ସ୍ୱାସ୍ଥ୍ୟ ବିଭାଗରେ ଅସହିଷ୍ଣୁତା କାହିଁକି?

ଶରତ କୁମାର ରାଉତ
ଆମ ଦେଶରେ ସଂକ୍ରାମକ ରୋଗର ନିୟନ୍ତ୍ରଣ ଓ ରୋଗୀ ମାନଙ୍କୁ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଉପସ୍ୱାସ୍ଥ୍ୟ କେନ୍ଦ୍ରର ସୃଷ୍ଟି ହୋଇଛି । ଉପସ୍ୱାସ୍ଥ୍ୟ କେନ୍ଦ୍ରର ଇନ୍ଚାର୍ଜ ମହିଳା ସ୍ୱାସ୍ଥ୍ୟକର୍ମୀ ହେଉଛନ୍ତି ସ୍ୱାସ୍ଥ୍ୟ ବିଭାଗର ତୃଣମୂଳ ସ୍ତରୀୟ କର୍ମଚାରୀ । ସ୍ୱାଧୀନତା ପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା ଏଏନ୍ଏମ୍ ପଦବୀ । ୧୯୭୫ରେ ଶ୍ରୀବାସ୍ତବ କମିଟିର ସୁପାରିଶ କ୍ରମେ ଏଏନ୍ଏମ୍ ମାନଙ୍କୁ ମହିଳା ସ୍ୱାସ୍ଥ୍ୟକର୍ମୀ ପଦରେ ଅବସ୍ଥାପିତ କରାଗଲା । ଏହାକୁ ମଧ୍ୟ ଇଣ୍ଡିଆନ୍ ନର୍ସିଂ କାଉନସିଲ୍ ଗ୍ରହଣ କରିନେଲା । ସେହିପରି ୨୦୦୫ରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିସନ୍ କାର୍ଯ୍ୟକାରୀ ହେବା ପରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଓ ଗୋଷ୍ଟୀ ମଧ୍ୟରେ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଯୋଗ ରକ୍ଷାକାରୀ ପୋଲ ସଦୃଶ ହୋଇଗଲେ, ଯାହା ଥିଲା ସ୍ୱାସ୍ଥ୍ୟ ମିସନ୍ ର ମୂଳ ଲକ୍ଷ୍ୟ । ଏଠାରେ ପ୍ରକାଶଯୋଗ୍ୟ ଯେ, ଉପ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଖର୍ଚ୍ଚ ସହିତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କର ବେତନ ଓ ବିଭିନ୍ନ ଭତା କେନ୍ଦ୍ର ସରକାର ବହନ କରି ଆସୁଛନ୍ତି ।
ବାସ୍ତବରେ ମହିଳା ସ୍ୱାସ୍ଥ୍ୟକର୍ମୀ ହେଉଛନ୍ତି ଉନ୍ନତ ଓ ସୁସ୍ଥ ସମାଜ ଗଠନର ମେରୁଦଣ୍ଡ ତଥା ମୌଳିକ ସ୍ୱାସ୍ଥ୍ୟସେବାର ଆଲୋକ ବର୍ତିକା । ସେମାନଙ୍କୁ ବାଦ୍ ଦେଇ ସୁସ୍ଥ ସମାଜ ଗଠନର ସ୍ୱପ୍ନ ଦେଖିବା ସମ୍ଭବ ନୁହେଁ । ଯଦି ମୌଳିକ ସ୍ୱାସ୍ଥ୍ୟସେବା ଉନ୍ନତ ଓ ସୁସ୍ଥ ନହୁଏ, ତେବେ ସମାଜ ଦୁର୍ବଳ ହୋଇଯିବ । ଆଜି ପର୍ଯ୍ୟନ୍ତ ଭାରତବର୍ଷରେ ମୌଳିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ ବୈପ୍ଲବିକ ପରିବର୍ତନ ଦେଖା ଯାଇଛି, ତାହା କେବଳ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଯୋଗୁ । କଥାରେ ଅଛି, ମା’ ସୁସ୍ଥ ଓ ଶିକ୍ଷିତ ହେଲେ, ପିଲା ସୁସ୍ଥ ଓ ଶିକ୍ଷିତ ହୁଏ । ଠିକ୍ ସେହିପରି ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଣ କ୍ଷେତ୍ରରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କର ଆପ୍ରାଣ ଉଦ୍ୟମ ଯୋଗୁ ଆମ ସମାଜରେ ସୁସ୍ଥ ସବଳ ପିଲା ଜନ୍ମ ନେଉଛନ୍ତି । କ୍ରମେ ନିରାପଦ ମାତୃତ୍ୱର ହାର ବଢି ଚାଲିଛି । ଯକ୍ଷ୍ମା, ମ୍ୟାଲେରିଆ ଭଳି ମାରାତ୍ମକ ସଂକ୍ରାମକ ରୋଗ ନିରାମୟ କ୍ଷେତ୍ରରେ ଏମାନଙ୍କର ସାଲିସ୍ ବିହିନ ଉଦ୍ୟମ ଯୋଗୁ ଏହି ରୋଗ ଏବେ ମୂଳୋତ୍ପାଟନ ଅବସ୍ଥାରେ ପହଂଚି ଯାଇଛି । କେବଳ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଆଜି ଭାରତ ବିଶ୍ୱରେ ପୋଲିଓ ମୁକ୍ତ ଦେଶ ଭାବେ ପରିଚିତ । ସେମାନଙ୍କର କାର୍ଯ୍ୟରୁ ଜଣାଯାଏ, ମା’ ଓ ଶିଶୁ ମୃତୁ୍ୟହାର ହ୍ରାସ ସହିତ ଜନସଂଖ୍ୟା ନିୟନ୍ତ୍ରଣ ତଥା ପରିବାର କଲ୍ୟାଣ ପାଇଁ ମହିଳା ସ୍ୱାସ୍ଥ୍ୟକର୍ମୀ ତୃଣମୂଳ ସ୍ତରରେ ପ୍ରାଣମୂର୍ଚ୍ଛା କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । କିନ୍ତୁ ଚାକିରି କ୍ଷେତ୍ରରେ ଏମାନେ ସବୁଠୁ ଅବହେଳିତ । କର୍ମ କ୍ଷେତ୍ରରେ ଅସୁରକ୍ଷିତ ଥିବାବେଳେ କାମ କରିବାର ପରିବେଶ ସୃଷ୍ଟି ନହେବା ଭଳି ବହୁବିଧ ସମସ୍ୟା ଦେଇ ସେମାନେ ଗତି କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗରେ କାମ କରୁଥିବା ଅନ୍ୟାନ୍ୟ ବର୍ଗର କର୍ମଚାରୀଙ୍କ ଅପେକ୍ଷା ଏମାନଙ୍କୁ ସବୁବେଳେ ଗୌଣ ଦୃଷ୍ଟିରେ ଦେଖା ଯାଉଥିବା ଅଭିଯୋଗ ହେଉଛି । ଅନେକ ବର୍ଷ ତଳୁ ଏମାନେ ସୁସ୍ଥ ସମାଜ ଗଠନ ପାଇଁ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ନା ଅଛି ଉପଯୁକ୍ତ କ୍ୟାଡ଼ର୍ ନା ପଦୋନ୍ନତି ସୁବିଧା! ୨୦୧୯ ମାର୍ଚ୍ଚରେ କାର୍ଯ୍ୟକାରୀ ନୂଆ କ୍ୟାଡ଼ର୍ ରୁଲ୍ରେ ସେମାନଙ୍କ ପାଇଁ ଗୋଟିଏ ମାତ୍ର ପଦୋନ୍ନତି ପଦବୀ ଏଲ୍ଏଚ୍ଭି(ସ୍ୱାସ୍ଥ୍ୟ ପରିଦର୍ଶିକା)ରଖାଯାଇଛି । ମାତ୍ର ଏହି ଗୋଟିଏ ପଦୋନ୍ନତି ପଦବୀରେ ନିଜର ଚାକିରି କାଳ ଭିତରେ କିପରି ସମସ୍ତେ ଅବସ୍ଥାପିତ ହୋଇ ପାରିବେ, ସେଥିପାଇଁ ସରକାର କୌଣସି ସ୍ଥାୟୀ ବ୍ୟବସ୍ଥା କରି ନାହାନ୍ତି । ଅନ୍ୟପକ୍ଷରେ ଏମାନଙ୍କୁ ତାଲିମପ୍ରାପ୍ତ ନର୍ସ ହିସାବରେ ମଧ୍ୟ ସୁବିଧା ଦିଆ ଯାଇନାହିଁ । ଯାହାଙ୍କ ପିଠି ଉପରେ ସରକାର ମୌଳିକ ସ୍ୱାସ୍ଥ୍ୟସେବାର ବୋଝ ଲଦି ଦେଇଛନ୍ତି, ସେମାନେ ନିଜେ ଯଦି ରୁଗ୍ଣ ହୋଇ ପଡ଼ନ୍ତି, ତେବେ ଏକ ସୁସ୍ଥ ସମାଜ ଗଠନ ହେବ କିପରି?
ଗ୍ରାମାଂଚଳରେ ମୌଳିକ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କ୍ୟାଡ଼ର୍ ରୁଲ୍ ଏଠାରେ ଲାଗୁ ହେବା ଉଚିତ । ସେମାନଙ୍କର ପଦୋନ୍ନତି ପଦବୀ ଭାବେ ପିଏଚ୍ଏନ୍, ବ୍ଲକ୍ ସ୍ତରରେ ଗୋଟିଏ ବ୍ଲକ୍ ନର୍ସିଂ ଅଫିସର୍, ଜିଲ୍ଲା ସ୍ତରରେ ଗୋଟିଏ ଚିଫ୍ ଡ଼ିଷ୍ଟି୍ରକ୍ଟ ନର୍ସିଂ ଅଫିସର୍ ଓ ସେବିକା ନିଦେ୍ର୍ଦଶାଳୟରେ ଯୁଗ୍ମ ନିଦେ୍ର୍ଦଶିକା କିମ୍ବା ଉପ ନିଦେ୍ର୍ଦଶିକା ପଦବୀ ସୃଷ୍ଟି କରାଯିବା ଆବଶ୍ୟକ । ଏହାଦ୍ୱାରା ଗ୍ରାମାଂଚଳ ସ୍ୱାସ୍ଥ୍ୟସେବାରେ ଅଭିଜ୍ଞ ମହିଳା ସ୍ୱାସ୍ଥ୍ୟକର୍ମୀ ପଦୋନ୍ନତି ପାଇ ବ୍ଲକ୍, ଜିଲ୍ଲା ଓ ସେବିକା ନିଦେ୍ର୍ଦଶାଳୟରେ ନିଜର ଗ୍ରାମାଂଚଳ ସ୍ୱାସ୍ଥ୍ୟସେବାର ଅନୁଭୂତି ଓ ଅଭିଜ୍ଞତାକୁ ବ୍ୟବହାର କରି ମୌଳିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜଭୂତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ପାରିବ ।
ଗତ ୨୦୧୩ ଜାନୁୟାରୀ ୧ ତାରିଖ ରେ ଓଡ଼ିଶା ସରକାର ନିଜ କର୍ମଚାରୀଙ୍କ ପାଇଁ ପଦୋନ୍ନତି(ଆରଏସିପି) ବ୍ୟବସ୍ଥା କାର୍ଯ୍ୟକାରୀ କଲେ । ପ୍ରତ୍ୟେକ କର୍ମଚାରୀ ନିଜ ଚାକିରିର ୧୦ ବର୍ଷ, ୨୦ବର୍ଷ ଓ ୩୦ ବର୍ଷରେ ପଦୋନ୍ନତି ସୁବିଧା ପାଇବେ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ୨୦୧୩ରୁ ଏହା କାର୍ଯ୍ୟକାରୀ କଲା । ଅନ୍ୟାନ୍ୟ କର୍ମଚାରୀଙ୍କ ଭଳି ମହିଳା ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ମଧ୍ୟ ଆରଏସିପି ସୁବିଧା ଦିଆଗଲା । ମାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବିଭିନ୍ନ ସମୟର କ୍ୟାଡ଼ର୍ ରୁଲ୍ ବା ଶେଷ ୨୦୧୨ କ୍ୟାଡ଼ର୍ ରୁଲ୍କୁ ଅନ୍ୟାନ୍ୟ ରାଜ୍ୟ ଭଳି କାର୍ଯ୍ୟକାରୀ ନକରି ଓଡ଼ିଶା ସରକାର୨୦୧୫ ଜୁଲାଇରେ ନିଜର ଭିନ୍ନ ଏକ କ୍ୟାଡ଼ର୍ ରୁଲ୍ ଲାଗୁ କଲେ । ତେବେ ଉକ୍ତ କ୍ୟାଡ଼ର୍ ରୁଲ୍ କାର୍ଯ୍ୟକାରୀ ଠାରୁ ହିଁ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ପଦୋନ୍ନତି ପଦବୀର ସୁବିଧା ପାଇବେ ବୋଲି ଅର୍ଥ ବିଭାଗ(ଚିଠି ନଂ.୨୨୧୫୨/ତା.୦୯.୦୮.୨୦୧୬) ସୂଚନା ଦେଇଥିଲା ବେଳେ ପରିବାର କଲ୍ୟାଣ ନିଦେ୍ର୍ଦଶାଳୟ ମଧ୍ୟ ସମାନ ସୂଚନା(ଚିଠି ନଂ.୧୫୭୩/୧୪.୧୦.୨୦୧୯) ଦେଇଛି । ମାତ୍ର ଏହା ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବୁଦ୍ଧିଜୀବୀ ମହଲକୁ ଚକିତ କରିଛି । କାରଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ୧୯୯୭ରେ କ୍ୟାଡ଼ର୍ (ରିଜୋଲୁସନ୍ ନଂ.୧୧୨୭୫/ତା.୨୯.୦୩.୧୯୯୭ ରିଖ)ପ୍ରସ୍ତୁତ ହୋଇଥିଲା, ମାତ୍ର ନିୟମାବଳୀ କୁଆଡ଼େ ତିଆରି ହୋଇନଥିଲା । ତା’ହେଲେ ବିନା ରୁଲ୍ରେ କିପରି ମହିଳା ସ୍ୱାସ୍ଥ୍ୟକର୍ମୀ ମାନେ ବର୍ଷ ବର୍ଷ ତଳୁ ନିଯୁକ୍ତି ପାଇ ଆସୁଛନ୍ତି? ପୁଣି ସେମାନଙ୍କୁ ପରିଦର୍ଶିକା ପଦବୀକୁ ପଦୋନ୍ନତି କିପରି ଦିଆଯାଉଛି? ଅନ୍ୟପକ୍ଷରେ ମାଟି୍ରକ୍ ପାସ୍ କରିଥିବା ତଥା ଉପସ୍ୱାସ୍ଥ୍ୟକେନ୍ଦ୍ରରେ ୩ବର୍ଷ କାର୍ଯ୍ୟ କରିଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ମାନେ ମହିଳା ପରିଦର୍ଶିକା ପଦବୀ ପାଇଁ ତାଲିମ ନେଇ ପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ୧୯୯୨ରେ ଆଦେଶନାମା (ଚିଠି ନଂ.୨୧୭୬୬/ତା.୧୬.୦୬.୧୯୯୨ରିଖ) ଜାରି କରିଥିଲେ । ତେବେ ଉପରୋକ୍ତ ଆଦେଶନାମା ଗୁଡ଼ିକ କ୍ୟାଡ଼ର୍ ରୁଲ୍ ନୁହେଁ କି? ଅନ୍ୟପକ୍ଷରେ ୧୯୯୨ ପୂର୍ବରୁ ବିନା ରୁଲ୍ରେ ମହିଳା ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ପଦୋନ୍ନତି କିପରି ଦିଆ ଯାଉଥିଲା? ମହିଳା ସ୍ୱାସ୍ଥ୍ୟକର୍ମୀ ପଦବୀ କାର୍ଯ୍ୟକାରୀ ହେବା ଦିନରୁ କାହିଁକି କ୍ୟାଡ଼ର୍ ରୁଲ୍ ତିଆରି ହୋଇନଥିଲା? ଏ ବାବଦରେ ସରକାର ବ୍ୟାପକ ସମୀକ୍ଷା କରିବା ଉଚିତ ଯେ,ଏଥିପାଇଁ ଦାୟୀ କିଏ? ମହିଳା ସ୍ୱାସ୍ଥ୍ୟକର୍ମୀ ନା ସରକାର? ବାସ୍ତବତା ହେଲା, ସରକାରୀ ସ୍ତରରେ କୌଣସି ପଦବୀ ସୃଷ୍ଟି ହେବା ସହିତ କ୍ୟାଡ଼ର୍ ରୁଲ୍ ବା ଚାକିରି ସତାବଳୀ ତିଆରି ହୋଇ କାର୍ଯ୍ୟକାରୀ ହୋଇଥାଏ । ସରକାରୀ ଅଧିକାରୀ ବା କର୍ମଚାରୀ ମନମୁଖୀ କ୍ୟାଡ଼ର୍ ରୁଲି ତିଆରି କରିବା ଓ କାର୍ଯ୍ୟକାରୀ କରିବା ଉଚିତ ନୁହେଁ । ଏଥିରୁ ଜଣା ପଡ଼ୁଛି ଯେ, ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ କ୍ୟାଡ଼ର୍ ରୁଲ୍ ତିଆରି ଓ କାର୍ଯ୍ୟକାରୀ ନାଁରେ ହୁଏତ ଉଦେ୍ଦଶ୍ୟ ମୂଳକ ଭାବେ ୫/୭ ଦିନର କାମକୁ ୫/୭ ବର୍ଷ ଲଗାଇ ଦିଆଯାଇଛି । ଏହା କିଭଳି ଶାସନ ବ୍ୟବସ୍ଥା, ଜାଣି ହେଉନାହିଁ । ଅତଏବ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା କୌଣସି ବ୍ୟକ୍ତିର ମର୍ଜ୍ଜିରେ ଚାଲିବା ଅନୁଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମହଲରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *