ଓଡ଼ିଶାରେ କାହିଁକି ବଢିଗଲା ଦଲାଲୀ ବ୍ୟବସାୟ!

ପ୍ରଦୀପ୍ତ ଆଚାର୍ଯ୍ୟ
ଅଧୁନା ବିଭିନ୍ନ ସରକାରୀ ସଂସ୍ଥାରେ କାର୍ଯ୍ୟରତ ଦଲାଲ ମାନଙ୍କୁ ସରକାର ଉଛେଦ କରିବା ନିମନ୍ତେ ଦୃଢ ପଦକ୍ଷେପ ଗ୍ରହଣ କରୁଅଛନ୍ତି । ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଦଲାଲି କଣ ପାଇଁ? ଏହି ପେଶାକୁ କେଉଁ ମାନେ ଆପଣାଇଛନ୍ତି? ଏହି ପେଶାର ବ୍ୟାପକତା କଣ ପାଇଁ? ବର୍ତମାନ ପରିସ୍ଥିତିରେ ଏହା ଏକ ଆଲୋଚ୍ୟ ବିଷୟ । ପ୍ରକୃତ ପକ୍ଷରେ ଦଲାଲୀ ଏକ ପ୍ରାଚୀନ ପ୍ରଥା । ବହୁ ପୁରା କାଳରୁ ପିତା ମାତା ମାନେ ସେମାନଙ୍କର ପୁତ୍ର କନ୍ୟା ମାନଙ୍କର ବିବାହ ସ୍ଥିର କରିବା ନିମନ୍ତେ ମଧ୍ୟସ୍ଥି ବା ଦଲାଲ ମାନଙ୍କର ସାହାଯ୍ୟ ନେଉଥିଲେ ଏବଂ କାର୍ଯ୍ୟ ସମାପ୍ତି ପରେ ସେମାନଙ୍କୁ କିଛି ଅର୍ଥ କିମ୍ବା ଉପଢୌକନ ପ୍ରଦାନ କରୁଥିଲେ । ଆଧୁନିକ ଯୁଗରେ ତାହା ଏକ ପଞ୍ଜିକୃତ ସଂସ୍ଥା ବା ମାଟ୍ରିମୋନି ନାମରେ ନାମିତ ହୋଇ ତାର କାର୍ଯ୍ୟ ବଜାୟ ରଖିଛି । ଜମି କିଣା ବିକା କ୍ଷେତ୍ରରେ ମଧ୍ୟ ଦଲାଲ ମାନଙ୍କର ଆବଶ୍ୟକତା ଥିଲା,ଏବେ ତାହା ପ୍ରପର୍ଟି ଡିଲର ନାମରେ ଏକ ପଞ୍ଜିକୃତ ସଂସ୍ଥା ।
ସାଧାରଣ ଲୋକେ ଦଲାଲ ମାନଙ୍କର ସାହାଯ୍ୟ କଣ ପାଇଁ ନେଉଛନ୍ତି? ୧)ପ୍ରଥମେ ସେମାନଙ୍କର କାର୍ଯ୍ୟ କରିବାର ଅଜ୍ଞତା ଓ ଅସାମର୍ଥ୍ୟତା । ୨) ଦ୍ୱିତୀୟରେ ଯେଉଁ ବ୍ୟକ୍ତି କାର୍ଯ୍ୟ କରିବେ ତାଙ୍କର ଅସହଯୋଗ, ଉଦାସୀନତା ଏବଂ କାଳ କ୍ଷେପଣ ନିତୀ । ୩)କିଛି ଅର୍ଥ ବିନିମୟରେ ନିଜର ମୂଲ୍ୟବାନ ସମୟ ବ୍ୟୟ ନକରି ସୁବିଧାରେ କାମ ହାସଲ କରିବା ଇତ୍ୟାଦି । ଦଲାଲ ମାନଙ୍କର ନଯୁକ୍ତିଦାତା କିଏ? ଧରାଯାଉ ସ୍ୱାସ୍ଥ୍ୟ ବିଭାଗ କଥା । ଜଣେ ସରକାରୀ ଡାକ୍ତର ଲକ୍ଷ ଲକ୍ଷ ଟଙ୍କା ବେତନ ପାଉଥିଲେ ମଧ୍ୟ ବେସରକାରୀ ଭାବରେ ଘରୋଇ ଚିକିତ୍ସା କରି ଦଲାଲ ମାନଙ୍କୁ ରୋଗୀ ସଂଗ୍ରହ କାର୍ଯ୍ୟରେ ନିଯୁକ୍ତ କରିଅଛନ୍ତି । ଯେଉଁ ଡାକ୍ତର ସରକାରୀ ଡାକ୍ତରଖାନାରେ ରୋଗୀ ମାନଙ୍କ ପ୍ରତି ରୁକ୍ଷ, ସେହି ଡ଼ାକ୍ତର କ୍ଲିନିକ୍ରେ ସହାସ୍ୟ ବଦନରେ ରୋଗୀ ସେବାରତ । ଯାନବାହନ ପଞିକରଣ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ମାନେ ସାଧାରଣ ଜନତାଙ୍କୁ ସହଜରେ କୌଣସି ସୂଚନା ପ୍ରଦାନ କରନ୍ତି ନାହିଁ କିମ୍ବା କୌଣସି କାର୍ଯ୍ୟକୁ ଏତେ ସହଜରେ ସମ୍ପାଦନ କରନ୍ତି ନାହିଁ । କିନ୍ତୁ ଦଲାଲ ମାନଙ୍କ ମାଧ୍ୟମରେ ଯାଉଥିବା କାର୍ଯ୍ୟକୁ ଯଥାଶୀଘ୍ର କରିଦିଅନ୍ତି ।
ଦଲାଲୀ ବ୍ୟବସାୟର ବ୍ୟାପକତା କାହିଁକି?
ପ୍ରଥମତଃ ଦଲାଲୀ ବ୍ୟବସାୟରେ କୌଣସି ପୁଞ୍ଜି ବିନିଯୋଗର ଆବଶ୍ୟକତା ନଥାଏ, ସରକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ଦୁଃର୍ବ୍ୟବହାର ତଥା କର୍ମ ବିମୁଖତା ପାଇଁ ସାଧାରଣ ଲୋକେ ଦଲାଲ ମାନଙ୍କ ଦ୍ୱାରସ୍ଥ ହୋଇ କିଛି ଅର୍ଥ ପ୍ରଦାନ ପୂର୍ବକ ନିଜ ନିଜର କାର୍ଯ୍ୟ କରାଇ ନେଇଥାନ୍ତି । ବୁଡିଗଲା ଲୋକକୁ କୁଟାଖିଅ ଆଶ୍ରା ପରି, ଲୋକମାନେ ଅସହାୟତା ବଶତଃ ଦଲାଲ ମାନଙ୍କର ସାହାଯ୍ୟ ଲୋଡନ୍ତି । ଦଲାଲୀ ବିଲୋପର ଉପାୟ କଣ? ବର୍ତମାନ ସରକାର ବିଭିନ୍ନ କାର୍ଯ୍ୟାଳୟ ରେ ଚଢାଉ କରି ଦଲାଲ ମାନଙ୍କୁ ଆରେଷ୍ଟ କରାଉଛନ୍ତି । ଏହା ବୃକ୍ଷର ଶାଖା ଛେଦନ ସଦୃଶ କାର୍ଯ୍ୟ । ବୃକ୍ଷ ରହିଲେ ଭବିଷ୍ୟତରେ ପୁଣି ଏହା ଶାଖା ପ୍ରଶାଖା ମେଲିବ ଏହା ନିଃସନେ୍ଦହ । ତେଣୁ ସର୍ବ ପ୍ରଥମେ ବୃକ୍ଷକୁ ମୂଳୋତ୍ପାଟନ କରାଯାଉ । ଦଲାଲ ମାନଙ୍କୁ ଉଛେଦ ପରିବର୍ତେ ସେମାନଙ୍କର ନିଯୁକ୍ତିଦାତାଙ୍କୁ ଦଣ୍ଡିତ କରାଯାଉ । ସ୍ୱାସ୍ଥ୍ୟ ବିଭାଗରେ ପ୍ରଥମେ ଡାକ୍ତର ମାନଙ୍କ ଘରୋଇ ଚିକିତ୍ସାକୁ ନିଷିିଦ୍ଧ କରାଯାଉ । ସରକାରୀ ଡାକ୍ତରଖାନାରେ ରୋଗୀ ସେବାକୁ ଉପେକ୍ଷାକରି, ନିଜର କର୍ତବ୍ୟ ଠିକ୍ ଭାବରେ ସମ୍ପାଦନ ନକରି, ଯେଉଁ ଡାକ୍ତର ମାନେ ନିଜ କ୍ଲିନିକ୍ ରେ ରୋଗୀ ସେବାକୁ ପ୍ରଧାନ୍ୟ ଦେଉଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କ୍ରମବର୍ଦ୍ଧିଷ୍ଣୁ ଜନ ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାରୀ ଡାକ୍ତରଖାନାରେ ଅଧିକ ସଂଖ୍ୟକ ଡାକ୍ତର ପଦବୀ ସୃଷ୍ଟି କରି ତୁରନ୍ତ ନିଯୁକ୍ତି ପ୍ରଦାନ କରାଯାଉ । ଠିକ ଭାବରେ ସେବା ପାଇଲେ ଲୋକ ମାନେ ଦଲାଲ ମାନଙ୍କ ସାହାଯ୍ୟ ନେବେ ନାହିଁ କିମ୍ବା ସରକାରଙ୍କୁ ଆଉ ଦଲାଲଙ୍କ ପଛରେ ଗୋଡାଇବାକୁ ପଡିବ ନାହିଁ । ସରକାରଙ୍କ ଦ୍ୱାରା ନୁତନ ଭାବରେ ପ୍ରବର୍ତିତ “ଫାଇଭ- ଟି” ଏବଂ “ମୋ ସରକାର” କାର୍ଯ୍ୟଟି ଯଦି ଆନ୍ତରିକତାର ସହିତ ଠିକ୍ ଭାବରେ କାର୍ଯ୍ୟକାରୀ କରାହୁଏ, ତେବେ ଆମ ରାଜ୍ୟ ନିଶ୍ଚିତ ଭାବରେ ଏକ ଦୁର୍ନିତୀ ମୁକ୍ତ ରାଜ୍ୟ ରୂପେ ପରିଗଣିତ ହୋଇପାରିବ, ଏଥିରେ ସନେ୍ଦହ ନାହିଁ । ଯାନବାହାନ ପଞ୍ଜିକରଣ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ କରାଯିବା ସହିତ କାର୍ଯ୍ୟର ଗୁରୁତ୍ୱକୁ ବିଚାର କରି ସମସ୍ତ କାର୍ଯ୍ୟ ପାଇଁ ଏକ ସମୟ ସୀମା ନିର୍ଦ୍ଧାରଣ କରାଯିବା ଉଚିତ । ସେହିପରି କାର୍ଯ୍ୟ ସମ୍ପାଦନ ନିମନ୍ତେ ଇଛାକୃତ ବିଳମ୍ବ ସୃଷ୍ଟି କରୁଥବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବଧାନ କରାଗଲେ, ସରକାରଙ୍କୁ ଆଉ ଦଲାଲଙ୍କ ପଛରେ ଗୋଡାଇବାକୁ ପଡନ୍ତା ନାହିଁ । ବୃଷ୍ଟି ବିନା ତୃଣର ଅବସ୍ଥା ପରି ଦଲାଲୀ ଆପେ ଆପେ ଲୋପ ପାଇ ଯାଆନ୍ତା ।
ତେବେ ଏହି କାର୍ଯ୍ୟରେ ଜନ ସାଧାରଣଙ୍କର ସକ୍ରୀୟ ସହେଯାଗର ଅତ୍ୟନ୍ତ ଆବଶ୍ୟକତା ରହିଛି । ଦୁର୍ନିତୀଗ୍ରସ୍ତ କର୍ମଚାରୀ ମାନଙ୍କ ମାନସିକତାର ପରିବର୍ତନ ତଥା ସରକାରଙ୍କର ଆନ୍ତରିକ ପ୍ରଚେଷ୍ଟା ନିଶ୍ଚିତ ଭାବରେ ଦଲାଲୀ ନିରାକରଣରେ ସହାୟକ ହେବ, ଏହା ନିଃସନେ୍ଦହ ।
ଦଲାଲୀ ବିଲୋପର ଉପାୟ ଖୋଜାଯାଉ

Leave a Reply

Your email address will not be published. Required fields are marked *