ପରିବହନ ଆଇନ କେତେ ସଫଳ ହେବ?

ସାରା ବିଶ୍ୱରେ ଥିବା ସମସ୍ତ ବିଚାରାଳୟରେ ହାତରେ ନିକିତି ଧରି ନ୍ୟାୟ ବିତରଣ କରୁଥିବା ଦେବୀଙ୍କ ମୂର୍ତି ଆଖିରେ ଅନ୍ଧ ପୁଟୁଳି ଟିଏ ବନ୍ଧା ହୋଇଥାଏ । ବିଶ୍ୱାସ କରାଯାଏ ନ୍ୟାୟ ଦେବୀ ନ୍ୟାୟ ଦେଲା ବେଳେ ଆସାମୀ ମାନଙ୍କ ମୁହଁ କୁ ଚାହାନ୍ତିି ନାହିଁ । ସେଥିପାଇଁ କୁହାଯାଏ ଆଇନ ଅନ୍ଧ ଅଟେ । କିନ୍ତୁ ବାସ୍ତବ କ୍ଷେତ୍ର ରେ ଆଇନ ଅନ୍ଧ ନୁହେଁ । ପ୍ରଣିତ ହୋଇଥିବା ସମସ୍ତ ଆଇନର ଗୋଟିଏ ଉଦେ୍ଦଶ୍ୟ, ସମାଜର କଲ୍ୟାଣ ସାଧନ । ସେହି ଆଇନକୁ ପ୍ରୟୋଗ କରିବାକୁ ଯେଉଁ ମାନଙ୍କୁ କ୍ଷମତା ଦିଆ ଯାଇଥାଏ, କ୍ଷମତା ମୋହରେ ସେମାନେ ଅନ୍ଧ ହୋଇ ଯାଆନ୍ତି । ସ୍ଥାନ, କାଳ, ପାତ୍ର ବ୍ୟକ୍ତିର ଅବସ୍ଥା ସମାଜ ଉପରେ ତାହାର ପ୍ରଭାବ ବିଚାର ନକରି, ଆଇନ ସିଙ୍ଗରେ ସମସ୍ତଙ୍କୁ ଭୁଷି ଧରାଶାୟୀ କରିବାକୁ ଚେଷ୍ଟା କରନ୍ତି । ତାହା ଫଳରେ ଆଇନର ମୂଳ ଲକ୍ଷ୍ୟ ସାଧନ ହୋଇପାରେ ନାହିଁ ।
ଆଇନର ପ୍ରୟୋଗ ବିଷୟରେ କାହାଣୀ ଟିଏ ଅଛି । ଶୀତ ମାସ ରାତିରେ ଇଂଲଣ୍ଡର କୌଣସି ଏକ ରାସ୍ତାରେ ଯାତ୍ରୀଙ୍କୁ ଧରି ବସ ଟିଏ ଯାଉଥିଲା । ବାହାରେ ପ୍ରବଳ ତୁଷାରପାତ ହେଉଥାଏ । ପ୍ରବଳ ଥଣ୍ଡା ଯୋଗୁଁ ଲୋକମାନେ ଶୀତ ବସ୍ତ୍ର ପିନ୍ଧି କେତେବେଳେ ଲକ୍ଷ୍ୟ ସ୍ଥଳରେ ପହଂଚିବେ ଚାହିଁ ରହିଥାନ୍ତି । କିଛି ସମୟ ଗଲା ପରେ ଜଣାଗଲା ଯେ, ଜଣେ ଯାତ୍ରୀ ସାଙ୍ଗରେ ଗୋଟିଏ କୁକୁର ଛୁଆ ଧରିଛନ୍ତି । ଆ ଇନ ଅନୁସାରେ ବସରେ ପାଳିତ ପଶୁ ଯିବା ମନା । କଣ୍ଡକ୍ଟର ହୁଇସିଲ ମାରି ବସ୍ କୁ ଅଟାକାଇଲା ଓ ଯାତ୍ରୀ ଙ୍କୁ କହିଲା, ଯେହେତୁ କୁକୁର ନେବା ବେଆଇନ, ଆପଣ ବସ୍ରୁ ଓହ୍ଲାଇ ଯାଆାନ୍ତୁ । ତା ପରେ ବସ୍ ଯିବ । ବସ୍ଟି ଏକ ନିଛାଟିଆ ଯାଗାରେ ରହିଥିଲା । ବାହାରେ ପ୍ରବଳ ଥଣ୍ଡା ଓ ବରଫର ଆସ୍ତରଣ । ଅନ୍ଧାର ରାତିରେ ଲୋକଟି ଓହ୍ଲଇଲେ ସେ ବଂଚିବା କଷ୍ଟ । ତେଣୁ ସେ ଜିଦ୍ କଲା ମୁଁ ଓହ୍ଲାଇବି ନାହିଁ । ଅନ୍ତତଃ ମୋତେ ଆଗରେ ଥିବା କୌଣସି ଗାଁ ପାଖକୁ ନେଇ ଚାଲ । ଉଭୟ ନିଜ ଜିଦ୍ ରେ ଅଟଳ ରହିଲେ । ଶୀତ ରାତିରେ ଗାଡି ଅଧା ବାଟରେ ପଡି ରହିଲା ।
କୁକୁରକୁ ନେଇ ଗାଡି ଗଡିବା ବେଆଇନ ହେଲେ ମଧ୍ୟ ପରିସ୍ଥିତି ଦୃଷ୍ଟିରୁ ଲୋକଟିକୁ ଏକ ଲୋକାଳୟ ପାଖରେ ଓହ୍ଲେଇ ଦେବା ଅଧିକ ଯୁକ୍ତି ଯୁକ୍ତ ମନେହୁଏ । ଆଇନର ପ୍ରୟୋଗ ଯଦି ଆକ୍ଷରିକ ହୋଇଥାନ୍ତା ତାହେଲେ ଜ୍ଞାନି ଓ ଅଭିଜ୍ଞ ବ୍ୟକ୍ତି ଙ୍କୁ ଆଇନର କାର୍ଯ୍ୟକାରୀତା ପାଇଁ ନିଯୁକ୍ତି ଦିଆ ଯାଇନଥାନ୍ତା,କାରଣ ସେମାନେ ଚାହିଁଲେ ଆଇନର ବାଖ୍ୟାକୁ ସମାଜ ର ମଙ୍ଗଳ ଦିଗରେ ପ୍ରୟୋଗ କରି ପାରିବେ ।
ବର୍ତମାନ ନୂତନ ପରିବହନ ଆଇନକୁ ପ୍ରଣୟନ କରି,ସରକାରୀ ଅଧିକାରୀ ମାନଙ୍କ ହାତରେ ଧରାଇ ଦେଲା ପରେ. ସେମାନେ ହନୁମାନ ଭଳି ସମାଜ ରୂପି ଅଶୋକ ବନରେ ହଙ୍ଗାମା ଆରମ୍ଭ କରି ଦେଇଛନ୍ତି । ସେମାନେ ଏଭଳି ଉତ୍ସାହିତ ଯେ, ଦିର୍ଘ ଦିନ ରୁ ଟାଫିକ୍ ଆଇନ ପ୍ରତି ଅନଭ୍ୟସ୍ତ ଲୋକଙ୍କୁ ସୁଧାରିବା ପାଇଁ ୭ ଦିନ ସମୟ ମଧ୍ୟ ଦେଉ ନାହାନ୍ତି । ସମସ୍ତ ପ୍ରକାର ମାନବିକତା ଭୁଲି ଗୋଟିଏ ଅଟୋ ରିକ୍ସାକୁ ୪୭,୫୦୦ ଟଙ୍କା ଜୋରିମାନା କରି ଏକ ଇତିହାସ ସୃଷ୍ଟି କରିଦେଇଛନ୍ତି । ସେ ବିଚରା ଅଟୋଟିକୁ ୨୪,୦୦୦ ଟଙ୍କାରେ କିଣିଥିଲା । ବର୍ତମାନ ତାର ପରିବାର ସହିତ ବ୍ୟବସାୟ ମଧ୍ୟ ଉଜୁଡି ଗଲା । ପରିବହନ ଆଇନରେ କେବଳ ଗାଡି ଓ ଗାଡି ଚାଳକ ଅଂଶିଦାର ନୁହନ୍ତି । ନିରାପଦ ଯାତ୍ରା ପାଇଁ ରାସ୍ତା ମଧ୍ୟ ନିରାପଦ ହେବା ଉଚିତ । ଏଇ ଦାୟିତ୍ୱ ସରକାରଙ୍କର । ସେଥିପାଇଁ ସେମାନେ ପ୍ରତି ଗାଡିରୁ ଟିକସ ନେଉଛନ୍ତି । ନୂଆ ରାସ୍ତା ଟିଏ କଲେ ଚେକ୍ ଗେଟ କରି ତଣ୍ଡି ଆଦାୟ କରୁଛନ୍ତି । ତାହା ସତ୍ୱେ ରାସ୍ତା କାହିଁକି ନିରାପଦ ହୋଇପାରୁନି? ବର୍ଷା ଦିନେ ରାସ୍ତାରେ ସବୁଆଡେ ଖାଲ ଖମା ଭର୍ତି ହେଉଛି । ମନଇଚ୍ଛା ରାସ୍ତାରେ ହମ୍ସ ତିଆରି ହୋଇଛି । ଯେଉଁ ହମ୍ସ ତିଆରି କରୁଛନ୍ତି, ତାହାର କୌଣସି ବୈଜ୍ଞାନିକ ଭତିଭୂମି ନାହିଁ । ରାଜ୍ୟର ବ୍ୟସ୍ତବହୁଳ ରାଜପଥ ମଧ୍ୟ ନିରାପଦ ନୁହନ୍ତି । ରାଉରକେଲାକୁ ଲାଗି ରହିଥିବା ବ୍ରାହ୍ମଣି ସେତୁ କଣା ହୋଇ ଲୁହା ପ୍ଲେଟ ପ୍ୟାଚ୍ ପଡିଛି ।
ଯେଉଁ ପରିବହନ ଅଧିକାରୀ ମାନେ ରାସ୍ତାରେ ଆଇନ ନାମରେ ଆତଙ୍କ ରାଜ ଚଳାଇଛନ୍ତି ସେମାନେ କେତେ ସ୍ୱଚ୍ଛ ତାହା ସମସ୍ତେ ଜାଣନ୍ତି । ସେ ବିଭାଗ ହେଲା ଦିନୁ ବୋଧେ କୌଣସି କାମ ବିନା ଲାଂଚରେ ହୋଇନାହିଁ । ଯେ କୌଣସି କାମ ପାଇଁ ଗଲେ ଦଲାଲ ପାଖକୁ ନଗଲେ କାମ ହୁଏନାହିଁ । କୌଣସି ଅଧିକାରୀ ଗାଡି ଚାଳକ ଙ୍କୁ କେବେ ସୌଜନ୍ୟର ସହିତ କଥା କୁହନ୍ତି ନାହିଁ । ରାସ୍ତାର ନିରାପଦ ବିଷୟରେ ବୁଝେଇବା ତ ଦୂରର କଥା କେବଳ ଗାଳି ଫଜିଦ୍ କରିବା ଓ ଜୋରିମାନା ଆଦାୟ କରିବା ସେମାନଙ୍କର କାମ । ତାଙ୍କୁ ଦେଖିଲେ ଗାଡି ଚାଳକ ମାନେ ଗାଡି ଥୋଇ ରାସ୍ତାରୁ ଉଭାନ ହୁଅନ୍ତି, ଯାହା କୁହାଯାଏ ମୂଷା ଓ ବିଲେଇ ସଂର୍ପକ ।
      ସ୍ୱାଧିନତାର ୭୦ ବର୍ଷ ପରେ ଆମେ କାହିଁକି ଆଜି ହେଲମେଟ ପିନ୍ଧୁନାହୁଁ? ଏହାର କାରଣ ହେଉଛି, ଯିଏ ନିୟମ କରିଛନ୍ତି ସେମାନେ ହେଲମେଟ ପିନ୍ଧନ୍ତି ନାହିଁ । ପୋଲିସ ବାଲା ପିନ୍ଧନ୍ତି ନାହିଁ । ନେତା ପିନ୍ଧନ୍ତି ନାହିଁ । ଟୋଲ ଗେଟରେ ସେମାନେ ଫି’ ଦିଅନ୍ତି ନାହିଁ । ତାଙ୍କ ଗାଡି ରାସ୍ତାରେ ବେପରବା ଗତିରେ ଯାଏ । ସାଇଡ ନଦେଲେ ଡ୍ରାଇଭରକୁ ଅଟକାଇ ବାଡିରେ ପିଟନ୍ତି । ଅଧିକ ଯୁକ୍ତି କଲେ ମିଛ କେସ କରି ଜେଲ ପଠାନ୍ତି । ନୂଆ ଆଇନ ହେବା ପରେ ସେମାନଙ୍କ ଦୁର୍ବଳତା ଲୋକେ ଧରିଛନ୍ତି । ତାଙ୍କ ଗାଡିର ପରମିଟ ନାହିଁ । ଇନ୍ସୁରାନ୍ସ ନାହିଁ । ଡ୍ରାଇଭର ଲାଇସେନ୍ସ ରିନୁ୍ୟ ହୋଇନାହିଁ । ଗାଡିରୁ ମଦ ପାଉଚ ବାହାରୁଛି । ସେମାନେ ସଫେଇ ଦିଅନ୍ତି ଯେ, ବାହାର ଲୋକ ଆମକୁ ବଦନାମ ପାଇଁ ରଖି ଦେଇଛନ୍ତି । ସଦା ସତର୍କ ପୋଲିସ ବାବୁ ମାନେ ତାକୁ ଧରି ପାରିଲେ ନାହିଁ । କେତେ ନିରିହ ଲୋକଙ୍କ ନାଁ ରେ ମିଛ କେସ କରି କେତେ ସଂସାର ଉଜାଡିଛନ୍ତି ତାହା କେବଳ ଭଗବାନ ଜାଣନ୍ତି ।
       ଦେଶର କୌଣସି ନାଗରିକ ବେଆଇନ କାମ କରିବାକୁ ଭଲ ପାଆନ୍ତି ନାହିଁ । ସମସ୍ତେ ଚାହାନ୍ତି ଆଇନର ଗଣ୍ଡି ଭିତରେ ଶାନ୍ତିପୂର୍ଣ୍ଣ ଜୀବନ । ମାତ୍ର ସେଥିରେ ବାଧା ଦିଅନ୍ତି ଆମ ଦେଶର ଦୁର୍ନିତି ଗ୍ରସ୍ତ ସରକାରୀ ବାବୁ ମାନେ । ସେମାନେ ଚାହାଁନ୍ତି ଲୋକ ବେଆଇନ କାମ କରୁ । ବେଆଇନ ବାଲି ନଈରୁ ଉଠାଉ । ବେଆଇନ ଲାବ୍ରୋଟାରି କାମ କରୁ । ଚୋରା ଖଣି କାରବାର ହେଉ । ଲୋକ ମାନେ ସରକାରୀ ଜମି ଜବରଦଖଲ କରନ୍ତୁ । ତାହେଲେ ସେମାନେ ଆଇନ ରୂପକ ଅସ୍ତ୍ର ଧରି ବାଡି ଲଙ୍କା ଗଛ ଭଳି ସେମାନଙ୍କ ଠାରୁ ଟଙ୍କା ତୋଳି ଖାଇବେ । ଏ ଦେଶରେ ଜମି ବାଡି କଥା ହେଉ, ବିଦୂ୍ୟତ ଆଲୁଅ କଥା ହେଉ, ପାଣି ଲାଇନ କଥା ହେଉ କି ଘରର କୋଠା ପାଇଁ ଅନୁମତି ଖୋଜା ହେଉ; ଏହି କାମ ସବୁ କିଭଳି ହୁଏ, କିଭଳି ଲୋକ ହଇରାଣ ହୁଅନ୍ତି, କେତେ ଗୋଡ ଭାଙ୍ଗିି ଠିଆ ହୁଅନ୍ତି ଓ କେତେଥର ଲାଂଚ ଦିଅନ୍ତି ଏକଥା ମିଛ ବୋଲି ଆଇନର ରକ୍ଷକ ମାନେ କହି ପାରିବେ କି?
       ଏଭଳି ଧର ପଗଡ କିଛି ନୂଆ କଥା ନୁହେଁ । ଗୋଟାଏ ବଡ ଦୁର୍ଘଟଣା ହୋଇଗଲେ ସବୁଆଡେ ହୋ ହାଲ୍ଲା ହୁଏ । ପରିବହନ ମନ୍ତ୍ରୀ ଓ କମିସନର ଲମ୍ବା ଭାଷଣ ଦିଅନ୍ତି । କେତେଟା ଡ୍ରାଇଭରଙ୍କୁ ଧରି ପକାନ୍ତି । କିଛି ଦିନ ପରେ ସବୁ ଥଣ୍ଡା ହୋଇଯାଏ । ହସପିଟାଲ ଓ ସିନେମା ହଲରେ ନିଆଁ ଲାଗିଲେ ଅଗ୍ନି ନିରୋଧ ଆଇନ କଥା ମନେ ପଡେ । ନିଜର ପାରିଲା ପଣିଆ ଦେଖେଇବାକୁ ଗୋଟାଏ ଦି ଟାକୁ ବାନ୍ଧି ପକାନ୍ତି । କଠୋର ଦଣ୍ଡ ମିଳିବ ବୋଲି ମାଇକ ଆଗରେ କହନ୍ତି । କିଛି ଦିନ ପରେ ସବୁ ଥଣ୍ଡା ।
ସେକ୍ରେଟେରିଏଟକୁ ଲୋକ ସେବା ଭବନ କରିଦେଲେ କର୍ମଚାରୀଙ୍କ ର ମାନସିକତା ପରିବର୍ତନ ହେବ ନାହିଁ । ସେମାନେ ସବୁଦିନ ୧୧ଟା ବେଳେ ଆସିବେ । ଟେବୁଲ ଉପରେ ଚଷମା ଥୋଇ ଦେଇ କୁଆଡେ ପଳେଇବେ । କିଛି ଟେବୁଲ ଉପରେ ମୁଣ୍ଡ ରଖି ଘୁଙ୍ଗୁଡି ମାରୁଥିବେ । ପୁଣି ବସ ଉପରେ ବସି ଲୋକ ଯିବେ । ପିସିଆର ଭ୍ୟାନ ଆଗେ ଆଗେ ଗୋଟିଏ ମଟର ସାଇକେଲରେ ୪ ଟା ଡହରା ବସି ସାଏଁ କି ଉଡିଯିବେ । କାହାକୁ ଧରିବେ? ଯାହାକୁ ଧରିବେ ତା ପାଇଁ ମନ୍ତ୍ରୀ କିମ୍ବା ଏମ.ଏଲ.ଏ ପାଖରୁ ଫୋନ ଆସିବ । ତେଣୁ କାଦୁଅକୁ କାହିଁକି ଯିବେ, ଗୋଡ କାହିଁକି ଧୋଇବେ? କିଛି ଦିନ ପରେ ସବୁ ଥଣ୍ଡା ପଡିଯିବ । ଆମର ତୃତୀୟ ପୃଥିବୀ ତାର ନିଜସ୍ୱ ଢଙ୍ଗରେ ତା’ବାଟରେ ଆଗଉଥିବ ।

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ

Leave a Reply

Your email address will not be published. Required fields are marked *