ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ଗିରିଗୋବର୍ଦ୍ଧନ ପୂଜା

ନୟାହାଟ, (ଆଇଏନ୍ଏସ୍): ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ର ପରିସରରେ ଗିରି ଗୋବର୍ଦ୍ଧନ ପୂଜା ନିଆରା ପରମ୍ପରାରେ ଦେଖିବାକୁ ମିଳିଥିଲା । ଆଶ୍ରମର ଅନ୍ତେବାସୀ ତଥା ଭକ୍ତ ଶ୍ରଦ୍ଧାଳୁ ଉକ୍ତ ଦିନ ନିଜକୁ ଗୋପାଳ ଭାଇ ଭାବେ ପରିଚିତ ହୋଇ ମୁଣ୍ଡରେ ଜାମୁଡାଳ, ହାତରେ ବାଡି ଓ ଅଂଟାରେ ଗାମୁଛା ଦେଇ ନାଚି ନାଚି ଏହି ପୂଜାରେ ଭାଗ ନେଇଥାନ୍ତି । ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ୱାବଧାନରେ ଶହ ଶହ ଭକ୍ତମାନଙ୍କର ଗହଣରେ ସମାଧି ମନ୍ଦିରରୁ ଶ୍ରୀ ଗୁରୁଦେବଙ୍କ ବିଗ୍ରହ ଓ ପାଦୁକା ଶଙ୍କଧ୍ୱନୀ, ହୁଳହୁଳି, ନାମକୀର୍ତନରେ ଗିରି ଗୋବର୍ଦ୍ଧନ ପୀଠ ନିକଟକୁ ନିଆଯାଇଥିଲା । ସେଠାରେ ପ୍ରଭୁ ଗିରି ଗୋବର୍ଦ୍ଧନଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ଓ ବନ୍ଦାପନା ପରେ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଲିଖିତ ଅମୃତମୟ କଥା ଓ ଗୋବର୍ଦ୍ଧନ ପୂଜାର ମହାତ୍ମ୍ୟ ଗୁଡିକ ପଦ୍ୟାଂଶ ଆକାରେ ବବାଜୀ ଦାମୋଦର ଦାସ, ବାବାଜୀ ପୂର୍ଣ୍ଣାନନ୍ଦ ଦାସ, ସୁଶ୍ରୀ ଶକୁନ୍ତଳା ଦାଶ, ସେବିକା ସବିତା ଦାସ ପ୍ରମୁଖ ଗାନ କରିଥିଲେ । ଏହି ଉପଲକ୍ଷେ ଲଉଡି ଖେଳ ହୋଇଥିଲା । ଏଥିରେ ବହୁ ଭକ୍ତ ସହଯୋଗ କରିଥିଲେ । ଆସନ୍ତା ନଭେମ୍ବର ୪ ତାରିଖରେ ଗୋଷ୍ଠାଷ୍ଟମୀ ଓ ୫ ତାରିଖରେ ମା’ରାଧାଦେବୀଙ୍କ ପାଦ ଦର୍ଶନ ଉତ୍ସବ ହେବ ବୋଲି ସେବକ ପ୍ରୀତିରଂଜନ ଦାସ ସୂଚନା ଦେଇଛନ୍ତି । ଏହି ଉତ୍ସବରେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେବା ପାଇଁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *