କାର୍ଯ୍ୟାନୁଷ୍ଠାନ ପୂର୍ବରୁ ବିକଶିତ ହେଉ ସ୍ୱାସ୍ଥ୍ୟ ଭିତିଭୂମି

ଶରତ କୁମାର ରାଉତ
ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସାଧାରଣ ଲୋକଙ୍କୁ ସ୍ୱଚ୍ଛ ପ୍ରଶାସନ ଓ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରଥମ ପର୍ଯ୍ୟାୟରେ ଥନା ଓ ଡ଼ାକ୍ତରଖାନାକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ‘ମୋ ସରକାର’ କାର୍ଯ୍ୟକ୍ରମର ଲକ୍ଷ୍ୟ ହାସଲ ପାଇଁ ବରିଷ୍ଠ ପ୍ରଶାସନିକ ଅଧିଖାରୀଙ୍କୁ ଜିଲ୍ଲା ଗସ୍ତ କରାଇ ବିଭିନ୍ନ ଡ଼ାକ୍ତରଖାନାରେ ରୋଗୀ ସେବାର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରାଇଛନ୍ତି । କୋରାପୁଟ ମେଡ଼ିକାଲ୍ କଲେଜ, କୋରାପୁଟ ଜିଲ୍ଲା ସଦର ମହକୁମା ଡ଼ାକ୍ତରଖାନା ଓ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଡ଼ାକ୍ତରଖାନାରେ ଶଯ୍ୟା ସଂଖ୍ୟା ବୃଦ୍ଧି, ଅଧିକ ଆମ୍ବୁଲାନ୍ସ ତଥା ମହାପ୍ରୟାଣ ଗାଡ଼ି ଉପଲବ୍ଧ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ଫୁଲବାଣୀ ସମେତ ରାଜ୍ୟର ଅବିଭକ୍ତ ଜିଲ୍ଲା ମାନଙ୍କରେ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାସ୍ତବରେ ଏସବୁ ସ୍ୱାଗତଯୋଗ୍ୟ ପଦକ୍ଷେପ । ଅନ୍ୟପକ୍ଷରେ ସୁନ୍ଦରଗଡର ଭାରପ୍ରାପ୍ତ ସି.ଡି.ଏମ.ଓ.ଙ୍କୁ ନିଲମ୍ବନ କରାଯିବା ପରେ ସ୍ୱାସ୍ଥ୍ୟ ବିଭାଗରେ ନୈରାଶ୍ୟ ସୃଷ୍ଟି ହୋଇଛି । ବାସ୍ତବତା ଦେଖାଗଲେ, ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମିର ଘୋର ଅଭାବ ଓ ପରିଚାଳନାଗତ ତୃଟି ରହିଥିବା ଜଳଜଳ ଦେଖାଯାଉଛି । ସାଧାରଣତଃ କୌଣସି ବିଷୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ ସରକାରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଭିତିଭୂମୀ ସେଠାରେ ସ୍ୱାଭାବିକ ଅଛି କି ନାହିଁ, ଅନୁଧ୍ୟାନ କରାଯିବା ଉଚିତ । ଯଦି ଭିତିଭୂମି ସ୍ୱାଭାବିକ ନାହିଁ, ତେବେ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଦାୟୀ କରାଯିବା ଉଚିତ ନୁହେଁ । ଭିତିଭୂମିର ଅର୍ଥ ସରକାର କ’ଣ ବୁଝନ୍ତି, ଜାଣି ହେଉନାହିଁ । ସାଂଘାତିକ ରୋଗୀଙ୍କୁ ଅକ୍ସିଜେନ୍ ଦେଇ ଆଇସିୟୁ ପ୍ରକୋଷ୍ଠରେ ରଖା ଯାଇଥାଏ । ମାତ୍ର ଅଧିକାଂଶ ଜିଲ୍ଲା ସଦର ମହକୁମା ହସ୍ପିଟାଲ୍ରେ ମଧ୍ୟ ଆଇସିୟୁ ପ୍ରକୋଷ୍ଠରେ ତାଲା ଝୁଲୁଛି । ଚିକିତ୍ସା ଉପକରଣ ସବୁ ବିକ୍ଷିପ୍ତ ହୋଇ ଏଣେ ତେଣେ ପଡିଛି ତ ସେସବୁର କୌଣସି ହିସାବ ନାହିଁ । କେତେକ ସ୍ଥାନରେ ଜୀବନ ରକ୍ଷାକାରୀ ଅକ୍ସିଜେନ୍ର ସଂଯୋଗ ମଧ୍ୟ ନାହିଁ । ୨୦୦୫ରେ ସ୍ୱାସ୍ଥ୍ୟ ମିସନ୍ କାର୍ଯ୍ୟକାରୀ ହେବା ପରଠାରୁ ରକ୍ତହୀନତା ରୋଗ ଓ ଏଥିଜନିତ ମୃତୁ୍ୟ ସଂଖ୍ୟା ବଢି ଚାଲିଛି । ରାଜ୍ୟରେ ୩୧୪ଟି ବ୍ଲଡ଼୍ ଷ୍ଟୋରେଜ୍ ୟୁନିଟ୍, ଉପଜିଲ୍ଲା ଓ ଜିଲ୍ଲା ହସ୍ପିଟାଲ୍ ମାନଙ୍କରେ ବ୍ଲଡ଼୍ ବ୍ୟାଙ୍କ୍ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟ ମିସନ୍ର ଲକ୍ଷ୍ୟ ଫେଲ୍ ମାରିଛି । ହେଲେ ଅବାଟରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ ହେଉଥିବା ଦାବି କରୁଛି ସ୍ୱାସ୍ଥ୍ୟ ମିସନ୍ । ମିସନ୍ର ହର୍ତାକର୍ତା ସାଜିଥିବା ଅନଭିଜ୍ଞ, ଅଦକ୍ଷ ଓ ଅସ୍ଥାୟୀ କର୍ମଚାରୀଙ୍କ ହାତରେ ଛାଡ଼ି ଦିଆଯାଉଛି ରାଜ୍ୟର ସ୍ୱାସ୍ଥ୍ୟସେବା ଦାୟିତ୍ୱ । ସରକାରୀ ଡ଼ାକ୍ତରଖାନାରେ ରୋଗୀମାନେ ବାରଣ୍ଡାରେ ଶୋଇ ଚିକିତ୍ସାଧୀନ ଥିବା ଦେଖା ଯାଇପାରେ । ଏଠାରେ ସୁବିଧାରେ ରକ୍ତ, ମଳ, ମୂତ୍ର ଆଦି ବିଭିନ୍ନ ପରିକ୍ଷା ବ୍ୟବସ୍ଥା ଥିôଲେ ହେଁ ରୋଗୀଙ୍କୁ ଘରୋଇ ପରିକ୍ଷାଗାର ଉପରେ ନିର୍ଭର କରିବାକୁ ପଡୁଛିÿ ଓ ସେଠାରେ ସେମାନେ ଶୋଷିତ ହେଉଛନ୍ତି । ଏବେ ଡ଼ାକ୍ତରଖାନା ଗୁଡ଼ିକରେ ବହୁମୂଲ୍ୟ ଔଷଧ ମିଳିବାତ ଦୂରର କଥା, ସାଲାଇନ୍ ବା ସାଧାରଣ ରୋଗର ବଟିକା ମଧ୍ୟ ରୋଗୀଙ୍କୁ ବାହାରୁ କିଣିବାକୁ ପଡୁଛିÿ । ରାଜ୍ୟ ସରକାର କୋଟିକୋଟି ଟଙ୍କାର ଅନେକ ପ୍ରକାର ଔଷଧ କିଣନ୍ତି । ମାତ୍ର ସେସବୁ ରୋଗୀଙ୍କ ଭାଗରେ ପଡ଼େନି । କର୍ମଚରୀଙ୍କ ଦ୍ୱାରା କିଛି ହରିଲୁଟ୍ ହୁଏ, କିଛି ସମୟସୀମା ଶେଷ ପରେ ବଂଟାଯାଏ ଓ ଆଉକିଛି ବର୍ଷ ଶେଷ ବେଳକୁ ନଷ୍ଟ କରି ଦିଆଯାଏ । ମୋଟ ଉପରେ ଆମର ଚିକିତ୍ସା ବ୍ୟବସ୍ଥା ଏଭଳି ଢଙ୍ଗରେ ଚାଲିଛି ଯେ, ସରକାରୀ ଚିକିତ୍ସାଳୟ କେବଳ ଲୋକ ଦେଖାଣିଆ, ହେଲେ ନିର୍ଭର କରିବାକୁ ପଡ଼ୁଛି ଘରୋଇ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ।
ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସ୍ୱଂୟ ଅସୁସ୍ଥ ହୋଇପଡ଼ିଥିବା ଦେଖାଯାଇପାରେ । ଅବାଟରେ ଚାଲୁଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରଶାସନ । ରାଜ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ରାଜ୍ୟ ସରକାର ମଧ୍ୟ ଏକାଧିକ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଶହଶହ କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି । ହେଲେ ସ୍ୱାସ୍ଥ୍ୟ ସେବାର ସାମାନ୍ୟତମ ଉନ୍ନତି ପରିଲଖିତ ହେଉନାହିଁ । ତେବେ ଯୋଜନା ଗୁଡ଼ିକ ଚାଲିଛି କିପରି, କେଉଁଠି ଓ କାହାପାଇଁ(?), କେହି କିଛି ଜାଣିପାରୁ ନାହାଁନ୍ତି । କେବଳ ଜଳଜଳ ଦେଖାଯାଉଛି, ସାରା ରାଜ୍ୟରେ ଭୁଷୁଡ଼ି ପଡ଼ିଛି ସ୍ୱାସ୍ଥ୍ୟସେବା ବ୍ୟବସ୍ଥା । ରୋଗୀମାନେ ଚିକିତ୍ସା ସେବା ନପାଇ ହଇରାଣ ହେଉଛନ୍ତି । ଏହା ପ୍ରମାଣିତ କରିଛି ନୀତି ଆୟୋଗଙ୍କ ରିପୋର୍ଟ । ନୀତି ଆୟୋଗଙ୍କ ସ୍ୱାସ୍ଥ୍ୟ ସୂଚକାଙ୍କରେ ୨୧ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ତଳ ଆଡ଼ୁ ତୃତୀୟ ଅର୍ଥାତ ୨୧ ନମ୍ବର ର୍ୟାଙ୍କ୍ । ଏପରିକି ଓଡ଼ିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉପରକୁ ଉଠିବା ବଦଳରେ ଗୋଟିଏ ସ୍ଥାନ ତଳକୁ ଖସିଛି । ତେବେ ସାରା ରାଜ୍ୟରେ ସ୍ୱାସ୍ଥ୍ୟସେବା ଧରାଶାୟୀ ହୋଇଥିବା ସମସ୍ତେ ସ୍ୱୀକାର କରୁଛନ୍ତି । ରାଜ୍ୟରେ ହଜାର ହଜାର ଡ଼ାକ୍ତର ଓ କର୍ମଚାରୀ ପଦବୀ ଖାଲି ପଡ଼ିଛି । ଆଉ କେବିକେ ଓ ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟସେବାର ଚିତ୍ର ଆହୁରି ଦୟନୀୟ । ବାସ୍ତବତା ହେଲା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅସାବଧାନତା, ଦାୟିତ୍ୱହୀନତା ଓ କର୍ତବ୍ୟରେ ଅବହେଳା ଯୋଗୁଁ ଅକାଳରେ ଲୋକେ ମରିବା ଏକ ପରମ୍ପରା ହୋଇଛି ।
ଦିନ ଥିଲା ଯେତେବେଳେ ଆମ ଚିକିତ୍ସାଳୟ ମାନଙ୍କରେ ଔଷଧ ଚିଠା ଲେଖିବା ପାଇଁ କାଗଜର ମଧ୍ୟ ଅଭାବ ଥିଲା । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ୍ କାର୍ଯ୍ୟକାରୀ ହେବା ପରେ ସମୁଦ୍ର ଲହଡ଼ି ଭଳି ଅନୁଦାନ ସ୍ରୋତ ମାଡ଼ି ଆସିଲା । ରଙ୍ଗାରଙ୍ଗ ଘର, କାଚର ଦ୍ୱାର ଓ ଝରକା, ଏସି ମେସିନ୍, ମାର୍ବଲ୍ ଚଟାଣ, ଗଦି ଲଗା ଚେୟାର୍, ନିୟନ୍ ଲାଇଟ୍, ଶହଶହ ଗାଡ଼ି ଓ ସୁନ୍ଦର ଉଦ୍ୟାନରେ ହସ୍ପିଟାଲ୍ ଗୁଡ଼ିକ ଶୋଭା ପାଇଲା । ହେଲେ ବାସ୍ତବ ଭିତିଭୂମିର ବିକାଶ ହୋଇ ପାରି ନାହିଁ । ଅନେକ ସ୍ଥାନରେ ଆୟୁଷ ଡ଼ାକ୍ତରଙ୍କୁ ନେଇ ହସ୍ପିଟାଲ୍ ଚାଲୁଛି । କୌଣସି ସମୟରେ ଏନ୍ଏଚ୍ଏମ୍ ଯୋଜନା ବନ୍ଦ୍ ହୋଇଗଲେ ଓ ଅନୁଦାନର ମହାନଦୀ ଶୁଖି ଗଲେ, ତା’ପରେ ରାଜ୍ୟରେ କି ଅବସ୍ଥା ହେବ ରାଜ୍ୟ ସରକାର ଥରେ ଚିନ୍ତା କଲେଣି କି? ଆଜି ଯେତିକି ଭିତିଭୂମିର ବିକାଶ ହୋଇଥିବା ଆମେ ଦେଖୁଛେ, ତାହା ସ୍ୱାସ୍ଥ୍ୟ ମିସନ୍ର ଦାନ । ଏହାଛଡ଼ା ଯେତିକି ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି, ତାହାର ଖର୍ଚ୍ଚ ମଧ୍ୟ ବହନ କରୁଛି ମିସନ୍ । ତେବେ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟସେବା ପାଇଁ କିଭଳି ଦାନ ରହିଛି, ଜାଣି ହେଉନାହିଁ । ଶହଶହ କୋଟି ଟଙ୍କାର ଔଷଧ ଓ ଚିକିତ୍ସା ଉପକରଣ କିଣା ଯାଉଛି ସିନା, ସେସବୁ ରୋଗୀ ମାନଙ୍କ ସେବାରେ ଲାଗୁନି । ସେଥିମଧ୍ୟରେ ଅଧିକାଂଶ ଔଷଧ ଓ ଉପକରଣ ଅତି ନିମ୍ନ ମାନର । ଯଦିଓ ବିଭାଗୀୟ ମନ୍ତ୍ରୀ ଓ ସଚିବ ଆନ୍ତରିକତାର ସହ ନିଜ ଦାୟିତ୍ୱ ପ୍ରତି ସଚେତନ ଥାଆନ୍ତେ, ଏହି ମିସନ୍ ଅର୍ଥରେ ବି ସ୍ୱାସ୍ଥ୍ୟସେବାର ଉନ୍ନତି ହୋଇ ସାରନ୍ତାଣି । ଆଜି ପର୍ଯ୍ୟନ୍ତ କୌଣସି ପ୍ରକଳ୍ପ, ଆଇନ୍ ଓ ପଦକ୍ଷେପ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆଦର୍ଶ କରିପାରି ନାହିଁ । ଅଯଥା ରାଜନୈତିକ ହସ୍ତକ୍ଷେପ, ପ୍ରଶାସନିକ ଅପାରଗତା ଓ ସରକାରୀ ନିୟମ ଉଲଘଂନ ଯୋଗୁଁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସ୍ୱୟଂ ରୋଗଗ୍ରସ୍ତ ହୋଇ ଯାଇଛି । କାହିଁକି ଚିକିତ୍ସା ସେବାରେ ଉନ୍ନତି ହେଇ ପାରୁନି, କାହିଁକି ସରକାରୀ ସ୍ୱାସ୍ଥ୍ୟସେବା ସୁବିଧା ଠିକ୍ ସମୟରେ ରୋଗୀ ପାଇ ପାରୁ ନାହାନ୍ତି, ରୋଗୀ ସଂଖ୍ୟାନୁପାତରେ କାହିଁକି ଡ଼ାକ୍ତର, କର୍ମଚାରୀ, ରୋଗୀ ଶଯ୍ୟା, ଚିକିତ୍ସା ଉପକରଣ ଓ ଆବଶ୍ୟକୀୟ ଭିତିଭୂମିର ଅଭାବ ଦେଖା ଦେଉଛି, ସେ ସଂପର୍କରେ କେହି ଭାବୁଛନ୍ତି କି? ଏଣୁ ପ୍ରଥମେ ସ୍ୱାସ୍ଥ୍ୟ ଭିତିଭୂମିର ଆବଶ୍ୟକୀୟ ବିକାଶ କରାଇ ପରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ପାଇଁ ଅଧିକାରୀ, ଡ଼ାକ୍ତର ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ, ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଓଡ଼ିଶାବାସୀ ସାଦରେ ଗ୍ରହଣ କରିବେ ।ଅନ୍ୟଥା ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ଆଶା ସ୍ୱପ୍ନରେ ରହିଯିବ ।

Leave a Reply

Your email address will not be published.