ନିଖିଳ ଉତକଳ ଶୈଣ୍ଢିକ ସମାଜର ରାଜ୍ୟସ୍ତରୀୟ କର୍ମକର୍ତା ସମ୍ମିଳନୀ

ଭୁବନେଶ୍ୱର,(ଆଇଏନ୍ଏସ୍):ନିଖିଳ ଉତକଳ ଶୈଣ୍ଢିକ ସମାଜର ରାଜ୍ୟସ୍ତରୀୟ କର୍ମକର୍ତା ସମ୍ମିଳନୀ ଚନ୍ଦ୍ରଶେଖରପୁରସ୍ଥିତ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଓଡିଶାର ସମସ୍ତ ୩୦ଟି ଜିଲ୍ଲାର ସଭାପତି, ସଂପାଦକ, କର୍ମକର୍ତା, ଉପଦେଷ୍ଟା ଓ ବିଶିଷ୍ଟ ଅତିଥିମାନେ ଯୋଗଦେଇ ଶୈଣ୍ଢିକ ଜାତିର ଉନ୍ନତି ଓ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ସମାଜର ସାଧାରଣ ସଂପାଦକ ଉଦୟନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ପାର୍ଟନ ପ୍ରତାପ ଚନ୍ଦ୍ର ବେହେରା ଭୁବନେଶ୍ୱର ଠାରେ ଶୈଣ୍ଢିକ ସମାଜର ଏକ ଜନକଲ୍ୟାଣ କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ । ସଭାପତି ଶ୍ରୀଯୁକ୍ତ ସାହୁ ତାଙ୍କ ଅଭିଭାଷଣରେ କହିଥିଲେ ସମାଜରୁ କୁସଂସ୍କାର, ଯୈତୁକପ୍ରଥା, ବିଭେଦ ଓ ଅସାମାଜିକ କାର୍ଯ୍ୟକଳାପର ବିଲୋପ କରି ତୃଣମୂଳ ସ୍ତରରେ ଭାଇ·ରା ମାଧ୍ୟମରେ ଏକ ସୁନ୍ଦର ସୁଦୃଢ଼ ସମାଜ ଗଠନ ପାଇଁ ଆମ୍ଭେମାନେ ଯତ୍ନବାନ ହେବା ଆବଶ୍ୟକ। ବାରଦୁଆର ସୁଣ୍ଢିିପିଣ୍ଡା, ସୁଣ୍ଢି ଶାଖି ମାତଲ ଭଳି ରୁଢ଼ିର ଅପପ୍ରୟୋଗ ଏକ ନିର୍ଦ୍ଧିଷ୍ଟ ଜାତିକୁ ଆକ୍ଷେପ କରୁଥିବାରୁ ଏହାକୁ ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ ନ କରାଯାଉ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ଅତିଥିମାନେ ଶୈଣ୍ଢିକ ସମାଜର ଉନ୍ନତି ଓ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟ, ରକ୍ତଦାନ, ବୃକ୍ଷରୋପଣ, ଗରିବ ପିଲାମାନଙ୍କୁ ପାଠ୍ୟଉପକରଣ ପ୍ରଦାନ, ସ୍ୱଚ୍ଛତା ଅଭିଯାନ ପରି କାର୍ଯ୍ୟକ୍ରମ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଦକ୍ଷତା, କୃଷି ଓ ଅନ୍ୟାନ୍ୟ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷକଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧନା କରାଯିବ । ମହିଳା ସଭାପତି ସୁନନ୍ଦା ସାହୁ ମହିଳା ମାନଙ୍କ ପାଇଁ ସିଲେଇ ମେସିନ୍ ଓ କ୍ଷୁଦ୍ର ଶିଳ୍ପ ପାଇଁ ଆବଶ୍ୟକ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବାକୁ କହିଥିଲେ । ଶେଷରେ କୋଷାଧ୍ୟକ୍ଷ ଶରତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *