ଆଦିବାସୀଙ୍କୁ ମିଳୁନାହିଁ ଆଦିବାସୀ ବିକାଶ ଯୋଜନାର ସୁଫଳ!

ଭୁବନେଶ୍ୱର, (ଆଇଏନ୍ଏସ୍): ଆଦିବାସୀ ମଣିଷର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିଷଲ ମଧ୍ୟ ଏହାର ସୁଫଳ ଆଦିବାସୀ ମଣିଷ ମାନଙ୍କ ପାଖରେ ପହଂଚି ପାରୁନଥିବା ଅଭିଯୋଗ ହେଉଛି । ଓଏନ୍ଏସ୍ ଅନୁସନ୍ଧାନରୁ ଜଣା ପଡ଼ିଛି ଯେ, ଏବେ ମଧ୍ୟ ପ୍ରାୟ ୯୦ ଭାଗ ଆଦିବାସୀ ବାସିନ୍ଦା ଦାରିଦ୍ର୍ୟ ସୀମାରେଖା ତଳେ ଅବସ୍ଥାନ କରୁଛନ୍ତି । ପ୍ରାୟ ୬୦ ଭାଗ ଆଦିବାସୀ ମଣିଷ ଅନାହାର, ଅର୍ଦ୍ଧାହାର ଓ ଅଳ୍ପାହାରର ବଳୟ ଭିତରେ ବଂଚୁଛନ୍ତି । କ୍ରମେ ସେମାନଙ୍କର ଆର୍ଥିକ ଅବସ୍ଥା ଗମ୍ଭୀର ହୋଇ ଚାଲିଛି । ପ୍ରତି ମୁହୂର୍ତରେ ଆଦିବାସୀ ଅଂଚଳରେ ବିଭିନ୍ନ ମାରାତ୍ମକ ରୋଗ ଜନିତ ହେଉ କି ଅନାହାର ଜନିତ ମୃତୁ୍ୟର ତାଣ୍ଡବ ସେମାନଙ୍କ ପାଇଁ ଯେମିତି ଅଭିଶାପ ହୋଇଛି । ସୂଚନାଯୋଗ୍ୟ ଯେ, ଦେଶର ମୋଟ ଜନସଂଖ୍ୟାର ୮.୦୮ ଶତକଡ଼ା ଅର୍ଥାତ୍ ୭କୋଟିରୁ ଉଦ୍ଧ୍ୱର୍ ଆଦିବାସୀ ବାସିନ୍ଦାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସରକାର କାର୍ଯ୍ୟ କରିବାକୁ ଆମ ସମ୍ବିଧାନରେ ସ୍ୱତନ୍ତ୍ର ବିଧି ବ୍ୟବସ୍ଥା ରହିଛି । ଏଥିପାଇଁ ପଂଚମ ପଂଚବାର୍ଷିକ ଯୋଜନାରେ ଆଦିବାସୀ ଉପଯୋଜନାକୁ ପ୍ରଥମ କରି ଅନ୍ତର୍ଭୁକ୍ତ କରାଯାଇଥିଲା । ସେମାନଙ୍କ ସଂଖ୍ୟାନୁପାତରେ ରାଜ୍ୟ ଯୋଜନା, କେନ୍ଦ୍ରୀୟ ଯୋଜନା ଆଦିରେ ପର୍ଯ୍ୟାପ୍ତ ପାଣ୍ଠିର ବ୍ୟବସ୍ଥା ରହିଛି । ଆଦିବାସୀମାନଙ୍କ ସାମୁହିକ ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବାକୁ ୧୯୯୯ ମସିହା ଅକ୍ଟୋବରରେ ଆଦିବାସୀ ବ୍ୟାପାର ନାମକ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ କରାଯାଇଥିଲା । ଇତିମଧ୍ୟରେ ଆଦିବାସୀ ମଣିଷର ଉନ୍ନତି ପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ହଜାର ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଛି ।
ଆଇଏନ୍ଏସ୍/ଓଏନ୍ଏସ୍ କୁ ପ୍ରାପ୍ତ ସୂଚନା ଅନୁଯାୟୀ ଆଦିବାସୀ ଯୁବକ ଯୁବତୀଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରି ସେମାନଙ୍କ ପାଇଁ ଅଧିକ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି କାର୍ଯ୍ୟକାରୀ ଧନ୍ଦାମୂଳକ ତାଲିମ ଯୋଜନା, ଆଦିବାସୀ ବାଳିକାଙ୍କ ଶିକ୍ଷା ଯୋଜନା ବାବଦରେ କୋଟି କୋଟି ଟଙ୍କା ଯୋଗାଇ ଦିଆଯାଉଛି । ଆଦିବାସୀ ମାନଙ୍କୁ ବାଣିଜି୍ୟକ ଶୋଷଣ ଓ ଦଲାଲ ମାନଙ୍କ କବଳରୁ ରକ୍ଷା ପାଇଁ ଗଠିତ ଆଦିବାସୀ ସମବାୟ ବିପଣନ ଉନ୍ନୟନ ମହାସଂଘ ଆଦିବାସୀ ମାନଙ୍କୁ ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ଓ ବଳକା କୃଷିଜାତ ଦ୍ରବ୍ୟର ବିପଣନ ପାଇଁ ଓ ଲଘୁ ବନଜାତ ଦ୍ରବ୍ୟ କାରବାର ପାଇଁ କେନ୍ଦ୍ର ସରକାର ଆଦିବାସୀ ଉନ୍ନୟନ ନିଗମ, ବନ ଉନ୍ନୟନ ନିଗମ ଓ ଲଘୁ ବନଜାତ ଦ୍ରବ୍ୟ ଉନ୍ନୟନ ମହାସଂଘକୁ ଅନୁଦାନ ଯୋଗାଇ ଦେଉଛି । ଗ୍ରାମୀଣ ଶସ୍ୟ ବ୍ୟାଙ୍କ୍ ଯୋଜନାରେ ହଜାର ହଜାର ଶସ୍ୟ ବ୍ୟାଙ୍କ ଗଠିତ ହୋଇଛି । ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବୃତି ଯୋଜନାରେ ଅନୁଦାନ ଯୋଗାଇ ଦିଆଯାଉଛି । ଆଦିବାସୀ ମାନଙ୍କର ବିଭିନ୍ନ ଆୟ ସୃଷ୍ଟିକାରୀ ଯୋଜନା ପାଇଁ ଗଠିତ ଜାତୀୟ ଆଦିବାସୀ ଅର୍ଥ ଉନ୍ନୟନ ନିଗମ ଆଦିବାସୀ ମାନଙ୍କୁ ଶହଶହ କୋଟି ଟଙ୍କାର ଋଣ ଯୋଗାଇ ଦେଉଛି । ଏଥିସହିତ ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଅନୁଦାନ ଓ ସାଧାରଣ ସେବା ରହିଛି । କିନ୍ତୁ ଏହାର କଣିଚାଏ ସୁଫଳ ସାଧାରଣ ଆଦିବାସୀ ମଣିଷ ପାଖରେ ପହଂଚି ପାରୁନଥିବା ଯୋଗୁ ଯୋଜନା ଗୁଡ଼ିକ ବିଫଳ ହୋଇ ଚାଲିଛି । ଯୋଜନା ଗୁଡ଼ିକ କେବଳ କାଗଜପତ୍ରରେ କାର୍ଯ୍ୟକାରୀ ହୋଇ କୋଟିକୋଟି ଟଙ୍କା ହରିଲୁଟ୍ ହେଉଛି । ଯୋଜନାବଦ୍ଧ ଭାବେ ଗରିବ ଆଦିବାସୀର ସ୍ୱାର୍ଥ ଲୁଟ୍ ହେଉଥିଲେ ମଧ୍ୟ ଏଥିରେ ସରଳ-ନୀରିହ ଆଦିବାସୀ ମଣିଷ ପ୍ରତିବାଦ କରିପାରେ ନାହିଁ । ଏବେ ମଧ୍ୟ ଆଦିବାସୀ ମଣିଷ ଦାରିଦ୍ର୍ୟର କବଳରେ ବନ୍ଦି ହୋଇ ରହିଛି । ପେଟକୁ ମୁଠାଏ ଦାନା ପାଇଁ ଏବେ ବି ସେ ନିଜ ଜୀବନ-ଜିବୀକା ସହ ସଂଘର୍ଷ ଜାରି ରଖିଛି । ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଛି । ଶିକ୍ଷା ଠାରୁ ବହୁ ଦୂରରେ ରହିଛି । ସାମାଜିକ ଓ ଆର୍ଥିକ ସ୍ଥିତି ବିପନ୍ନ ରହିଛି । ଏହା ସତ୍ୱେ ଗରିବୀ ହଟୁଥିବା, ସାକ୍ଷରତା ହାର ବଢୁଥିବା, ସ୍ୱାସ୍ଥ୍ୟସେବାର ଉନ୍ନତି ହେଉଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି ।
ଓଡ଼ିଶାରେ ବିଭିନ୍ନ ଯୋଜନା ବିଫଳ ହେଉଥିବା ଅଭିଯୋଗ ହେଉଛି । ପରିବାର କଲ୍ୟାଣ ଭିତିକ ଯୋଜନା ଓ ଆୟ ସୃଷ୍ଟିକାରୀ ଯୋଜନାରେ ଆଦିବାସୀ ପରିବାର ଗୁଡ଼ିକ ଉପକୃତ ହୋଇପାରି ନଥିବାବେଳେ ବିଭିନ୍ନ କଲ୍ୟାଣ ଯୋଜନା ବିଫଳ ହୋଇଛି । ଆଦିବାସୀଙ୍କ ପାରମ୍ପରିକ ଆଇନ ଗୁଡ଼ିକ ବ୍ୟାଖ୍ୟା ଓ ବିଶ୍ଲେଷଣ ଏବଂ ପ୍ରଶିକ୍ଷଣ, ଆଲୋଚନା ଚକ୍ର ଓ କର୍ମଶାଳା ପରିଚାଳନାରେ ଆଦିବାସୀ ଗବେଷଣା ପ୍ରତିଷ୍ଠାନ ବିଫଳ ହୋଇଛି । ଛାତ୍ରୀନିବାସ ଯୋଜନା ଓ ଆଶ୍ରମ ସ୍କୁଲ୍ ଯୋଜନାରେ ନିର୍ମିତ ଗୃହ ଓ ପରବର୍ତୀ ସ୍କୁଲ୍ ପରିଚାଳନାରେ ଗୁରୁତର ବ୍ୟାହତ ସୃଷ୍ଟି ହେଉଛି । ଇତିମଧ୍ୟରେ କେବିକେ ଜିଲ୍ଲାରେ ପ୍ରାୟ ୧ହଜାର ଆବାସିକ ବିଦ୍ୟାଳୟରେ ଛାତ୍ରୀନିବାସ ପ୍ରତିଷ୍ଠା କରାଯାଇଛି । କିନ୍ତୁ ଏହି ଯୋଜନାରେ ମହିଳା ସାକ୍ଷରତା ହାର ବୃଦ୍ଧି ଲକ୍ଷ୍ୟ ପୂରଣ ହୋଇ ପାରିନଥିବା ବେଳେ ଛାତ୍ରୀ ନିବାସ ଗୃହ ନିର୍ମାଣରେ କୋଟିକୋଟି ଟଙ୍କା ବାଟମାରଣା ହୋଇଛି । କେବିକେର ଅଧିକାଂଶ ଅଂଚଳ ଏହାର ସଶକ୍ତ ପ୍ରମାଣ ହୋଇ ରହିଛି । ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ଖାତାପତ୍ରରେ ସୀମିତ ରହିଛି । ଆଦିବାସୀ ଉନ୍ନୟନ ନିଗମ ଆଦିବାସୀଙ୍କ ଠାରୁ ସେମାନଙ୍କ ଦ୍ୱାରା ସଂଗୃହୀତ ଲଘୁ ବନଜାତ ଦ୍ରବ୍ୟ ଖର୍ଦ୍ଦି ବେଳେ ଦାମ୍ ଓ ଓଜନ-ମାପରେ ବ୍ୟାପକ ଭାବେ ଠକୁଥିବା ଅଭିଯୋଗ ହେଉଛି । ଆଦିବାସୀ ବିକାଶ ନାଁରେ କୋଟିକୋଟି ଟଙ୍କା ସ୍ୱେଚ୍ଛାସେବୀ ସଂସ୍ଥା ମାନେ ଆତ୍ମସାତ୍ କରୁଥିବା ଅଭିଯୋଗ ହୋଇ ଆସୁଛି । ଆଦିବାସୀ ଅର୍ଥ ଉନ୍ନୟନ ନିଗମ ଦ୍ୱାରା ଆଦିବାସୀ ମାନେ ଉପକୃତ ହୋଇ ପାରୁନଥିବା ବେଳେ ସମନ୍ନତି ଆଦିବାସୀ ବିକାଶ ସଂସ୍ଥା ଅଧିକାରୀ ଓ ଯନ୍ତ୍ରୀଙ୍କ ବିକାଶ ସଂସ୍ଥାରେ ପରିଣତ ହୋଇଛି । ଅଧିକାରୀମାନେ ପ୍ରଶାସନକୁ ଦୁର୍ନୀତିମୁକ୍ତ ଓ କି୍ରୟାଶୀଳ କରାଇବା ପରିବର୍ତେ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଅର୍ଥ ହରିଲୁଟ୍ କରିବାରେ ବ୍ୟସ୍ତ ଅଛନ୍ତି । ଆଦିବାସୀ ମଣିଷର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଗତି କରୁଥିବା ବେଳେ ସରକାରୀ ସ୍ତରରେ ନିରବତା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ଓଏନ୍ଏସ୍ ।

Leave a Reply

Your email address will not be published.