କେବେ ବିଶ୍ୱ ସ୍ଥର କୁ ଯାଇ ପାରିବା ନାହିଁ । ଯେଉଁ ଦେଶରେ ସ୍ୱାଧିନତା ର ୭୦ ବର୍ଷ ପରେ ମଧ୍ୟ ଲୋକଙ୍କୁ ହେଲମେଟ ପିନ୍ଧାଇ ହେଲା ନାହିଁ, ଗାଡି ପାଇଁ ପାର୍କିଂ ଯାଗା ଟିଏ କରାଯାଇ ପାରିଲା ନାହିଁ । ଲୋକ ମାନଙ୍କର ଶୌଚ ହେବାପାଇଁ ଶୈାଚାଳୟ ର ସୁବିଧା ହୋଇପାରିଲା ନାହିଁ, ତାକୁ ବିଶ୍ୱ ସ୍ତରକୁ ଯିବାକୁ ଅନନ୍ତ କାଳ ଲାଗିଯିବା । ଅନ୍ତତ ପକ୍ଷେ ଯେଉଁ ଶାସନ ତନ୍ତ୍ର ଚାଲିଛି । ସେଭଳି ଚାଲିଥିବା ଯାଏ ହୋଇ ପାରିବ ନାହିଁ । ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ

(Photo from http://puriholydham.blogspot.com)

Leave a Reply

Your email address will not be published. Required fields are marked *