ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣର ଭୟାବହତା!

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ନଭେମ୍ବର ୨୬ ତାରିଖ ୨୦୦୮ ମସିହାରେ ପାକିସ୍ଥାନରୁ ଦଶ ଜଣ ଆତଙ୍କବାଦୀ ୫୦୦ କି.ମି ଜଳ ପଥରେ ଆସି ଭାରତର ବୃହତମ ନଗରୀ ତଥା କୁବେରପୁରୀ ବମ୍ବେ ଉପରେ ଅତର୍କିତ ଆକ୍ରମଣ କରି ଯେଉଁ ଧ୍ୱଂସ ଲିଳା ଘଟାଇଦେଲେ; ତାହା ଆମେରିକାର ଟ୍ରେଡ ଟାୱାର ଉପରେ ହୋଇଥିବା ଆକ୍ରମଣ(୨୦୦୧)ସହ କେବଳ ତୁଳନିୟ । ବମ୍ବେ ହେଉଛି ଭାରତର ଅର୍ଥ ନୈତିକ ରାଜଧାନୀ । ଦେଶର ପ୍ରମୁଖ କୋଟିପତି ଓ ଚିତ୍ର ତାରକା ମାନଙ୍କର ଏହା ହେଉଛି ନିବାସ ସ୍ଥଳୀ । ସାରା ଭାରତର ଶତକଡା ୪୦ ଭାଗ ଟ୍ୟାକ୍ସ ବମ୍ବେ ନଗରୀ ଦେଇଥାଏ । ଲକ୍ଷ ଲକ୍ଷ ସାଧାରଣ ଲୋକଙ୍କ ପାଇଁ ଏହା ହେଉଛି ସ୍ୱପ୍ନର ସହର , ଯେଉଁଠି କି ଭାଗ୍ୟ ଅନ୍ୱେଷଣରେ ସେମାନେ ଧାଇଁ ଆସିଥାନ୍ତି । ସେଥିପାଇଁ ଭାରତର ଏଇ ଏକ ନଂ ନଗରୀ ଉପରେ ଆକ୍ରମଣ କରି ଆମର ମନ ବଳ କୁ ଦୁର୍ବଳ କରିଦେବା ପାକିସ୍ଥାନି ଆତଙ୍କବାଦୀ ଙ୍କ ମୁଳ ଲକ୍ଷ୍ୟ ଥିଲା । ଏହି ଆତଙ୍କବାଦୀ ମାନେ ସମସ୍ତେ ପାକିସ୍ଥାନର ନାଗରିକ ଥିଲେ ଓ ଏଠାରେ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଇ-ଟୋବା ଦ୍ୱାରା ପ୍ରେରିତ ହୋଇଥିଲେ । ଏମାନେ ଏକ କାଳିନ ବମ୍ବେ ର ୫ ଟି ମୁଖ୍ୟ ସ୍ଥାନ ଯଥା-ଲିଓପୋଲ୍ଡକେ‘୍, ତାଜହେରିଟେଜ ହୋଟେଲ, ଓବେରୋଇ ଟ୍ରାଇଡେଂଟ ହୋଟେଲ, ଛତ୍ରପତି ଶିବାଜୀ ଟର୍ମିନାଲ ରେଳଷ୍ଟେସନ ଓ ନରିମାନ ହାଉସ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ରେ ୧୭୪ ଜଣ ଲୋକ ନିହତ ହୋଇଥିଲେ ଓ ୬୦ ଘଂଟା ଧରି ଆତଙ୍କବାଦୀଙ୍କ କବ୍ଚାରେ ବମ୍ବେ ସହର ରହିଥିଲା । ଏହି ଦଶ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୯ ଜଣ ଆତଙ୍କବାଦୀ ଭାରତୀୟ ସେନା ବାହିନିର ଗୁଳିରେ ମରିଥିଲେ ଓ ଏକ ମାତ୍ର ଆତଙ୍କବାଦୀ ମହମ୍ମଦ ଆଜମଲ ଅମିର ବା କସାବ୍ କୁ ଜୀବନ୍ତ ଧରାଯାଇଥିଲା ଓ ତା ଠାରୁ ପାକିସ୍ଥାନ ଚକ୍ରାନ୍ତର ଲୋମ ହର୍ଷଣ କାରୀ ବୟାନ ଆଦାୟ କରାଯାଇଥିଲା ।
କସାବ୍ର କହିବା ଆନୁଯାୟି ସେମାନେ ୨୩ ନଭେମ୍ବର ଦିନ ପାକିସ୍ଥାନର କରାଚି ବନ୍ଦରରୁ ଯାତ୍ରା ଆରମ୍ଭ କରିଥିଲେ । କସାବ ପାକିସ୍ଥାନ ପଞ୍ଜାବର ଓକ୍କାର ଜିଲ୍ଲାର ଫରିଦ କୋଟ ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଅଳ୍ପ ପାଠ ପଢି ପାଠ ଛାଡି ଦେଇଥିଲେ । ୧୯୯୨ ମସିହା ବାବରି ମସଜିଦ୍ ଧ୍ୱଂସ ପରେ ଭାରତ ବିରୁଦ୍ଧରେ ଲଢିବା ପାଇଁ ପାକିସ୍ଥାନ ମାଟିରେ ଅନେକ ଆତଙ୍କବାଦୀ ସଂଗଠନ ଗଢି ଉଠିଲା । ସେମାନେ ଯୁବକ ମାନଙ୍କୁ ପ୍ରଲୋଭିତ କରି ଭାରତରେ ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ମିଛ କାହାଣି ମାନ କହି ଆତଙ୍କବାଦୀ ସଂଗଠନରେ ସେମାନଙ୍କୁ ମିଶାଉଥିଲେ । କାଫେର ମାନଙ୍କୁ ମାରିଲେ ଆଲ୍ଲା ଖୁସି ହେବେ ବୋଲି ବୁଝାଉଥିଲେ । ସେମାନଙ୍କୁ ତିନି ସ୍ଥରରେ ସାମରିକ ପ୍ରଶିକ୍ଷଣ ଦିଆ ଯାଉଥିଲା । ପ୍ରଥମେ ସାଧାରଣ ଶିକ୍ଷା ପରେ ସେମାନଙ୍କୁ ଏକେ-୪୭, ଏମ୍-୧୬, ରକେଟ୍ ଲଂଚର, ଟିଟି ପିସ୍ତଲ ଶିକ୍ଷା ଦିଆଯାଉଥିଲା । ଶତୃ ହାତରେ ପଡିଲେ କିପରି ସେମାନଙ୍କର ନିର୍ଯାତନା ସହି ପାରିବ ସେଥିପାଇଁ ସେମାନଙ୍କୁ ମାଡ ମଧ୍ୟ ଦିଆଯାଉଥିଲା । ଏହା ମଧ୍ୟରେ ପ୍ରତିଦିନ କୋରାନ ପଢାଯାଉଥିଲା । ବାବେରୀ ମସଜିଦ୍ ଭଙ୍ଗା ଓ ଗୁଜୁରାଟ ଦଙ୍ଗାର ଚଳଚିତ୍ର ଦେଖାଯାଉଥିଲା । ଶେଷରେ ସେମାନଙ୍କୁ ଲ୍ୟାପଟପ୍, ସାଟେଲାଇଟ ଫୋନ୍, ଜି.ପି.ଏସ ଓ ମେରାଇନ୍ କ୍ୟମ୍ପାସ ଶିକ୍ଷା ଦିଆଗଲା । ସେମାନେ ବର୍ତମାନ ଘାଜି ବା ଜିହାଦୀ ରୁପେ ପରିଚିତ ହେଲେ । ୧୦ ଜଣ ଆତଙ୍କବାଦୀଙ୍କୁ ୫ ଦଳରେ ବିଭକ୍ତ କରାଗଲା । ସେମାନେ ହେଲେ ଅବଦୁଲ ରହମନ୍, ଛୋଟା ଆବଦୁଲ ରହମନ୍, ଶୋହେବ୍, ଉମାର, ଓମେର, ଆବୁ, ଇସମାଇଲ, ଫତାଦୁଲା ଓ ଆଜମଲ । ଏମାନଙ୍କୁ ଭାରତୀୟ ପରିଚୟ ପତ୍ର ଓ ସିମ କାର୍ଡ ଦିଆଗଲା ଓ ଗୁଗଲ ମ୍ୟାପ୍ ରେ ବମ୍ବେ ନଗରୀକୁ ଚିହ୍ନାଇ ଦିଆଗଲା । ଶେଷରେ ନଭେମ୍ବର ୨୩ ତାରିଖ ଦିନ ଏକ ଛୋଟ ମାଛ ଧରା ଡଙ୍ଗାରେ ସେମାନେ ବାହାରିଲେ । କିଛି ବାଟ ଆସିଲା ପରେ ଆଲ ହୁସେନ ନାମକ ଏକ ପାକିସ୍ଥାନି ଜାହାଜରେ ଯାତ୍ରା କଲେ । ଭାରତୀୟ ଜଳ ପଥ ପହଂଚି ଯିବାରୁ ସେମାନେ ଏକ ଭରତୀୟ ଟ୍ରଲର ଏମ.ଭି.କୁବେରକୁ ଅଧିକାର କଲେ । ଏହାର ନାବିକ ମାନଙ୍କୁ ବନ୍ଦି କରି ପାକିସ୍ଥାନି ଜାହାଜକୁ ଉଠାଇନେଲେ ଓ କ୍ୟାପଟେନ୍ ଅମର ସିଂ ଟାଣ୍ଡେଲଙ୍କୁ ଟ୍ରଲରଟିକୁ ବମ୍ବେ ଉପକୂଳକୁ ନେବାକୁ ଆଦେଶ ଦେଲେ । ପରବର୍ତି କାଳରେ କୁବେର ର ନାବିକ ମାନଙ୍କୁ ମାରି ଦିଆଯାଇ ସମୁଦ୍ରରେ ଫିଙ୍ଗି ଦିଆଗଲା । ଛବିଶି ତାରିଖ ଅପରାହ୍ନ ବେଳକୁ ବମ୍ବେ ଉପକୂଳ ଦେଖାଗଲା । ଉପକୂଳରେ ତଟରକ୍ଷି ବାହିନି ପଇଁତରା ମାରୁଥିଲେ ମଧ୍ୟ ସେମାନେ ଏମାନଙ୍କୁ ସନେ୍ଦହ କଲେ ନାହିଁ । କିଛି ସମୟ ପରେ ଏମାନେ ଗୋଟିଏ ରବର ଡିଙ୍ଗି ବାହାର କରି ସେଥିରେ ବସିଲେ ଓ କୁବେରର କ୍ୟାପଟେନ୍ କୁ ମାରି ପକେଇ ଦେଲେ । ରାତି ସାଢେ ଆଠ ଟା ବେଳକୁ ସେମାନେ ବମ୍ବେର କୋଲାବା ଅଂଚଳର କଫେ ପ୍ୟାରେଡ, ବୁଦେ୍ଧୱାର ପାର୍କ ଠାରେ ଉପକୂଳ କୁ ଛୁଇଁଲେ । ସେଠାରେ ଆଠ ଜଣ ଓହ୍ଲାଇ ଗଲେ । ଦୁଇ ଜଣ ଆତଙ୍କବାଦୀ ହଇଦୁଲା ଓ ଛୋଟା ରାଜନ୍ ଡିଙ୍ଗି ଟିକୁ ଓବେରଇ ହୋଟେଲ ଆଡକୁ ନେଇଗଲେ ।
ଲିଓପୋଲ୍ଡ କ୍ୟାଫ୍:-ଲିଓପୋଲ୍ଡ କ୍ୟାଫ୍ ଦକ୍ଷିଣ ବମ୍ବେ ର ଏକ ବିଳାସ ପୂର୍ଣ୍ଣ ରେଷ୍ଟୁରାଂଟ । ଏଠାରେ ସବୁବେଳେ ବିଦେଶୀ ମାନଙ୍କ ଭିଡ ଲାଗିଥାଏ । ଦୁଇ ଜଣ ଆତଙ୍କବାଦୀ ଆଫିଜ୍ ଓ ଜାବେଦ୍ ସେଠାରେ ପହଂଚି ଆଖିବୁଜା ଗୁଳି ଚାଳନା କଲେ । ସେମାନଙ୍କ ହାତରେ ଏ.କେ-୪୭ ରାଇଫଲ ମାନଥିଲା । ଚାହୁଁ ଚାହୁଁ ୯ ଜଣ ଲୋକ ମରିଗଲେ । ଅନେକ ଆହତ ହେଲେ । ଚଟାଣରେ ରକ୍ତର ସୁଅ ଛୁଟିଲା । କେହି କିଛି ବୁଝିବା ଆଗରୁ ସେମାନେ ଏକ ଗଳି ଦେଇ ତାଜ୍ ହେରିଟେଜ ହୋଟେଲକୁ ଚାଲିଗଲେ ।
ତାଜ ହୋଟେଲ ଉପରେ ଆକ୍ରମଣ:-ଇଣ୍ଡିଆ ଗେଟ୍ ନିକଟରେ ଅବସ୍ଥିତ ତାଜ୍ ହୋଟେଲ ସାରା ଭାରତର ସବୁଠାରୁ ବିଳାସପୂର୍ଣ୍ଣ ହୋଟେଲ । ବିଶିଷ୍ଟ ଶିଳ୍ପ ପତି ଜାମସେଦ ଜି ଟାଟା ଏହାର ପ୍ରତିଷ୍ଠା କରିଥିଲେ । ଚାରି ଜଣ ଆତଙ୍କବାଦୀ ଦୁଇ ଦିଗରୁ ତାଜ ହୋଟେଲରେ ପହଂଚି ଛ-ମହଲାକୁ ଚାଲିଗଲେ । କିଛି ଲୋକଙ୍କୁ ପଣ ବନ୍ଦିକରି ରଖିବା ସେମାନଙ୍କର ଲକ୍ଷ୍ୟ ଥିଲା । ସେଠାରେ ପହଂଚି ଆଖିବୁଜା ଗୁଳି ଚାଳନା କଲେ । ଲୋକ ମାନେ ଟଳି ପଡିଲେ । ହୋଟଲରେ ନିଆଁ ଲାଗିଗଲା । ହୋଟେଲର ଜେନେରାଲ ମ୍ୟାନେଜର କରମଗିରି କାଙ୍ଗ ଲାଗିପଡି ଅନ୍ତେବାସୀ ମାନଙ୍କୁ ବାହାରକୁ ନେଇଗଲେ । ମାତ୍ର ତାଙ୍କର ସ୍ତ୍ରୀ ଓ ଦୁଇ ପୁଅ ଶ୍ୱାସ ରୁଦ୍ଧ ହୋଇ ମରିଗଲେ । ଖବର ପାଇ ପୋଲିସ ଆସିଲେ । ପରେ ପରେ ନୈାବାହିନି ର କମାଣ୍ଡୋ ବା ମାର୍କୋସ ପହଂଚିଗଲେ । ତା ପର ଦିନ ସକାଳ ୯ ଟା ବେଳକୁ ନେସନାଲ୍ ସେକୁ୍ୟରିଟି ଗାର୍ଡ ପହଂଚି ଅପରେସନ ଟର୍ଣ୍ଣାଡୋ ଆରମ୍ଭ କଲେ ଓ ଏଥିରେ ସେମାନଙ୍କର ଜଣେ କମାଣ୍ଡର ଉନକି୍ରଷ୍ଣନ୍ ମରିଗଲେ । ଶେଷରେ ୬୦ ଘ. ପରେ ଶନିବାର ସକାଳରେ ଶେଷ ଆତଙ୍କବାଦୀ ମୃତୁ୍ୟ ବରଣ କଲା ଓ କମାଣ୍ଡୋ ମାନେ ତା ଶବକୁ ହୋଟେଲ ଉପରୁ ତଳକୁ ଫିଙ୍ଗିଦେଲେ ।
ଓବେରୋଇ ଟ୍ରାଇଡେଂଟ ହୋଟେଲ୍:-୨୧ ମହଲା ବିଶିଷ୍ଟ ଏହି ହୋଟେଲ ଟି ବମ୍ବେ ର ଏକ ପଂଚ ତାରକା ବିଶିଷ୍ଟ ବିଳାସପୂର୍ଣ୍ଣ ହୋଟେଲ । ଦୁଇ ଜଣ ଆତଙ୍କବାଦୀ ସେଠାରେ ପହଂଚି ଲିଫ୍ଟ ଦ୍ୱାରା ୧୯ ମହଲା କୁ ଚାଲିଗଲେ ଓ ସେଠାରେ ରହି ଗୁଳି ଚାଳନା କଲେ । ସେମାନଙ୍କୁ ସାମନା କରିବାପାଇଁ ଏନ୍.ଏସ.ଜି କମାଣ୍ଡୋ ମାନେ ହେଲିକ୍ୟାପଟ୍ଟରରେ ୨୧ ମହଲା ଉପରେ ଅବତରଣ କଲେ ଓ ଆଉ ଦଳେ ୧୮ ମହଲାରେ ରହିଲେ । ହୋଟେଲର ଚାରି କଡରେ ଥିବା ଅନେକ ଉଚ୍ଚ କୋଠାରୁ ସେମାନେ ଆତଙ୍କବାଦୀ ଙ୍କୁ ଲକ୍ଷ୍ୟ ରଖିଲେ ଓ ସବୁଆଡୁ ଗୁଳି ମାଡ ହୋଇ ଆତଙ୍କ ବାଦୀଙ୍କ ମୃତୁ୍ୟ ଘଟିଲା ।
ନରିମ୍ୟାନ ହାଉସ:-ନରିମ୍ୟାନ ହାଉସ ବିଷୟରେ ଭାରତର ଲୋକ ନଜାଣିଲେ ମ୍ମ ଆତଙ୍କବାଦୀ ମାନେ ଏହାର ଗୁରୁତ୍ୱ ବୁଝିଥିଲେ । ଏହି ଅଂଚଳରେ ଇସରାଏଲ ର ୫୦୦ ଇହୁଦି ପରିବାର ବାସ କରୁଥିଲେ । ଇହୁଦି ମାନେ ହେଉଛନ୍ତି ମୁସଲମାନ ମାନଙ୍କର ପରମ ଶତୃ । ଦୁଇ ଜଣ ଆତଙ୍କବାଦୀ ଏଠାରେ ପହଂଚି ଆଖିବୁଜା ଗୁଳି ଆରମ୍ଭ କଲେ ଓ ରାବି ଗ୍ରାଭିଏଲ ହୋଲିଜ ବର୍ଗ ଓ ତାଙ୍କ ସ୍ତ୍ରୀ ରେବିକାଙ୍କ ସହ ଛଅ ଜଣ ଇହୁଦିଙ୍କ ମୃତୁ୍ୟ ଘଟିଲା । ଏନ.ସ.ଜି କମାଣ୍ଡୋ ମାନେ ହେଲିକ୍ୟାପ୍ଟରେ ଅସି ପ୍ରାୟ ୫୦ ଘ. ପରେ ଆତଙ୍କବାଦୀ ଙ୍କୁ ହତ୍ୟା କଲେ ।
ଛତ୍ରପତି ଶିବାଜୀ ଟର୍ମିନାଲ:-ଏହା ହେଉଛି ବମ୍ବେ ର ସବୁଠାରୁ ବ୍ୟସ୍ତ ବହୁଳ ରେଳ ଷ୍ଟେସନ । ଆଗରୁ ଏହାକୁ ଭିକ୍ଟୋରିଆ ଟର୍ମିନାଲ କୁହାଯାଉଥିଲା । ଦୁଇ ଜଣ ଆତଙ୍କବାଦୀ ଆଜମଲ ଓ ଇସମାଇଲ ସେଠାରେ ପହଂଚି ଲୋକ ଗହଳି ଦେଖି ହଡବଡେଇ ଗଲେ ଓ ଏକ ପାଇଖାନା ଭିତରେ ପସି ଏ.କେ-୪୭ ରାଇଫଲ ବାହାର କଲେ । ତା ପରେ ପ୍ଲାଟଫର୍ମ କୁ ଆସି ଆଖିବୁଜା ଗୁଳି ଚଳାଇଲେ । ସେଠାରେ ଥିବା ରେଳ ପୋଲିସ ତାଙ୍କ ପିଛା କଲେ । ଶେଷକୁ ସେମାନେ ଗୋଟିଏ ଅଜଣା ଗଳିରେ ପସି କାମା ହସ୍ପିଟାଲରେ ପହଂଚି ଗଲେ ଓ ଲଫ୍ଟ ଦ୍ୱାରା ସପ୍ତମ ମହଲା କୁ ଚାଲିଗଲେ । ରୋଗି ମାନଙ୍କୁ ମୁଣ୍ଡ ବନ୍ଦି କରି ରଖିବା ସେମାନଙ୍କର ଉଦେ୍ଦଶ ଥିଲା । ମାତ୍ର ସେଠାରେ ଜଣେ ସାହାସି ନାଗରିକ ହରିଶ୍ଚନ୍ଦ୍ର ଶିବର୍ଦ୍ଧନ ସାହାସ କରି ସେମାନଙ୍କୁ ବାଧା ଦେଲେ ଓ ଆତଙ୍କବାଦୀ ମାନେ ଡରି ଯାଇ ପଳେଇ ଗଲେ । ପଳେଇ ଗଲା ବେଳେ ପୋଲିସ ମାନଙ୍କ ସହିତ ଗୁଳି ବିନିମୟ ହେଲା । ପୋଲିସ ଗୁଳିରେ ସେମାନେ ଆହତ ହେଲେ ମଧ୍ୟ ତିନି ଜଣ ବରିଷ୍ଠ ପୋଲିସ ଅଧିକାରୀ ହେମନ୍ତ କାରକରେ, ଆଶୋକ କାନ୍ତେ ଓ ବିଜୟ ସାଲସାକର ସେମାନଙ୍କୁ ଗୁଳିରେ ନିହତ ହେଲୋ । ପୋଲିସ ର ଗାଡି ଧରି ସେମାନେ ପଳେଇବାକୁ ଲାଗିଲେ ଓ ଗିରିଗାଓଁ ଚୈାପାଟି ଠାରେ ସେମାନଙ୍କୁ ଅଟକେଇବା ପାଇଁ ପୋଲିସ କରିଥିବା ବ୍ୟାରିକେଡ ନିକଟରେ ପହଂଚି ଗଲେ । ପୋଲିସ ଗାଡି ର ଚକା ଫାଟି ଯିବାରୁ ସେମାନେ ଜଣେ ଲୋକର ସ୍କୋଡା କାର ଧରି ପଳେଇବାକୁ ଲାଗିଲେ । ଆଗରେ ବ୍ୟାରିକେଡ ଦେଖି ସେମାନେ ଗାଡି ବନ୍ଦ କଲେ, ଲାଇଟ ଲିଭାଇ ଦେଲେ । ପୋଲିସ ମାନେ ଧିରେ ଧିରେ ଆଗେଇବାରୁ ହଠାତ୍ ଗାଡି ଷ୍ଟାଟ୍ କରି ଦୃତ ଗତି ରେ ରୋଡ ଡିଭାଇଡର ଉପରେ ଚଢାଇ ଦେଲେ । ଗାଡି ଟି ଜାମ ହୋଇଗଲା । ଜଣେ ପୋଲିସ ଏ.ଏସ. ଆଇ ତୁକାରାମ ଅମ୍ବଲେ ପଛରୁ ଯାଇ ଆଜମଲ କୁ ମାଡି ବସିଲେ ଓ ଗାଡିରୁ ବାହାରକୁ ଟାଣି ଆଣିଲେ । ଆଜମଲର ଗୁଳିରେ ଉମ୍ବଲ ଙ୍କ ମୃତୁ୍ୟ ଘଟିଲା । ମାତ୍ର ଅନ୍ୟ ପୋଲିସ ମାନେ ଇସମାଇଲ କୁ ମାରି ଦେବା ସଙ୍ଗେ ସଙ୍ଗେ ଆଜମଲକୁ ଜୀଅନ୍ତା ଧରିଲେ ଓ ଏହା ସେମାନଙ୍କର ଏକ ବଡ ସଫଳତା । ଉମ୍ବଲେଙ୍କୁ ପରବର୍ତି କାଳରେ ମରଣତ୍ୱର ଅଶୋକ ଚକ୍ର ସମ୍ମାନରେ ଭୁଷିତ କରାଗଲା । ଆତଙ୍କବାଦୀ ମାନେ ଡିଙ୍ଗିଟିକୁ କୂଳରେ ଛାଡିଦେଇଥିଲେ । ସେଥିରେ ସେମାନଙ୍କର ସାଟେଲାଇଟ ଫୋନଟି ରହିଯାଇଥିଲା । ଯାହା ଦ୍ୱାରା ସେମାନଙ୍କର ଯୋଜନା ସଂପର୍କରେ ସବୁ ଜଣା ପଡିଲା ଓ ପାକିସ୍ଥାନ ଏକ ଆତଙ୍କବାଦୀ ରାଷ୍ଟ୍ର ବୋଲି ପ୍ରମାଣିତ ହେଲା । ଏହା ପୂର୍ବରୁ ବମ୍ବେ ମହାନଗରୀ ଉପରେ ୧୯୯୩ ଓ ୨୦୦୬ ମସିହାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଚଳିତ ଆକ୍ରମଣ ବିଷୟରେ ମଧ୍ୟ ବହୁତ ଗ୍ୱଇନ୍ଦା ରିପୋର୍ଟ ହସ୍ତଗତ ହୋଇଥିଲା । ଯେଉଁଥିରେ ବମ୍ବେ ଉପରେ ଆକ୍ରମଣ ହୋଇପାରେ ବୋଲି ସ୍ପଷ୍ଟ ସୂଚନା ମିଳିଥିଲା । ସେହି ବର୍ଷ ଜୁଲାଇ ମାସରେ ଅହମ୍ମଦାବାଦ ଓ ସେପ୍ଟେମ୍ବର ମାସରେ ଦିଲ୍ଲୀ ଠାରେ ଆକ୍ରମଣ ହୋଇଥିଲା । ତାହା ସତ୍ୱେ ବମ୍ବେ କୁ ଉପଯୁକ୍ତ ସୁରକ୍ଷା ଦେବାରେ ବିଫଳ ହେବା ଦୁଃଖର କଥା । ଏହି ଆକ୍ରମଣ ପରେ ପୋଲିସ ମାନଙ୍କ ଉପରେ ଲୋକ ମାନଙ୍କର ବିଶ୍ୱାସ ବଢିଗଲା ଓ ରାଜନିତିଜ୍ଞ ମାନଙ୍କୁ ଲୋକମାନେ ଘୃଣା କରିବାକୁ ଲାଗିଲେ । ଲୋକମାନଙ୍କ ଚାପରେ ମହାରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ବିଳାଶ ରାଓ ଦେଶମୁଖ ଓ ଗୃହ ମନ୍ତ୍ରୀ ଆର.ଆର ପଟିଲ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ତାଜ ହୋଟେଲ ର ମାଲିକ ରତନ ଟାଟା ଆକ୍ରମଣ ପରେ କହିଥିଲେ ଆମେ ଆଘାତ ପାଇପାରୁ ମାତ୍ର ତଳେ ପଡିଯିବୁ ନାହିଁ । ଆକ୍ରମଣର ମାତ୍ର ବର୍ଷକ ମଧ୍ୟରେ ତାଜ ହୋଟଲକୁ ପୂର୍ବାବସ୍ଥା କୁ ଫେରାଇ ଆଣି ସେ ନିଜର ପ୍ରତିଶୃତି ରକ୍ଷା କରିଥିଲେ ।

Leave a Reply

Your email address will not be published.